Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ।

ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ ଦୀର୍ଘ ତିନିମାସ ଧରି ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଏହି ଚାଷୀ ବିଲକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ସଂଗଠନ ଚେତାବନି ଦେଇଛି।

ଚାଷୀମାନଙ୍କର ଏହି ଦାବୀ ସଂପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ସହିତ ବାରମ୍ବାର ବୈଠକ ବସିଛି। ହେଲେ କୌଣସି ବୈଠକ ଫଳପ୍ରଦ ହୋଇପାରି ନାହିଁ। ଏହି ଆଲୋଚନାରେ ସରକାର ବିଲରେ କେତକ ସଂଶୋଧନ କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଂଗଠନ ଏଥିରେ ରାଜି ହେଉ ନାହାଁନ୍ତି। ସେମାନଙ୍କର ଗୋଟିଏ ଦାବୀ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରାଯାଉ।

ଅନ୍ୟପଟେ କେନ୍ଦ୍ର ସରକାର ବର୍ତ୍ତମାନ ବିଲ ପ୍ରତ୍ୟାହାର ନେଇ ରାଜି ହେଉ ନାହାଁନ୍ତି। ଫଳରେ ଚାଷୀ ସଂଗଠନର ଆନ୍ଦୋଳନ ସେହିପରି ଚାଲୁ ରହିଛି। ଏପରିକି ଏହି ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାଲୋଚନା କରାଯାଉଛି। ଭାରତରେ ମଧ୍ୟ ସମସ୍ତ ବିରୋଧୀ ଦଳ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରୁ ନ ଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମାର୍ଚ୍ଚ 26 ତାରିଖରେ ଏହି ଆନ୍ଦୋଳନକୁ ଜୋରାଦାର କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି।

Categories
ଆଜିର ଖବର

କୃଷି ବିଲ ବିରୋଧ କରିବା ପାଇଁ ଶୁକ୍ରବାର ଦିନ ରାଜ୍ୟ କଂଗ୍ରେସର କରିଛି ଏକ ବଡ ଯୋଜନା,

ଭୁବନେଶ୍ୱର, କେନ୍ଦ୍ର ମୋଦି ସରକାର ପ୍ରଣୟନ କରିଥିବା ୩ ଗୋଟି କଳା କୃଷି ଆଇନ୍ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏହି କଳା ଆଇନ୍‌ର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁଁ ପାଖାପାଖି ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି । ତା ସତ୍ୱେ ନିଜ ଜିଦ୍‌ରେ ଅଟଳ କେନ୍ଦ୍ର ସରକାର ଭାରତର ଅନ୍ନଦାତାମାନଙ୍କର ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି । ଏଭଳି ମୁହୁର୍ତରେ ସେହି ଅନ୍ନଦାତାମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଛନ୍ତି ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କର ଏହା ନୈତିକ କର୍ତବ୍ୟ ବୋଲି କହିଛନ୍ତି । ଏକ ପକ୍ଷରେ ଏହି କଳା ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ଗତକାଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି ।

କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଂଚିଛନ୍ତି । ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ । ଯାହାକି କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ କୃଷକମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ରାୟରେ ସ୍ଥଗିତ ଥିବା ତିନିଗୋଟି କଳା କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏବଂ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧିକୁ ଉଠାଇବା ନିମନ୍ତେ ଆଗାମୀ ୧୫ ତାରିଖ ଶୁକ୍ରବାର ଦିନ “କିଷାନ ଅଧିକାର ଦିବସ” ଭାବେ ପାଳନ ସହିତ ରାଜ ଭବନ ଘେରାଉ ପାଇଁ ନିଷ୍ପତି କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା

ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷକ କଲ୍ୟାଣ ଉପରେ ରଖାଯାଇଛି ବିସ୍ତୁତ ତଥ୍ୟ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏକ ଆପୋଷ ଆଲୋଚନା ପାଇଁ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ପୁଣି ଥରେ ନିବେଦନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଯାହା ରଂଗୀନ ତଥ୍ୟ ଦିଆଯାଇଛି ସେଗୁଡିକ ହେଲା

