ଭୁବନେଶ୍ଵର: ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଚଳିତ ଏପ୍ରିଲ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ଉତ୍ତାପ ବଢିବାରେ ଲାଗିଛି। ଏପ୍ରିଲ ଆରମ୍ଭରୁ ଆମ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଲାଣି। ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ (ହ୍ୱିଟୱେଭ) ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି।
ସାଧାରଣତଃ ଚାରିରୁ ଆଠଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମପ୍ରବାହ (ହିଟୱେଭ) ପ୍ରତିବର୍ଷ ଅନୁଭୂତି ହେଉଥିବାବେଳେ ଚଳିତ ବର୍ଷ ଏହାର ଦୁଇଗୁଣରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଯେ, ଖରାଦିନେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଏହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି। ଏହା ନିସନ୍ଦେହ ଯେ, ଆମ ରାଜ୍ୟ ବା ଦେଶରେ ଗ୍ରୀଷ୍ମଋତୁରେ ଅସହ୍ୟ ଗ୍ରୀଷ୍ମପ୍ରବାହ ନୂଆ ନୁହେଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଦେଶରେ ଗ୍ରୀଷ୍ମପ୍ରବାହ ଅଧିକରୁ ଅଧିକ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଦେଶର ବହୁଭାଗରେ ବସନ୍ତ ଋତୁର ପ୍ରଭାବ ହ୍ରାସ ପାଉଥିବାବେଳେ ଗ୍ରୀଷ୍ମଋତୁର ଅବଧି ବଢିବାରେ ଲାଗିଛି।
ଗତବର୍ଷ ୨୦୨୩ରେ ଗ୍ରୀଷ୍ମକାଳର ଅବଧି ଜୁନ ମାସ ପର୍ଯ୍ୟନ୍ତ ବଢିବା ଏବଂ ଜୁନ ମଧ୍ୟଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେବା ଏହାର ଜ୍ୱଳନ୍ତ ଉଦାହରଣ। ଗତ ୨୦୨୨ ମସିହାରେ ଦେଶରେ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା, ଯାହାକି ୧୯୦୧ ମସିହା ପରେ ପ୍ରଥମ ଥିଲା। ଅର୍ଥାତ ୧୯୦୧ ମସିହା ପରଠାରୁ ୨୦୨୨ରେ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ଥିଲା।
ସେହିପରି ୨୦୨୩ ବିଗତ ଶତାବ୍ଦୀ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା ବୋଲି ବିଶ୍ୱର ବହୁ ନାମୀ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଚଳିତ ବର୍ଷ ତା’ଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସ ଦେଶର କେତେକ ଭାଗରେ ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିଥିବା ଅନୁଭୂତି ହୋଇଛି।
ଚଳିତବର୍ଷ ଓଡିଶା ସମେତ ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବହୁ ଭାଗ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହେବା ନେଇ ଆଇଏମଡି ଚେତାବନୀ ଦେଇଛି। ଏହାର ପ୍ରଭାବରେ ଜଳାଭାବ, ପାନୀୟ ଜଳ ସଂକଟ, ଉତ୍କଟ ହେବା ସାଙ୍ଗକୁ ଶୀତ ଦିନିଆ ଶସ୍ୟ ବିଶେଷ କରି ଗହମ ଅମଳ ବିଶେଷ ଭାବରେ ପ୍ରଭାବିତ ହେବ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଦେଶରେ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗହମ ଉଦ୍ଭାବନ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇପାରିନଥିଲା। କେବଳ ଏତିକି ନୁହେଁ ଦକ୍ଷୀଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ସମେତ ବିଭିନ୍ନ ଅଂଚଳରେ ଚଳିତ ବର୍ଷ ପାନୀୟ ଜଳ ସଂକଟ କାହାରିକୁ ଅଛପା ନଥିବ ବୋଧହୁଏ। ଆଗକୁ ଜଳାଭାବ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ନିଃସନ୍ଦେହ ଯେ, ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଶ୍ୱ ଜଳବାୟୁ ଭୟଙ୍କର ହେବାରେ ଲାଗିଛି। ଯାହାର ପ୍ରଭାବରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ମଣିଷ, ପ୍ରାଣୀଜଗତ ଏବଂ ଜୀବଜଗତ ଉପରେ ପଡିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ବିଶେଷ କରି ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ଜନିତ ମୃତ୍ୟୁର ଆଶଙ୍କା ସୃଷ୍ଟି କରିଛି। ୧୯୯୮ ମସିହାରେ ଆମ ରାଜ୍ୟରେ ୩୦୦୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିଲା।
ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ୧୦,୦୦୦ରୁ ଅଧିକ ଲୋକଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହେ। ଚଳିତ ବର୍ଷ ଅଂଶୁଘାତଜନିତ ମୃତ୍ୟୁର ଯେପରି ପୁନରାବୃତି ଘଟେ, ସେଥିପ୍ରତି ସତର୍କତା ଅବିଳମ୍ବ ଜରୁରୀ ହୋଇପଡିଛି।
କହିବା ବାହୁଲ୍ୟ ଯେ, ଚଳିତ ବର୍ଷ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଏପ୍ରିଲରୁ ଜୁନ ମାସ ମଧ୍ୟରେ ହେଉଛି। ନିଦାଘ ଖରାରେ ନିର୍ବାଚନ ପ୍ରଚାର, ସଭାସମିତି, ଶୋଭାଯାତ୍ରା ଅଂଶୁଘାତ ଜନିତ ମୃତ୍ୟୁର ଭୟ ସୃଷ୍ଟି କରିବା ସ୍ୱାଭାବିକ। ଏଥିପ୍ରତି ନିର୍ବାଚନ କମିଶନ, ରାଜନୈତିକ ଦଳ ଏବଂ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।
ଉଲ୍ଳେଖଯୋଗ୍ୟ ଯେ, ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଅସହ୍ୟ ଗ୍ରୀଷ୍ମପ୍ରବାହ ଏବଂ ରୌଦ୍ରତାପ ବୃଦ୍ଧି ସତ୍ତ୍ୱେ ୧୯୯୮ ମସିହା ପରଠାରୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକଯିବା ସମ୍ଭବ ହୋଇଛି। ଓଡିଶା ସରକାର ମଧ୍ୟ ଅଂଶୁଘାତ ମୃତ୍ୟୁକୁ ଏଡାଇବା ଲାଗି ଇତିମଧ୍ୟରେ କେତେକ ଗାଇଡଲାଇନ ଜାରି କରିସାରିଲେଣି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ଉପରେ କଟକଣା ଜାରି କରିଥିବାବେଳେ ଜରୁରୀ ନଥିଲେ ଘରୁ ନବାହାରିବା ପାଇର୍ ପରାମର୍ଶ ଦେଇଛନ୍ତି।
ସେହିପରି ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। କେବଳ ଓଡିଶା ନୁହେଁ, ଦେଶର ସମସ୍ତ ରାଜ୍ୟର ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏହା ନିଶ୍ଚିତ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ପ୍ରଭାବରେ ଯେପରି ଗୀଷ୍ମକାଳରେ ଅବଧି ବଢିଚାଲିଛି ଏବଂ ଖରାର ପ୍ରକୋପ ବୃଦ୍ଧିପାରିଛି, ତାହାର ମୁକାବିଲା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।
ବିଶେଷ କରି ପାନୀୟଜଳ ସଂକଟ ନିୟନ୍ତ୍ରଣ ଏବଂ ମଣିଷ ଓ ପ୍ରାଣୀଜଗତ ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି। ଆଇଏମଡିର ଚେତାବନୀ ପରେ ସତର୍କତା ଏବଂ ବୈଜ୍ଞାନିକ ଜ୍ଞାନ ଦ୍ୱାରା ଏହାର ମୁକାବିଲା ପାଇଁ ସରକାର ବେଳ ହୁଁ ସାବଧାନ ହେବା ଜରୁରୀ।