ଆର୍ଥିକ ବର୍ଷ ୨୪ ର ଅଡିଟ୍ ଫଳାଫଳ ଘୋଷଣା କଲା ଏନଟିପିସି

Published: May 27, 2024, 7:11 am IST

ଭୁବନେଶ୍ଵର: ୭୬,୦୧୫ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ କମ୍ପାନୀ ଏନଟିପିସି ଲିମିଟେଡ୍ ମେ ୨୪ ତାରିଖ ୨୦୨୪ ପାଇଁ ଆର୍ଥିକ ବର୍ଷ ଫଳାଫଳ ଘୋଷଣା କରିଛି।

ଏନଟିପିସି ଗ୍ରୁପ୍ ଆର୍ଥିକ ବର୍ଷ ୨୪ରେ ସର୍ବାଧିକ ୪୨୨ ବିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ରେକର୍ଡ କରିଛି, ଯାହା ଆର୍ଥିକ ବର୍ଷ ୨୩ରେ ୩୯୯ ବିଲିୟନ ୟୁନିଟ୍ ତୁଳନାରେ ~ ୬% ବୃଦ୍ଧି ପାଇଛି। ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ଏକକ ମୋଟ ଉତ୍ପାଦନ ୩୬୨ ବିଲିୟନ ୟୁନିଟ୍ ଥିଲା, ଯାହା ପୂର୍ବ ବର୍ଷ ୩୪୪ ବିଲିୟନ ୟୁନିଟ୍ ତୁଳନାରେ ~୫% ବୃଦ୍ଧି ରେକର୍ଡ କରିଛି।

ଏନ୍ଟିପିସି କୋଲ୍ ଷ୍ଟେସନ୍ ଗୁଡ଼ିକ ୭୭.୨୫% ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର ହାସଲ କରିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଜାତୀୟ ହାରାହାରି ୬୯.୪୯% ରହିଥିଲା।

ଏକକ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏନଟିପିସିର ମୋଟ ଆୟ ୧,୬୫,୭୦୭ କୋଟି ଟଙ୍କା ଥିବା ବେଳେ ଗତବର୍ଷ ଏହା ୧,୬୭,୭୨୪ କୋଟି ଟଙ୍କା ଥିଲା । ୨୦୨୪ ଆର୍ଥିକ ବର୍ଷରେ ଟିକସ ପରବର୍ତ୍ତୀ ଲାଭ ୧୮,୦୭୯ କୋଟି ଟଙ୍କା ଥିଲା , ଯାହା ଆର୍ଥିକ ବର୍ଷ ୨୦୨୩ରେ ୧୭,୧୯୭ କୋଟି ଟଙ୍କା ଥିଲା, ଯାହା କି ୫% ବୃଦ୍ଧି ପାଇଛି ।

ସମନ୍ୱିତ ଭିତ୍ତିରେ ୨୦୨୪ ଆର୍ଥିକ ବର୍ଷରେ ଏହି ଗୋଷ୍ଠୀର ମୋଟ ଆୟ ୧,୮୧,୧୬୬ କୋଟି ଟଙ୍କା ଥିଲା , ଯାହା କି ପୂର୍ବ ବର୍ଷର ମୋଟ ଆୟ ୧,୭୭,୯୭୭ କୋଟି ଟଙ୍କା ତୁଳନାରେ ୨% ବୃଦ୍ଧି ପାଇଛି । ୨୦୨୪ ଆର୍ଥିକ ବର୍ଷରେ ଗ୍ରୁପର ଲାଭ ପରବର୍ତ୍ତୀ ଟିକସ ୨୧,୩୩୨ କୋଟି ଟଙ୍କା ଥିଲା , ଯାହା ପୂର୍ବ ବର୍ଷର ପିଏଟି ୧୭,୧୨୧ କୋଟି ଟଙ୍କା ତୁଳନାରେ ୨୪.୬୦% ବୃଦ୍ଧି ରେକର୍ଡ କରିଛି।

ଆଗାମୀ ବାର୍ଷିକ ସାଧାରଣ ବୈଠକରେ ଅଂଶଧନଧାରୀଙ୍କ ଅନୁମୋଦନ ସାପେକ୍ଷରେ ୨୦୨୪ ଆର୍ଥିକ ବର୍ଷ ପାଇଁ ବୋର୍ଡ ଇକ୍ୱିଟି ସେୟାର ପିଛା ୩.୨୫ ଟଙ୍କା ରେ ଚୂଡ଼ାନ୍ତ ଲାଭାଂଶ ଦେବାକୁ ସୁପାରିସ କରିଛି। ନଭେମ୍ବର ୨୦୨୩ ଏବଂ ଫେବୃଆରୀ ୨୦୨୪ ମାସରେ ନିବେଶକଙ୍କୁ ଇକ୍ୱିଟି ସେୟାର ପିଛା ମୋଟ ୪.୫୦ ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଛି। ଚଳିତ ବର୍ଷ ର ମୋଟ ଲାଭାଂଶ ଇକ୍ୱିଟି ସେୟାର ପିଛା ୭.୭୫ ଟଙ୍କା ହେବ, ଯାହା କି ଗତବର୍ଷ ଇକ୍ୱିଟି ସେୟାର ପିଛା ୭.୨୫ ଟଙ୍କା ଥିଲା । କଂପାନି ପକ୍ଷରୁ ଡିଭିଡେଣ୍ଡ ପେମେଣ୍ଟର ଏହା କ୍ରମାଗତ ୩୧ତମ ବର୍ଷ।

Related posts