Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଚଳିତ ଏପ୍ରିଲ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ଉତ୍ତାପ ବଢିବାରେ ଲାଗିଛି। ଏପ୍ରିଲ ଆରମ୍ଭରୁ ଆମ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଲାଣି। ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ (ହ୍ୱିଟୱେଭ) ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି।

ସାଧାରଣତଃ ଚାରିରୁ ଆଠଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମପ୍ରବାହ (ହିଟୱେଭ) ପ୍ରତିବର୍ଷ ଅନୁଭୂତି ହେଉଥିବାବେଳେ ଚଳିତ ବର୍ଷ ଏହାର ଦୁଇଗୁଣରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଯେ, ଖରାଦିନେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଏହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି।  ଏହା ନିସନ୍ଦେହ ଯେ, ଆମ ରାଜ୍ୟ ବା ଦେଶରେ ଗ୍ରୀଷ୍ମଋତୁରେ ଅସହ୍ୟ ଗ୍ରୀଷ୍ମପ୍ରବାହ ନୂଆ ନୁହେଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଦେଶରେ ଗ୍ରୀଷ୍ମପ୍ରବାହ ଅଧିକରୁ ଅଧିକ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଦେଶର ବହୁଭାଗରେ ବସନ୍ତ ଋତୁର ପ୍ରଭାବ ହ୍ରାସ ପାଉଥିବାବେଳେ ଗ୍ରୀଷ୍ମଋତୁର ଅବଧି ବଢିବାରେ ଲାଗିଛି।

ଗତବର୍ଷ ୨୦୨୩ରେ ଗ୍ରୀଷ୍ମକାଳର ଅବଧି ଜୁନ ମାସ ପର୍ଯ୍ୟନ୍ତ ବଢିବା ଏବଂ ଜୁନ ମଧ୍ୟଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେବା ଏହାର ଜ୍ୱଳନ୍ତ ଉଦାହରଣ। ଗତ ୨୦୨୨ ମସିହାରେ ଦେଶରେ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା, ଯାହାକି ୧୯୦୧ ମସିହା ପରେ ପ୍ରଥମ ଥିଲା। ଅର୍ଥାତ ୧୯୦୧ ମସିହା ପରଠାରୁ ୨୦୨୨ରେ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ଥିଲା।

ସେହିପରି ୨୦୨୩ ବିଗତ ଶତାବ୍ଦୀ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା ବୋଲି ବିଶ୍ୱର ବହୁ ନାମୀ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଚଳିତ ବର୍ଷ ତା’ଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ଚେତାବନୀ ଦେଇଛନ୍ତି।  ଚଳିତ ବର୍ଷ ମାର୍ଚ୍ଚ ମାସ ଦେଶର କେତେକ ଭାଗରେ ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିଥିବା ଅନୁଭୂତି ହୋଇଛି।

ଚଳିତବର୍ଷ ଓଡିଶା ସମେତ ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବହୁ ଭାଗ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହେବା ନେଇ ଆଇଏମଡି ଚେତାବନୀ ଦେଇଛି। ଏହାର ପ୍ରଭାବରେ ଜଳାଭାବ, ପାନୀୟ ଜଳ ସଂକଟ, ଉତ୍କଟ ହେବା ସାଙ୍ଗକୁ ଶୀତ ଦିନିଆ ଶସ୍ୟ ବିଶେଷ କରି ଗହମ ଅମଳ ବିଶେଷ ଭାବରେ ପ୍ରଭାବିତ ହେବ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଦେଶରେ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗହମ ଉଦ୍ଭାବନ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇପାରିନଥିଲା। କେବଳ ଏତିକି ନୁହେଁ ଦକ୍ଷୀଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ସମେତ ବିଭିନ୍ନ ଅଂଚଳରେ ଚଳିତ ବର୍ଷ ପାନୀୟ ଜଳ ସଂକଟ କାହାରିକୁ ଅଛପା ନଥିବ ବୋଧହୁଏ। ଆଗକୁ ଜଳାଭାବ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ନିଃସନ୍ଦେହ ଯେ, ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଶ୍ୱ ଜଳବାୟୁ ଭୟଙ୍କର ହେବାରେ ଲାଗିଛି। ଯାହାର ପ୍ରଭାବରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ମଣିଷ, ପ୍ରାଣୀଜଗତ ଏବଂ ଜୀବଜଗତ ଉପରେ ପଡିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ବିଶେଷ କରି ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ଜନିତ ମୃତ୍ୟୁର ଆଶଙ୍କା ସୃଷ୍ଟି କରିଛି। ୧୯୯୮ ମସିହାରେ ଆମ ରାଜ୍ୟରେ ୩୦୦୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିଲା।

ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ  ୧୦,୦୦୦ରୁ ଅଧିକ ଲୋକଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହେ। ଚଳିତ ବର୍ଷ ଅଂଶୁଘାତଜନିତ ମୃତ୍ୟୁର ଯେପରି ପୁନରାବୃତି ଘଟେ, ସେଥିପ୍ରତି ସତର୍କତା ଅବିଳମ୍ବ ଜରୁରୀ ହୋଇପଡିଛି।

କହିବା ବାହୁଲ୍ୟ ଯେ, ଚଳିତ ବର୍ଷ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଏପ୍ରିଲରୁ ଜୁନ ମାସ ମଧ୍ୟରେ ହେଉଛି। ନିଦାଘ ଖରାରେ ନିର୍ବାଚନ ପ୍ରଚାର, ସଭାସମିତି, ଶୋଭାଯାତ୍ରା ଅଂଶୁଘାତ ଜନିତ ମୃତ୍ୟୁର ଭୟ ସୃଷ୍ଟି କରିବା ସ୍ୱାଭାବିକ। ଏଥିପ୍ରତି ନିର୍ବାଚନ କମିଶନ, ରାଜନୈତିକ ଦଳ ଏବଂ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ଉଲ୍ଳେଖଯୋଗ୍ୟ ଯେ, ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଅସହ୍ୟ ଗ୍ରୀଷ୍ମପ୍ରବାହ ଏବଂ ରୌଦ୍ରତାପ ବୃଦ୍ଧି ସତ୍ତ୍ୱେ ୧୯୯୮ ମସିହା ପରଠାରୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକଯିବା ସମ୍ଭବ ହୋଇଛି। ଓଡିଶା ସରକାର ମଧ୍ୟ ଅଂଶୁଘାତ ମୃତ୍ୟୁକୁ ଏଡାଇବା ଲାଗି ଇତିମଧ୍ୟରେ କେତେକ ଗାଇଡଲାଇନ ଜାରି କରିସାରିଲେଣି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ଉପରେ କଟକଣା ଜାରି କରିଥିବାବେଳେ ଜରୁରୀ ନଥିଲେ ଘରୁ ନବାହାରିବା ପାଇର୍ ପରାମର୍ଶ ଦେଇଛନ୍ତି।

