Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଇବର ଅପରାଧ ରୋକିବା ପାଇଁ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ
ଆଜିର ଖବର

ସାଇବର ଅପରାଧ ରୋକିବା ପାଇଁ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 10, 2024No Comments8 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ପ୍ରଥମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବା ସହିତ ସାଇବର ଅପରାଧ ରୋକିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗୃହମନ୍ତ୍ରୀ ସାଇବର ଠିକେଇ ପ୍ରଶମନ କେନ୍ଦ୍ର (ସିଏଫ୍ଏମସି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ସମନ୍ଵୟ ପ୍ଲାଟଫର୍ମ (ଯୁଗ୍ମ ସାଇବର ଅପରାଧ ଅନୁସନ୍ଧାନ ସୁବିଧା ପ୍ରଣାଳୀ)ର ଶୁଭାରମ୍ଭ କରିଛନ୍ତି। ଅମିତ ଶାହ ‘ସାଇବର କମାଣ୍ଡୋ’ କାର୍ଯ୍ୟକ୍ରମ ଏବଂ ସନ୍ଦିଗ୍ଧ ରେଜିଷ୍ଟ୍ରିକୁ ମଧ୍ୟ ଉଦଘାଟନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଆଇ୪ସିର ନୂଆ ଲୋଗୋ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବାନ୍ଦୀ ସଞ୍ଜୟ କୁମାର, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ, ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା), ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ/ ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ସରକାରୀ ଅନୁଷ୍ଠାନର ଅଧିକାରୀ, ବିଭିନ୍ନ ବ୍ୟାଙ୍କ/ଆର୍ଥିକ ମଧ୍ୟସ୍ଥି, ଫିନଟେକ୍, ଗଣମାଧ୍ୟମ କର୍ମକର୍ତ୍ତା, ସାଇବର କମାଣ୍ଡୋ, ଏନସିସି ଏବଂ ଏନଏସଏସ କ୍ୟାଡେଟମାନେ ଉପସ୍ଥିତ ଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ‘ସୁରକ୍ଷିତ ସାଇବର ସ୍ପେସ୍’ ଅଭିଯାନ ଅଧୀନରେ ୨୦୧୫ରେ ଆଇ୪ସି ପ୍ରତିଷ୍ଠା କରାଯାଇଥିଲା, ସେବେଠାରୁ ଏହା ଏକ ସାଇବର ସୁରକ୍ଷିତ ଭାରତର ଏକ ଶକ୍ତିଶାଳୀ ସ୍ତମ୍ଭ ରେ ପରିଣତ ହେବା ଦିଗରେ କ୍ରମାଗତ ଭାବେ ଅଗ୍ରସର ହୋଇଚାଲିଛି। ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ ୯ ବର୍ଷର ଯାତ୍ରାରେ ଏହି ଅବଧାରଣା ଏକ ପ୍ରୟାସରେ ପରିଣତ ହୋଇଥିଲା ଏବଂ ପରେ ଏକ ଅନୁଷ୍ଠାନରେ ପରିଣତ ହୋଇଥିଲା। ବର୍ତ୍ତମାନ ଏହା ଏକ ସାଇବର ସୁରକ୍ଷିତ ଭାରତର ଏକ ବିଶାଳ ସ୍ତମ୍ଭ ରେ ପରିଣତ ହୋଇସାରିଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ। ସେ କହିଥିଲେ ଯେ ପ୍ରଯୁକ୍ତି ମାନବ ଜୀବନ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥାଏ ଏବଂ ଆଜି ସମସ୍ତ ନୂତନ ପଦକ୍ଷେପରେ ଆଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର କରାଯାଉଛି। ସେ କହିଛନ୍ତି ଯେ ପ୍ରଯୁକ୍ତି ର ବଢୁଥିବା ବ୍ୟବହାର ମଧ୍ୟ ଅନେକ ବିପଦ ସୃଷ୍ଟି କରୁଛି ଏବଂ ସେଥିପାଇଁ ସାଇବର ସୁରକ୍ଷା କେବଳ ଡିଜିଟାଲ ଦୁନିଆରେ ସୀମିତ ନାହିଁ ବରଂ ଜାତୀୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି। ଶ୍ରୀ ଶାହ କହିଛନ୍ତି ଯେ ଆଇ୪ସି ଭଳି ପ୍ଲାଟଫର୍ମ ଏଭଳି ବିପଦର ମୁକାବିଲା କରିବାରେ ବଡ଼ ଅବଦାନ ଦେଇପାରିବ। ସମ୍ପୃକ୍ତ ଅଂଶୀଦାରଙ୍କ ସହ ସଚେତନତା, ସମନ୍ୱୟ ଏବଂ ମିଳିତ ପ୍ରୟାସ ଜାରି ରଖିବାକୁ ସେ ଆଇ୪ସିକୁ ଆହ୍ୱାନ ଦେଇଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ କୌଣସି ଗୋଟିଏ ଅନୁଷ୍ଠାନ ସାଇବର କ୍ଷେତ୍ରକୁ ଏକାକୀ ସୁରକ୍ଷିତ ରଖିପାରିବ ନାହିଁ। ଏହା ସେତେବେଳେ ସମ୍ଭବ, ଯେତେବେଳେ ଅନେକ ଅଂଶୀଦାର ଗୋଟିଏ ପ୍ଲାଟଫର୍ମକୁ ଆସି ସମାନ ପଦ୍ଧତି ଓ ମାର୍ଗରେ ଆଗକୁ ବଢ଼ିବେ।

ଅମିତ ଶାହ କହିଛନ୍ତି ଯେ ଆଜି ଏଠାରେ ଆଇ୪ସିର ୪ଟି ପ୍ରମୁଖ ସାଇବର ପ୍ଲାଟଫର୍ମକୁ ମଧ୍ୟ ଉନ୍ମୋଚନ କରାଯାଇଛି। ସେ କହିଛନ୍ତି, ସାଇବର ଠକେଇ ପ୍ରଶମନ କେନ୍ଦ୍ର (ସିଏଫଏମସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସ୍ୱପ୍ନ ଥିଲା, ଯାହା ଆଜି ଶୁଭାରମ୍ଭ କରାଯାଇଛି । ଏହା ସହିତ ସାଇବର କମାଣ୍ଡୋ, ସମନ୍ୱୟ ପ୍ଲାଟଫର୍ମ ଏବଂ ସନ୍ଦିଗ୍ଧ ରେଜିଷ୍ଟ୍ରି ମଧ୍ୟ ଆଜି ଉଦଘାଟିତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ବିଶାଳ ଦେଶରେ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ପୃଥକ ସାଇବର ସନ୍ଦିଗ୍ଧ ରେଜିଷ୍ଟ୍ରି ରହିବା କୌଣସି ଉଦ୍ଦେଶ୍ୟ ପୂରଣ କରିବ ନାହିଁ କାରଣ ରାଜ୍ୟମାନଙ୍କର ନିଜସ୍ୱ ସୀମା ଅଛି କିନ୍ତୁ ସାଇବର ଅପରାଧୀଙ୍କର କୌଣସି ସୀମା ନାହିଁ। ସେ କହିଛନ୍ତି ଯେ ଜାତୀୟ ସ୍ତରରେ ସନ୍ଦିଗ୍ଧ ରେଜିଷ୍ଟ୍ରି ଗଠନ କରିବା ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ସହିତ ଯୋଡ଼ିବା ସମୟର ଆବଶ୍ୟକତା। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାରେ ଆମକୁ ବହୁତ ସାହାଯ୍ୟ କରିବ।

