Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୨ ଦିନରେ ଏହି ରାଜ୍ୟଗୁଡିକରେ ପହଞ୍ଚିବ ମୌସୁମୀ, ହିଟ ୱେଭକୁ ନେଇ ପାଣିପାଗ ଦେଲା ଅପଡେଟ

ନୂଆଦିଲ୍ଲୀ: ଜୁନ୍ ୧୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ମଧ୍ୟପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ କେରଳ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସମୟ ପୂର୍ବରୁ ପହଞ୍ଚିଥିଲା। ଏହିଭଳି ମାତ୍ର ଚାରି ଥର ୨୦୧୭, ୧୯୯୭, ୧୯୯୫ ଏବଂ ୧୯୯୧ ରେ କେରଳ ଏବଂ ଉତ୍ତର-ପୂର୍ବରେ ଏକାସାଙ୍ଗରେ ମୌସୁମୀ ପହଞ୍ଚିଥିଲା।

IMD କହିଛି ଯେ, ଜୁନ୍ ୦୨-୦୪ ତାରିଖ ମଧ୍ୟରେ ଆସାମ ଏବଂ ମେଘାଳୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଜୁନ୍ ୩ ରୁ ୬ ତାରିଖ ମଧ୍ୟରେ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ହିଟ ୱେଭ ଜାରି ରହିବ। ଆଇଏମଡି କହିଛି ଯେ, ଆଜି ପଞ୍ଜାବ, ହରିୟାଣା, ଦିଲ୍ଲୀ, ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ହିଟ ୱେଭ ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗରମରୁ ମିଳିବ ମୁକ୍ତି!, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟଗୁଡିକରେ ହେବ ବର୍ଷା, ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହରେ ପୀଡିତ ଲୋକମାନେ ଆଗାମୀ ଦିନରେ ଆରାମ ପାଇବାକୁ ଯାଉଛନ୍ତି। ପାଣିପାଗ ବିଭାଗ କହିଛି ଯେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଧୀରେ ଧୀରେ କମିବାକୁ ଯାଉଛି ଏବଂ କେରଳର ମୌସୁମୀ ପାଇଁ ସ୍ଥିତି ଅନୁକୂଳ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁଯାୟୀ ହରିୟାଣା, ଚଣ୍ଡିଗଡ଼-ଦିଲ୍ଲୀ ଏବଂ ପଞ୍ଜାବର ଅଧିକାଂଶ ଅଞ୍ଚଳରେ ଭୀଷଣ ଲୁ ପ୍ରବାହିତ ହେଉଥିବାବେଳେ ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନ, ଜମ୍ମୁ, ବିଦର୍ଭ ଏବଂ ଛତିଶଗଡର ବିଭିନ୍ନ ଅଞ୍ଚଳରେ ଲୁ ସ୍ଥିତି ଜାରି ରହିଛି।

ମୌସୁମୀ ସମ୍ବନ୍ଧରେ ପାଣିପାଗ ବିଭାଗର ପୂର୍ବାନୁମାନ:

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳରେ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ, ଦକ୍ଷିଣ ଆରବ ସାଗରର କିଛି ଅଂଶରେ, ମାଲଦ୍ୱୀପ ଏବଂ କୋମରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ଲାକ୍ଷଦୀପ ଅଞ୍ଚଳର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ବଙ୍ଗୋପସାଗରର କିଛି ଅଂଶ, ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକର କିଛି ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁବା ପାଇଁ ପାଗ ଅନୁକୂଳ ହେବାକୁ ଯାଉଛି।

କେଉଁଠାରେ ବର୍ଷା ହେବ?:

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ସମତଳ ଅଞ୍ଚଳ, ଓଡ଼ିଶାରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଏବଂ ମେ ୩୧ ରୁ ଜୁନ୍ ୨ ତାରିଖମଧ୍ୟରେ କାଳ ବୈଶାଖୀ, ବଜ୍ରପାତ ଏବଂ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ପବନ ହେବାର ସମ୍ଭାବନା ଅଛି।

ଏହାପୂର୍ବରୁ ଜୁନ୍ ମାସରେ ଦେଶର ଅଧିକାଂଶ ରାଜ୍ୟରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ କହିଛି। ଆଇଏମଡି କହିଛି ଯେ, ମାସର ସର୍ବାଧିକ ତାପମାତ୍ରା ଜୁନ୍ ମାସରେ ଦେଶର ଅଧିକାଂଶ ଅନାଚଳରେ ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଚଣ୍ଡ ରୌଦ୍ରାତାପରୁ ମିଳିବ ଆଶ୍ଵସ୍ତି!: କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରାତାପ ମଧ୍ୟରେ ଏବେ ଏକ ଭଲ ଖବର ମିଳିଛି। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇଛି। କିନ୍ତୁ ଏହା ପୂର୍ବରୁ ଜୁନ ୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା। ତେବେ ଆଗୁଆ ମୌସୁମୀ ଆସିବା ପରେ ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି।

ଉତ୍ତର-ପୂର୍ବ ରାଜ୍ୟରେ ମୌସୁମୀର ତାରିଖ କ’ଣ?:

ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ମୌସୁମୀ ଆସିବାର ସାଧାରଣ ତାରିଖ ହେଉଛି ଜୁନ୍ ୫ ତାରିଖ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରବଳ ଗରମ ମଧ୍ୟରେ ଏକ ଖୁସି ଖବର!: ଏହି ଦିନ ଆସିବ ମୌସୁମୀ, ପାଣିପାଗ ବିଭାଗ ଦେଲା ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମରୁ ଶୀଘ୍ର ଆଶ୍ଵସ୍ତି ମିଳିବ। ଭାରତ ପାଣିପାଗ ବିଭାଗ (ଆଇଏମଡି) ମୌସୁମୀ ସମ୍ବନ୍ଧରେ ଏକ ଭଲ ଖବର ଦେଇଛି। ଆଇଏମଡି ଅନୁଯାୟୀ, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ମୌସୁମୀ କେରଳକୁ ଆସିବାକୁ ଯାଉଛି। ଆଇଏମଡି କହିଛି ଯେ, ଏଥର ଭାରତର ମୌସୁମୀ କୋର ଜୋନରେ ସାଧାରଣ ଅପେକ୍ଷା ଅଧିକ ବର୍ଷା ହୋଇପାରେ।

ପାଣିପାଗ ବିଭାଗ କହିଛି ଯେ, କେରଳରେ ମୌସୁମୀ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ଅଟେ। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଦେଖାଯିବ। ଆଇଏମଡି କହିଛି ଯେ, ଉତ୍ତର ପୂର୍ବ ଭାରତ, ଉତ୍ତର ପଶ୍ଚିମରେ ସ୍ୱାଭାବିକ ମୌସୁମୀ ବର୍ଷା ଏବଂ କେନ୍ଦ୍ରୀୟ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକଠାରୁ ଅଧିକ ହେବ ବର୍ଷା ବୋଲି ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଂଶ ବ୍ୟତୀତ ଜୁନ୍ ମାସରେ ଦେଶର ସର୍ବାଧିକ ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୦ ଟି ନିର୍ବାଚନ ରାଜ୍ୟ ମଧ୍ୟରୁ ୮ ଟିରେ ବର୍ଷା ସମ୍ଭାବନା!

ନୂଆଦିଲ୍ଲୀ: ଆଜି ଦେଶର ୧୦ ଟି ରାଜ୍ୟର ୯୬ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହା ବ୍ୟତୀତ ଆଜି ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଓଡିଶାର ୨୮ ଟି ବିଧାନସଭା ଆସନ ଉପରେ ମଧ୍ୟ ଭୋଟ୍ ଗ୍ରହଣ କରାଯିବ। ମତଦାନ ସମୟ ସକାଳ ୭ ଟାରୁ ୬ ଟା ମଧ୍ୟରେ ହେବ। ଏହି ସମୟରେ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ପୂର୍ବାନୁମାନ କରିଛି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଭୋଟ୍ ଦିନ ଅର୍ଥାତ ଆଜି ଲୁ’ ର ପୂର୍ବାନୁମାନ କରାଯାଇ ନାହିଁ। ତଥାପି ଯେଉଁ ଆସନଗୁଡ଼ିକରେ ମତଦାନ ହେବ, ସେଠାରେ ତାପମାତ୍ରା ସ୍ୱାଭାବିକଠାରୁ କମ୍ ହେବାର ସମ୍ଭାବନା ଅଛି। ଏଥିସହ ନିର୍ବାଚନ ଆୟୋଗ ଗ୍ରୀଷ୍ମ ଅବସ୍ଥାକୁ ଦୃଷ୍ଟିରେ ରଖି ତେଲେଙ୍ଗାନାର କିଛି ଆସନରେ ଭୋଟ୍ ସମୟ ବଢାଇ ଦେଇଛନ୍ତି। ECI ବିଶ୍ଵାସ କରେ ଯେ, ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଗତ ତିନୋଟି ପର୍ଯ୍ୟାୟରେ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଛି।

ପାଗ କେମିତି ରହିବ?:

ଆଇଏମଡି କହିଛି ଯେ, ମେ ୧୪ ତାରିଖ ପର୍ଯ୍ୟନ୍ତ ପୂର୍ବ ଏବଂ ମଧ୍ୟ ଭାରତରେ ବଜ୍ରପାତ, ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶା, ତେଲେଙ୍ଗାନା, ବିହାର ଏବଂ ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ପ୍ରବଳ ପବନର ମଧ୍ୟ ପୂର୍ବାନୁମାନ କରାଯାଇଛି। IMD କହିଛି ଯେ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଏପର୍ଯ୍ୟନ୍ତ କେତେ ଆସନ ଭୋଟ ଦିଆଯାଇଛି?:

ପ୍ରକାଶ ଯୋଗ୍ୟ ଯେ, ଗତ ତିନୋଟି ପର୍ଯ୍ୟାୟରେ ୨୮୩ ଟି ଆସନରେ ଭୋଟ୍ ସମାପ୍ତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ୧୭.୭୦ କୋଟିରୁ ଅଧିକ ଭୋଟର ସେମାନଙ୍କର ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଥିଲେ।

କେଉଁ ରାଜ୍ୟରେ ମତଦାନ ହେବ:

ତେଲେଙ୍ଗାନାର ୧୭ ଟି ସିଟ୍, ଆନ୍ଧ୍ରପ୍ରଦେଶରେ ୨୫ ଟି ସିଟ୍, ଉତ୍ତରପ୍ରଦେଶରେ ୧୩ ଟି, ବିହାରରେ ପାଞ୍ଚଟି, ଝାଡଖଣ୍ଡରେ ଚାରିଟି, ମଧ୍ୟପ୍ରଦେଶରେ ୮ ଟି, ମହାରାଷ୍ଟ୍ରରେ ୧୧ ଟି, ଓଡିଶାରେ ୪ ଟି ଏବଂ ପଶ୍ଚିମବଙ୍ଗରେ ଆଠଟି ସିଟ୍ ଉପରେ ଭୋଟ୍ ଗ୍ରହଣ କରାଯିବ। ଏହା ବ୍ୟତୀତ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ଭୋଟ୍ ମଧ୍ୟ ଦିଆଯିବ। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଏହି ପର୍ଯ୍ୟାୟରେ ଓଡିଶାର ୨୮ ଟି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ କେମିତି ରହିବ ପାଗ?: ପୂର୍ବାନୁମାନ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶେଷ ଚିନ୍ତା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଆଜି ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପାଣିପାଗ ପୂର୍ବାନୁମାନ ସ୍ୱାଭାବିକ ରହିଛି। ଦେଶର କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଗ ଆଜି ସମ୍ପୃକ୍ତ ଅଂଶୀଦାର ସଂସ୍ଥାମାନଙ୍କ ସହ ଏକ ବୈଠକ କରି ପରିବର୍ତ୍ତିତ ପାଣିପାଗ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ସାଧାରଣ ନିର୍ବାଚନ ସମୟରେ ଗରମ ପାଗ ଜନିତ କୌଣସି ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପ ଉପରେ ଆୟୋଗ ଆଲୋଚନା କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଭାଗୀୟ ମୁଖ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ବୈଠକରେ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି:

ନିର୍ବାଚନ ଆୟୋଗ, ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଗଠିତ ଏକ ଟାସ୍କଫୋର୍ସ ପ୍ରତ୍ୟେକ ମତଦାନ ପର୍ଯ୍ୟାୟର ପାଞ୍ଚ ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତାର ପ୍ରଭାବର ସମୀକ୍ଷା କରିବେ।

ନିର୍ବାଚନ କାର୍ଯ୍ୟକୁ ପ୍ରଭାବିତ କରୁଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିରେ ସହାୟତା ପାଇଁ ପ୍ରସ୍ତୁତ ରହିବା ଏବଂ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ମାର୍ଚ୍ଚ ୧୬ ତାରିଖର ମାର୍ଗଦର୍ଶିକା ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା, ପାନୀୟ ଜଳ, ପଙ୍ଖା ଏବଂ ଅନ୍ୟାନ୍ୟ ନିଶ୍ଚିତ ସର୍ବନିମ୍ନ ସୁବିଧା ଇତ୍ୟାଦି ସୁନିଶ୍ଚିତ କରିବା ପାଇଁ ଆୟୋଗ ରାଜ୍ୟ ସିଇଓମାନଙ୍କ ସହ ପୃଥକ ଭାବେ ସମୀକ୍ଷା କରିବେ।