1-କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ ୨୦୨୦, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ କୃଷକ ସଶକ୍ତିକରଣ ଓ ନିରାପତ୍ତା ରାଜିନାମା ଏବଂ କୃଷି ସେବା ଆଇନ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଅଦ୍ୟାବଧି ଦେଶରେ ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତା ଲାଭ କରିଛି । ଏହି ସଂସ୍କାର ଯୋଗୁଁ ଚାଷୀମାନଙ୍କୁ ବଜାର ସ୍ଵାଧୀନତା ମିଳିବା ସହ ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହିତ କରିବ। ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ।

2-କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଅଛନ୍ତି। ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ । କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ।

3-ଛଣ ବା ନଡା ଜଳାଇବା ପାଇଁ ଜରିମାନା ଓ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି। ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବ।

4-କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ତୋମର ଓ ଗୋୟଲ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି। ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି।

5-ନୂତନ ଆଇନ ବଳରେ ବିବାଦର ସମାଧାନ ହେବା ଯୋଗୁଁ ମହାରାଷ୍ଟ୍ରର ଜଣେ ଚାଷୀ କିପରି ସଙ୍ଗେ ସଙ୍ଗେ ତାଙ୍କର ଦେୟ ପାଇପାରିଲେ କୃଷି ମନ୍ତ୍ରୀ ତାହାର ଏକ ଉଦାହାରଣ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ।

6-କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି।

7-୨୦୧୪ ରୁ ୨୦୨୦ ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ।

8-ପିଏମ-କିଷାନ ବାବଦକୁ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାଫଳରେ କୃଷକମାନେ ୬ ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି। କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

9- ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି ।

10-ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦୀ ସରକାର ଘୋଷଣା କରିଛନ୍ତି । ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ।

11-ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି । କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି ୧୦ ହଜାର ସଂଗଠନ ସୃଷ୍ଟି କରାଯାଇଛି।

ଏହି ସମସ୍ତ ପଦକ୍ଷେପ କୃଷକମାନଙ୍କର କଲ୍ୟାଣ ଏବଂ ଅଧିକ ଉପାର୍ଜନ ନିମନ୍ତେ ଉଦ୍ଦିଷ୍ଟ ଓ କେନ୍ଦ୍ର ସରକାରଙ୍କ କୃଷି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେମାନେ କହିଛନ୍ତି । ତେବେ ଚାଷୀ ଆନ୍ଦୋଳନକୁ ସରକାରଙ୍କ ଏହି ରଂଗୀନ ତଥ୍ୟ କେତେ ପ୍ରଭାବତି କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଆଜି ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କୃଷକ ସଂଗଠନ ପକ୍ଷରୁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ କରାଯାଇଥିଲା। କର୍ପୋରେଟ କମ୍ପାନୀ ସପକ୍ଷରେ ଏହି ବିଲ ଆଣିଥିବାରୁ ତାକୁ ରଦ୍ଦ କରିବା ପାଇଁଁ କୃଷକମାନେ ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ସାହସିକ ସଂଘର୍ଷ କରିଆସୁଛନ୍ତି। ହେଲେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି।

ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଆଜି ୫ ଡିସେମ୍ବର ପ୍ରତ୍ୟେକ ଗାଁରେ କର୍ପୋରେଟ୍ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗ୍ରାମରେ କୁଶପୁତ୍ତଳିକା ଦାହ କରିବା ସହ ବ୍ରହ୍ମପୁର ସହରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଗଞ୍ଜାମ ଜିଲ୍ଲା ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ କୁଶପୁତ୍ତଳିକା ଦାହ କରାଯାଇଛି।

ଏଥିରେ ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କିଶାନ୍ ମହାସଭା, ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୂର ସଂଗଠନ, ଋଷିକୂଲ୍ୟା ରୟତ ମହାସଭା, ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ଆଦି ସାମିଲ ହୋଇଥିଲେ। ଏହାକୁ ସମର୍ଥନ ଜଣାଇ ସିଆଇଟିୟୁର ଯୁଧିଷ୍ଠିର ବେହେରା, ସାମାଜିକ କର୍ମୀ ମଧୂସୁଦନ, ଶ୍ରୀନିବାସ ରାଓ, ଲେନାଚାନ୍ଦ, ନୃସିଂହ ରଥ ଆଦି ସାମିଲ ହୋଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ କର୍ପୋରେଟ୍ ଆମ୍ବାନୀ, ଆଦାନୀ ଓ ମୋଦି ସରକାରଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ।

ତେବେ କେନ୍ଦ୍ରର ଵିଜେପି ସରକାରଙ୍କ ଏହି ଆଇନ ବିରୋଧରେ ସାରା ଦେଶରେ କୃଷକ ଏକ ହୋଇ ୮ ଡିସେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଓଡିଶା ସରକାରଙ୍କ ଠିକା ଚାଷ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବା, ସମସ୍ତ ମଣ୍ଡି ତୁରନ୍ତ ଖୋଲି ସମସ୍ତ ଚାଷୀ ଠାରୁ ଧାନ କ୍ରୟ କରିବା ପାଇଁ ଦାବି କରିଥିଲେ। କୃଷକ-ଶ୍ରମିକ ବିରୋଧୀ ନବୀନ-ମୋଦୀ ସରକାରଙ୍କ ମଧୁଚନ୍ଦ୍ରିକା ବିରୋଧରେ ସଂଘର୍ଷକୁ ଜୋରଦାର କରିବା ଏବଂ ଭାରତ ବନ୍ଦକୁ ସଫଳ କରି କୃଷକଙ୍କ ଐତିହାସିକ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଆନ୍ଦୋଳନରେ ଯୋଗ ଦେବ ନବ ନିର୍ମାଣ କୃଷକ ସଂଗଠନ

ବୋଲଗଡ଼, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲକୁ ବିରୋଧ କରି ସାରା ଭାରତ ବର୍ଷର କୃଷକ ସଂଗଠନଗୁଡିକ ଆସନ୍ତା 25 ତାରିଖରେ ଭାରତ ବନ୍ଦ କରୁଛନ୍ତି। ସେଥିରେ ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ ବୋଲି ଏକ ସାମ୍ବାଦିକ  ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି।

ସେ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା । ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି । ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍‌ଜା କରିବାର ବାଟ ଫିଟିଯାଇଛି । ଏହି ବିଗତ ବର୍ଷମାନଙ୍କରେ ଇନ୍‌ସୁରାନ୍ସ କମ୍ପାନୀମାନେ କେତେ ଚାଷୀଙ୍କୁ ଲୁଟ୍ କରିଛନ୍ତି ତାହା ସମସ୍ତଙ୍କୁ ଜଣା।

ଏହା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରୁ ଯଦି ସରକାର ନିୟନ୍ତ୍ରଣ ଉଠାଇ ଦେବେ ତେବେ କମ୍ପାନୀମାନଙ୍କ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରିବାର କୌଣସି ବାଧକ ରହିବ ନାହିଁ । କମ୍ପାନୀମାନେ ଡ଼ାଲି, ତେଲ ବଜାରରେ କେତେ ବିକିଲା ବେଳେ ସରକାର କେତେ ଟଙ୍କାରେ ଚାଷୀଙ୍କ ଠାରୁ କିଣିଛନ୍ତି । ନୂଆ କୃଷିନୀତି ଦଲାଲରାଜକୁ ସମାପ୍ତ କରିବ ବୋଲି କୁହାଗଲା ବେଳେ ପ୍ରକୃତ ପକ୍ଷେ ପୁରା ଦଲାଲରାଜ ଆରମ୍ଭ ହେବ।

ଏଣୁ କୃଷକମାନଙ୍କ ମଣ୍ଡି ବ୍ୟବସ୍ଥା ରହିବ, ଏହି ନୂଆ ବିଧେୟକରେ ମଣ୍ଡି ବିରୋଧୀ ଷଡ଼ଯନ୍ତ୍ର ନାହିଁ କହିବା ହାସ୍ୟସ୍ପଦ। ୨୫ ତାରିଖ ବନ୍ଦରେ ସାରା ଓଡ଼ିଶାର ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଏହି ବନ୍ଦ ଓ ହରତାଳରେ ଯୋଗ ଦେବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ଉପସ୍ଥିତ ଥିଲେ। ପ୍ରଭାବୀ ଢଙ୍ଗରେ ବନ୍ଦ ପାଳନ କରାଯିବ ଓ ବନ୍ଦ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଷଡ଼ଯନ୍ତ୍ର ବିଷୟରେ ଅବଗତ ହେବେ ବୋଲି କୃଷକ ନେତାମାନେ କହିଛନ୍ତି ।