
ନୂଆଦିଲ୍ଲୀ: ଦିଲ୍ଲୀର ହୋଜଖାସ୍ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଚଢାଉରେ ପୁଣେ ପୋଲିସ ୧୦୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ପୁଣେ ପୋଲିସ ନିୟମିତ ଭାବେ ଡ୍ରଗ୍ ଚଢାଉ କରୁଛି। ଏହାପୂର୍ବରୁ ପୁଣେ ପୋଲିସ କ୍ରାଇମ ବ୍ରାଞ୍ଚ ସହାୟତାରେ ପୁଣେର ବିଂଶ୍ରାତୱାଡି ଅଞ୍ଚଳରୁ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ ଜବତ କରିଛି।
ଏହା ପରେ ଏବେ ପୁଣେ ପୋଲିସ ମଧ୍ୟ ଦିଲ୍ଲୀର ହୋଜଖାସ୍ ଉପରେ ଚଢାଉ କରିଛି। ପୁଣେରୁ ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରାଯାଇଛି। ଦିଲ୍ଲୀରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ଦିଲ୍ଲୀ ଏବଂ ପୁଣେରୁ ପ୍ରାୟ ୩୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିଛି।
ପୁଣେ ପୋଲିସ ଇତିହାସରେ ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପୋଲିସ କମିଶନର ଅମିତେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କ୍ରାଇମ ବ୍ରାଞ୍ଚ ଦଳ ଦୁଇ ଦିନ ମଧ୍ୟରେ ୧୧୦୦ କୋଟି ଟଙ୍କା ମୂଲ୍ୟର ୬୦୦ କିଲୋଗ୍ରାମ ମେଫେଡ୍ରୋନ ଜବତ କରିଛି। ଏହି ମାମଲାରେ ମହାରାଷ୍ଟ୍ରର ଡୋମ୍ବିଭଲିରୁ ଅନିଲ ସାବଲେ ନାମକ ଏକ କାରଖାନା ମାଲିକଙ୍କୁ ପୋଲିସ ଅଟକ ରଖିଛି।