ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା

Published: Jan 15, 2021, 11:24 pm IST

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି ୪୧ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ପରିବେଶ ଓ ପରିସ୍ଥିତି ରହିଛି । ଅନେକ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଆହୁରି ମଧ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରାଯାଉଛି । ଚଳିତ ଋତୁରେ ଏମ୍‍ଏସ୍‍ପି ପରିମାଣ ବୃଦ୍ଧି କରାଯିବା ସହ ଖାଦ୍ୟଶସ୍ୟ ସଂଗ୍ରହ କେନ୍ଦ୍ରର ସଂଖ୍ୟା ବଢାଯାଇଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ଆଲୋଚନା କାଳରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ର ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ନୂଆ ଆଇନ ଦ୍ୱାରା ଉଭୟ ଚାଷୀ ଓ ଚାଷର କିପରି ଉନ୍ନତି ଘଟିବ ତାହା ସେ କହିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜାନୁୟାରୀ ୧୯ ତାରିଖରେ କରିବା ପାଇଁ ଉଭୟ ପକ୍ଷ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ । କଥାବାର୍ତ୍ତା ସମାଧାନର ଏକମାତ୍ର ରାସ୍ତା ହୋଇଥିବାରୁ ଅଧିକ ଆଲୋଚନା ପାଇଁ ଉଭୟପକ୍ଷ ରାଜି ହୋଇଥିଲେ ।

Related posts