ଯୋଗାଣ ମନ୍ତ୍ରୀଙ୍କ ବୌଦ୍ଧ ଓ ସୋନପୁର ଗସ୍ତ: ଅଚାନକ ଯାଞ୍ଚ କଲେ ବିଭିନ୍ନ ମିଲ୍‌ ଓ ଗୋଦାମ

Published: Oct 4, 2024, 7:40 am IST

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି। ବୌଦ୍ଧ ଜିଲ୍ଲାର ରାଣୀସତୀ ମିଲ୍‌ ଓ ସେଣ୍ଟ୍ରାଲ ପିଇଜି ଗୋଦାମ ଅଚାନକ ପରିଦର୍ଶନ କରି ସେଠାରେ ହେଉଥିବା ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ। ଉକ୍ତ ମିଲ୍‌ରେ ନିମ୍ନ ମାନର ପୋକରା ଚାଉଳକୁ ରିସାଇକିଲିଂ କରି ପଞ୍ଚାୟତକୁ ପଠାଇବା ଓ ଓଜନ ମାପରେ ଠକେଇ ଅଭିଯୋଗର ଯାଞ୍ଚ କରିବା ସହ ମିଲ୍‌ ପରିଚାଳନାକୁ ନେଇ ମନ୍ତ୍ରୀ ଶ୍ରୀ ପାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସେହିପରି ସୋନପୁର ଜିଲ୍ଲାର ଶିଆଳିଜୁରିସ୍ଥିତ ଲଳିତା ରାଇସ୍‌ ମିଲ୍‌ ଓ ଶୀତଳ ରାଇସ୍‌ ମିଲ୍‌ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ। ନିମ୍ନ ମାନର ଚାଉଳ ଯୋଗାଣକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ପାତ୍ର ସମୀକ୍ଷା ବୈଠକରେ ଯୋଗଦେଇ ଅଧିକାରୀ ମାନଙ୍କ ସହ ଜିଲ୍ଲା ସ୍ୱାର୍ଥ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏହି ଗସ୍ତ ଅବସରରେ ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts