Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତକୁ ବିକଶିତ କରିବା ଆମର ଦାୟିତ୍ଵ: ବ୍ୟବସାୟୀମାନଙ୍କୁ ଅପିଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ, ବ୍ୟବସାୟୀମାନେ ଦେଶକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ (ବିକଶିତ ଭାରତ ୨୦୪୭) ସୁଦ୍ଧା ଦେଶକୁ ବିକଶିତ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବାରେ ବ୍ୟବସାୟ ଜଗତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତକୁ ଅଧିକ ଶକ୍ତିଶାଳୀ, ଉନ୍ନତ ତଥା ସାମାଜିକ ଉନ୍ନତି ପାଇଁ ବ୍ୟବସାୟ ସମ୍ପ୍ରଦାୟକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାବେଳେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିଶ୍ଚିତ ଯେ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ଆମେ ୧୦୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ହାସଲ କରିବୁ।

ମୁମ୍ବାଇରେ ଜେମ୍ସ ଆଣ୍ଡ ଜ୍ୱେଲରୀ ଏକ୍ସପୋର୍ଟ ପ୍ରମୋଶନ (GJEPC) କାର୍ଯ୍ୟକ୍ରମକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ,ଭାରତର ବିକାଶ ଆମ ସମସ୍ତଙ୍କର ଦାୟିତ୍ଵ ଅଟେ। ଆମକୁ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ। ମୁକେଶ ଅମ୍ବାନୀ ଜେମ୍ସ ଏବଂ ହୀରା ଶିଳ୍ପକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଏହି ଶିଳ୍ପ ଦେଶରେ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି। ଏହା ବ୍ୟତୀତ ରପ୍ତାନି ମଧ୍ୟ ୪୦ ବିଲିୟନ ଡଲାରରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଭାରତର ଟେଲିକମ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ୨୦୨୩ ବର୍ଷ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍‌‌ର ପ୍ରେସିଡେଣ୍ଟ ମାଥ୍ୟୁ ଓମେନ୍‌‌ଙ୍କୁ ‘ପାଥବ୍ରେକର ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଦେଶରେ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ଦିଗରେ ୫ଜିର ଦ୍ରୁତ ପ୍ରଚଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନଙ୍କୁ ଏହି ପୁରସ୍କାର ମିଳିଛି।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମାଥ୍ୟୁ ଓମେନ୍ କହିଛନ୍ତି ଯେ, “ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ତାଙ୍କ ବଳିଷ୍ଠ ନେତୃତ୍ୱରେ କମ୍ପାନି ଟେଲିକମ, ରିଟେଲ, ମିଡିଆ ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି ଏବଂ ଅନ୍ତର୍ଭୁକ୍ତିକରଣ ଜରିଆରେ ଏସବୁକୁ ସମସ୍ତଙ୍କ ପାଇଁ ସହଜଲବ୍ଧ କରିଛି। ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ। ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନତା ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ପ୍ରଶସ୍ତ କରିବ।’’

ପୁରସ୍କାର ଗ୍ରହଣ କରିବା ଅବସରରେ ଟେକ୍ନୋଲୋଜି ଅଗ୍ରଗତିକୁ ତ୍ୱରାନ୍ୱିତ କରିବାରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରିବା ସହିତ ଟେଲିକମ ଶିଳ୍ପ ସହ ଜଡ଼ିତ ନୀରଜ ମିତ୍ତଲ ଏବଂ ଗୋପାଳ ଭିଟ୍ଟଲଙ୍କୁ ଓମେନ୍ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ମିତ୍ତଲ ଓ ଗୋପାଳ ଭିଟ୍ଟଲଙ୍କ ସହ ମିଳିତ ଭାବେ ମାଥ୍ୟୁ ଓମେନ୍‌‌ଙ୍କୁ ପାଥବ୍ରେକର ଅଫ୍ ଦି ଇୟର ପୁରସ୍କାର ମିଳିଛି।

