ନଣନ୍ଦ ଏବଂ ଭାଉଜ ମଧ୍ୟରେ ହେବେ କଡା ପ୍ରତିଯୋଗିତା!: ବାରାମତୀରୁ ନିର୍ବାଚନ ଲଢିବେ ସୁପ୍ରିୟା ସୁଲେ

Published: Mar 10, 2024, 7:18 am IST

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏହି ସମୟରେ ଶରଦ ପାୱାର ସୁପ୍ରିୟା ସୁଲେଙ୍କୁ ବାରାମତୀ ଆସନରୁ ପ୍ରାର୍ଥୀ କରିଛନ୍ତି। ବାରମତୀ ପାୱାର ପରିବାରର ଗଡ଼ ଭାବରେ ପରିଗଣିତ ହୁଏ। ବର୍ତ୍ତମାନ ସୁପ୍ରିୟା ସୁଲେ ଏହି ଆସନରୁ ସାଂସଦ ଅଟନ୍ତି। ୨୦୦୯ ମସିହାରୁ ଏହି ଆସନରୁ ସୁପ୍ରିୟା ସୁଲେ କ୍ରମାଗତ ଭାବରେ ଲୋକସଭା ନିର୍ବାଚନରେ ​​ଜିତି ଆସୁଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବାରାମତୀରୁ ନିର୍ବାଚନ ଲଢିପାରନ୍ତି। ଏଭଳି ପରିସ୍ଥିତିରେ ସୁନେତ୍ରା ପାୱାର ଯଦି ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସୁପ୍ରିୟା ସୁଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶନିବାର ଦିନ ପୁଣେ ଜିଲ୍ଲାର ଭୋର ତହସିଲରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାୱାର) ସହିତ ମହାବିକାଶ ଅଘାଡିର ଅନ୍ୟ ଦଳର ଏକ ରାଲି ଆୟୋଜନ କରାଯାଇଥିଲା। ସେହି ରାଲିରେ ବାରାମତୀରୁ ପୁଣି ସୁପ୍ରିୟା ସୁଲେ ନିର୍ବାଚନ ଲଢିବାବାକୁ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ।

ବାରମତୀ ହେଉଛି ପାୱାର ପରିବାରର ପାରମ୍ପାରିକ ଆସନ:

ଏହି ରାଲିକୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଆଶା ପ୍ରକଟ କରିଛନ୍ତି ଯେ, ନିର୍ବାଚନ ଆୟୋଗ ୧୪ କିମ୍ବା ୧୫ ମାର୍ଚ୍ଚରେ ଲୋକସଭା ନିର୍ବାଚନ ଘୋଷଣା କରିପାରନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ତାଙ୍କ ସଂଗଠନକୁ “ତୂରୀ ବଜାଉଥିବା” ଚିହ୍ନ ପ୍ରଦାନ କରିଛନ୍ତି। ୧୯୮୪ ମସିହାରେ ଶରଦ ପାୱାର ବାରାମତୀ ଆସନରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। ଏହା ପରେ ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ ପର୍ଯ୍ୟନ୍ତ ଏହି ଆସନରୁ ଲୋକସଭା ସାଂସଦ ରହିଲେ।

ନଣନ୍ଦ ଏବଂ ଭାଉଜ ମଧ୍ୟରେ ହେବେ କଡା ପ୍ରତିଯୋଗିତା!

୨୦୦୯ ଲୋକସଭା ନିର୍ବାଚନରେ ​​ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ ବାରାମତୀ ଆସନ ଛାଡିଥିଲେ। ସୁପ୍ରିୟା ସୁଲେ ମଧ୍ୟ ୨୦୦୯, ୨୦୧୪ ଏବଂ ବର୍ତ୍ତମାନ ଅର୍ଥାତ୍ ୨୦୧୯ ରେ ଏହି ଆସନରୁ ସାଂସଦ ଅଟନ୍ତି। ତେବେ ଏଥର ବାରାମତୀରେ ତାଙ୍କର ରାସ୍ତା ସହଜ ହେବ ନାହିଁ। ଅନୁମାନ କରାଯାଉଛି ଯେ, ଏହି ଆସନରେ ସୁନେତ୍ରା ପାୱାର ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି, ତେଣୁ ନଣନ୍ଦ ଏବଂ ଭାଉଆଜ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ।

Related posts