ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି 

Published: Sep 4, 2024, 7:54 am IST

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିରୋଧୀ ଦଳ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ ରାଜ୍ୟରେ ସରକାରକୁ ଆସିଥିବା ଭାଜପା ସମ୍ଭବତଃ ଓଡ଼ିଆ ଭାଷା ଠିକ୍‌ ଭାବରେ ବୁଝିପାରୁ ନାହିଁ। ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ, ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣାପଡ଼ିଛି।

ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି। ଭାଜପା ନେତାମାନେ ଠିକ୍‌ଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି କିମ୍ବା ନ ବୁଝିପାରିବାର ଅଭିନୟ କରୁଛନ୍ତି। ଏହି ୫୦ ହଜାର ଟଙ୍କା ୨ ବର୍ଷରେ ନୁହେଁ ବରଂ ୫ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଭାଜପା ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ।

କିନ୍ତୁ ଏସ୍‌ଓପି ଆସିବାପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି। ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଞ୍ଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଛୁରିଆ କହିଛନ୍ତି।

ଏସ୍‌ଓପିରେ କୁହାଯାଇଛି, କେବଳ ୨୧ବର୍ଷରୁ ୬୦ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ। ସ୍ବାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି, ୧୮ ବର୍ଷରେ ନାଗରିକର ଅଧିକାର ମିଳୁଥିବା ବେଳେ ୧୮ରୁ ୨୦ବର୍ଷର ମହିଳାମାନଙ୍କୁ କେଉଁ କାରଣରୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଏହି ବୟସରେ ମହିଳାମାନେ ପ୍ରାୟତଃ କଲେଜରେ ପଢୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥ ଆବଶ୍ୟକ ଥାଏ। କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ନବୀନ ସରକାରଙ୍କ ଦ୍ୱାରା ‘ନୂଆ-ଓ’ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ଭାଜପା ସରକାର ବନ୍ଦ କରିଦେଇଛନ୍ତି। ଅନ୍ୟପଟରେ, ସୁଭଦ୍ରା ଯୋଜନାରେ ସାମିଲ ନ କରିବା କାରଣରୁ ସେମାନଙ୍କୁ ଉଭୟ ପଟରୁ କ୍ଷତି ସହିବାକୁ ପଡୁଛି। ସେହିପରି, ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯାଇଛି। ଏହାଦ୍ୱାରା ସେମାନେ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି।

ଅପରପକ୍ଷରେ ଯେଉଁ ମହିଳାମାନେ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି ଓ ସେମାନଙ୍କ ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌, ସେମାନଙ୍କ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ; ଯାହା ପରିବାରର ଅନ୍ୟ ମହିଳାମାନଙ୍କ ପ୍ରତି ପ୍ରତାରଣା ସଦୃଶ। ସେହିପରି ଯେଉଁ ମହିଳାଙ୍କ ବୟସ ୫୭ ରୁ ୫୯ ବର୍ଷ ଭିତରେ ରହିଛି, ସେମାନେ ଏହି ଯୋଜନାରୁ ପୂରାମାତ୍ରାରେ ଲାଭ ପାଇପାରିବେ ନାହିଁ।

ସୁଭଦ୍ରା ଯୋଜନା ମାଧ୍ୟମରେ ଗୋଲାପୀ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ଭୋଟ ହାସଲ କରି ସରକାରକୁ ଆସିବା ପରେ ରାଜ୍ୟର ଅଧିକାଂଶ ମହିଳାଙ୍କୁ ଏଥିରୁ ବଞ୍ଚିିତ କରିବାକୁ ଯାଉଥିବା ଏସ୍‌ଓପିରୁ ସ୍ପଷ୍ଟ ହେଉଛି। ମହିଳାମାନେ ହେଲେ, ମା’ ଦୁର୍ଗା, ମା’ କାଳୀ ଓ ମା’ ସରସ୍ବତୀର ରୂପ। ତେଣୁ ସେମାନେ ଏହାର ଉଚିତ ଜବାବ ଦେବେ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଏଥିରେ ସାମିଲ ନ କଲେ ବିଜେଡି ରାସ୍ତାକୁ ଓହ୍ଲାଇବ। ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି।

ଏହି ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ।

Related posts