ସେହିପରି ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। କେବଳ ଓଡିଶା ନୁହେଁ, ଦେଶର ସମସ୍ତ ରାଜ୍ୟର ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏହା ନିଶ୍ଚିତ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ପ୍ରଭାବରେ ଯେପରି ଗୀଷ୍ମକାଳରେ ଅବଧି ବଢିଚାଲିଛି ଏବଂ ଖରାର ପ୍ରକୋପ ବୃଦ୍ଧିପାରିଛି, ତାହାର ମୁକାବିଲା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ବିଶେଷ କରି ପାନୀୟଜଳ ସଂକଟ ନିୟନ୍ତ୍ରଣ ଏବଂ ମଣିଷ ଓ ପ୍ରାଣୀଜଗତ ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି। ଆଇଏମଡିର ଚେତାବନୀ ପରେ ସତର୍କତା ଏବଂ ବୈଜ୍ଞାନିକ ଜ୍ଞାନ ଦ୍ୱାରା ଏହାର ମୁକାବିଲା ପାଇଁ ସରକାର ବେଳ ହୁଁ ସାବଧାନ ହେବା ଜରୁରୀ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ପାଳନ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାଣିପାଗ ବିଭାଗର ଆମ ଦେଶ ପାଇଁ ଅସାଧାରଣ ସେବାକୁ ପ୍ରଶଂସା କରିଛନ୍ତି। ଆଜି ଏହି ବିଭାଗର ୧୫୦ ବର୍ଷ ପୂରଣ ହୋଇଛି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ଆମେ ଭାରତୀୟ ପାଣିପାଗ ବିଭାଗର ଦେଶ ପାଇଁ ଅସାଧାରଣ ସେବାର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି ଜଳବାୟୁ ଗବେଷଣାକୁ ଆଗେଇ ନେବା ପର୍ଯ୍ୟନ୍ତ, ଆଇଏମ୍‌ଡି ଜୀବନକୁ ସୁରକ୍ଷିତ ରଖିବା ଏବଂ ପରିବେଶ ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାରେ ସହାୟକ ହୋଇଛି।

Categories
ବିଶେଷ ଖବର

ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଚାଲିଥିବା ପ୍ରଚଣ୍ଡ ତାପ ପ୍ରବାହ ଯୋଗୁଁ ଯେଉଁ ସ୍ୱାସ୍ଥ୍ୟଗତ ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ତାହାର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ଏକ ବିଶେଷଜ୍ଞ ଦଳ ଖୁବ୍‌ଶୀଘ୍ର ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରି ସେଠାକାର ତାପ ପ୍ରଭାବିତ  ଲୋକଙ୍କୁ ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ସହିତ ମିଶି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବ। ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ସେସବୁ ରାଜ୍ୟରେ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି ତାହାର ମୁକାବିଲାରେ ଏହି ବିଶେଷଜ୍ଞ ଦଳ ସ୍ୱତନ୍ତ୍ରଭାବେ ସହାୟତା ଓ ପରାମର୍ଶ ଦେବ।

ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡଭିୟ ଦେଶରେ ଏଭଳି ଅଭୂତପୂର୍ବ ଗ୍ରୀଷ୍ମ ଓ ତାପ ପ୍ରବାହର ମୁକାବିଲା ପାଇଁ ଗୋଷ୍ଠୀ ତଥା ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଲୋକେ ସତର୍କ ରହିଲେ ଅଂଶୁଘାତଜନିତ ଅନେକ ବ୍ୟାଧିକୁ ଏଡାଇ ଦେଇ ହେବ। ତେବେ ଗ୍ରୀଷ୍ମପ୍ରବାହ ଓ ମାତ୍ରାଧିକ ତାପମାତ୍ରା ଯୋଗୁଁ ଯେଉଁସବୁ ରୋଗବ୍ୟାଧୀ ସୃଷ୍ଟି ହେଉଛି ତାହାର ପ୍ରକୋପକୁ କିପରି ହ୍ରାସ କରି ହେବ ଏବଂ ତାହାର ଉପରେ ପ୍ରତିକାର ନିମନ୍ତେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଦରକାର ତାହାର ଗବେଷଣା ଓ ପ୍ରସ୍ତୁତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଏହା ଉପରେ ଗବେଷଣା କରିବା ସହ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦେବ। ପ୍ରତିକାରରେ ଉଭୟ ସ୍ୱଳ୍ପ ଓ ଦୀଘମିଆଦି ପଦକ୍ଷେପ ଅନ୍ତର୍ଭୁକ୍ତ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମ ଓ ତାପପ୍ରବାହ ଜନିତ ଅସୁସ୍ଥତାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏଥର ଯଥେଷ୍ଟ ଆଗରୁ ପଦକ୍ଷେପ ଗ୍ରହଣ କରିଥିଲେ। ଖରାଦିନ ଆରମ୍ଭ ପୂର୍ବରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତା’ ପୂର୍ବରୁ ଫେବୃୟାରୀ ମାସରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ପରାମର୍ଶ ଓ ମାର୍ଗଦର୍ଶିକା ଜାରି କରାଯାଇଥିଲା। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ମନ୍ତେ ପ୍ରସ୍ତୁତ ରହିବାକୁ ରାଜ୍ୟମାନଙ୍କୁ କୁହାଯାଇଥିଲା। ଏଥିରେ ଆବଶ୍ୟକ ଔଷଧପତ୍ର, ଇଣ୍ଟ୍ରାଭେନସ ଫ୍ଲୁଇଡ, ପ୍ୟାକ୍ସ, ଓଆରଏସ୍‌, ପାନୀୟଜଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଥିଲା। ସେହିଭଳି ତାପଜନିତ ଅସୁସ୍ଥତାର ମୁକାବିଲା ସଂକ୍ରାନ୍ତ ଜାତୀୟ ଯୋଜନା ସମ୍ପର୍କରେ ସବୁ ରାଜ୍ୟକୁ ତଥ୍ୟ ଦିଆଯାଇଥିଲା।

