ଅବ୍ୟକ୍ତ ହେଲେ ଉତ୍କଳ ସାମ୍ବାଦିକ ସଂଘ ନୂତନ ଜିଲ୍ଲା ସଭାପତି

Published: Sep 30, 2024, 10:43 am IST

ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ବୋଲଗଡ ବ୍ଲକ କୋଷଳାଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପ ସଭାପତି ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା ସମ୍ପାଦକ ଅଜିତ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଙ୍ଗଠନିକ ସମ୍ପର୍କରେ କହିଥିଲେ। ନୂତନ ସଦସ୍ୟତା, ବ୍ଲକ ସ୍ତରରେ ସଂଘ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ଖାଲି ପଡିଥିବା ଜିଲ୍ଲା ସଭାପତି ମନୋନୀତ ନେଇ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କୁ ନୂତନ ସଭାପତି ଘୋଷଣା କରାଯାଇଛି। ପରେ ସମସ୍ତ ସଦସ୍ୟ ନୂତନ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତଙ୍କ ସହଭାଗିତାରେ ଜିଲ୍ଲାରେ ସଂଘର କାର୍ଯ୍ୟକୁ କ୍ରିୟାଶୀଳ କରାଯିବ ବୋଲି ଶ୍ରୀ ଖାଡଙ୍ଗା କହିଛନ୍ତି।

ଏକ ପ୍ରେସ ବାର୍ତ୍ତାରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲାର ବିଭିନ୍ନ ବ୍ଲକରୁ ୫୦ ରୁ ଊର୍ଦ୍ଧ୍ଵ ସାମ୍ବାଦିକ ଯୋଗ ଦେଇ ଥିଲେ।

Related posts