ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି।
ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ। କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି। ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି।
ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ।
ଏହି କନ୍କ୍ଲେଭ୍ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି।
ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ।
ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି। ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ। ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।
ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି। ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍ମେଂଟ ପ୍ରୋଗ୍ରାମ୍ କରାଯାଉଛି। ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ।
ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।
ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି। ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ।
ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍ଟରନ୍ୟାସ୍ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତ୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି।
ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ଇନ୍ଟରନେଟ୍ ଅଫ୍ ଥିଙ୍ଗସ୍, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ। ତେଣୁ ଛାତ୍ରଛାତ୍ରୀମାନେ ଇନ୍ଟରନେଟ ଅଫ୍ ଥିଙ୍ଗସ୍, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ।
ଶୁକ୍ରବାର ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍ଗେଜ୍ମେଂଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ।
ସେହିପରି କନ୍କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁ୍ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ପ୍ରେସିଡେଂଟ (ଏଚ୍ଆର୍) ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।