ମତଦାନ କେନ୍ଦ୍ର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପ୍ରଭାବକୁ ହ୍ରାସ କରିବା ଲାଗି ସତର୍କତାମୂଳକ ପଦକ୍ଷେପ (କ’ଣ କରିବା ଉଚିତ୍‌ ଏବଂ ଉଚିତ୍‌ ନୁହେଁ) ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଇଇସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) କାର୍ଯ୍ୟକ୍ରମ ହାତକୁ ନିଆଯିବ।

ପାଣିପାଗ ରିପୋର୍ଟ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମତଦାନ କର୍ମଚାରୀ ଏବଂ ସୁରକ୍ଷା ବାହିନୀ, ପ୍ରାର୍ଥୀ ଏବଂ ରାଜନୈତିକ ଦଳର ନେତାଙ୍କ ସହିତ ଭୋଟରଙ୍କ ଆରାମ ଏବଂ କଲ୍ୟାଣ ସୁନିଶ୍ଚିତ କରିବେ।

ପୃଷ୍ଠଭୂମି:

ସୂଚନାଯୋଗ୍ୟ ପୂର୍ବରୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆୟୋଗ ସମସ୍ତ ସିଇଓ/କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସିଇଓଙ୍କ ଦ୍ୱାରା କଡ଼ାକଡ଼ି ପାଳନ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ନିଶ୍ଚିତ ସର୍ବନିମ୍ନ ସୁବିଧା ସମ୍ପର୍କରେ ଆୟୋଗଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ସହିତ ‘‘ଗ୍ରୀଷ୍ମ ପ୍ରବାହ ପ୍ରଭାବ ପ୍ରତିରୋଧ’’ ସମ୍ପର୍କରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ୧୬ ମାର୍ଚ୍ଚ ୨୦୨୪ ତାରିଖରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ମଧ୍ୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ବିପଦକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଅନୁଯାୟୀ ଏକ ରାଜ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଚଳିତ ଏପ୍ରିଲ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଦିନକୁ ଦିନ ଉତ୍ତାପ ବଢିବାରେ ଲାଗିଛି। ଏପ୍ରିଲ ଆରମ୍ଭରୁ ଆମ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଲାଣି। ଆଗକୁ ୧୦ରୁ ୨୦ଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ (ହ୍ୱିଟୱେଭ) ଜାରି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି।

ସାଧାରଣତଃ ଚାରିରୁ ଆଠଦିନ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମପ୍ରବାହ (ହିଟୱେଭ) ପ୍ରତିବର୍ଷ ଅନୁଭୂତି ହେଉଥିବାବେଳେ ଚଳିତ ବର୍ଷ ଏହାର ଦୁଇଗୁଣରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଯେ, ଖରାଦିନେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଏହା ଏବେଠାରୁ ଜଳଜଳ ହୋଇ ଦେଖାଗଲାଣି।  ଏହା ନିସନ୍ଦେହ ଯେ, ଆମ ରାଜ୍ୟ ବା ଦେଶରେ ଗ୍ରୀଷ୍ମଋତୁରେ ଅସହ୍ୟ ଗ୍ରୀଷ୍ମପ୍ରବାହ ନୂଆ ନୁହେଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ବର୍ଷ ହେଲାଣି ଦେଶରେ ଗ୍ରୀଷ୍ମପ୍ରବାହ ଅଧିକରୁ ଅଧିକ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଦେଶର ବହୁଭାଗରେ ବସନ୍ତ ଋତୁର ପ୍ରଭାବ ହ୍ରାସ ପାଉଥିବାବେଳେ ଗ୍ରୀଷ୍ମଋତୁର ଅବଧି ବଢିବାରେ ଲାଗିଛି।

ଗତବର୍ଷ ୨୦୨୩ରେ ଗ୍ରୀଷ୍ମକାଳର ଅବଧି ଜୁନ ମାସ ପର୍ଯ୍ୟନ୍ତ ବଢିବା ଏବଂ ଜୁନ ମଧ୍ୟଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେବା ଏହାର ଜ୍ୱଳନ୍ତ ଉଦାହରଣ। ଗତ ୨୦୨୨ ମସିହାରେ ଦେଶରେ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା, ଯାହାକି ୧୯୦୧ ମସିହା ପରେ ପ୍ରଥମ ଥିଲା। ଅର୍ଥାତ ୧୯୦୧ ମସିହା ପରଠାରୁ ୨୦୨୨ରେ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ଥିଲା।

ସେହିପରି ୨୦୨୩ ବିଗତ ଶତାବ୍ଦୀ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା ବୋଲି ବିଶ୍ୱର ବହୁ ନାମୀ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଚଳିତ ବର୍ଷ ତା’ଠାରୁ ଅଧିକ ଗ୍ରୀଷ୍ମପ୍ରବାହ ହେବ ବୋଲି ଚେତାବନୀ ଦେଇଛନ୍ତି।  ଚଳିତ ବର୍ଷ ମାର୍ଚ୍ଚ ମାସ ଦେଶର କେତେକ ଭାଗରେ ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିଥିବା ଅନୁଭୂତି ହୋଇଛି।

ଚଳିତବର୍ଷ ଓଡିଶା ସମେତ ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବହୁ ଭାଗ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହେବା ନେଇ ଆଇଏମଡି ଚେତାବନୀ ଦେଇଛି। ଏହାର ପ୍ରଭାବରେ ଜଳାଭାବ, ପାନୀୟ ଜଳ ସଂକଟ, ଉତ୍କଟ ହେବା ସାଙ୍ଗକୁ ଶୀତ ଦିନିଆ ଶସ୍ୟ ବିଶେଷ କରି ଗହମ ଅମଳ ବିଶେଷ ଭାବରେ ପ୍ରଭାବିତ ହେବ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଦେଶରେ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗହମ ଉଦ୍ଭାବନ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇପାରିନଥିଲା। କେବଳ ଏତିକି ନୁହେଁ ଦକ୍ଷୀଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ସମେତ ବିଭିନ୍ନ ଅଂଚଳରେ ଚଳିତ ବର୍ଷ ପାନୀୟ ଜଳ ସଂକଟ କାହାରିକୁ ଅଛପା ନଥିବ ବୋଧହୁଏ। ଆଗକୁ ଜଳାଭାବ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ନିଃସନ୍ଦେହ ଯେ, ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଶ୍ୱ ଜଳବାୟୁ ଭୟଙ୍କର ହେବାରେ ଲାଗିଛି। ଯାହାର ପ୍ରଭାବରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ମଣିଷ, ପ୍ରାଣୀଜଗତ ଏବଂ ଜୀବଜଗତ ଉପରେ ପଡିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ବିଶେଷ କରି ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ଜନିତ ମୃତ୍ୟୁର ଆଶଙ୍କା ସୃଷ୍ଟି କରିଛି। ୧୯୯୮ ମସିହାରେ ଆମ ରାଜ୍ୟରେ ୩୦୦୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିଲା।

ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ  ୧୦,୦୦୦ରୁ ଅଧିକ ଲୋକଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହେ। ଚଳିତ ବର୍ଷ ଅଂଶୁଘାତଜନିତ ମୃତ୍ୟୁର ଯେପରି ପୁନରାବୃତି ଘଟେ, ସେଥିପ୍ରତି ସତର୍କତା ଅବିଳମ୍ବ ଜରୁରୀ ହୋଇପଡିଛି।

କହିବା ବାହୁଲ୍ୟ ଯେ, ଚଳିତ ବର୍ଷ ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଏପ୍ରିଲରୁ ଜୁନ ମାସ ମଧ୍ୟରେ ହେଉଛି। ନିଦାଘ ଖରାରେ ନିର୍ବାଚନ ପ୍ରଚାର, ସଭାସମିତି, ଶୋଭାଯାତ୍ରା ଅଂଶୁଘାତ ଜନିତ ମୃତ୍ୟୁର ଭୟ ସୃଷ୍ଟି କରିବା ସ୍ୱାଭାବିକ। ଏଥିପ୍ରତି ନିର୍ବାଚନ କମିଶନ, ରାଜନୈତିକ ଦଳ ଏବଂ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ଉଲ୍ଳେଖଯୋଗ୍ୟ ଯେ, ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଅସହ୍ୟ ଗ୍ରୀଷ୍ମପ୍ରବାହ ଏବଂ ରୌଦ୍ରତାପ ବୃଦ୍ଧି ସତ୍ତ୍ୱେ ୧୯୯୮ ମସିହା ପରଠାରୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକଯିବା ସମ୍ଭବ ହୋଇଛି। ଓଡିଶା ସରକାର ମଧ୍ୟ ଅଂଶୁଘାତ ମୃତ୍ୟୁକୁ ଏଡାଇବା ଲାଗି ଇତିମଧ୍ୟରେ କେତେକ ଗାଇଡଲାଇନ ଜାରି କରିସାରିଲେଣି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ଉପରେ କଟକଣା ଜାରି କରିଥିବାବେଳେ ଜରୁରୀ ନଥିଲେ ଘରୁ ନବାହାରିବା ପାଇର୍ ପରାମର୍ଶ ଦେଇଛନ୍ତି।

ସେହିପରି ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। କେବଳ ଓଡିଶା ନୁହେଁ, ଦେଶର ସମସ୍ତ ରାଜ୍ୟର ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏହା ନିଶ୍ଚିତ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ପ୍ରଭାବରେ ଯେପରି ଗୀଷ୍ମକାଳରେ ଅବଧି ବଢିଚାଲିଛି ଏବଂ ଖରାର ପ୍ରକୋପ ବୃଦ୍ଧିପାରିଛି, ତାହାର ମୁକାବିଲା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ।

ବିଶେଷ କରି ପାନୀୟଜଳ ସଂକଟ ନିୟନ୍ତ୍ରଣ ଏବଂ ମଣିଷ ଓ ପ୍ରାଣୀଜଗତ ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି। ଆଇଏମଡିର ଚେତାବନୀ ପରେ ସତର୍କତା ଏବଂ ବୈଜ୍ଞାନିକ ଜ୍ଞାନ ଦ୍ୱାରା ଏହାର ମୁକାବିଲା ପାଇଁ ସରକାର ବେଳ ହୁଁ ସାବଧାନ ହେବା ଜରୁରୀ।

Categories
ଆଜିର ଖବର ରାଜ୍ୟ ଖବର

7ଟି ଜିଲ୍ଳାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ପ୍ରଦାନ କରାଯାଇଛି । ସତର୍କସୂଚନା ଜାରି କରାଯାଇଥିବା 7 ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ : ଚାରି ଉପକୂଳ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ।

ଆଇଏମ୍‌ଡି ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍‌ କରିବ ଜଣାପଡିନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହି ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି ଏସ୍‌ଆରସି ପ୍ରତୀପ ପ୍ରଦୀପ ମହାପାତ୍ର । ମୁଖ୍ୟତଃ ଚାରି ଉପକୂଳ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ସହ ଆଲୋଚନା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ସେଲଟର ହୋମ, ସ୍ଥାନାନ୍ତରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ସେହିପରି ପୁଲିସ୍‌, ଅଗ୍ନିଶମ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ପ୍ରାଥମିକ ଆଲୋଚନା ରହିଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ବିଶେଷ କରି ଗଜପତିରୁ ମୟୂରଭଞ୍ଜ ଯାଏ 12ଟି ଜିଲ୍ଲାକୁ ଏନେଇ ସତର୍କ କରାଯାଇଛି ।  ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାର କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ବିଭାଗ ପକ୍ଷରୁ 7 ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କସୂଚନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,04/01: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, ପୁରୀ, ବାଲେଶ୍ବର, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି 7 ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ଘଡଘଡିର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର

ପାଣିପାଗ ବିଭାଗର ପୂର୍ବାନୁମାନ : ସପ୍ତାହେ ବିଳମ୍ବରେ ପହଞ୍ଚିବ ମୌସୁମୀ

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ଦିନ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଜୁନ୍‌ ୬ରେ ମୌସୁମୀ କେରଳ ଛୁଇଁବ। ମୌସୁମୀ ପ୍ରାୟେ ସପ୍ତାହେ ବିଳମ୍ବରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି। ଆସନ୍ତା ମେ ୧୮ ଓ ମେ ୧୯ ମଧ୍ୟରେ ମୌସୁମୀ ଆଣ୍ଡାମାନ – ନିକୋବର ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ ବିଳମ୍ବରେ ମୌସୁମୀ ପହଞ୍ଚିଲେ ବି ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ଆଶା କରାଯାଉଛି। ଜୁନ୍‌ ୨୯ରେ ଦିଲ୍ଲୀ-ଏନ୍‌ସିଆରରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।