Categories
ଜାତୀୟ ଖବର ବିଶେଷ ଖବର

କୃଷି ଆଇନ ପ୍ରତ୍ୟାହାର ଉଦବୋଧନ ସମୟରେ ଆହୁରି ଅନେକ କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଉଦବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି। ଦେଢ଼ ବର୍ଷର ବ୍ୟବଧାନ ପରେ କରତାରପୁର ସାହିବ କରିଡର ପୁଣିଥରେ ଖୋଲିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ପାଞ୍ଚ ଦଶନ୍ଧିର ସାର୍ବଜନୀନ ଜୀବନରେ ମୁଁ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଛି। ଏହି କାରଣରୁ ୨୦୧୪ରେ ମୋତେ ଯେତେବେଳେ ଦେଶରେ ପ୍ରଧାନସେବକ ଭାବେ ଦେଶସେବା କରିବାର ସୁଯୋଗ ମିଳିଲା, ଆମେ କୃଷି ବିକାଶ ଏବଂ କୃଷକଙ୍କ କଲ୍ୟାଣ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି, ଆମେ ବିହନ, ବୀମା, ବଜାର ଓ ସଞ୍ଚୟ, ଏସବୁ ଉପରେ ଚତୁର୍ଦ୍ଦିଗରୁ ପ୍ରୟାସ କଲୁ। ସରକାର ଉନ୍ନତ କିସମର ବିହନ ସହିତ ଚାଷୀମାନଙ୍କୁ ନିମ୍ବ ମିଶ୍ରିତ ୟୁରିୟା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ଯୋଡ଼ିଲେ।

ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମ ବଳରେ ଉତ୍ପାଦନ କରିଥିବା ଫସଲର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ଅନେକଗୁଡ଼ିଏ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶ ନିଜର ଗ୍ରାମୀଣ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ସେ କହିଥିଲେ। “ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି,” ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳିପାରୁ।

ମୋଦୀ କହିଥିଲେ, ଦୀର୍ଘ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର ଚାଷୀ ସଂଗଠନ ଲଗାତାର ଏହି ଦାବି କରି ଆସୁଥିଲେ। ପୂର୍ବରୁ ଅନ୍ୟ ସରକାରମାନେ ଏ ସମ୍ପର୍କରେ ମାନସମନ୍ଥନ କରିଥିଲେ। ଏଥର ମଧ୍ୟ ସଂସଦରେ ଆଲୋଚନା ହେଲା, ମାନସମନ୍ଥନ ହେଲା ଏବଂ ଏହି ଆଇନ ଆସିଲା। ଦେଶର କୋଣ ଅନୁକୋଣରେ କୋଟି କୋଟି ଚାଷୀ, ଅନେକ ଚାଷୀ ସଂଗଠନ, ଏହାକୁ ସ୍ୱାଗତ କଲେ, ସମର୍ଥନ କରିଥିଲେ। ଆଇନକୁ ସମର୍ଥନ କରିଥିବା ସଂଗଠନ, ଚାଷୀ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି ଆଇନ ସରକାର ଆଣିଥିଲେ। ସେ ଆହୁରି କହିଥିଲେ ଯେ, କିନ୍ତୁ ଏତେ ପବିତ୍ର କଥା, ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ଚାଷୀଙ୍କ ହିତର କଥାକୁ, ଆମେ ଅନେକ ପ୍ରୟାସ ସତ୍ତ୍ୱେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ଗୁରୁତ୍ୱ ବୁଝାଇବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ, ଏକଥା କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି ଚାଷୀ ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଦେବୁ।

ପବିତ୍ର ଗୁରୁପରବର ଭାବନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ପରସ୍ପରକୁ ଦୋଷ ଦେବାରେ ଲିପ୍ତ ନରହି ଚାଷୀଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବା ଉଚିତ୍। କୃଷି କ୍ଷେତ୍ରରେ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଶୂନ୍ୟ ବଜେଟ୍ ଆଧାରିତ କୃଷି, ଦେଶର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଫସଲର ପଦ୍ଧତିକୁ ବଦଳାଇବା, ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଲାଗି ଏକ କମିଟି ଗଠନ କରିବା ନିମନ୍ତେ ସେ ଘୋଷଣା କରିଥିଲେ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ମାନେ ସାମିଲ ରହିବେ।

Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ ୧ରୁ ପଞ୍ଜାବରେ କୌଣସି କୃଷକଙ୍କୁ ଆତ୍ମହତ୍ୟା କରିବାକୁ ଦେବୁ ନାହିଁ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବର ମାନସାରେ କୃଷକମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଆଜି ସେ ପଞ୍ଜାବରେ ପହଞ୍ଚିବା ପରେ ଦୁଃଖଦ ଖବର ଶୁଣିବାକୁ ମିଳିଥିଲା। ଚାଷୀ ଆନ୍ଦୋଳନରେ ସଂଘର୍ଷ କରୁଥିବା ତିନିଜଣ ମହିଳା ଟ୍ରକ୍ ଦ୍ୱାରା ଧକ୍କା ହୋଇ ମୃତ୍ୟୁବରଣ କରିଥିଲେ। ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ସରକାର ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ଉଚିତ୍ ଏବଂ କଠୋର ଦଣ୍ଡ ଦେବା ଉଚିତ୍।

ଦେଶର ଯେକୌଣସି ସ୍ଥାନରୁ କୃଷକଙ୍କ ଆତ୍ମହତ୍ୟା ଖବର ଆସିଲେ, ଏହା ବହୁତ କଷ୍ଟ ଦେଇଥାଏ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆଜି କୃଷକମାନଙ୍କୁ ଆତ୍ମହତ୍ୟା କରିବାକୁ ପଡୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ସମସ୍ତଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିତ କରୁଛି ଯେ ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ, ମାର୍ଚ୍ଚରେ ଫଳାଫଳ ଆସିବ କିନ୍ତୁ ଏପ୍ରିଲ୍ ପରେ ଆମେ କୌଣସି ଚାଷୀଙ୍କୁ ଆତ୍ମହତ୍ୟା କରିବାକୁ ଦେବୁ ନାହିଁ, ଏହା ଆମର ଦାୟିତ୍ଵ।’

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ।

ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ ଦୀର୍ଘ ତିନିମାସ ଧରି ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଏହି ଚାଷୀ ବିଲକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ସଂଗଠନ ଚେତାବନି ଦେଇଛି।

ଚାଷୀମାନଙ୍କର ଏହି ଦାବୀ ସଂପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ସହିତ ବାରମ୍ବାର ବୈଠକ ବସିଛି। ହେଲେ କୌଣସି ବୈଠକ ଫଳପ୍ରଦ ହୋଇପାରି ନାହିଁ। ଏହି ଆଲୋଚନାରେ ସରକାର ବିଲରେ କେତକ ସଂଶୋଧନ କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଂଗଠନ ଏଥିରେ ରାଜି ହେଉ ନାହାଁନ୍ତି। ସେମାନଙ୍କର ଗୋଟିଏ ଦାବୀ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରାଯାଉ।

