ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି। ଗୌତମ ଆଦାନୀ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଗତ କିଛି ଦିନ ହେବ ଆଦାନୀ ଗ୍ରୁପ୍ର ଷ୍ଟକ୍ ରେ ବହୁତ ବୃଦ୍ଧି ଘଟିଛି। ଆଦାନୀ ଗ୍ରୁପର ମାର୍କେଟ କ୍ୟାପ୍ ୧୭.୯୪ ଲକ୍ଷ କୋଟିରେ ପହଞ୍ଚିଛି। ଏହି କାରଣରୁ ଗୌତମ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୧୧୧ ବିଲିୟନ ଡ଼ଲାରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧୦୯ ବିଲିୟନ ଡଲାର ଅଟେ।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଶୁକ୍ରବାର ଦିନ ୫.୪୫ ବିଲିୟନ ଡ଼ଲାର (ପ୍ରାୟ ୪୫,୦୦୦ କୋଟି ଟଙ୍କା) ବୃଦ୍ଧି ପାଇଛି। ଏହି କାରଣରୁ, ସେ ୧୬ ମାସ ପରେ ହରାଇଥିବା ସାମ୍ରାଜ୍ୟକୁ ପୁନଃ ପ୍ରାପ୍ତ କରିବାରେ ସଫଳ ହୋଇଥିଲେ। ଅନେକ ସଙ୍କଟକୁ ସଫଳତାର ସହ ମୁକାବିଲା କରିବା ପରେ ସେ ପୁଣି ଥରେ ଏହି ସ୍ଥିତିରେ ପହଞ୍ଚିଛନ୍ତି। ହିନ୍ଦେନବର୍ଗ ରିପୋର୍ଟ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ବହୁତ କ୍ଷତି ଘଟାଇଥିଲା। କିନ୍ତୁ, କ୍ଲିନ୍ ଚିଟ୍ ପାଇବା ପରେ ଆଦାନୀ ଗ୍ରୁପ୍ ର ଷ୍ଟକ୍ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଗୌତମ ଆଦାନୀଙ୍କ ସମ୍ପତ୍ତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେ ବିଲିୟନେୟାର ତାଲିକାରେ ପରିବର୍ତ୍ତନ କରିଛନ୍ତି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀ ବର୍ତ୍ତମାନ ଦୁନିଆର ଏକାଦଶ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀ ବର୍ତ୍ତମାନ ଏହି ତାଲିକାରେ ୧୨ ନମ୍ବରକୁ ଖସି ଆସିଛନ୍ତି। ୧୧୧ ବିଲିୟନ ଡଲାରର ସମ୍ପତ୍ତି ସହିତ ଗୌତମ ଆଦାନୀ ବର୍ତ୍ତମାନ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ମୁକେଶ ଅମ୍ବାନୀ ଦୀର୍ଘ ଦିନ ଧରି ଏହି ପଦବୀରେ ରହିଆସିଛନ୍ତି। ଏହା ସହିତ ସେ ୨୦୨୪ ମସିହାରେ ସର୍ବାଧିକ ଧନ ଅର୍ଜନ କରୁଥିବା ଲୋକଙ୍କ ତାଲିକାରେ ମଧ୍ୟ ଉପରକୁ ଚଢିଛନ୍ତି। ଜାନୁଆରୀ ୧ ତାରିଖ ୨୦୨୪ ଠାରୁ ସେ ପ୍ରାୟ ୧୨.୭ ବିଲିୟନ ଡଲାର ରୋଜଗାର କରିଛନ୍ତି।