ବିଜେପି ପ୍ରାର୍ଥୀ କାର୍ଯ୍ୟାଳୟ ବାହାରେ ନିର୍ବାଚନ ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲା: ୫ ଗିରଫ

Published: May 19, 2024, 7:30 pm IST

ନୂଆଦିଲ୍ଲୀ: ମୁମ୍ବାଇ ଉତ୍ତର-ପୂର୍ବ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମିହିର କୋଟେଚାଙ୍କ କାର୍ଯ୍ୟାଳୟ ବାହାରେ ଆକ୍ରମଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସହରରେ ଥିବା ବିଜେପି ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ନଗଦ ଜବତ ବେଳେ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଶନିବାର ଦିନ ୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି। FIR ରେ ନାମିତ ଅନ୍ୟ ୨୫ ଜଣଙ୍କୁ ଚିହ୍ନଟ କରାଯାଉଛି।

ନିର୍ବାଚନ ଆୟୋଗ ଫ୍ଲାଇଙ୍ଗ ସ୍କ୍ବାଡର ସଦସ୍ୟ ମାଧବ ଭଙ୍ଗ୍ରେ ଶୁକ୍ରବାର ଦିନ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ମୁଲୁଣ୍ଡ ଉପକଣ୍ଠରେ ଥିବା ବିପି ଚୌରାହ ଅଞ୍ଚଳରେ ନଗଦ ବଣ୍ଟନ ସମ୍ପର୍କରେ ତାଙ୍କୁ ସି-ଭିଜିଲ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଆସିଥିଲା। ଯେତେବେଳେ ନିର୍ବାଚନ ଆୟୋଗର ଫ୍ଲାଇଙ୍ଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚିଥିଲା ​​ସେତେବେଳେ ଏହା ମୁମ୍ବାଇ ଉତ୍ତର-ପୂର୍ବ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମିହିର କୋଟେଚାଙ୍କ କାର୍ଯ୍ୟାଳୟ ବୋଲି ଜଣାପଡିଥିଲା। ସ୍କ୍ବାଡ ଅଫିସରେ ୫୦ ହଜାରରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରଯାଇଥିଲା। ଯେତେବେଳେ ଟଙ୍କା ବିଷୟରେ ପଚରାଗଲା, କୋଟେଚା କାର୍ଯ୍ୟାଳୟର ଲୋକମାନେ କହିଥିଲେ ଯେ ସେମାନେ ଏ ବାବଦରେ ଡକ୍ୟୁମେଣ୍ଟ ପରେ ଦାଖଲ କରିବେ।

ଏହାପରେ ଫ୍ଲାଇଙ୍ଗ ସ୍କ୍ବାଡ କାର୍ଯ୍ୟାନୁଷ୍ଠାନ ନେବା ମାତ୍ରେ ଅନେକ ଲୋକ ବାହାରେ ଏକାଠି ହୋଇ କବାଟ ବାଡେଇବା ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ମାଧବ ଭଙ୍ଗ୍ରେ ଏବଂ ତାଙ୍କ ଟିମ୍ ବାହାରକୁ ଆସିଲେ, ସେମାନଙ୍କୁ ଉପସ୍ଥିତ ଲୋକେ ମାଡ ମାରି ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲେ। ସୂଚନା ପାଇବା ପରେ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ।

Related posts