ଆସନ୍ତାକାଲି ଗାଡି ନେଇ ଯାଉଥିଲେ ସାବଧାନ, ଚାଷୀ ସଂଗଠନ ଡାକରା ଦେଲା ଚକା ବନ୍ଦ ଆନ୍ଦୋଳନ

Published: Feb 5, 2021, 12:58 pm IST

ନୂଆଦିଲ୍ଲୀ, ଗୋଟିଏ ପଟେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ଫେବୃଆରୀ 6 ତାରିଖରେ ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ  ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ।  ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ କହିଛନ୍ତି ଯେ ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସ୍ଥାନରେ ଏହି ବନ୍ଦ କରାଯିବ।

ଏହି ସମୟ ଯଦି କୌଣସି ଲୋକ ଅସୁବିଧାରେ ପଡିବେ ତେବେ କୃଷକମାନେ ସେମାନଙ୍କୁ ସାହାର୍ଯ୍ୟ କରିବେ ବୋଲି କୁହାଯାଇଛି। ଏହିପରି ଅସୁବିଧାରେ ପଡିଥିବା ଲୋକଙ୍କୁ ମାଗଣାରେ ଜଳ ଏବଂ ଖାଦ୍ୟ ଦିଆଯିବ ବୋଲି ନିଷ୍ପତି କରାଯାଇଛି। ଏହି ଚକା ବନ୍ଦକୁ ସଫଳ କରିବା ପାଇଁ କୃଷକ ସଂଗଠନଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରୁଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ତିନି ଘଣ୍ଟା ପାଇଁ ବନ୍ଦ ରହିବ ।

26 ଜାନୁଆରୀ ଘଟଣା ପରେ ରାଜନୈତିକ ଦଳମାନେ ଖୋଲାଖୋଲି ଭାବେ କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଠା କରୁଛନ୍ତି। ସେଥିପାଇଁ ସଂଗଠନ ଏହି ପଦକ୍ଷେପ ନେଇଛି ବୋଲି କୁହାଯାଇଛି। ଏହି ଆନ୍ଦୋଳନ ଡାକରା ପରେ  ବିଜେପି ଶାସିତ ରାଜ୍ୟରେ ଥିବା ପୋଲିସ ଏହାକୁ ମୁକାବିଲା କରିବାରେ ପ୍ରସ୍ତୁତି ହେଉଛନ୍ତି। ହରିୟାଣାର ଖଟ୍ଟର ସରକାର ସେମାନଙ୍କ ସହ କଡା ମୁକାବିଲା କରିବାକୁ କହିଛନ୍ତି।

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଗଠନ ତରଫରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି। ରାଜପଥ ଦେଇ ଯାଉଥିବା ସାଧାରଣ ଲୋକଙ୍କୁ ସଂଗଠନ 12 ରୁ 3 ଟା ମଧ୍ୟରେ ନ ଯିବା ପାଇଁ ପରାମର୍ଶ ଦେଇଛି। ଯେଉଁମାନେ ପ୍ରତିଦିନ ଏହି ମାର୍ଗ ଦେଇ ଯାଆନ୍ତି ସେମାନେ ସତର୍କ ରହିବାକୁ ନିବେଦନ କରାଯାଇଛି।

Related posts