ଅମିତ ଶାହ କହିଛନ୍ତି ଯେ, ଆଜିଠାରୁ ଆଇ୪ସି ଏକ ଜନସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରୁଛି। ଦେଶର ୭୨ରୁ ଅଧିକ ଟିଭି ଚ୍ୟାନେଲ, ୧୯୦ଟି ରେଡିଓ ଏଫ୍ଏମ୍ ଚ୍ୟାନେଲ, ସିନେମା ହଲ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସାଇବର ଅପରାଧରୁ କିପରି ବର୍ତ୍ତିବାକୁ ହେବ ତାହା ପୀଡ଼ିତା ନ ଜାଣିଲେ ଏହି ଅଭିଯାନ ସଫଳ ହୋଇପାରିବ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ ୧୯୩୦ ଏବଂ ଆଇ୪ସିର ଅନ୍ୟ ପ୍ଲାଟଫର୍ମ ବିଷୟରେ ସଚେତନତା ସୃଷ୍ଟି କରିବା ଦ୍ୱାରା ଏହାର ଉପଯୋଗିତା ବୃଦ୍ଧି ପାଇବ ଏବଂ ସାଇବର ଅପରାଧ ରୋକିବାରେ ଆମକୁ ସାହାଯ୍ୟ କରିବ ବୋଲି ଶ୍ରୀ ଶାହ କହିଛନ୍ତି । ଏହି ଅଭିଯାନରେ ସାମିଲ ହୋଇ ଗାଁ ଓ ସହରରେ ସଚେତନତା ସୃଷ୍ଟି କରିବାକୁ ଗୃହମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ଟେଲିକମ୍ କମ୍ପାନି, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏବଂ ପୋଲିସକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଉଦ୍ଦେଶ୍ୟରେ ସିଏଫଏମସିକୁ ମଧ୍ୟ ଉଦଘାଟନ କରାଯାଇଛି ଏବଂ ଆଗାମୀ ଦିନରେ ଏହା ସାଇବର ଅପରାଧ ରୋକିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ରେ ପରିଣତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସିଏଫଏମସି ବିଭିନ୍ନ ତଥ୍ୟ ଡାଟା ବ୍ୟବହାର କରି ସାଇବର ଅପରାଧୀଙ୍କ କାର୍ଯ୍ୟପ୍ରଣାଳୀ (ଏମଓ) ଚିହ୍ନଟ କରିବା ଏବଂ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବା ଉଚିତ୍। ଶ୍ରୀ ଶାହ କହିଛନ୍ତି ଯେ ସାଇବର କମାଣ୍ଡୋ କାର୍ଯ୍ୟକ୍ରମ ଅଧୀନରେ ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅମିତ ଶାହ କହିଛନ୍ତି ଯେ ‘ଜାଣିବାର ଆବଶ୍ୟକତା’ ପରିବର୍ତ୍ତେ ‘ତଥ୍ୟପ୍ରଦା ବା ଶେୟାର କରିବାର କର୍ତ୍ତବ୍ୟ’ ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ଏଥିପାଇଁ ସମନ୍ଵୟ ପ୍ଲାଟଫର୍ମ ଠାରୁ ଅଧିକ ପ୍ରଭାବଶାଳୀ ଆଉ କିଛି ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେସମନ୍ଵୟ ପ୍ଲାଟଫର୍ମକୁ ଏକ ଡାଟା-ଚାଳିତ ଆଭିମୁଖ୍ୟ ସହିତ ଆଗେଇ ନିଆଯାଇଛି ଏବଂ ଏକ ଶେୟାର କରାଯାଇଥିବା ଡାଟା ଭଣ୍ଡାର ସୃଷ୍ଟି କରିବା ପାଇଁ ଦେଶରେ ଏହା ହେଉଛି ପ୍ରଥମ ପ୍ରୟାସ। ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ୪ଟି କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ଆଇ୪ସି ଏବଂ ପୋଲିସ ମିଳିତ ଭାବେ ଗ୍ରହଣ କରିଛନ୍ତି, ସାଇବର ଅପରାଧ ବିରୋଧରେ ଲଢ଼େଇକୁ ଅଧିକ ସୁଦୃଢ଼, ପ୍ରଭାବଶାଳୀ ଏବଂ ସଫଳ କରିବାରେ ଏହା ଏକ ବଡ଼ ଅବଦାନ ଦେବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୧ ମାର୍ଚ୍ଚ ୨୦୧୪ରେ ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ଥିଲା, ଯାହା କି ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ୯୫ କୋଟିରେ ପହଞ୍ଚିଛି । ସେ କହିଛନ୍ତି ଯେ ଡାଉନଲୋଡ୍ ସ୍ପିଡ୍ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ଯୋଗୁଁ ଡାଟା ବ୍ୟବହାର ମଧ୍ୟ ବହୁତ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ପୂର୍ବରୁ ହାରାହାରି ବ୍ୟବହାର ୦.