ଏଆଇ ଓ ନିରାପତ୍ତା ପରିସୀମାକୁ ପରିବର୍ଦ୍ଧିତ କରୁଥିବା ଜିପିୟୁ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟ ଭଳି ପ୍ରଯୁକ୍ତିର ଅଭ୍ୟୁଦୟ ତଥା ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ନିରନ୍ତର ବିକାଶ ସମ୍ପର୍କରେ ଉଲ୍ଲେଖ କରି ମାଥ୍ୟୁ ଓମେନ୍ ସମାଜ ଉପରେ ପ୍ରଯୁକ୍ତିବିଦ୍ୟାର ଯୁଗାନ୍ତକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସମାଜର ସମସ୍ତ ବର୍ଗକୁ ଦାୟିତ୍ୱପୂର୍ଣ୍ଣ ଓ ଦୀର୍ଘ ସ୍ଥାୟୀ ଭାବେ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଭଏସ୍ ଆଣ୍ଡ୍ ଡାଟା ଆୱାର୍ଡ ସମାରୋହରେ ରିଲାଏନ୍ସ ଜିଓକୁ ନେଟୱାର୍କ ଭିତ୍ତିଭୂମି, ବହୁଭାଷୀ ଇଣ୍ଟରନେଟ୍‌‌, କମ୍ୟୁନିକେସନ୍ (ଯୋଗାଯୋଗ) ପ୍ଲାଟଫର୍ମ, ବିଜନେସ୍ ପ୍ରୋସେସ୍ ଇନୋଭେସନ୍ (ବ୍ୟବସାୟ ପ୍ରକ୍ରିୟା ନବସୃଜନ), ନେଟୱାର୍କ ସେବା ଏବଂ ଆଇଓଟି ସମେତ ବିଭିନ୍ନ ବର୍ଗରେ ଆଉ ୬ଟି ପୁରସ୍କାର ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ: ରିପୋର୍ଟ

ଭୁବନେଶ୍ୱର: ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହି କ୍ରମରେ ସେ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ, ଗୁଗଲର ସୁନ୍ଦର ପିଚାଇ, ଆପଲ୍ ର ଟିମ୍ କୁକ୍ ଏବଂ ଟେସଲାର ଏଲନ୍ ମସ୍କଙ୍କୁ ଅତିକ୍ରମ କରି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି।

ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ହେଉଛି ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ – କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବରେ ବ୍ୟବସାୟ ଗଢୁଛନ୍ତି।

ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଏହି ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନରେ ରହିଥିବା ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ଷଷ୍ଠ ଓ ଇନଫୋସିସର ସଲିଲ ପାରେଖ ୧୬ ନମ୍ବର ସ୍ଥାନରେ ଅଛନ୍ତି।

୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲେ । ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ଏକ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ଏହି ବର୍ଷର ବିଶ୍ଳେଷଣରୁ ଜଣାପଡିଛି ଯେ ସିଇଓ ମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍ ଫୋର୍ସ ହୋଇପାରିଛି। ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ, ବ୍ରାଣ୍ଡ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନୀତ କରେ ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି।

ବ୍ରାଣ୍ଡ୍ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରେ ଯାହା ଜଣେ ସିଇଓଙ୍କ ନିଜ କମ୍ପାନୀର ବ୍ରାଣ୍ଡର ଅଭିଭାବକ ଏବଂ ଦୀର୍ଘମିଆଦୀ ସେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ।

ନିକଟରେ, ଏକ ଅପେକ୍ଷାକୃତ ନୂତନ ବ୍ରାଣ୍ଡ ହୋଇଥିଲେ ମଧ୍ୟ ଜିଓ ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ‘ଗ୍ଲୋବାଲ୍ ୫୦୦ – ୨୦୨୪’ ରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଥିଲା ଏବଂ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡମାନଙ୍କ ଠାରୁ ଆଗରେ ରହିଥିଲା। ବ୍ରାଣ୍ଡ ଫାଇନାନ୍ସର ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ଜିଓ ଭାରତର ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ଶୀର୍ଷରେ ରହିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉତ୍ତର ପ୍ରଦେଶରେ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନି

ଲକ୍ଷ୍ନୌ : ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଲକ୍ଷ୍ନୌରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍’ରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନି। ସେ ଜୋର୍‍ ଦେଇ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ।

ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ଯୋଜନା କରିଛି। ଏହା ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଅକ୍ଷୟ ଶକ୍ତି ପରିଯୋଜନା ହେବ। କମ୍ପାନୀ ଉତ୍ତର ପ୍ରଦେଶରେ ବାୟୋଗ୍ୟାସ୍‍ ବ୍ୟବସାୟରେ ପ୍ରବେଶ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଏ ସମ୍ପର୍କରେ ପ୍ରକାଶ କରି ମୁକେଶ ଅମ୍ବାନି କହିଥିଲେ ଯେ ବାୟୋ ଗ୍ୟାସ୍‍ ଦ୍ୱାରା ପରିବେଶରେ ସୁଧାର ଆସିବ ଏବଂ ତାହାସହିତ କୃଷକମାନଙ୍କୁ ମଧ୍ୟ ବଡ ଲାଭ ମିଳିବ। “ଆମ କୃଷକମାନେ ଅନ୍ନଦାତା ତ ଅଟନ୍ତି, ଏବେ ସେମାନେ ଉର୍ଜାଦାତା ପାଲଟିବେ।”

ରାଜ୍ୟର ଗାଁ ଏବଂ ଛୋଟ ସହରଗୁଡିକରେ ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ରିଲାଏନ୍ସ ଜିଓ ପ୍ଲାଟଫର୍ମ ଜରିଆରେ ଦୁଇଟି ପାଇଲଟ ପ୍ରକଳ୍ପ ‘ଜିଓ ସ୍କୁଲ’ ଏବଂ ‘ଜିଓ-ଏଆଇ-ଡାକ୍ତର’ ସର୍ମ୍ପକରେ ମଧ୍ୟ ଘୋଷଣା କରିଛି। ଏହାସହିତ ଉତ୍ତର ପ୍ରଦେଶର କୃଷି ଏବଂ ଅଣକୃଷି ଉତ୍ପାଦ ସଂଗ୍ରହ ପରିମାଣ ବହୁଗୁଣ ବୃଦ୍ଧି କରିବାକୁ ମୁକେଶ ଅମ୍ବାନି ନିଜର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା କୃଷକ, ସ୍ଥାନୀୟ କାରିଗର, ଶିଳ୍ପକାର ଏବଂ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ ଫାଇଦା ମିଳିବ। ମୁକେଶ ଅମ୍ବାନି ୨୦୨୩ ଶେଷ ସୁଦ୍ଧା ଉତ୍ତର ପ୍ରଦେଶର ସମସ୍ତ ସହରରେ ୫ଜି ସେବା ପ୍ରଚଳନ କରିବା ସମ୍ପର୍କରେ ପ୍ରକାଶ କରିଛନ୍ତି।

ଶ୍ରୀ ଅମ୍ବାନି କହିଥିଲେ ଯେ “ନୂଆ ଭାରତ ଗଠନ ନିମନ୍ତେ ଉତ୍ତର ପ୍ରଦେଶ ଆଶାର କେନ୍ଦ୍ର ପାଲଟିଯାଇଛି । ନଏଡାରୁ ଗୋରଖପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳୁଛି । ଆମେ ସମସ୍ତେ ସମ୍ମିଳିତ ଭାବରେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମରେ ପରିଣତ କରିବା।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଣ୍ଟରର ୱେବ୍‌ସାଇଟ୍ ଉନ୍ମୋଚିତ

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ କରାଯାଉଥିବା “ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ତାହାକୁ ଦର୍ଶକମାନଙ୍କ ଲାଗି ଖୋଲାଯିବ।

ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି। ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି। ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି।

ଏକ ଭିଡିଓ ବାର୍ତାରେ ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ ହୋଇପାରିଛି। ଭାରତରେ ମୂର୍ତିକଳା, ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରକାରୀ ଆଦିର ଏକ ପରମ୍ପରା ରହିଛି। ମୋର ସ୍ୱପ୍ନ ହେଉଛି ଭାରତର ଏହି କଳାର ସୁଗନ୍ଧ ସାରା ଦୁନିଆରେ ପହଂଚୁ। ମୋ ପିଲାଦିନର ସ୍ୱପ୍ନକୁ ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର ପୂରଣ କରିଛି। ମୁଁ ଆଶା କରୁଛି ଯେ କଳାକାରମାନେ ଏଠାକୁ ଆସି ସେମାନଙ୍କ କଳ୍ପନାକୁ ପୂରଣ କରିପାରିବେ।’’

“ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର (ଏନ୍‌ଏମ୍‌ଏସିସି)ରେ ଏକ ତିନି ମହଲା କୋଠାରେ ପରଫରମିଂ ଓ ଭିଜୁଆଲ ଆର୍ଟସ୍‌କୁ ପ୍ରଦର୍ଶିତ କରାଯିବ। ଫରଫରମିଂ ଆର୍ଟସ୍ ଲାଗି ଦି ଗ୍ରାଣ୍ଡ୍ ଥିଏଟର, ଦି ଷ୍ଟୁଡିଓ ଥିଏଟର ଏବଂ ଦି କ୍ୟୁବ୍ ଭଳି ଅତି ସୁନ୍ଦର ଥିଏଟର ତିଆରି କରାଯିବ। ସବୁ ଥିଏଟରରେ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରାଯିବ।

ଦି ଗ୍ରାଣ୍ଡ୍ ଥିଏଟରରେ ଏକସଙ୍ଗେ ଦୁଇ ହଜାର ଦର୍ଶକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଭାରତୀୟ ଓ ଅନ୍ତର୍ଜାତୀୟ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍‌ର ମଧ୍ୟ ଶୁଭାରମ୍ଭ କରାଯିବ।