ଅନ୍ୟପଟେ କେନ୍ଦ୍ର ସରକାର ବର୍ତ୍ତମାନ ବିଲ ପ୍ରତ୍ୟାହାର ନେଇ ରାଜି ହେଉ ନାହାଁନ୍ତି। ଫଳରେ ଚାଷୀ ସଂଗଠନର ଆନ୍ଦୋଳନ ସେହିପରି ଚାଲୁ ରହିଛି। ଏପରିକି ଏହି ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାଲୋଚନା କରାଯାଉଛି। ଭାରତରେ ମଧ୍ୟ ସମସ୍ତ ବିରୋଧୀ ଦଳ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରୁ ନ ଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମାର୍ଚ୍ଚ 26 ତାରିଖରେ ଏହି ଆନ୍ଦୋଳନକୁ ଜୋରାଦାର କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, କୃଷି ଆଇନର ପ୍ରଚାର କରିବା ପାଇଁ ଖର୍ଚ୍ଚ କଲେ 8 କୋଟି ଟଙ୍କା

ନୂଆଦିଲ୍ଲୀ, ଦୀର୍ଘ ଦୁଇମାସ ଧରି ନୂଆ ଦିଲ୍ଲୀରେ ଚାଲିଛି ଚାଷୀ ଆନ୍ଦୋଳନ। ଯାହାକୁ ନେଇ ଦେଶ କାହିଁକି ବିଦେଶରେ ମଧ୍ୟ ଏହା ଉପରେ ସମାଲୋଚନା ଚାଲିଛି। ଏହିପରି ବଦନାମରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ତିନୋଟି ଆଇନ ସଂପର୍କରେ ପ୍ରଚାର ପ୍ରସାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି। ବିଗତ କେତେ ମାସ ମଧ୍ୟରେ କେନ୍ଦ୍ର ସରକାର ଏହି କୃଷି ଆଇନ ସପକ୍ଷରେ ପ୍ରଚାର ପାଇଁ ପ୍ରାୟ 8 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

କଂଗ୍ରେସ ସାଂସଦ ସୟଦ ନାସିର ହୁସେନ୍‌ଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟସଭାକୁ କହିଛନ୍ତି ଯେ ନୂଆ କୃଷି ଆଇନ ସଚେତନତା ବିଜ୍ଞାପନ ପାଇଁ ତାଙ୍କ ମନ୍ତ୍ରଣାଳୟ 7 କୋଟି 25 ଲକ୍ଷ 57 ହଜାର 246 ଟଙ୍କା ଦେଇଛି। ଏହି ଟଙ୍କା ସେପ୍ଟେମ୍ବର 2020 ରୁ ଜାନୁୟାରୀ 2021 ମଧ୍ୟରେ ଖର୍ଚ୍ଚ କରାଯାଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

କଂଗ୍ରେସ ସାଂସଦ ସୟଦ ନାସିର ହୁସେନ୍ ପ୍ରଶ୍ନ କରିଥିଲେ ଯେ. କୃଷି ଆଇନ ଉପରେ ବିଭ୍ରାନ୍ତିକର ପ୍ରଚାର ବିରୁଦ୍ଧରେ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର 2020 ରୁ ଜାନୁୟାରୀ 2021 ମଧ୍ୟରେ ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି । ଏହାର ଉତ୍ତରରେ ତୋମର କହିଛନ୍ତି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଉଟରିଚ ଏବଂ ଯୋଗାଯୋଗ ବ୍ୟୁରୋ (BOC) କୃଷି ନିୟମର ସଂପର୍କରେ ପ୍ରଚାର କରାଯାଇଛି। ଏଥିରେ ବିଜ୍ଞାପନ ପ୍ରଦାନ ପାଇଁ ପ୍ରାୟ 8 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେ କହିଛନ୍ତି, କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ BOC ମାଧ୍ୟମରେ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହା ବ୍ୟତୀତ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ତିନୋଟି କୃଷି ଆଇନ ଉପରେ ଇଲୋଟ୍ରୋନିକ ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ୱେବିନିନର୍ ମାଧ୍ୟମରେ ମଧ୍ୟ ବ୍ୟାପକ ପ୍ରଚାର କରାଯାଇଛି। ଏଥିପାଇଁ 67 ଲକ୍ଷ 99 ହଜାର 750 ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏହି ଆଇନ ଉପରେ ଦୁଇଟି ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମଧ୍ୟ 1 ଲକ୍ଷ 50 ହଜାର 568 ଟଙ୍କାର ଖର୍ଚ୍ଚ ହୋଇଛି।

ସାଂସଦଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ସରକାରୀ ବିଭାଗ, ବିଦେଶରେ ଥିବା ଏଜେନ୍ସି ଏବଂ ଭାରତୀୟ ଦୂତାବାସଗୁଡିକରୁ ସବିଶେଷ ତଥ୍ୟ ମାଗିଛନ୍ତି। କାରଣ ସେମାନଙ୍କୁ ମଧ୍ୟ କୃଷି ଆଇନ ପ୍ରଚାର ପାଇଁ କୁହାଯାଇଥିଲା। ତେବେ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ ସେମାନେ କୌଣସି ଖର୍ଚ୍ଚ କରି ନାହାଁନ୍ତି ବୋଲି ଅବଗତ କରାଇଛନ୍ତି। ସେ କହିଛନ୍ତି ତଥାପି ଅନେକ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସୋସିଆଲ ମିଡିଆରେ କୃଷି ଆଇନ ଉପରେ ପ୍ରବାସୀ ଭାରତୀୟଙ୍କୁ ସଚେତନ କରାଇଛନ୍ତି।

ଗତ ଫେବୃଆରୀ 5 ରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲଙ୍କ ଚାଷୀ ମୃତ୍ୟୁ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ତୋମାର କହିଥିଲେ କେନ୍ଦ୍ର ତିନୋଟି କୃଷି ବିଲ୍ ପାଶ କରିବା ପରେ ଏଥିପାଇଁ କୌଣସି ଚାଷୀଙ୍କ ମୃତ୍ୟୁ କିମ୍ବା ଆତ୍ମହତ୍ୟା ବିଷୟରେ କୌଣସି ରେକର୍ଡ ନାହିଁ। ତେବେ କୃଷକଙ୍କ ବିରୋଧ ସମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ତିନିଟି ନିୟମକୁ ବିରୋଧ କରିବା ପାଇଁ ଦିଲ୍ଲୀ ଅଭିମୁଖେ ଯାଉଥିବା କୃଷକମାନଙ୍କ ଉପରେ ଦିଲ୍ଲୀ ପୋଲିସ କୌଣସି ମିଆଦ ସରିଯାଇଥିବା ଲୁହବୁହା ଗ୍ୟାସ ବ୍ୟବହାର କରି ନାହିଁ।

ଅନ୍ୟ ଏକ ପ୍ରଶ୍ନ ଥିଲା ଯେ କୃଷକ କଲ୍ୟାଣ ପାଣ୍ଠିରୁ ମୃତ କୃଷକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ କି? ଏହି ପ୍ରଶ୍ନର ଉତ୍ତର ତୋମାର ‘ନା’ ବୋଲି କହିଛନ୍ତି। ଏଥିସହିତ ଫେବୃଆରୀ 12 ଶୁକ୍ରବାର ଦିନ ଅନ୍ୟ ଏକ ପ୍ରଶ୍ନ ପଚରାଯାଇଥିଲା। ତାହା ଥିଲା ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଏବଂ ତାଙ୍କ ପିଲାମାନଙ୍କୁ ପୁନଃଥଇଥାନ କିମ୍ବା କୌଣସି ସହାୟତା ଦିଆଯାଇପାରିବ କି ? ତୋମାର କହିଛନ୍ତି, ‘କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପାଖରେ ସେପରି କୌଣସି ବ୍ୟବସ୍ଥା ନାହିଁ ।

କୃଷି ବିଲକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ହଜାରହଜାର କୃଷକମାନେ ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଛାଉଣି କରି ଧାରଣ ଦେଇଛନ୍ତି। ଜାନୁଆରୀ 20 ପର୍ଯ୍ୟନ୍ତ ଦୁଇ ମାସରୁ ଅଧିକ ସମୟ ଧରି କୃଷକମାନେ ଆନ୍ଦୋଳନ କରିଚାଲିଛନ୍ତି। ତେବେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀର ବିଭିନ୍ନ ଆନ୍ଦୋଳନ ସ୍ଥଳରେ ଅତି କମରେ ପାଞ୍ଚ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଅନେକ କୃଷକ ମଧ୍ୟ ପ୍ରାଣ ହରାଇଛନ୍ତି।

ଚାଷୀମାନେ ମୁଖ୍ୟତଃ ତିନୋଟି ନୂତନ କୃଷି ନିୟମ ପ୍ରତ୍ୟାହାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ପାଇଁ ଦାବି କରିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହିତ ଚାଷୀ ସଂଗଠନର 11 ଥର ବୈଠକ ମଧ୍ୟ ହୋଇଛି। ଏଥିରେ 41ଟି ଚାଷୀ ସଂଗଠନ ଭାଗ ନେଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳିପାରି ନାହିଁ। ଇତିମଧ୍ୟରେ କେନ୍ଦ୍ର 18 ମାସ ପାଇଁ ଏହି ଆଇନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ତାହା କୃଷକ ସଂଗଠନ ଦ୍ୱାରା  ପ୍ରତ୍ୟାଖିତ କରାଯାଇଛି। ଏହି ଆନ୍ଦୋଳନକୁ ନେଇ ବର୍ତ୍ତମାନ ଦେଶ ତଥା ବିଦେଶରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାରେ ଚକା ବନ୍ଦ କରିବ ନବ ନିର୍ମାଣ କୃଷକ ସଂଗଠନ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର, ନୂଆଦିଲ୍ଲୀରେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ ଆଜି ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ ଏହି ଆହ୍ବାନ ଦେଇଛନ୍ତି।

ସେହିପରି ଓଡିଶାରେ ଏହି ବନ୍ଦକୁ ସମର୍ଥନ କରିଛି ନବ ନିର୍ମାଣ କୃଷକ ସଂଗଠନ। ଏହାର କର୍ମିମାନେ ଭୁବନେଶ୍ବରର ମୁଖ୍ୟରାସ୍ତାରେ ଚକାବନ୍ଦ କରିବେ। ସେହିପରି ସଂଗଠନର ବିଭିନ୍ନ ଜିଲ୍ଲାରେ ଥିବା କର୍ମିମାନେ ମଧ୍ୟ ରାଜରାସ୍ତା ବନ୍ଦ କରିବେ ବୋଲି ନିଷ୍ପତି କରାଯାଇଛି। ଏ ନେଇ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ସଂଗଠନର ଘୋଷଣା ପରେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତାକାଲି ଗାଡି ନେଇ ଯାଉଥିଲେ ସାବଧାନ, ଚାଷୀ ସଂଗଠନ ଡାକରା ଦେଲା ଚକା ବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ, ଗୋଟିଏ ପଟେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ଫେବୃଆରୀ 6 ତାରିଖରେ ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ  ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ।  ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ କହିଛନ୍ତି ଯେ ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସ୍ଥାନରେ ଏହି ବନ୍ଦ କରାଯିବ।

ଏହି ସମୟ ଯଦି କୌଣସି ଲୋକ ଅସୁବିଧାରେ ପଡିବେ ତେବେ କୃଷକମାନେ ସେମାନଙ୍କୁ ସାହାର୍ଯ୍ୟ କରିବେ ବୋଲି କୁହାଯାଇଛି। ଏହିପରି ଅସୁବିଧାରେ ପଡିଥିବା ଲୋକଙ୍କୁ ମାଗଣାରେ ଜଳ ଏବଂ ଖାଦ୍ୟ ଦିଆଯିବ ବୋଲି ନିଷ୍ପତି କରାଯାଇଛି। ଏହି ଚକା ବନ୍ଦକୁ ସଫଳ କରିବା ପାଇଁ କୃଷକ ସଂଗଠନଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରୁଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ତିନି ଘଣ୍ଟା ପାଇଁ ବନ୍ଦ ରହିବ ।

26 ଜାନୁଆରୀ ଘଟଣା ପରେ ରାଜନୈତିକ ଦଳମାନେ ଖୋଲାଖୋଲି ଭାବେ କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଠା କରୁଛନ୍ତି। ସେଥିପାଇଁ ସଂଗଠନ ଏହି ପଦକ୍ଷେପ ନେଇଛି ବୋଲି କୁହାଯାଇଛି। ଏହି ଆନ୍ଦୋଳନ ଡାକରା ପରେ  ବିଜେପି ଶାସିତ ରାଜ୍ୟରେ ଥିବା ପୋଲିସ ଏହାକୁ ମୁକାବିଲା କରିବାରେ ପ୍ରସ୍ତୁତି ହେଉଛନ୍ତି। ହରିୟାଣାର ଖଟ୍ଟର ସରକାର ସେମାନଙ୍କ ସହ କଡା ମୁକାବିଲା କରିବାକୁ କହିଛନ୍ତି।

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଗଠନ ତରଫରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି। ରାଜପଥ ଦେଇ ଯାଉଥିବା ସାଧାରଣ ଲୋକଙ୍କୁ ସଂଗଠନ 12 ରୁ 3 ଟା ମଧ୍ୟରେ ନ ଯିବା ପାଇଁ ପରାମର୍ଶ ଦେଇଛି। ଯେଉଁମାନେ ପ୍ରତିଦିନ ଏହି ମାର୍ଗ ଦେଇ ଯାଆନ୍ତି ସେମାନେ ସତର୍କ ରହିବାକୁ ନିବେଦନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତର କୃଷି ବିଲକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ବାଇଡେନ ସରକାର, ଜାରୀ କଲେ ଏକ ବିବୃତି

ନୂଆଦିଲ୍ଲୀ, ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ। ଏହା ମଧ୍ୟ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଚାଲିଥିବା ବିରୋଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ।

ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ବାଇଡେନ ପ୍ରଶାସନଙ୍କର ଏହି ବିବୃତି ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକାରୀଙ୍କୁ ଶକ୍ତ ଧକ୍କା ସଦୃଶ ହୋଇଛି।

ଭାରତରେ ଚାଲିଥିବା ବିରୋଧ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆମେରିକା ଭାରତର ପଦକ୍ଷେପକୁ ସ୍ୱାଗତ କରୁଛି। ଏହି କୃଷି ବିଲ୍ ଭାରତୀୟ ବଜାରକୁ ଶକ୍ତ କରିବ। ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ୱାଶିଂଟନ୍ ସ୍ବୀକାର କରିଛି ଯେ ଶାନ୍ତିପୂର୍ଣ୍ଣ ବିରୋଧ ହେଉଛି ଯେ କୌଣସି ସମୃଦ୍ଧ ଗଣତନ୍ତ୍ରର ସଙ୍କେତ। ଯଦି କୌଣସି ମତଭେଦ ସୃଷ୍ଟି ହୁଏ ତେବେ ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ।

ବର୍ତ୍ତମାନ କୃଷି ବିଲ ଉପରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇ ସାରିଛି। ହେଲେ ଉଭୟ ଉଭୟଙ୍କ ଜିଦରେ ରହିବା ଯୋଗୁଁ ତାହାର କୌଣସି ସମାଧାନ ହୋଇପାରୁ ନାହିଁ। ଏପରିକି ଜାନୁୟାରୀ 26 ତାରିଖରେ ଚାଷିଙ୍କ ଏହି ଆନ୍ଦୋଳନ ଏକ ହିଂସାତ୍ମକ ରୂପ ନେଇଥିଲା। ଲାଲକିଲାକୁ ଚାଷୀମାନେ ଘେରିଯାଇ କିଛି ସମୟ ପାଇଁ ନିଜ କବଜାକୁ ନେଇ ଯାଇଥିଲେ। ଏହିପରି ପରିସ୍ଥିତିକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି।

ଚାଷି ଆନ୍ଦୋଳନକୁ ନେଇ ବର୍ତ୍ତମାନ ଦେଶ ରାଜନୀତି ମଧ୍ୟ ବେ ସରଗରମ ହୋଇପଡିଛି। ବିଭିନ୍ନ ବିରୋଧୀ ଦଳ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଚାଷୀଙ୍କୁ ମାଧ୍ୟମ କରି ସେମାନେ ମୋଦୀ ସରକରାଙ୍କୁ ଘେରିବାରେ ଲାଗିଛନ୍ତି। ହେଲେ ସେଥିରେ ସେପରି ସଫଳତା ହାସଲ କରିପାରୁ ନାହାଁନ୍ତି ବିରୋଧୀ। ଗୋଟିଏ ପଟେ ସରକାର ଚାଷୀଙ୍କ ଆଲୋଚନା ବିଫଳ ହେଉଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ଥମିବାର ମଧ୍ୟ ନାଁ ଧରୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉଗ୍ରରୂପ ଧାରଣ କଲେ ଚାଷୀ, ଦିଲ୍ଲୀରେ ତୀବ୍ର ଉତ୍ତେଜନ, ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଉଗ୍ରରୂପ ଧାରଣ କରିଛନ୍ତି। ଗୋଟିଏ ପଟେ ସମଗ୍ର ଦେଶ ଏହାର 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଅନ୍ୟ ପଟେ ଜାତୀୟ ରାଜଧାନୀ ଦିଲ୍ଲୀର କୃଷକମାନେ ନୂତନ କୃଷି ଆଇନ ବିରୋଧରେ ଟ୍ରାକ୍ଟର ପରେଡ କରିଛନ୍ତି। ଅନେକ ସ୍ଥାନରେ କୃଷକମାନେ ଦିଲ୍ଲୀରେ ପ୍ରବେଶ ପାଇଁ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ, ତା’ପରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।  କୃଷକଙ୍କ ଏହି ଟ୍ରାକ୍ଟର ରାଲି ଦିଲ୍ଲୀର ସୀମାନ୍ତରେ କରୁଛନ୍ତି। ଆଜି ଗାଜିପୁର ସୀମାରୁ ଏକ କୃଷକ ଦଳ ଏହି ରାଲିରେ ବାହାରି ITO ରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି କୃଷକମାନେ ଲାଲକିଲା ଯିବା ପାଇଁ ଚେଷ୍ଟା କରୁଛନ୍ତି। ପୋଲିସ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି, କିନ୍ତୁ ଚାଷୀମାନେ ଅଟକାଇବାକୁ ପ୍ରସ୍ତୁତ ନୁହଁନ୍ତି। କୃଷକମାନେ କ୍ରମାଗତ ଭାବରେ ଆଗକୁ ବଢିବାରେ ଲାଗିଛନ୍ତି। କୃଷକମାନେ ଟ୍ରାକ୍ଟର ସାହାଯ୍ୟରେ ପୋଲିସ ବ୍ୟାରିକେଟକୁ ହଟାଇବାକୁ ଚେଷ୍ଟା କରୁଛି। ଆଇଟିଓରେ ଚାଷୀମାନେ ଟ୍ରାକ୍ଟର ହଟାଇ ଭିତରକୁ ପଶିବାକୁ କରିଛନ୍ତି। ହଜାର ହଜାର ଚାଷୀଙ୍କ ଏପରି ପଦକ୍ଷେପକୁ ପୋଲିସ ରୋକିବାରେ ନାକେଦମ ହୋଇସାରିଲାଣି।

ଆଜି କୃଷକମାନେ ଲାଲକିଲାରେ ପରେଡ ସମୟ ପୂର୍ବରୁ ଟ୍ରାକ୍ଟର ପରେଡ ବାହାର କରିଥିଲେ। କୃଷକଙ୍କ ଟ୍ରାକ୍ଟର ପରେଡ ମଧ୍ୟାହ୍ନ 12 ଟାରୁ କରିବା ପାଇଁ ଦିଲ୍ଲୀ ସରକାର ଅନୁମତି ଦେଇଥିଲେ। କାରଣ ଗଣତନ୍ତ୍ର ଦିବସର ମୁଖ୍ୟ ପରେଡ ଶେଷ ହେବା ପରେ ଦିଲ୍ଲୀ ପୋଲିସକୁ ଟ୍ରାକ୍ଟର ପରେଡ ବାହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେମାନେ ସକାଳ ଆଠରୁ ନଅଟା ମଧ୍ୟରେ ଏହି ଟ୍ରାକ୍ଟର ପରେଡ ଆରମ୍ଭ କରି ଦେଇଥିଲେ।

