Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା
ଆଜିର ଖବର

ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

October 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା
ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

ଖୋରଧା: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁ ଚାପ ସମ୍ଭାବ୍ୟ ବାତ୍ୟା ରୂପ ନେବା ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଆଜି ଖୋରଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆଭାସିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବ୍ଲକ ଉନ୍ନୟନ ଅଧିକାରୀମାନେ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପଦକ୍ଷେପ ଗୁଡ଼ିକ ଉପରେ ନ୍ୟସ୍ତ ଦାୟିତ୍ଵ ସମ୍ବନ୍ଧରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଶୂନ୍ୟ ମୃତ୍ୟୁ ହାର ବଜାୟ ନିମନ୍ତେ ଜିଲ୍ଲାପ୍ରଶାସନର ଭିଜନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ତତ୍ପରତା ସହ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ଏବଂ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୫୧ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସହିତ ଅତିରିକ୍ତ ୩୭୯ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକର ସୁପରିଚାଳନା ନିମନ୍ତେ ସ୍ଥାନୀୟ ଲୋକ ପ୍ରତିନିଧି ଓ ସ୍ଥାନୀୟ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନେଇ ଆଶ୍ରୟସ୍ଥଳୀ ପରିଚାଳନା କମିଟି ଗଠନ କରାଯାଇଛି। ପାନୀୟ ଜଳ, ପରିମଳ, ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସହ ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଥିବାବେଳେ ଆବଶ୍ୟକସ୍ଥଳେ, ବିଶେଷକରି ଅସୁରକ୍ଷିତ ସ୍ଥାନ ରେ ରହୁଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ୮ଟି ମୋଟରଚାଳିତ ଡଙ୍ଗାକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଘରୋଇ ଡଙ୍ଗାଗୁଡ଼ିକୁ ମଧ୍ୟ ନିୟୋଜିତ କରାଯାଇପାରିବ ବୋଲି କୁହାଯାଇଛି। ରାସ୍ତା ଅବରୋଧ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଯାନ୍ତ୍ରିକ ସାଧନଗୁଡ଼ିକୁ ପ୍ରସ୍ତୁତ ରଖାଯାଆଇଛି। ଜଳ ପ୍ରବେଶ, ପଛୁଆ ଜଳପ୍ରବାହ ଏବଂ ଜଳବନ୍ଦୀ ସମସ୍ୟାର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ଓଡରାଫ (ODRAF )ଏବଂ ଅଗ୍ନିଶମ ସେବା ଦଳଗୁଡ଼ିକୁ ଆବଶ୍ୟକ ସ୍ଥାନରେ ମୁତୟନ କରାଯିବ।

୨୩ ଅକ୍ଟୋବର ୨୦୨୬ ତାରିଖର ମହଜୁଦ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ପାଞ୍ଚଟି ଗୋଦାମ/ସଂରକ୍ଷଣ କେନ୍ଦ୍ରରେ ପ୍ରାୟ ୧,୧୨,୫୩୮ କୁଇଣ୍ଟାଲ ଚାଉଳ ମହଜୁଦ ରହିଛି। ଏହା ବ୍ୟତୀତ ରିଲିଫ୍ କାର୍ଯ୍ୟ ପାଇଁ ୨୫୨ କୁଇଣ୍ଟାଲ ଚୁଡ଼ା ଓ ୧୯୭ କୁଇଣ୍ଟାଲ ଗୁଡ଼ ଉପଲବ୍ଧ ରହିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଜିଲ୍ଲାରେ ୨,୩୮୩ ପ୍ୟାକେଟ୍ ପଲିଥିନ୍ ମଧ୍ୟ ମହଜୁଦ ଅଛି। ସୁରକ୍ଷିତ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବାର ତ୍ୱରିତ ପୁନରୁଦ୍ଧାର, ଦୁର୍ଗମ ଅଞ୍ଚଳରେ ଖାଦ୍ୟଶସ୍ୟ ମହଜୁଦ ରଖିବା ଏବଂ ପଶୁଖାଦ୍ୟ, ପ୍ରାଣୀ ଚିକିତ୍ସା ସେବା ଓ ଗୃହପାଳିତ ପଶୁଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ସ୍ୱାସ୍ଥ୍ୟ ସେବା ପ୍ରସ୍ତୁତିର ଅଂଶସ୍ୱରୂପ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ଡାକ୍ତରଖାନାଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ ଓ ସାପ କାମୁଡ଼ା ପ୍ରତିରୋଧୀ ଔଷଧ (ASV)ର ଉପଲବ୍ଧତା ଏବଂ ଜିଲ୍ଲା ଡାକ୍ତରଖାନା ଓ ପ୍ରଭାବିତ ନହୋଇଥିବା ବ୍ଲକଗୁଡ଼ିକରୁ ଜଣେ ଡାକ୍ତର ଓ ଜଣେ ପାରାମେଡିକ୍‌ଙ୍କୁ ନେଇ ମୋବାଇଲ୍ ସ୍ୱାସ୍ଥ୍ୟ ଦଳ ନିୟୋଜନ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବ୍ୟ ତାରିଖ ଥିବା ୫୩୯ ଜଣ ଗର୍ଭବତୀ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି, ଯାହାଦ୍ୱାରା ସେମାନଙ୍କୁ ସମୟୋଚିତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇପାରିବ। ଖୋରଧା ଓ ଜଟଣୀ ପୌରପାଳିକା ଏବଂ ଟାଙ୍ଗୀ, ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ଜଳ ନିଷ୍କାସନ ପମ୍ପ, ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ଆଶ୍ରୟସ୍ଥଳୀ ଓ ଯାନବାହନର ଉପଲବ୍ଧତା ସମୀକ୍ଷା କରାଯିବା ସହ ଅସୁରକ୍ଷିତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସର୍ବଦା ସତର୍କ ରହିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରଖିବା ଏବଂ ସମସ୍ତ ଦିଗରୁ ଆଗୁଆ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ଓ ପରାମର୍ଶ ପାଳନ କରିବା ସହ ଜନସୁରକ୍ଷା ନିମନ୍ତେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି।

ଖୋରଧା ଜିଲ୍ଲା ପ୍ରାକ୍ ପ୍ରସ୍ତୁତି ବଙ୍ଗୋପସାଗର ବାତ୍ୟା ମୁକାବିଲା ଭାରତୀୟ ପାଣିପାଗ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ରେଳ ଧାରଣାରୁ ଏଏସଆଇ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର

October 24, 2026
Latest News

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.