Categories
DurgaPujaNews ଆଜିର ଖବର ଜାତୀୟ ଖବର ଧର୍ମ

କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ

ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।

ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ। ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ଚିତ୍ର (ପେଣ୍ଟିଙ୍ଗ) ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ରିଲାଏନ୍ସ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ 5ଜିକୁ ନେଇ କଲେ ଏକ ବଡ ଘୋଷଣା

ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର 45 ତମ ବାର୍ଷିକ ସାଧାରଣ ସଭାରେ  ଅଂଶୀଦାରମାନଙ୍କୁ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ସେ ଆସନ୍ତା ଦୀପାବଳୀରେ 5ଜି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, 5ଜିକୁ ନେଇ ରିଲାଏନ୍ସ ବିଶ୍ବରେ ସବୁଠାରୁ ବଡ ଯୋଜନା ପ୍ରସ୍ତୁତ କରିଛି।

ଏହି ବୈଠକରେ ହୋଇଥିବା ନୂତନ ଘୋଷଣାଗୁଡିକ ହେଲା…

1- ଆସନ୍ତା ଦୀପାବଳୀ ଦିନ ଦେଶରେ 5ଜି ସେବା ଆରମ୍ଭ ହେବ ବୋଲି ମୁକେଶ ଆମ୍ବାନୀ ଘୋଷଣା କରିଛନ୍ତି।

2- ମୁକେଶ ଅମ୍ବାନୀ ଦାବି କରିଛନ୍ତି ଯେ ରିଲାଏନ୍ସ ଭାରତରେ 2 ଲକ୍ଷ 23 ହଜାର ନୂତନ ଚାକିରୀ ସୃଷ୍ଟି କରିପାରିଛି।

3- 5G ନେଟୱାର୍କ ସ୍ଥାପନ ପାଇଁ 2000 ବିଲିୟନ ଟଙ୍କା ବିନିଯୋଗ କରାଯିବ ବୋଲି  ରିଲାଏନ୍ସ ଘୋଷଣା କରିଛି।

4- ଜିଓ ଫାଇବର ବର୍ତ୍ତମାନ ଦେଶରେ 1.1 ମିଲିୟନ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।

5- ଜିଓ 5G ର ବ୍ରଡବ୍ୟାଣ୍ଡ ବେଗ ପ୍ରତି ସେକେଣ୍ଡରେ 1 ଗିଗାବାଇଟ ରହିବ, ଯାହାକି ଏହା ଅନ୍ୟ ନେଟୱାର୍କ ଅପେକ୍ଷା ତୀବ୍ରତର ହେବ।

6- ଅତ୍ୟାଧୁନିକ ଜ୍ଞାନ କୈଶଳ ଏବଂ କ୍ଲାଉଡ୍ ଡାଟା ପାଇଁ ଜିଓ ମେଟା, ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଇଣ୍ଟେଲ ସହିତ ଅଂଶୀଦାର ହେବେ। 

7- ଜିଓ ଭାରତକୁ ଡାଟା ଚାଳିତ ଅର୍ଥନୀତି କରିବ ବୋଲି ମୁକେଶ ଅମ୍ବାନୀ ଦାବି କରିଛନ୍ତି। 

8- 2021 ମସିହାରେ, RIL 750 ବିଲିୟନ ଟଙ୍କା ବଜେଟ୍ ସହିତ ସବୁଜ ଶକ୍ତି କ୍ଷେତ୍ରକୁ ପ୍ରବେଶ କରିଥିଲା ​। 

9- 2020 ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା କମ୍ପାନୀରେ ସଂଖ୍ୟାଲଘୁ ନିବେଶକ ଭାବରେ ଗୁଗୁଲର ପ୍ରବେଶ।

10- ଜିଓ ବୁକ୍ ଲାପଟପ୍ ଆରମ୍ଭ ହୋଇନାହିଁ।

11- ସମୁଦାୟ ଗ୍ୟାସ ଉତ୍ପାଦନରେ ଭାରତର 30% କୃଷ୍ଣ ଗୋଦାବରୀ ଧୀରୁଭାଇ -6 ପ୍ରକଳ୍ପ ହେବ।

12- ଅତ୍ୟାଧୁନିକ 5G ଗ୍ରହଣ ପାଇଁ ଜିଓ କ୍ୱାଲକମ୍ ସହିତ ସହଯୋଗ ହାସଲ କରିଛି। କ୍ୱାଲକମ୍ ର କ୍ରିଷ୍ଟିଆନୋ ଆମନ୍ ମୁକେଶ ଅମ୍ବାନୀଙ୍କ ସହ ଏହି ବୈଠକରେ ଥିଲେ।