ଦିଲ୍ଲୀ ପୋଲିସ ଚାଷୀଙ୍କୁ ତିନୋଟି ମାର୍ଗରେ ପରେଡ କରିବାକୁ ଅନୁମତି ଦେଇଛି। ଅନେକ ସ୍ଥାନରେ ଚାଷୀମାନେ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ ଏବଂ ଅନେକ ସ୍ଥାନରେ ସଂଘର୍ଷ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଚାଷୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଜାରୀ ରହିଛି। ପୋଲିସ ବିଭିନ୍ନ ସ୍ଥାନରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ହେଲେ ଚାଷୀ ଏସବୁ ମାନିବାକୁ ନାରାଜ। ଏପରି ଉତ୍ତେଜନା ପରିସ୍ଥିତି ଦେଖି ଆହୁରି ପୋଲିସ ମୁତୟନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ପରିବେଶ ଓ ପରିସ୍ଥିତି ରହିଛି । ଅନେକ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଆହୁରି ମଧ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରାଯାଉଛି । ଚଳିତ ଋତୁରେ ଏମ୍‍ଏସ୍‍ପି ପରିମାଣ ବୃଦ୍ଧି କରାଯିବା ସହ ଖାଦ୍ୟଶସ୍ୟ ସଂଗ୍ରହ କେନ୍ଦ୍ରର ସଂଖ୍ୟା ବଢାଯାଇଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ଆଲୋଚନା କାଳରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ର ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ନୂଆ ଆଇନ ଦ୍ୱାରା ଉଭୟ ଚାଷୀ ଓ ଚାଷର କିପରି ଉନ୍ନତି ଘଟିବ ତାହା ସେ କହିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜାନୁୟାରୀ ୧୯ ତାରିଖରେ କରିବା ପାଇଁ ଉଭୟ ପକ୍ଷ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ । କଥାବାର୍ତ୍ତା ସମାଧାନର ଏକମାତ୍ର ରାସ୍ତା ହୋଇଥିବାରୁ ଅଧିକ ଆଲୋଚନା ପାଇଁ ଉଭୟପକ୍ଷ ରାଜି ହୋଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରୀମ କୋର୍ଟରେ ଚାଷୀ ଆନ୍ଦୋଳନ: ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରୀମ କୋର୍ଟରେ ଚାଷୀ ଆନ୍ଦୋଳନ ମାମଲାରେ ଶୁଣାଣି ଆରମ୍ଭ ହୋଇଯାଇଛି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ପକ୍ଷ ରଖାଯାଇଛି। ବର୍ତ୍ତମାନ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଆଗକୁ ଆଲୋଚନା ହେବ ବୋଲି ପ୍ରସ୍ତାବ ରହିଛି। କିନ୍ତୁ ଏଥିରେ ମୁଖ୍ୟ ବିଚାରପତି ବୋବଡ଼େ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମୁଖ୍ୟ ବିଚାରପତି କହିଛନ୍ତି ଯେ, ଯେଉଁ ଭଳି ଭାବେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ନେଇ କାର୍ଯ୍ୟ କରୁଛନ୍ତି। ସେଥିରେ ଆମେ ଆଦୌ ସନ୍ତୁଷ୍ଟ ନୁହଁ। ସେ କହିଛନ୍ତି ଯେ, ବୟସ୍କ ଚାଷୀମାନେ ଆନ୍ଦୋଳନ କରୁଥିବା ଏକ ଚିନ୍ତାଜନକ। ଏକ କମିଟି ଗଠନ କରାଯାଇ ଯଥା ଶୀଘ୍ର ଏହାର ସମାଧାନ ବାହାର କରାଯାଉ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାସ୍ତା ଅବରୋଧ ନେଇ ଚାଷୀ ଆନ୍ଦୋଳନ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଦାୟର

ନୂଆଦିଲ୍ଲୀ, ମୁଖ୍ୟ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ କୃଷକ ବିଲ ବିରୋଧ ମାମଲା ବିଚରାଧିନ ରହିଛି। ବର୍ତ୍ତମାନ ଏହି ପ୍ରାଥମିକ ଆବେଦନରେ ଆଉ ଏକ ଯାଚିକା ଯୋଗ ହେଇଛି। ତାହା ହେଲା ଆବେଦନକାରୀ ଋଷଭ ଶର୍ମା ସାଧାରଣ ଜନତାଙ୍କ ଅସୁବିଧାକୁ ଦର୍ଶାଇ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି।

ସେ ଲେଖିଛନ୍ତି ଯେ, 26 ନଭେମ୍ବର 2020 ଠାରୁ ଦେଶର କୃଷକ ସଂଗଠନଗୁଡିକ  ସାଧାରଣ ରାସ୍ତା ଏବଂ ରାଜପଥ ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଆବେଦନକାରୀ ଏହି ଯୁକ୍ତିକୁ ସମର୍ଥନ କରିବା ପାଇଁ ବିଭିନ୍ନ ଖବରକାଗଜର ରିପୋର୍ଟ ଉପସ୍ଥାପନ କରିଛନ୍ତି।  ଆବେଦନକାରୀ କହିଛନ୍ତି ଯେ ଏହା ଅମିତ ସାହନି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ଉଲ୍ଲଂଘନ ଏବଂ ସାଧାରଣ ରାସ୍ତା ଅବରୋଧ ନକରିବାକୁ କୃଷକ ସଂଗଠନକୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ଆବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଷୀଙ୍କ ଦାବୀ ମାନିବାକୁ ସରକାର ନାରାଜ, ସପ୍ତମ ଥର ପାଇଁ ଚାଷୀ ସରକାର ଆଲୋଚନା ବିଫଳ

ନୂଆଦିଲ୍ଲୀ, ବାରମ୍ବାର ବୈଠକ ବସୁଛି, ଘଣ୍ଟା ଘଣ୍ଟା ଆଲୋଚନା ହେଉଛି, ହେଲେ ସମାଧାନ ହୋଇପାରୁ ନାହିଁ। ସରକାର କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ରାଜି ନାହାଁନ୍ତି, ସେପଟେ ଚାଷି ସଂଗଠନ ବିଲ ପ୍ରତ୍ୟାହାର ନାହିଁ ତ ଆନ୍ଦୋଳନ ପ୍ରତ୍ୟାହାର ନାହିଁ ଜିଦରେ ଅଛନ୍ତି। ଫଳରେ ଦୀର୍ଘଦିନ ଧରି ଚାଲିଥିବା ଚାଷି ଆନ୍ଦୋଳନ ବଢିବାରେ ଲାଗିଛି।

ସୋମବାର ଦିନ ମଧ୍ୟ ଚାଷୀ ସଂଗଠନ ସହିତ କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା ହେବା। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ଦେଶର 41ଟ ଚାଷୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ।

ସେହିପରି ସରକାରଙ୍କ ତରଫରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳବାଇ, ବାଣିଜ୍ୟ ଏବଂ ଶିଳ୍ପ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟାଲ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶଙ୍କ ସହିତ ଆଲୋଚନା ହୋଇଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା।

ଏହି ବୈଠକ ପ୍ରାରମ୍ଭରେ ମୃତ ଚାଷୀଙ୍କ ପାଇଁ ସମସ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିିଥିଲେ। ଏହାପରେ ଚାଷୀ ନେତାଙ୍କୁ ବୁଝାଇବା ପାଇଁ ତିନି ମନ୍ତ୍ରୀ ଲାଗିପଡି ଥିଲେ। ହେଲେ ଚାଷୀ ନେତା ସେମାନଙ୍କ ଭାଷଣକୁ ଶୁଣିବା ମୁଡରେ ନ ଥିଲେ। ଫଳରେ ପୁଣିଥରେ ସେହି ବୈଠକ ବିଫଳ ହେଲା ବୋଲି ଚାଷୀ ନେତାମାନେ କହିଥିଲେ।

ସେପଟେ କୃଷିମନ୍ତ୍ରୀ କହିଛନ୍ତି ଯେ ଆଲୋଚନା ଠିକଠାକ୍ ଚାଲିଛି। ପୁଣିଥରେ ଚାଷୀମାନଙ୍କ ସହିତ ଆସନ୍ତା 8 ତାରିଖରେ ବୈଠକ ବସିବ। ସେହି ବୈଠକରେ ଏକ ନିସ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ସାତ ଥର ଆଲୋଚନା ହୋଇସାରିଲାଣି। ତଥାପି କୈଣସି ସମାଧାନ ହୋଇପାରୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଆଲୋଚନା ବିଫଳ ପରେ ଏବେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଭିନ୍ନ ଉଦ୍ୟମ

ନୂଆଦିଲ୍ଲୀ, କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଗାତାର ଆରୋପ ଜାରୀ ରହିଛି। ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଛି। ଚାଷୀନେତାଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ତାହା ସଫଳ ହେଉ ନାହିଁ। ଧିରେ ଧିରେ ଏହି ଆନ୍ଦୋଳନ ଦାନା ବାନ୍ଧୁଥିବାରୁ ସରକାର ଚିନ୍ତାରେ ଅଛନ୍ତି। ଆଲୋଚନା ବିଫଳ ହେବା ପରେ ବର୍ତ୍ତମାନ ବିଜେପିର ନେତାମାନେ ଆନ୍ଦୋଳନ ବିରୋଧରେ ବିଷ ଉଦଗାର କରିବାରେ ଲାଗିଛନ୍ତି। ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନେତା ଅରୁଣ ସିଂ କହିଛନ୍ତି ଯେ ସମଗ୍ର ଆନ୍ଦୋଳନରେ ଏକ ପ୍ରତିଶତ ମଧ୍ୟ କୃଷକ ନାହାଁନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ନିରୀହ। ବର୍ତ୍ତମାନ ଏହି ଆନ୍ଦୋଳନ ଟୁକଡେ ଟୁକଡେ ଗ୍ୟାଙ୍ଗ ଦ୍ବାରା ପ୍ରାୟୋଜିତ କରାଯାଇଛି ବୋଲି ଅରୁଣ କହିଛନ୍ତି। ରାଜସ୍ଥାନର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି କହିଛନ୍ତି।

ଅରୁଣ ଆହୁରି କହିଛନ୍ତି ଯେ କେତେକ ରାଜନୈତିକ ଦଳ ଏବଂ ବାମପନ୍ଥୀ ସଂଗଠନ କୃଷକ ଆନ୍ଦୋଳନକୁ ଅପହରଣ କରି ହିଂସା କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ମୁଁ ଆପଣଙ୍କୁ କହିଦେବି ଯେ ଅତୀତରେ, କୃଷକ ଆନ୍ଦୋଳନ ମଝିରେ, ସରଜୀଲ ଇମାମ, ଓମାର ଖାଲିଦଙ୍କ ସମେତ କିଛି ଆନ୍ଦୋଳନକାରୀ ସାମିଲ ହୋଇଥିଲେ। ସେମାନେ ବର୍ତ୍ତମାନ ଜେଲରେ ଅଛନ୍ତି। ସେମାନଙ୍କୁ ମୁକ୍ତ କରିବାକୁ ଏହି ଆନ୍ଦୋଳନରେ ଦାବି କରାଯାଇଥିଲା।

ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଛନ୍ତି ଯେ କୃଷକଙ୍କ ନାମରେ ଏହି ଆନ୍ଦୋଳନକୁ ମାଧ୍ୟମ କରି ଏକ ଭିନ୍ନ  ଯୋଜନା କରାଯାଇଛି। ଟୁକୁଡେ ଟୁକୁଡେ ଗ୍ୟାଙ୍ଗଗୁଡିକ ଏହି ଆନ୍ଦୋଳନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ପାଖରେ କୁଆଡେ ଯଥେଷ୍ଟ ପ୍ରମାଣ ଅଛି ବୋଲି ସେ କହିଛନ୍ତି। କୃଷକ ସଂଗଠନର ଆନ୍ଦୋଳନର ଫାଇଦା ଉଠାଇବା ପାଇଁ କେତେକ ନେତା ଏଥିରେ ସାମିଲ ହୋଇ ଫଟୋ ଉଠାଉଛନ୍ତି। ବୋଧହୁଏ ଏଭଳି ନେତାଙ୍କ ଉପସ୍ଥିତି ଯୋଗୁଁ ସରକାରଙ୍କ ସହ ଆଲୋଚନା ସଫଳ ହେଉନାହିଁ ।

ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଏହି ଆନ୍ଦୋଳନ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନରେ ଦେଖାଯାଉଥିବା କିଛି ନ୍ୟସ୍ତସ୍ବାର୍ଥ ଚରିତ୍ରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେମାନଙ୍କର ଆନ୍ଦୋଳନ ସହ କୌଣସି ସଂପର୍କ ନ ଥିଲେ ମଧ୍ୟ ନିଜର ରାଜନୈତିକ ଫାଇଦା ପାଇଁ ଯାଉଛନ୍ତି। କୃଷକମାନେ ତାଙ୍କ ଆନ୍ଦୋଳନରେ ଏପରି ଲୋକଙ୍କୁ ସ୍ଥାନ ଦେବା ଉଚିତ୍ ନୁହେଁ ବୋଲି ତୋମାର କହିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଚାଷୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପଂଜାବ ଏବଂ ହରିୟାନା ବିଜେପି ନେତାଙ୍କୁ ଦାୟିତ୍ବ ଦେଇଛନ୍ତି। ସେମାନଙ୍କ ନିକଟକୁ ଯାଇ ଏହି ଆନ୍ଦୋଳନ କିପରି ପ୍ରତ୍ୟାହାର ତାହାର ବ୍ୟବସ୍ଥା କର ବୋଲି କୁହାଯାଇଛି। ଫଳରେ ସ୍ଥାନୀୟ ନେତାମାନେ ସ୍ଥାନୀୟ ଚାଷୀଙ୍କୁ ଆନ୍ଦୋଳନରୁ ନିବୃତ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଜେପି ପକ୍ଷରୁ ଚାଷି ଆନ୍ଦୋଳନ ନେଇ ଯେତିକି ବୟାନବାଜି ଚାଲିଛି ତାହା ସେତିକି ତେଜିବାରେ ଲାଗିଛି। ବିଭିନ୍ନ ସମୟରେ ଭାରତ ବନ୍ଦ, ଉପବାସ ରହିବା ପ୍ରଭୃତି ନୂଆନୂଆ ତରିକା ଆନ୍ଦୋଳନକାରୀଙ୍କ ମନୋବଳକୁ ସୁଦୃଢ କରିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା

ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷକ କଲ୍ୟାଣ ଉପରେ ରଖାଯାଇଛି ବିସ୍ତୁତ ତଥ୍ୟ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏକ ଆପୋଷ ଆଲୋଚନା ପାଇଁ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ପୁଣି ଥରେ ନିବେଦନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଯାହା ରଂଗୀନ ତଥ୍ୟ ଦିଆଯାଇଛି ସେଗୁଡିକ ହେଲା

1-କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ ୨୦୨୦, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ କୃଷକ ସଶକ୍ତିକରଣ ଓ ନିରାପତ୍ତା ରାଜିନାମା ଏବଂ କୃଷି ସେବା ଆଇନ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଅଦ୍ୟାବଧି ଦେଶରେ ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତା ଲାଭ କରିଛି । ଏହି ସଂସ୍କାର ଯୋଗୁଁ ଚାଷୀମାନଙ୍କୁ ବଜାର ସ୍ଵାଧୀନତା ମିଳିବା ସହ ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହିତ କରିବ। ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ।

2-କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଅଛନ୍ତି। ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ । କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ।

3-ଛଣ ବା ନଡା ଜଳାଇବା ପାଇଁ ଜରିମାନା ଓ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି। ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବ।

4-କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ତୋମର ଓ ଗୋୟଲ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି। ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି।

5-ନୂତନ ଆଇନ ବଳରେ ବିବାଦର ସମାଧାନ ହେବା ଯୋଗୁଁ ମହାରାଷ୍ଟ୍ରର ଜଣେ ଚାଷୀ କିପରି ସଙ୍ଗେ ସଙ୍ଗେ ତାଙ୍କର ଦେୟ ପାଇପାରିଲେ କୃଷି ମନ୍ତ୍ରୀ ତାହାର ଏକ ଉଦାହାରଣ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ।

6-କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି।

7-୨୦୧୪ ରୁ ୨୦୨୦ ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ।

8-ପିଏମ-କିଷାନ ବାବଦକୁ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାଫଳରେ କୃଷକମାନେ ୬ ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି। କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

9- ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି ।

10-ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦୀ ସରକାର ଘୋଷଣା କରିଛନ୍ତି । ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ।

11-ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି । କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି ୧୦ ହଜାର ସଂଗଠନ ସୃଷ୍ଟି କରାଯାଇଛି।

ଏହି ସମସ୍ତ ପଦକ୍ଷେପ କୃଷକମାନଙ୍କର କଲ୍ୟାଣ ଏବଂ ଅଧିକ ଉପାର୍ଜନ ନିମନ୍ତେ ଉଦ୍ଦିଷ୍ଟ ଓ କେନ୍ଦ୍ର ସରକାରଙ୍କ କୃଷି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେମାନେ କହିଛନ୍ତି । ତେବେ ଚାଷୀ ଆନ୍ଦୋଳନକୁ ସରକାରଙ୍କ ଏହି ରଂଗୀନ ତଥ୍ୟ କେତେ ପ୍ରଭାବତି କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର

କୃଷକ ସଂଗଠନଗୁଡିକର ଭାରତ ବନ୍ଦ ଡାକରାକୁ ନେଇ ବିଜେଡି ଜଣାଇଲା ତାହାର ନିଷ୍ପତି

ଭୁବନେଶ୍ବର, ଆସନ୍ତାକାଲି ଦେଶର ବିଭିନ୍ନ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଡାକରାରେ କଂଗ୍ରେସ ସମେତ 11 ଟି ରାଜନୈତିକ ଦଳ ସେମାନଙ୍କର ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହି ଆନ୍ଦୋଳନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ସମସ୍ତଙ୍କର ରହିଥିଲା ନଜର। ଏବେ ବିଜେଡି ତାହାର ସ୍ପଷ୍ଟି କରଣ ଦେଇସାରିଛି। ଏହି ସ୍ପଷ୍ଟିକରଣରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ। ହେଲେ କୃଷକଙ୍କ ସମସ୍ୟା ପଛରେ ବିଜେଡିର ସମର୍ଥନ ଅଛି ବୋଲି କୁହାଯାଇଛି।

ଆସନ୍ତା ନଅ ତାରିଖରେ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ଆଲୋଚନା ହେବାର ଅଛି। ସେହି ଆଲୋଚନାରୁ କଣ ନିଷ୍କର୍ଷ ବାହାରୁଛି ବିଜେଡି ତାହାକୁ ଅପେକ୍ଷା କରିଛି। ଏହା ଜଣାପଡିବା ପରେ ବିଜେଡି ତାହାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ଜଣାପଡିଛି। ତେବେ ଦଳ ସିଧା କହି ନ ଥିଲେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଛି।

ଯେତେବେଳେ ସଂସଦରେ ଏହି କୃଷି ବିଲ ଆଗତ ହୋଇଥିଲା ସେତେବେଳେ ବିଜେଡି ତରଫରୁ ଏହାକୁ ବିରୋଧ କରାଯାଇଥିଲା। ରାଜ୍ୟ ସଭାରେ ସାଂସଦ ଅମର ପଟ୍ଟନାୟକ ଏହି ବିଲ ବିରୋଧରେ ମତ ଦେଇଥିଲେ। ଯାହାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା କରାଯାଇଥିଲା। କାରଣ ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ ସମସ୍ତ ବିଲକୁ ବିନା ସର୍ତ୍ତରେ ସମର୍ଥନ କରିଥିଲା। ହେଲେ ହଠାତ କୃଷି ବିଲକୁ ବିରୋଧ କରିବା ନେଇ ବିଭିନ୍ନ ମହଲରେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ।

କୃଷି ବିଲକୁ ବିଜେଡି ବିରୋଧ କରିଥିବାରୁ ସମସ୍ତେ ଆଶା କରୁଥିଲେ ଯେ, ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବ। ଭାରତ ବନ୍ଦ ଡାକରାରେ ମଧ୍ୟ ସାମିଲ ହେବ। ହେଲେ ତାହା ହେଲା ନାହିଁ। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ  ନିତି ଅନୁସାରେ ବିଜେଡି ଏହି ବନ୍ଦ ଡାକରାଠାରୁ ନିଜକୁ ଦୂରେଇ ରଖିଛି।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଅନ୍ନଦାତା ଏବଂ ଦାତାଙ୍କ ମଧ୍ୟରେ ଦୂରତା କେତେ ?

ନୂଆଦିଲ୍ଲୀ, କୃଷକ ଆନ୍ଦୋଳନ ସମଗ୍ର ଦେଶରେ ଏକ ନୂଆ ଧାରା ସୃଷ୍ଟି କରିଛି କି? ଚାଷୀଙ୍କ ଦାବି ପ୍ରକୃତରେ ଯଥାର୍ଥ ନୁହେଁ କି? ଯଦି କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଛି, ତେବେ ଏହାର ସପକ୍ଷରେ କୈଣସି ପ୍ରମୁଖ କୃଷକ ସଂଗଠନ କାହିଁକି ନାହାଁନ୍ତି ? କୃଷକ ଆଇନ ପ୍ରସ୍ତୁତି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଥିଲେ କି ? କେନ୍ଦ୍ର ସରକାର ତିନୋଟି କୃଷି ଆଇନର ପ୍ରଣୟନ ପୂର୍ବରୁ ମତାମତ ନେବା ଆବଶ୍ୟକ ନ ଥିଲା କି ? ଏହିପରି ଭିନ୍ନ ଭିନ୍ନ ପ୍ରଶ୍ନ ବର୍ତ୍ତମାନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବୁଲିବାରେ ଲାଗିଛି। ଦୀର୍ଘ ଏଗାର ଦିନ ଧରି ଦିଲ୍ଲୀରେ କୃଷକମାନେ ଯେପରି ଆନ୍ଦୋଳନ କରୁଛନ୍ତି ତାହା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଚାଷୀ ଆନ୍ଦୋଳନ ଧିରେ ଧିରେ ତୀବ୍ର ହେଉଥିବାରୁ ସରକାର ଚାଷୀନେତାଙ୍କୁ ଡାକି ବୁଝାମଣା କରିବାକୁ ଚେଷ୍ଠା କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବାରେ ଚେଷ୍ଠା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କୃଷକ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇସାରିଲାଣି। ତଥାପି ସେହି ଆଲୋଚନାରୁ କୌଣସି ନିର୍ଯ୍ୟାସ ବାହାରିପାରୁ ନାହିଁ। ସରକାର ତାଙ୍କ ଜିଦରେ ଏବଂ କୃଷକମାନେ ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି। ଫଳରେ ଆଲୋଚନା ସଂପୂର୍ଣ୍ଣ ବିଫଳ ହେଉଛି। ଏହାପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ଆଲୋଚନା ବିଫଳ ହେବା ପରେ ଉଭୟ ସରକାର ଏବଂ ଆନ୍ଦୋଳନକାରୀ ପରବର୍ତ୍ତି ରଣନୀତି ପ୍ରସ୍ତୁତ କଲେଣି। ସରକାର ଗୁପ୍ତଚର ରଖି ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖିଛନ୍ତି।

କୃଷକ ବିଲ ପ୍ରତ୍ୟାହାର କରିବାକୁ ସରକାର ମନା କରିବା ପରେ ବର୍ତ୍ତମାନ ଆନ୍ଦୋଳନ ଦୃଢରୁ ଦୃଢ ହେବାରେ ଲାଗିଛି। କୃଷ୍ଣକମାନେ ଟ୍ରାକ୍ଟର, ଟ୍ରଲି ଏବଂ ବଡ ଯାନକୁ ରାସ୍ତାରେ ରଖି ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ମଧ୍ୟ ପରିଣତ କରିଦେଲେଣି। ଦୈନନ୍ଦିନ ଖାଦ୍ୟ ଏବଂ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ହୋଇ ସାରିଲାଣି। ବୋଧହୁଏ କୃଷକଙ୍କ କ୍ରୋଧ କିମ୍ବା ଏକତାକୁ ଅଣଦେଖା କରିବା ସରକାରଙ୍କ ପାଇଁ ଏକ ବଡ ସମସ୍ୟାରେ ପରିଣତ ହେବ। ଏହା ପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ହୁଏତ ଆନ୍ଦୋଳନ ଭୟଙ୍କର ରୂପ ନେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।

ଧିରେ ଧିରେ କୃଷକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ସମର୍ଥନ ମଧ୍ୟ ମିଳିବାରେ ଲାଗିଛି। ଫଳରେ ଆନ୍ଦୋଳନକାରୀଙ୍କ ମନୋବଳ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପଟେ ଦେଶର କଳାକାର, ବୁଦ୍ଧିଜୀବୀମାନେ ସେମାନଙ୍କ ଜାତୀୟ ପୁରସ୍କାର ଫେରାଇବାର ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଏହା ମଧ୍ୟ ଏହି ଆନ୍ଦୋଳକୁ ଜୋରଦାର କରିବାରେ ଖୋରାକ ଯୋଗାଉଛି। ସେହିପରି ପଂଜାବ ପରି କେତେକ ରାଜ୍ୟ ମଧ୍ୟ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେବାରେ ଲାଗିଛନ୍ତି। ମୋଟ ଉପରେ କହିବାକୁ ଗଲେ ଏହି ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି।

ଅନ୍ୟପଟେ ଏହି ଆନ୍ଦୋଳନକୁ ଜାତୀୟ ଗଣମାଧ୍ୟମଗୁଡିକ ଧ୍ୟାନ ଦେଉ ନ ଥିବାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଲାଣି। ଦିଲ୍ଲୀରେ ଏତେ ବଡ ଚାଷୀ ଆନ୍ଦୋଳନ ହେଉଥିବା ବେଳେ  ଜାତୀୟ ଗଣମାଧ୍ୟମରେ ଏହାକୁ ପ୍ରସାରଣ କରୁ ନାହିଁ। ଏପରି ହେୟଜ୍ଞାନ କଭରେଜକୁ ନେଇ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ EGI ମଧ୍ୟ ଚିନ୍ତିତ ଅଛନ୍ତି। ଚାଷୀମାନଙ୍କ ଆନ୍ଦୋଳକୁ ହେୟକଜ୍ଞାନ କରିବା ଉଚିତ ନୁହେଁ ବୋଲି EGI ଟିପ୍ପଣୀ ଦେଲେଣି। ହେଲେ ମଧ୍ୟ ଟିଭି ଗଣମାଧ୍ୟମରେ ତାହାକୁ ଉପଯୁକ୍ତ ଭାବେ ପ୍ରସାରଣ କରାଯାଉ ନାହିଁ। ଫଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଗଣମାଧ୍ୟମର ଏପରି କଭରେଜକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଜାତୀୟ ଗଣମାଧ୍ୟମ ମୋଦୀଙ୍କ ଗସ୍ତକୁ ଘଣ୍ଟାଘଣ୍ଟା ଧରି ପ୍ରସାରଣ କରୁଥିବା ବେଳେ ଚାଷୀଙ୍କ ପାଇଁ ଏକ ମିନିଟ ମଧ୍ୟ ଦେଉ ନାହାଁନ୍ତି। ଦୁଃଖର କଥା କେତେକ ଗଣମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ‘ଖାଲିସ୍ତାନୀ’ ଏବଂ ‘ଜାତୀୟ ବିରୋଧୀ’ ଆନ୍ଦୋଳନ ବୋଲି ପ୍ରସାରଣ କରୁଛନ୍ତି। ଏପରିକି କୌଣସି ପ୍ରମାଣ ନ ଥାଇ ମଧ୍ୟ ଚାଷୀ ଆନ୍ଦୋଳନକୁ କେତେକ ଗଣମାଧ୍ୟମ ବେଆଇନ ବୋଲି କହି ଦେଉଛନ୍ତି। ଫଳରେ ଗଣମାଧ୍ୟମର ଭୂମିକା ନେଇ ଦେଶର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କଲେଣି।

ତେବେ ସେ ଯାହା ହେଲେ ମଧ୍ୟ ଦିଲ୍ଲୀର ଆନ୍ଦୋଳନ କେତେ ତୀବ୍ର ତାହା ସାରା ଦେଶବାସୀ ଅନୁଭବ କରିସାରିଲାଣି। ଆଉ କୃଷକମାନଙ୍କର ଏହି ଏକତାକୁ ସବୁ ମହଲରେ ମଧ୍ୟ ମାନସିକ ସମର୍ଥନ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦେଲେ କୃଷକ ସଂଗଠନ

ନୂଆଦିଲ୍ଲୀ, ଆସନ୍ତା ମଙ୍ଗଳବାର ଦିନ ଭାରତ ବନ୍ଦ କରାଯିବ। ଏ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ଘୋଷଣା କରିଛନ୍ତି। କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି। ଦଶ ଦିନ ଧରି ନୂଆଦିଲ୍ଲୀରେ ବିଭିନ୍ନ କୃଷକ ସଂଗଠନର ଆନ୍ଦୋଳନ ଜାରୀ ରଖିଛନ୍ତି। ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକ ଚାଷିମାନେ ଅବରୋଧ କରି ରହିଛିନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ମଙ୍ଗଳବାର ଦିନ ଭାରତ ବନ୍ଦ କରିବାକୁ ସମସ୍ତ ଚାଷି ସଂଗଠନ ନିଷ୍ପତି ନେଇଛନ୍ତି।

ଇତି ମଧ୍ୟରେ କେନ୍ଦ୍ର ସରକାର ଚାଷୀ ନେତାମାନଙ୍କ ସହିତ ଚାରିଥର ଆଲୋଚନା କରିସାରିଛନ୍ତି। ଏପରିକି କେନ୍ଦ୍ର ସରକାର ବିଲ ସଂଶୋଧନ କରିବା ପାଇଁ ମଧ୍ୟ ରାଜି ହୋଇଛନ୍ତି। ହେଲେ ଚାଷିନେତାମାନେ ଏଥିରେ ରାଜି ନାହାଁନ୍ତି। ସେମାନଙ୍କର ଦାବୀ ହେଲା କୃଷି ବିଲକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଧୀରେ ଧିରେ ଏହି ଆନ୍ଦୋଳନ ବିଭିନ୍ନ ରାଜ୍ୟକୁ ସଂକ୍ରାମିତ ହେବାରେ ଲାଗିଛି। ଫଳରେ ବର୍ତ୍ତମାନ କେନ୍ଦ୍ର ସରକାର କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।