୨୬ ଜିବି ଥିଲା ଯାହା ଆଜି ପ୍ରାୟ ୭୮ ଗୁଣା ବୃଦ୍ଧି ପାଇ ୨୦.୨୭ ଜିବିରେ ପହଞ୍ଚିଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଅନେକ ସୁବିଧା ଅନଲାଇନ ହୋଇପାରିଛି । ୨୦୨୪ରେ ୩୫ କୋଟି ଜନଧନ ଏକାଉଣ୍ଟ, ୩୬ କୋଟି ରୂପେ ଡେବିଟ୍ କାର୍ଡ, ୨୦ ଲକ୍ଷ ୬୪ ହଜାର କୋଟି ଟଙ୍କାର କାରବାର ଡିଜିଟାଲ ମାଧ୍ୟମରେ ହୋଇଛି। ସେ କହିଛନ୍ତି ଯେ ବିଶ୍ୱର ଡିଜିଟାଲ ଅର୍ଥ କାରବାର ପରିମାଣର ୪୬% ଆଜି ଭାରତରେ ହେଉଛି । ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଡିଜିଟାଲ ଏକାଉଣ୍ଟ ଏବଂ ଡିଜିଟାଲ କାରବାର ବୃଦ୍ଧି ପାଇଥାଏ, ସେତେବେଳେ ଡିଜିଟାଲ ଠକେଇରୁ ସୁରକ୍ଷାର ଆବଶ୍ୟକତା ମଧ୍ୟ ବହୁତ ବଢିଯାଏ ।

ଅମିତ ଶାହ କହିଛନ୍ତି ଯେ ୨୦୧୪ରେ ଦେଶର ମାତ୍ର ୬୦୦ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ ହୋଇଥିବା ବେଳେ ଆଜି ୨,୧୩,୦୦୦ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ଡିଜିଟାଲ କାରବାର ଓ ଡିଜିଟାଲ ଡାଟା ର ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ସାଇବର ଠକେଇରୁ ରକ୍ଷା କରିବାର ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଛି । ସାଇବର ଅପରାଧୀଙ୍କ ଦ୍ୱାରା ଆମେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ବିକ୍ରି, ଅନଲାଇନ ଶୋଷଣ, ମହିଳା ଓ ଶିଶୁ ନିର୍ଯାତନା, ଫେକ୍ ନ୍ୟୁଜ୍ ଏବଂ ଟୁଲ୍ କିଟ୍, ଭୁଲ ସୂଚନା ଅଭିଯାନ ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛୁ ଏବଂ ଆଜି ବି ଏହାର ମୁକାବିଲା ପାଇଁ ଆମକୁ ବହୁତ କିଛି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ଭଳି ତିନୋଟି ନୂତନ ଅପରାଧିକ ଆଇନରେ ଆମ ଦେଶକୁ ସାଇବର ସୁରକ୍ଷିତ କରିବା ପାଇଁ ସମସ୍ତ ଆଇନଗତ ବ୍ୟବସ୍ଥା କରାଯାଇଛି । ଅନେକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ମାଧ୍ୟମରେ ସେଗୁଡ଼ିକୁ ଆଇନଗତ ରୂପ ଦିଆଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ଅନୁସନ୍ଧାନ ଏବଂ ଏହାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରୟାସ କରାଯାଇଛି ।