13- କ୍ରିଷ୍ଟିଆନୋ ଆମନ୍ କହିଛନ୍ତି ଯେ ବ୍ରଡବ୍ୟାଣ୍ଡ ପରି ଫାଇବର ଅଭିଜ୍ଞତାକୁ ସକ୍ଷମ କରିବା ପାଇଁ mmWave 5G ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଆରମ୍ଭ ଏକ ପ୍ରମୁଖ ପ୍ରାଥମିକତା।

14- ବେଙ୍ଗାଲୁରୁ ଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ଼, ଅହମ୍ମଦାବାଦ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଜାମନଗର, କୋଲକାତା, ଏବଂ ଲକ୍ଷ୍ନୌ ଭଳି 13 ଟି ପ୍ରମୁଖ ସହରରେ 5G ନେଟୱାର୍କ ପ୍ରଥମେ ଆରମ୍ଭ କରାଯିବ।

ଏହି ବୈଠକ ସଂପର୍କରେ ଯେଉଁମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି ସେମାନେ ଜିଓ ଫେସବୁକ ପେଜ, ଜିଓ ଟୁଇଟର, ଜିଓ ୟୁଟ୍ୟୁବ ଚ୍ୟାନେଲକୁ ଲଗ ଅନ କରି ଜାଣିପାରିବେ।

Categories
ବିଶେଷ ଖବର ବ୍ୟବସାୟ

BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ଅହମଦାବାଦ/ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ ।

କାର୍ବନମୁକ୍ତ ଏବଂ ଏକ ସବୁଜ ପରିବେଶ ପାଇଁ ଆର୍‌ଆଇଏଲ୍ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କ୍ଷେତ୍ରରେ ରହିଥିବା ଦୂରଦୃଷ୍ଟିର ପଥ ଅନୂସରଣ କରୁଛି । ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି କଚ୍ଛ୍‌, ବଣସକଣ୍ଠା ଓ ଧୋଲେରାରେ ଜମି ସନ୍ଧାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଅଛି । କଚ୍ଛ୍‌ରେ ୪.୫ ଲକ୍ଷ ଏକର ଜମି ଯୋଗାଇ ଦେବାକୁ କଂପାନି ଅନୁରୋଧ କରିଛି ।

ନୂତନ ଶକ୍ତି ଉତ୍ପାଦନ-ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହାମଧ୍ୟରେ ରହିଛି ୧) ସୋଲାର ପିଭି ମଡ୍ୟୁଲ୍ (ପଲିସିଲିକନ୍‌, ୱେଫର, ସେଲ୍ ଓ ମଡ୍ୟୁଲ୍ ନିର୍ମାଣ) ୨) ଇଲେକ୍ଟ୍ରୋଲାଇଜର୍ ୩) ଷ୍ଟୋରେଜ୍ ବ୍ୟାଟେରି ଏବଂ ୪) ଫୁଏଲ୍ ସେଲ୍

ଏଥିସହିତ, ଆର୍‌ଆଇଏଲ୍ ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ବର୍ତମାନ ରହିଥିବା ପ୍ରକଳ୍ପ ଏବଂ ଆଗକୁ ହେବାକୁ ଥିବା ନୂଆ ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିଭଳି ଜିଓ ନେଟ୍‌ୱର୍କକୁ ୫ଜିକୁ ଅପ୍‌ଗ୍ରେଡ୍ କରିବା ଲାଗି ୩ରୁ ୫ ବର୍ଷ ଭିତରେ ୭,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ରିଟେଲ୍‌ରେ ଆସନ୍ତା ୫ ବର୍ଷରେ ୩,୦୦୦ କୋଟି ଟଙ୍କା ନିବେଶ କରାଯିବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ବଡ ଘୋଷଣା, ଗଣେଷ ପୂଜାରେ ଆସିବ ନୂଆ ସ୍ମାର୍ଟ ଫୋନ ଜିଓଫୋନ ନେକ୍ସେଟ୍

ମୁମ୍ବାଇ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ବହୁ ପ୍ରତୀକ୍ଷିତ ବାର୍ଷିକ ସାଧାରଣ ସଭାରେ ବା ଏଜିଏମ୍ ରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ରିଲାଏନ୍ସ ଜିଓ ଭାରତରେ ଏକ ନୂତନ ସ୍ମର୍ଟ ଫୋନ ବଜାରକୁ ଆଣିବ। ଯାହାର ନାମ ହେଲା ଜିଓଫୋନ୍ ନେକ୍ସେଟ JioPhone Next । ଖୁସିର କଥା ଏହା ଗୁଗୁଲ ଏବଂ ଜିଓ ମିଳିତ ଭାବେ ବିକଶିତ କରୁଛନ୍ତି। ଉଭୟ କଂପାନୀର ସହଭାଗିତାରେ ଏହି ନୂଆ ଜିଓଫୋନ୍ ନେକ୍ସେଟ ପ୍ରସ୍ତୁତ କରାଯାଉଛି।

