ବିହାରରେ ମସ୍ତିଷ୍କ ଜ୍ବର ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି: ନୀତିଶ କୁମାରଙ୍କ ଇସ୍ତଫା ଦାବି

Published: Jun 20, 2019, 10:38 am IST

ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି। ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୦ରେ ପହଞ୍ଚିଛି। ଏହା ସହିତ ନୂତନ ଭାବରେ ୨୦ ଜଣ ଶିଶୁ ମସ୍ତିଷ୍କ ଜ୍ବରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବ୍ୟାପିବା ପରେ ବୈଶାଳୀ ଏବଂ ହରିବଂଶପୁରରେ ଲୋକ ନିଜର ଘର ଖାଲି କରି ଅନ୍ୟ ସ୍ଥାନକୁ ପଳାଉଥିବା ଜଣା ପଡିଛି। ମସ୍ତିଷ୍କ ଜ୍ବର ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିହାର ଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ଇସ୍ତଫା ଦାବି କରାଯାଇଥିଲା। ପ୍ରତ୍ୟକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସ୍ଥାନୀୟ କୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଅଶ୍ବିନୀ ଚୌବେ ଏବଂ ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତା ମଙ୍ଗଳବାର ଏହି ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Related posts