ଆଜିର ବୈଠକ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଣ୍ଡବୀୟଙ୍କୁ ବିଭିନ୍ନ ରାଜ୍ୟର ତାପପ୍ରବାହ/ଗ୍ରୀଷ୍ମପ୍ରବାହ ଜନିତ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ସେହିଭଳି ହସ୍‌ପିଟାଲ ଭିତ୍ତିଭୂମି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣରେ କେନ୍ଦ୍ରୀୟ ସଂସ୍ଥାମାନଙ୍କର ପ୍ରସ୍ତୁତି ତଥା କାର୍ଯ୍ୟ ସମ୍ପର୍କରେ ସେ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନ ଜାତୀୟ କାର୍ଯ୍ୟକ୍ରମ ଓ ମାନବ ସ୍ୱାସ୍ଥ୍ୟ ଯୋଜନା ବା ଏନ୍‌ପିସିସିଏଚ୍‌ଏଚ୍ ଅଧୀନରେ ଦୈନିକ ଦେଶରେ ତାପପ୍ରବାହ ଜନିତ ଅସୁସ୍ଥଙ୍କ ସଂଖ୍ୟା ଉପରେ ନଜର ରଖାଯାଇ ସେମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରାଯାଉଛି। ଏ ସଂକ୍ରାନ୍ତ ତଥ୍ୟ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ ଆଇପି) ମାଧ୍ୟମରେ ସବୁ ଜିଲ୍ଲା ଓ ରାଜ୍ୟରୁ ସଂଗୃହୀତ  ହେଉଛି ଏବଂ ପ୍ରତିକାର ସମ୍ପର୍କରେ ସେହି  ମାଧ୍ୟମରେ ସୂଚନା ଦିଆଯାଉଛି। ସବୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ପି-ଫର୍ମ ଲେଭଲ ଲଗ୍‌ଇନ୍ କରି ଏଥିରେ ସାମିଲ ହେବାକୁ କୁହାଯାଇଛି।