ଅମିତ ଶାହ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଅଧିକୃତ ଅଂଶବିଶେଷ ହେବା ପରେ ଆଇ୪ସି ଏହାର ୯ ବର୍ଷର ଯାତ୍ରାରେ ଏବଂ ଏକ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଖୁବ୍‌ ଭଲ କାମ କରିଛି। ସେ କହିଛନ୍ତି ଯେ ଆଇ୪ସିର ସବୁଠାରୁ ବଡ ସଫଳତା ହେଉଛି ଜାତୀୟ ହେଲ୍ପଲାଇନ ନମ୍ବର ୧୯୩୦। ଏହାକୁ ଲୋକପ୍ରିୟ କରିବା ସମସ୍ତ ରାଜ୍ୟ ସରକାର ଏବଂ ଅଂଶୀଦାରଙ୍କ ଦାୟିତ୍ୱ। ୧୯୩୦ ହେଲ୍ପଲାଇନକୁ ଲୋକପ୍ରିୟ କରିବା ପାଇଁ ଏକ ସଚେତନତା ସପ୍ତାହ ଆୟୋଜନ କରିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ରାଜ୍ୟ ସରକାର ଓ ଗୃହ ମନ୍ତ୍ରଣାଳୟ ପଦକ୍ଷେପ ନେବା ସହ ୬ ମାସ ପରେ ସଚେତନତା ପକ୍ଷ ଆୟୋଜନ କରିବା ଦରକାର ବୋଲି ସେ କହିଛନ୍ତି। ୧୯୩୦କୁ ଲୋକପ୍ରିୟ କରିବା ପାଇଁ ସମସ୍ତ ପ୍ଲାଟଫର୍ମରେ ଏକାସାଙ୍ଗରେ ଅଭିଯାନ ଚାଲିଲେ ନିଶ୍ଚିତ ଭାବେ ଠକେଇର ଶିକାର ହୋଇଥିବା ଲୋକମାନେ ସୁରକ୍ଷିତ ଅନୁଭବ କରିବେ, ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ଠକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେବ ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆଇ୪ସି ୬୦୦ରୁ ଅଧିକ ମାର୍ଗଦର୍ଶିକା ଜାରି କରିଛି। ବିଭିନ୍ନ ୱେବସାଇଟ୍, ସୋସିଆଲ ମିଡିଆ ପେଜ୍‌, ମୋବାଇଲ ଆପ୍ ଏବଂ ସାଇବର ଅପରାଧୀଙ୍କ ଦ୍ୱାରା ପରିଚାଳିତ ଆକାଉଣ୍ଟକୁ ବ୍ଲକ୍ କରିଛି। ଆଇ୪ସି ଅଧୀନରେ ଦିଲ୍ଲୀରେ ଏକ ଜାତୀୟ ସାଇବର ଫରେନସିକ୍ ପ୍ରୟୋଗଶାଳା ମଧ୍ୟ ପ୍ରତିଷ୍ଠା କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଅଧିକ ଅଧିକାରୀଙ୍କୁ ସାଇବର ଫରେନସିକ୍ ରେ ତାଲିମ ଦିଆଯାଇଛି। ଏହି ଅଭିଯାନକୁ ଜିଲ୍ଲା ଓ ତହସିଲ ସ୍ତରରେ ପହଞ୍ଚାଇବା ପାଇଁ ଏହା ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ଅପରାଧର ଅଭିଯୋଗକୁ ଦୃଷ୍ଟିରେ ରଖି ମେୱାତ, ଜାମତାରା,  ଅହମ୍ମଦାବାଦ, ହାଇଦ୍ରାବାଦ, ଚଣ୍ଡିଗଡ଼, ବିଶାଖାପାଟଣା ଏବଂ ଗୌହାଟୀରେ ୭ଟି ଯୁଗ୍ମ ସାଇବର ସମନ୍ୱୟ ଦଳ ଗଠନ କରାଯାଇଛି ଏବଂ ସେମାନେ ବହୁତ ଭଲ ପରିଣାମ ପାଇଛନ୍ତି। ସେ କହିଛନ୍ତି, ଆଇ୪ସି ଦ୍ୱାରା ସାଇବର ଦୋସ୍ତ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପ୍ରଭାବଶାଳୀ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ଏସବୁ ପ୍ରୟାସ ଦ୍ୱାରା ଆମେ ନିଶ୍ଚିତ ଭାବରେ ଏକ ବିନ୍ଦୁରେ ପହଞ୍ଚିଛୁ କିନ୍ତୁ ଆମର ଲକ୍ଷ୍ୟ ଏପର୍ଯ୍ୟନ୍ତ ଦୂରରେ ଅଛି। ଲକ୍ଷ୍ୟ ହାସଲ ପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରି ସମାନ ଦିଗରେ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସାଇବର ଠକେଇ ପ୍ରଶମନ କେନ୍ଦ୍ର (ସିଏଫଏମସି): ନୂଆଦିଲ୍ଲୀସ୍ଥିତ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ରେ ପ୍ରମୁଖ ବ୍ୟାଙ୍କ, ଆର୍ଥିକ ମଧ୍ୟସ୍ଥ, ପେମେଣ୍ଟ ଏଗ୍ରିଗେଟର, ଟେଲିକମ୍ ସେବା ପ୍ରଦାନକାରୀ, ଆଇଟି ମଧ୍ୟସ୍ଥି ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଆଇନ ପ୍ରବର୍ତ୍ତନ ଏଜେନ୍ସି (ଏଲ୍ଇଏ)ର ପ୍ରତିନିଧିମାନଙ୍କୁ ନେଇ ସିଏଫ୍ଏମସି ପ୍ରତିଷ୍ଠା କରାଯାଇଛି। ଅନଲାଇନ୍ ଆର୍ଥିକ ଅପରାଧର ମୁକାବିଲା ନିମନ୍ତେ ସେମାନେ ତୁରନ୍ତ ପଦକ୍ଷେପ ଏବଂ ନିରବଚ୍ଛିନ୍ନ ସହଯୋଗ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ। ଆଇନ ପ୍ରଣୟନରେ “ସହଯୋଗୀ ସଂଘୀୟ ବ୍ୟବସ୍ଥା”ର ଏକ ଉଦାହରଣ ଭାବରେ ସିଏଫଏମସି କାର୍ଯ୍ୟ କରିବ।

ସମନ୍ଵୟ ପ୍ଲାଟଫର୍ମ (ଯୁଗ୍ମ ସାଇବର ଅପରାଧ ଅନୁସନ୍ଧାନ ସୁବିଧା ପ୍ରଣାଳୀ):  ଏହି ପ୍ଲାଟଫର୍ମ ହେଉଛି ଏକ ୱେବ-ଆଧାରିତ ମଡ୍ୟୁଲ୍ ଯାହା ସାଇବର ଅପରାଧର ଡାଟା ଭଣ୍ଡାର, ଡାଟା ସେୟାରିଂ, କ୍ରାଇମ ମ୍ୟାପିଂ, ଡାଟା ଆନାଲିଟିକ୍ସ, ସହଯୋଗ ଏବଂ ସମଗ୍ର ଦେଶରେ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ପାଇଁ ସମନ୍ୱୟ ପ୍ଲାଟଫର୍ମ ପାଇଁ ଏକ ୱାନ୍ ଷ୍ଟପ୍ ପୋର୍ଟାଲ ଭାବରେ କାର୍ଯ୍ୟ କରିବ।

‘ସାଇବର କମାଣ୍ଡୋ‘ କାର୍ଯ୍ୟକ୍ରମ: ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶରେ ସାଇବର ସୁରକ୍ଷା କ୍ଷେତ୍ରର ବିପଦର ମୁକାବିଲା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ (ସିପିଓ)ରେ ପ୍ରଶିକ୍ଷିତ ‘ସାଇବର କମାଣ୍ଡୋ’ଙ୍କ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରାଯିବ। ତାଲିମପ୍ରାପ୍ତ ସାଇବର କମାଣ୍ଡୋମାନେ ଡିଜିଟାଲ ସ୍ପେସ୍‌କୁ ସୁରକ୍ଷିତ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିବେ।

ସନ୍ଦିଗ୍ଧ ରେଜିଷ୍ଟ୍ରି: ଏହି ପଦକ୍ଷେପର ଏକ ଅଂଶ ଭାବରେ ଆର୍ଥିକ ପ୍ରଣାଳୀର ଠକେଇ ବିପଦ ପରିଚାଳନା କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ଏବଂ ଆର୍ଥିକ ମଧ୍ୟସ୍ଥିମାନଙ୍କ ସହଯୋଗରେ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି) ଆଧାରରେ ବିଭିନ୍ନ ପରିଚୟପତ୍ରର ସନ୍ଦିଗ୍ଧ ବା ସସ୍ପେକ୍ଟ ରେଜିଷ୍ଟ୍ରି ସୃଷ୍ଟି କରାଯାଉଛି।

ଅମିତ ଶାହ ଆଇ୪ସି ନରେନ୍ଦ୍ର ମୋଦୀ ପ୍ରତିଷ୍ଠା ଦିବସ ସମାରୋହ ସମବାୟ ମନ୍ତ୍ରୀ ସାଇବର ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.