ଦଳ ଆଉ ଦିଲ୍ଲୀ ସରକାରରୁ ଇସ୍ତଫା ଦେଲେ ରାଜକୁମାର ଆନନ୍ଦ: ଆମ୍ ଆଦମୀ ପାର୍ଟିକୁ କଲେ ଟାର୍ଗେଟ

Published: Apr 10, 2024, 5:55 pm IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ମନ୍ତ୍ରୀ ରାଜକୁମାର ଆନନ୍ଦ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ ଦିଲ୍ଲୀ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ପଦରେ ଥିଲେ। ନଭେମ୍ବର ୨୦୨୩ ରେ, ଇଡି ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ କରିଥିଲା। ବର୍ତ୍ତମାନ ସେ ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୦ ମସିହାରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟି ଟିକେଟରେ ପଟେଲ ନଗରରୁ ବିଧାୟକ ହୋଇଥିଲେ।

ଦଳରୁ ଇସ୍ତଫା ଦେବାବେଳେ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ କହିଛନ୍ତି ଯେ, ‘ମୁଁ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ଏବଂ ମୋର ସାତୋଟି ପୋର୍ଟଫୋଲିଓ ଅଛି। କିନ୍ତୁ ଆଜି ମୁଁ ବହୁତ ଦୁଃଖିତ। ମୁଁ ଯେତେବେଳେ ରାଜନୀତିରେ ପ୍ରବେଶ କଲି ସେତେବେଳେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ରାଜନୀତିରେ ପରିବର୍ତ୍ତନ ହେଲେ ଦେଶ ବଦଳିଯିବ। ତେବେ ଆଜି ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ, ରାଜନୀତିର ପରିବର୍ତ୍ତନ ହୋଇନାହିଁ କିନ୍ତୁ ରାଜନେତା ବଦଳିଯାଇଛନ୍ତି।

ରାଜକୁମାର ଆନନ୍ଦ କହିଛନ୍ତି ଯେ, ‘ଆମ୍ ଆଦମୀ ପାର୍ଟି ଦୁର୍ନୀତି ବିରୋଧରେ ଆନ୍ଦୋଳନରୁ ଜନ୍ମ ନେଇଥିଲା, କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିର ଶିକାର ହୋଇ ରହିଛି। ମନ୍ତ୍ରୀ ପଦବୀରେ ଥିବାବେଳେ ଏହି ସରକାରରେ କାମ କରିବା ମୋ ପାଇଁ ଅସହଜ ହୋଇଛି। ମୁଁ ବର୍ତ୍ତମାନ ଏହି ଦଳ, ଏହି ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କାରଣ ମୁଁ ଚାହୁଁ ନାହିଁ ଯେ, ମୋର ନାମ ସେମାନଙ୍କ ଦୁର୍ନୀତି ସହ ଜଡିତ ହେଉ।

ଉଲ୍ଲେଖ ଯୋଗ୍ୟ ଯେ, ରାଜକୁମାର ଆନନ୍ଦ ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ସଞ୍ଜୟ ସିଂଙ୍କ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ ସେୟାର କରି ସେ କ୍ୟାପସନ ଲେଖିଥିଲେ ଯେ, ‘ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ଜଣେ ସାଂସଦଙ୍କୁ ସାକ୍ଷାତ ପାଇଁ ଟୋକେନ୍ ନମ୍ବର ଦିଆଯିବା କେତେ ହାସ୍ୟାସ୍ପଦ। ଏବଂ ତା’ପରେ ବୈଠକ ମଧ୍ୟ ବାତିଲ କରିଦିଆଯାଏ। ମୋଦୀ ସରକାରଙ୍କ ଚାପରେ ତିହାର ଜେଲର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଏହି ପୋଷ୍ଟର ଏକ ଘଣ୍ଟା ପରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

Related posts