ତାପମାତ୍ରା ବୃଦ୍ଧିଜନିତ ଅସୁସ୍ଥତାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଜାତୀୟ କ୍ରିୟାନୁଷ୍ଠାନ ଯୋଜନାରେ କେତେକ ମାର୍ଗଦର୍ଶନ ରହିଛି ଯାହା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର ଭାବେ ବିବେଚିତ ହେଉଛି। ଏଥିରେ ପିଲା ଶିଶୁ, ବୟସ୍କ, ଗର୍ଭବତୀ, ଖରାରେ କାମ କରୁଥିବା ଶ୍ରମିକ ଏବଂ ଅନ୍ୟାନ୍ୟ ବିପଦାପନ୍ନ ଲୋକଙ୍କ ସୁରକ୍ଷ। ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହାଛଡା ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ସୌର ଫଳକ ସ୍ଥାପନ, ଘର ଭିତରର ତାପମାତ୍ରା ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ, ସବୁଜ ଛାତ, ୱିଣ୍ଡୋ ସେଡିଂ, ବାହ୍ୟ ଆବରଣ ଆଦିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ବିଶେଷ ଜରୁରୀ। ଏହା ସହିତ ଚିକିତ୍ସିକ ମାନଙ୍କର ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ କର୍ମୀଙ୍କୁ କାମରେ ଲଗାଇବା, ତୃଣମୂଳସ୍ତରରେ ଅଂଶୁଘାତରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଣ, ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଆଦି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ସର୍ବୋପରି ଦୈନିକ ତାପମାନ ସମ୍ପର୍କରେ ଲୋକଙ୍କୁ ଆଗୁଆ ପ୍ରଦାନକୁ ଅନିବାର୍ଯ୍ୟ କରାଯାଇଛି। ଦୈନିକ ତାପମାତ୍ରା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଭାରତୀୟ ପାଣିପାଗ ବିଭାଗର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପରାମର୍ଶ ଦେଇଛି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ସୁଧାଂଶୁ ପନ୍ତ, ଓଏସ୍‌ ଡକ୍ଟର ରାଜୀବ ବେହେଲ, ଡିଏଚ୍‌ଆର ସଚିବ ଏସ୍ ଗୋପାଳକୃଷ୍ଣନ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଡକ୍ଟର ଲବ ଅଗ୍ରୱାଲ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶେଷରେ କେରଳରେ ପହଞ୍ଚିଲା ମୌସୁମୀ: ବିଳମ୍ବ କଲା ଏକ ସପ୍ତାହ

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କେରଳର ମୌସୁମୀ ଜୁନ୍ ୧ ତାରିଖ ଠାରୁ ୭ ଦିନ ବିଳମ୍ବ ହୋଇଛି। ଏବେ ଏହା ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ କର୍ଣ୍ଣାଟକ ଏବଂ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଛି।

ମୌସୁମୀ ଏକ ସପ୍ତାହ ପରେ ମହାରାଷ୍ଟ୍ର ଏବଂ ଗୋଆରେ ଟକ୍କର ଦେଇପାରେ। ଏଥି ସହିତ ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ଚଳିତ ମାସ ଶେଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଦେଶରେ ପ୍ରଥମ ମୌସୁମୀ ବର୍ଷା ହୋଇଛି। ଏଥର ଏହା ଏକ ସପ୍ତାହ ବିଳମ୍ବ ହୋଇଛି। ଯଦିଓ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ। ଏଥର ମୌସୁମୀ ସାମାନ୍ୟ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଆ ପୁଅ ହେଲେ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଉ ଜଣେ ଓଡିଆ ପୁଅ ଦେଶରେ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ବିଶ୍ବ ପାଣିପାଗ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।

ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ୧୪୮ରୁ ୧୧୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ପଦବୀରେ ତିନି ଜଣଙ୍କୁ ନିର୍ବାଚିତ କରାଯାଇଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଜଣେ ଉପାଧ୍ୟକ୍ଷ। ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି।

ଓଡିଆ ପୁଅର ଏପରି କୃତିତ୍ବ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁଞ୍ଜୟଙ୍କ ପାଣିପାଗ ଉପରେ ବହୁ ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ସେ ନିଶ୍ଚିତ ବିଶ୍ବରେ ନାଁ କରିବା ସହିତ ଓଡିଶା ପାଇଁ ଗର୍ବ ଆଣିବେ। ତାଙ୍କର ଭବିଷ୍ୟତ ସଫଳତା କାମନା କରୁଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ: ପାଣିପାଗ ବିଭାଗ କଲା ପୂର୍ବନୁମାନ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ବଡ ଖବର ମିଳିଛି। ଏଥର ଦେଶକୁ ବିଳମ୍ବରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତବର୍ଷ କେରଳକୁ ବିଳମ୍ବରେ ମୌସୁମୀ ଆସିବ। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ବିଳମ୍ବ ହେବାର ସମ୍ଭାବନା ରହିଛି।

Categories
Cyclone ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।