ମିଶନ ଶକ୍ତି ଦୁର୍ନୀତି, ଜଳ ବିଭାଜିକା ଅର୍ଥ ହେରଫେର ନେଇ ମହିଳା ସଂଘର ବ୍ଲକ ଘେରାଉ

Published: Jul 6, 2024, 7:38 am IST

ସମ୍ବଲପୁର/ରେଢ଼ାଖୋଲ (କନ୍ଦର୍ପ ବେହେରା): ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଖାତାକୁ ଆସିଥିବା ଜଳ ଵିଭାଜିକା ବିଭାଗର ଅର୍ଥକୁ ପଞ୍ଚାୟତର ଏମବିକେ ଓ ସିଆରପି ହେରଫେର କରିଥିବା ଅଭିଯୋଗରେ ଶତାଧିକ ମହିଳା ନାକଟିଦେଉଳ ବ୍ଲକ ଅଫିସ ଘେରାଉ କରିଛନ୍ତି।

ସୂଚନା ଥାଉକି, ଗତ ଜୁନ ୨୬ ତାରିଖରେ ଦେଇଥିବା ଦାବୀ ପତ୍ର ସମାଧାନ ନ ହେବାରୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର‌ ଶତାଧିକ ମହିଳା ସ୍ଥାନୀୟ ହାଟପଦାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଲକ ଘେରାଉ କରିଛନ୍ତି। ପରିସ୍ଥିତି ଏପରି ହେଲା ଯେ ପୋଲିସ ଉପସ୍ଥିତିରେ ମହିଳା ମାନେ ବିଡ଼ିଓ ଙ୍କ ଚ୍ୟାମ୍ଵର କୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ।

ସୂଚନାରୁ ପ୍ରକାଶ ଜଳ ବିଭାଜିକା ମିଶନରୁ ପ୍ରତ୍ୟେକ ମହିଳା ସଂଘ ଖାତାକୁ ୪ ଲକ୍ଷ ଟଙ୍କା ଆସିଥିବା ବେଳେ, ଚଞ୍ଚକତା କରି ଏହି ପଞ୍ଚାୟତର ଏମବିକେ ଓ ସିଆରପି ସେହି ଅର୍ଥକୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ମହିଳା ସଂଘ। ଏହି ଦୁଇ ସିଆରପି ଓ ଏମଵିକେ କୁ ବହିଷ୍କାର ଦାବି ନେଇ ମହିଳା ସଂଘ ଦାବି କରିଛନ୍ତି।

ଆମ ଦାବି ପୂରଣ ନହେଲେ ଆମେ ଗୃପ ଭାଂଗି‌ ଦେଵୁ ବୋଲି ଆନ୍ଦୋଳନ କାରୀ ମହିଳାମାନେ କହୁଥିବା ବେଳେ ଅନ୍ୟ ପଟରେ ମହିଳା ସଂଘର ଅଭିଯୋଗ ନେଇ ତଦନ୍ତ ହୋଇଛି। ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଅଭିଯୋଗରେ କୈାଣସି ସତ୍ୟା ସତ୍ୟ ନାହଁ ବୋଲି ନାକଟିଦେଉଳ ବିଡିଓ ଧନେଇ ଚରଣ ଟୁଡୁ ପ୍ରକାଶ କରିଅଛନ୍ତି। ଆସନ୍ତାକାଲି ବ୍ୟାଙ୍କ ଷ୍ଟେଟମେଣ୍ଟ ଆଣି ସତ୍ୟାସତ୍ୟର ପ୍ରମାଣ ଦେବି ବୋଲି ବିଡ଼ିଓ କହିବାରୁ ଆନ୍ଦୋଳନକାରୀ ସଦସ୍ୟାମାନେ ଆନ୍ଦୋଳନରୁ ଓହରି ଥିଲେ।

ସେହିପରି ସେହି ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କଞ୍ଚନପୁର ଓ ପାଣିଗ୍ରାହୀପାଲି ଗ୍ରାମର ଏସଏଚଜି ସଦସ୍ୟା ମାନେ ଜଳ ଵିଭାଜିକା ଅର୍ଥ ହେରଫେର ନେଇ ବିଡ଼ିଓଙ୍କ ଠାରେ ଏକ ଦାବୀ ପତ୍ର ଦେଇଥିବା ଜଣା ପଡିଛି।

Related posts