ଏହି ଫୋନ କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ବୋଲି  ମୁକେଶ ଘୋଷଣା କରିଛନ୍ତି। ଏହି ନୂଆ ଜିଓଫୋନ୍ ନେକ୍ସେଟ୍ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର 10ରେ ବଜାର ପ୍ରବେଶ କରିବ ବୋଲି ମୁକେଶ କହିଛନ୍ତି। ଏହି ଫୋନ ପ୍ରଥମେ ଭାରତରେ ଲଞ୍ଚ ହେବ, ଏହା ପରେ ବିଶ୍ବ ବଜାରରେ ଉପଲବ୍ଧ କରାଯିବ ବୋଲି ବୈଠକରେ ଆମ୍ବାନୀ କହିଛନ୍ତି।

JioPhone Next ହେଉଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ଗୁଗୁଲ୍ ଏବଂ ଜିଓ ଏବଂ ପ୍ଲେ ଷ୍ଟୋର୍ର ଆପ୍ସର ସମ୍ପୂର୍ଣ୍ଣ ସମର୍ଥନ କରିବ। ଫୋନ୍ ଭଏସ୍ ଆସିଷ୍ଟାଣ୍ଟକୁ ମଧ୍ୟ ସମର୍ଥନ କରିବ ଏବଂ ଏପରିକି ଗୋଟିଏ କ୍ୟାମେରା ସହିତ ସଜ୍ଜିତ ହେବ ଯାହା ବର୍ଦ୍ଧିତ ରିଅଲିଟି ଫିଲ୍ଟରକୁ ସମର୍ଥନ କରିବ।

ଏଜିଏମ୍ ବୈଠକରେ କମ୍ପାନୀ ଘୋଷଣା କରିଛି ଯେ ଜିଓରେ 37.9 ମିଲିୟନରୁ ଅଧିକ ନୂତନ ଗ୍ରାହକ ଯୋଗ ହୋଇଛନ୍ତି। ରିଲାଏନ୍ସ ଜିଓର ଦେଶରେ 42.5 ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନୀ ଭାରତରେ ଡାଟା ବ୍ୟବହାରରେ 45 ପ୍ରତିଶତ ବୃଦ୍ଧି କରିଛି। ରିଲାଏନ୍ସ ଜିଓ 200 ନିୟୁତ ନୂତନ ଗ୍ରାହକ ଯୋଗ କରିବ ବୋଲି ଆଶା କରାଯାଉଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଫାଇବର ଗତ ଏକ ବର୍ଷ ମଧ୍ୟରେ 2 ମିଲିୟନରୁ ଅଧିକ ନୂତନ ସଂଯୋଗ କରିଛି । 3 ମିଲିୟନ ସକ୍ରିୟ ଘର ଏବଂ ବ୍ୟବସାୟ ଉପଭୋକ୍ତାଙ୍କର ଏକ ମିଳିତ ଆଧାର ସହିତ, ଜିଓ ଫାଇବର ଭାରତର ସର୍ବବୃହତ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ବ୍ରଡବ୍ୟାଣ୍ଡ ଅପରେଟର ହୋଇପାରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ  5G କୁ ଶୀଘ୍ର ଏବଂ ନିରବଚ୍ଛିନ୍ନ ଭାବରେ ଅପଗ୍ରେଡ୍ କରିବାକୁ ଏକ ନିଆରା ସ୍ଥିତିରେ ଅଛି। 5G ଇକୋସିଷ୍ଟମ୍ ବଢାଇବାକୁ, ଆମେ 5G ଉପକରଣର ପରିସର ବିକାଶ ପାଇଁ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରୁଛୁ। ଜିଓ କେବଳ ଭାରତକୁ 2G ମୁକ୍ତ କରିବା ପାଇଁ କାମ କରୁନାହିଁ, ବରଂ 5G କୁ ଯୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ

ସମାଲୋଚନା ପରେ କୃଷି ବିଲ ଉପରେ ସଫେଇ ଦେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, କଣ କହିଲେ ଜାଣନ୍ତୁ

ମୁମ୍ବାଇ/ଭୁବନେଶ୍ବର, କୃଷି ବିଲ୍‌କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି ।

ଏହି ପିଟିସନ ମାଧ୍ୟମରେ ସରକାରୀ କତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ ତତ୍ୱଙ୍କ ଦ୍ୱାରା ବେଆଇନ୍ ଭାବେ ଜାରି ରହିଥିବା ଟାୱାର ଓ ସମ୍ପତ୍ତି ଭଙ୍ଗାରୁଜା ତଥା ହିଂସାତ୍ମକ କାର‌୍ୟ୍ୟକଳାପ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୋଟିସ୍ ଅଫ୍ ମୋସନ୍ ନିମନ୍ତେ ଜାନୁଆରୀ ୮ ତାରିଖ ନିଧାର‌୍ୟ୍ୟ କରିଛିନ୍ତି ।

ଏହି ପିଟିସନ୍‌ରେ ରିଲାଏନ୍ସ ପକ୍ଷରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଅପପ୍ରଚାର ତଥା ଭ୍ରାନ୍ତ ସୂଚନାର ବାସ୍ତବ ତଥ୍ୟ ପ୍ରଦାନ କରାଯାଇ ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ନିବେଦନ କରାଯାଇଛି ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ରିଟେଲ ଲିମିଟେଡ (ଆରଆରଏଲ), ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଅଥବା ମୂଳ କମ୍ପାନୀର ଅନ୍ୟକୌଣସି ସହଯୋଗୀ କମ୍ପାନୀ ଅତୀତରେ କୌଣସି ପ୍ରକାର ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତିକ ଚାଷ କରିନାହାନ୍ତି ଏବଂ ଏହି ବ୍ୟବସାୟରେ ଆଗାମୀ ଦିନରେ ପ୍ରବେଶ କରିବାର ଏହାର କୌଣସି ଯୋଜନା ଆଦୈା ନାହିଁ।

ସେହିଭଳି ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜାବ, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।

ରିଲାଏନ୍ସ ରିଟେଲ ଭାରତରେ ସଂଗଠିତ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏକ ଅତୁଳନୀୟ ତଥା ଅଗ୍ରଣୀ ସଂସ୍ଥା । ଏହା ସବୁ ପ୍ରକାରର ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ପ୍ରମୁଖ ଭୋଜନ, ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର‌୍ୟ୍ୟ ସାମଗ୍ରୀ, ପୋଷାକ, ଔଷଧ, ଦେଶରେ ସ୍ୱାଧୀନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଣକାରୀଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍‌ର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ସମସ୍ତ ବର୍ଗର ଉତ୍ପାଦଗୁଡିକର ଖୁଚୁରା ବିକ୍ରୟ କରୁଛି।

ଏହା କୃଷକମାନଙ୍କ ନିକଟରୁ ସିଧାସଳଖ କୌଣସି ଖାଦ୍ୟଶସ୍ୟ କ୍ରୟ କରେନାହିଁ । ଏହା କଦାପି ଲାଭ ପାଇଁ କୃଷକମାନଙ୍କ ନିକଟରୁ ଉତ୍ପାଦ ସଂଗ୍ରହ ନିମନ୍ତେ ଦୀର୍ଘସୂତ୍ରୀ ଚୁକ୍ତି କରିନାହିଁ କିମ୍ବା ଏହାର ଯୋଗାଣକାରୀମାନେ (ସପ୍ଲାୟର୍ସ) କୃଷକଙ୍କ ନିକଟରୁ ଉପଯୁକ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଖରିଦ କରିବାକୁ କେବେ ଚାହିଁନାହିଁ କିମ୍ବା ଆଗକୁ ଏହା କଦାପି କରିବ ନାହିଁ ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି । ସେମାନଙ୍କ ସେବାର ଗ୍ରାହକ ଭାବରେ ଏହା ସହଭାଗି ସମୃଦ୍ଧି, ଅନ୍ତର୍ଭୁକ୍ତି ବିକାଶ ଏବଂ ଏକ ନ୍ୟାୟସଂଗତ ନୂତନ ଭାରତ ଗଠନ ପାଇଁ ଭାରତୀୟ କୃଷକମାନଙ୍କ ସହିତ ଏକ ସୁଦୃଢ ଏବଂ ସମାନ ସହଭାଗି ବ୍ୟବସ୍ଥା ଗଢିତୋଳିବାରେ ବିଶ୍ୱାସ କରେ ।

ଭାରତୀୟ କୃଷକମାନେ ନିଜର ଅତୁଳନୀୟ କଠିନ ପରିଶ୍ରମ, ଅଭିନବ ଉଦ୍ୟମ ଏବଂ ଉତ୍ସର୍ଗୀକୃତ ଭାବରେ ଯାହା ଉତ୍ପାଦନ କରନ୍ତି ତାହାପାଇଁ ଉଚିତ ଏବଂ ଲାଭଜନକ ମୂଲ୍ୟ ପାଇବା ଦିଗରେ ସେମାନଙ୍କର ଆଶା ଆକାଂକ୍ଷା ସହିତ ରିଲାଏନ୍ସ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ପୂର୍ଣ୍ଣ ସହଭାଗୀ ଓ ସମର୍ଥନ କରୁଛନ୍ତି ।

ରିଲାଏନ୍ସ ସେମାନଙ୍କ ଆୟରେ ସ୍ଥାୟୀ ଭାବରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଚାହୁଁଛି ଏବଂ ଏହି ଲକ୍ଷ୍ୟ ହାସଲ ନିମନ୍ତେ କାର‌୍ୟ୍ୟକରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଉଛି । ବାସ୍ତବରେ ଏହା ନିଜର ଯୋଗାଣକାରୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଅଥବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଓ କାର‌୍ୟ୍ୟକାରୀ କରାଯାଉଥିବା ସେହିଭଳି କୌଣସି ବ୍ୟବସ୍ଥା ଯାହାଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ ହେଉଥିବ, ତାହା କଡାକଡି ଭାବରେ ଅନୁପାଳନ କରିବାକୁ ଗୁରୁତ୍ୱ ଦେଉଛି ।

ଭାରତୀୟ କୃଷକଙ୍କ ସ୍ୱାର୍ଥ ପ୍ରତି ଆଂଚ ଆଣିବା ତ ଦୂରର କଥା, ରିଲାଏନ୍ସ ବାସ୍ତବରେ ସେମାନଙ୍କୁ ଏବଂ ସାମଗ୍ରିକ ଭାବରେ ଭାରତୀୟ ଜନସାଧାରଣଙ୍କ ପାଇଁ ବ୍ୟାପକ ଫାଇଦା ଆଣିଦେଇଛି । ରିଲାଏନ୍ସ ରିଟେଲ ବିପୁଳ ପୁଞ୍ଜିନିବେଶ ଏବଂ ବିଶ୍ୱମାନର ପ୍ରଯୁକ୍ତି ପରିଚାଳିତ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଜରିଆରେ ଭାରତର ସର୍ବବୃହତ ସଂଗଠିତ ରିଟେଲ୍ ବ୍ୟବସାୟ ସ୍ଥାପନ କରିଛି, ଯାହା ଉଭୟ ଭାରତୀୟ କୃଷକ ଏବଂ ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ଲାଭ ଆଣିଦେଇଛି ।

ଜିଓର ସଂପୂର୍ଣ୍ଣ ୪ଜି ନେଟୱର୍କ ଭାରତର ପ୍ରତ୍ୟେକ ଗ୍ରାମକୁ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱଶ୍ରେଣୀର ଡାଟା ସଂଯୋଗ ଯୋଗାଇଦେଉଛି, ଏବଂ ଏହାଦ୍ୱାରା କୋଟି କୋଟି ଭାରତୀୟ କୃଷକଙ୍କ ପାଇଁ ଡିଜିଟାଲ ବିପ୍ଳବର ଫାଇଦା ଆଣିଦେଉଛି । ସାଂପ୍ରତିକ କୋଭିଡ-୧୯ ମହାମାରୀ ସମୟରେ ଜିଓର ନେଟୱର୍କ ଭାରତର ଗ୍ରାମାଂଚଳ ଓ ସହରାଂଚଳରେ କୋଟି କୋଟି କୃଷକ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି ।

ଏହା କୃଷକ, ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାମିଲ୍ ହେବାରେ ସହାୟକ ହୋଇଛି । ଏହା କାର‌୍ୟ୍ୟରତ ପ୍ରଫେସନାଲଙ୍କୁ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରହି ଶିକ୍ଷା ଆହରଣ କରିବାରେ ସକ୍ଷମ କରାଇଛି । ଏହା ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ରୋଗୀ, ଅଦାଲତ, ବିଭିନ୍ନ ସରକାରୀ ଓ ଘରୋଇ ଦପ୍ତର, ଶିଳ୍ପ ସଂସ୍ଥା ଏବଂ ଦାତବ୍ୟ ଅନୁଷ୍ଠାନଗୁଡିକୁ ସହାୟକ ହୋଇପାରିଛି । ଜରୁରୀକାଳୀନ, ଜଟିଳ ଏବଂ ଜୀବନରକ୍ଷାକାରୀ ସେବା ଯୋଗାଣ କ୍ଷେତ୍ରରେ କାର‌୍ୟ୍ୟରତ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଛି ।