‘‘ଲାଇଟ୍‌, କ୍ୟାମେରା, ଗୋଆ! ଆଇଏଫଏଫଆଇ ୨୦୨୪ ପାଇଁ ମଞ୍ଚ ପ୍ରସ୍ତୁତ

Published: Nov 12, 2024, 7:45 am IST

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫଡିସି) ଏବଂ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି)ର ମିଳିତ ସହଯୋଗରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆୟୋଜନ କରିବାକୁ ଯାଉଛି। ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଏକ ଜୀବନ୍ତ ଏବଂ ବିବିଧ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବାକୁ ଯାଉଥିବାରୁ କାହାଣୀକାର ଓ ସିନେମା ପ୍ରେମୀମାନେ ଖୁସିର କାରଣ ନେଇ ଆସିଛି, ଯାହା ବିଶ୍ୱ ସିନେମାର ଏକ ଅବିସ୍ମରଣୀୟ ଉତ୍ସବର ପ୍ରତିଶ୍ରୁତି ଦେଉଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ନୀରଜ ଶେଖର ଶେଖର, ଆଇଏଫଏଫଆଇର ମହୋତ୍ସବ ନିର୍ଦ୍ଦେଶିକା ଶେଖର କପୁରଙ୍କ ଉପସ୍ଥିତିରେ ଆଜି ୫୫ତମ ଆଇଏଫଏଫଆଇର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସିବିଏଫସି ପ୍ରସୁନ ଯୋଶୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ଡ. ଏଲ୍ ମୁରୁଗାନ୍ ତାଙ୍କ ଅଭିଭାଷଣରେ ମହୋତ୍ସବର ସମ୍ମାନଜନକ ଭୂମିକା ଉପରେ ବିଶ୍ୱ ମଞ୍ଚରେ ଆଲୋକପାତ କରିଥିଲେ। ଆଇଏଫଏଫଆଇ କେବଳ ଭାରତ ପାଇଁ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏକ ଐତିହାସିକ ମହୋତ୍ସବରେ ପରିଣତ ହୋଇଛି, ଯାହା କି କାନ୍ସ ଭଳି ବିଶ୍ୱ ସ୍ତରୀୟ ଉତ୍ସବ ସହିତ ତୁଳନୀୟ ବୋଲି ସେ କହିଥିଲେ। ଡକ୍ଟର ମୁରୁଗାନ୍ ମହୋତ୍ସବର ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ପ୍ରତିବର୍ଷ ଆରମ୍ଭ କରାଯାଇଥିବା ଅନନ୍ୟ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷର ସଂସ୍କରଣରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉପସ୍ଥାପନା ପାଇଁ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି, ଯାହା ମହୋତ୍ସବର ବିସ୍ତାରିତ ପହଞ୍ଚ ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି।

ଜନସାଧାରଣଙ୍କ ସହଭାଗିତା ବୃଦ୍ଧି ପାଇଁ ମନ୍ତ୍ରଣାଳୟ ହାଇଦ୍ରାବାଦ ସହିତ ମୁମ୍ବାଇ ଏବଂ ଚେନ୍ନାଇରେ ସମାନ୍ତରାଳ କାର୍ଯ୍ୟକ୍ରମ ସମେତ ପ୍ରମୁଖ ସହରଗୁଡ଼ିକରେ ପ୍ରଚାର ରୋଡ୍ ସୋ’ର ଆୟୋଜନ କରିଛି। ଆତ୍ମନିର୍ଭର ଭାରତର ଭାବନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ପ୍ରତିଫଳିତ କରି ଏହି ଉତ୍ସବକୁ ନିଜର ଭାବରେ ଗ୍ରହଣ କରିବାକୁ ଡ. ମୁରୁଗାନ୍ ଏହି ଉଦ୍ୟୋଗର ନେତୃବର୍ଗଙ୍କୁ ଅନୁରୋଧ କରିଥିଲେ। ଏଥିସହିତ ଗୋଆରେ ଏହି ଉତ୍ସବରେ ଯୋଗ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ଆଇଏଫଏଫଆଇ ୨୦୨୪ର ବିଷୟବସ୍ତୁ: ‘‘ଯୁବ ଚଳଚ୍ଚିତ୍ର ନିର୍ମାତା – ବର୍ତ୍ତମାନ ହିଁ ଭବିଷ୍ୟତ’’

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସଂକଳ୍ପ ଅନୁରୂପ ଆଇଏଫଏଫଆଇ ୨୦୨୪ର ବିଷୟବସ୍ତୁ – ‘‘ଯୁବ ଚଳଚ୍ଚିତ୍ର ନିର୍ମାତା – ବର୍ତ୍ତମାନ ହିଁ ଭବିଷ୍ୟତ’’ – ସୃଜନଶୀଳତାର ଭବିଷ୍ୟତକୁ ଆକାର ଦେବା ଲାଗି ଯୁବବର୍ଗଙ୍କ ସମ୍ଭାବନାକୁ ସ୍ୱୀକୃତି ଦେଇଛି।

ବିଭିନ୍ନ ଫର୍ମାଟ ଓ ଦୃଷ୍ଟିକୋଣକୁ ଗ୍ରହଣ କରି ଭାରତ ଦ୍ରୁତ ଗତିରେ ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ନିର୍ମାତା ରାଷ୍ଟ୍ର ଭାବେ ଉଭା ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଆଜି ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କହିଛନ୍ତି ଯେ, ଆମ ଶିଳ୍ପରେ ନୂତନ, ଉଦୀୟମାନ ସ୍ୱର ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇଏଫଏଫଆଇ ୨୦୨୪ ଉଭୟ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମା ପ୍ରେମୀଙ୍କ ପାଇଁ ଡିଜାଇନ୍ କରାଯାଇଛି ଏବଂ ଭବିଷ୍ୟତକୁ ଆକାର ଦେଉଥିବା ସ୍ୱରକୁ ପ୍ରାଥମିକତା ଦେଉଛି, ବିଶେଷକରି ଉଦୀୟମାନ ଯୁବ ଚଳଚ୍ଚିତ୍ର ନିର୍ମାତାମାନେ ଯେଉଁମାନେ ଦେଶର ସାଂସ୍କୃତିକ କାହାଣୀକୁ ଆକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

‘‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’’ (ଭବିଷ୍ୟତର ସୃଜନଶୀଳ ପ୍ରତିଭା) ମଞ୍ଚର ପୂର୍ବ ସଂସ୍କରଣରେ ୭୫ ଜଣ ଯୁବ ପ୍ରତିଭାଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ୧୦୦ ଜଣଙ୍କୁ ସମର୍ଥନ କରିବା ପାଇଁ ବୃଦ୍ଧି କରାଯାଇଛି। ଦେଶର ଚଳଚ୍ଚିତ୍ର ପ୍ରଶିକ୍ଷଣ ଅନୁଷ୍ଠାନର  ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ଆଇଏଫଏଫଆଇରେ ଯୋଗ ଦେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସୁବିଧା ଯୋଗାଇ ଦିଆଯାଉଛି।

ସମଗ୍ର ଭାରତରେ ଯୁବ ଚଳଚ୍ଚିତ୍ର ନିର୍ମାଣ ପ୍ରତିଭାଙ୍କୁ ଚିହ୍ନିବା ପାଇଁ ଏକ ନୂତନ ବିଭାଗ ଏବଂ ଶ୍ରେଷ୍ଠ ପଦାର୍ପଣକାରୀ ଭାରତୀୟ ନିର୍ଦ୍ଦେଶକ ପୁରସ୍କାର ପ୍ରତିଷ୍ଠା କରାଯାଇଛି। ମାଷ୍ଟରକ୍ଲାସ, ପ୍ୟାନେଲ ଆଲୋଚନା, ଫିଲ୍ମ ବଜାର ଏବଂ ଫିଲ୍ମ ପ୍ୟାକେଜ ସବୁ ଯୁବ ନିର୍ମାତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଆଇଏଫଏଫଆଇ ୨୦୨୪ ମଧ୍ୟ ସ୍ୱତନ୍ତ୍ର ବିଭାଗ ଏବଂ ପ୍ରଦର୍ଶନୀ ମାଧ୍ୟମରେ ସିନେମା କିମ୍ବଦନ୍ତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ ଏବଂ ଗୋଆରେ ଦର୍ଶକଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଆଣିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ମଧ୍ୟ ୫୫ତମ ଆଇଏଫ୍ଏଫ୍ଆଇର ସହଭାଗୀ ସାରତତ୍ତ୍ବ ଉପରେ ଆଲୋକପାତ କରି ଏହାକୁ ପ୍ରକୃତରେ ଶିଳ୍ପ ଦ୍ୱାରା ଏବଂ ଶିଳ୍ପ ପାଇଁ ଏକ ଉତ୍ସବ ବୋଲି ବର୍ଣ୍ଣନା କରିଥିଲେ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ମହୋତ୍ସବର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଚଳଚ୍ଚିତ୍ର ମହୋତ୍ସବ ଇତିହାସରେ ପ୍ରଥମ ଥର ପାଇଁ ଆମେ ଏହି ମହୋତ୍ସବକୁ ଶିଳ୍ପ ଜଗତକୁ ହସ୍ତାନ୍ତର କରିବାର ପରମ୍ପରା ଆରମ୍ଭ କରିଛୁ ଯାହାକି ଐତିହାସିକ।

ଆଇଏଫଏଫଆଇ: କାହାଣୀ କହିବାର କଳାକୁ ପାଳନ କରୁଛି

ମହୋତ୍ସବ ନିର୍ଦ୍ଦେଶକ ଶେଖର କପୁର ସିନେମାରେ କାହାଣୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଏହାକୁ ସିନେମା ଅନୁଭୂତିର ହୃତପିଣ୍ଡ ବୋଲି କହିଥିଲେ।

ଦ୍ରୁତ ପରିବର୍ତ୍ତିତ ଦୁନିଆରେ କାହାଣୀ କଳାକୁ ସଂରକ୍ଷଣ କରିବା ପୂର୍ବଅପେକ୍ଷା ଅଧିକ ଜରୁରୀ ବୋଲି ସେ କହିଛନ୍ତି। ତାଙ୍କ ବାର୍ତ୍ତା ଏହି କାଳଜୟୀ କଳାକୁ ସମ୍ମାନ ଦେବା ଏବଂ ପ୍ରୋତ୍ସାହିତ କରିବା ପାଇଁ ଉତ୍ସବର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଭାରତ: ଅବିଶ୍ରାନ୍ତ ସ୍ୱପ୍ନର ଦେଶ

ସିବିଏଫସିର ଅଧ୍ୟକ୍ଷ ପ୍ରସୂନ ଯୋଶୀ ଭାରତକୁ ଏକ ଅବିଶ୍ରାନ୍ତ ସ୍ୱପ୍ନର ଦେଶ ବୋଲି ବର୍ଣ୍ଣନା କରିଥିଲେ ଏବଂ କାହାଣୀକାରମାନଙ୍କୁ ତୃଣମୂଳସ୍ତରରୁ ବିଶ୍ୱସନୀୟ ସ୍ୱର ଉପସ୍ଥାପନ ପାଇଁ ଏକ ମଞ୍ଚ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଭଳି ପ୍ରତିଭାଙ୍କୁ ଉନ୍ନତ କରିବା, ସେମାନଙ୍କୁ ବିଶ୍ୱସ୍ତରରେ ଆଗେଇ ଆଣିବାରେ ଆଇଏଫ୍ଏଫ୍ଆଇର ଭୂମିକା ଉପରେ ସେ ଆଲୋକପାତ କରିବା ସହ ଆଇଏଫ୍ଏଫ୍ଆଇ ୨୦୨୪ର ବିଷୟବସ୍ତୁକୁ ଦୋହରାଇଥିଲେ। କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ ଜରିଆରେ ଏହି ଉଦୀୟମାନ ସ୍ୱରଗୁଡ଼ିକୁ ପ୍ରୋତ୍ସାହିତ ଓ ସମର୍ଥନ କରିବା ଦିଗରେ ମନ୍ତ୍ରଣାଳୟର ପ୍ରୟାସକୁ ପ୍ରଶଂସା କରି ସେ କହିଥିଲେ, ଯାହା ଶୁଣିବାକୁ ମିଳୁନାହିଁ ତାହା ବିଶ୍ୱ ସହ ବାଣ୍ଟିବା ଦରକାର।

ଆଇଏଫଏଫଆଇ ୨୦୨୪ର ପ୍ରମୁଖ ଆକର୍ଷଣ

ବିଶ୍ବସ୍ତରୀୟ ଅଂଶଗ୍ରହଣ ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ

ଚଳିତ ବର୍ଷର ଆଇଏଫ୍ଏଫ୍ଆଇକୁ ୧୦୧ଟି ଦେଶରୁ ୧,୬୭୬ଟି ପଞ୍ଜିକରଣ ମିଳିଛି, ଯାହାକି ମହୋତ୍ସବର ବଢ଼ୁଥିବା ଆନ୍ତର୍ଜାତିକ ମାନ୍ୟତାର ପ୍ରମାଣ। ଆଇଏଫ୍ଏଫ୍ଆଇ ୨୦୨୪ରେ ୮୧ଟି ଦେଶର୧୮୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯେଉଁଥିରେ ୧୫ଟି ବିଶ୍ୱ ପ୍ରିମିୟର, ୩ଟି ଅନ୍ତର୍ଜାତୀୟ ପ୍ରିମିୟର, ୪୦ଟି ଏସୀୟ ପ୍ରିମିୟର ଏବଂ ୧୦୬ଟି ଭାରତୀୟ ପ୍ରିମିୟର ରହିଛି। ଯେହେତୁ ଏହା ବିଶ୍ୱ ସ୍ତରରୁ ପ୍ରସିଦ୍ଧ ଶୀର୍ଷକ ଏବଂ ପୁରସ୍କାର ବିଜେତା ଚଳଚ୍ଚିତ୍ରଗୁଡ଼ିକର ଚୟନ କରିଛି, ତେଣୁ ଚଳିତ ବର୍ଷର ମହୋତ୍ସବ ଦର୍ଶକଙ୍କ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାକୁ ଯାଉଛି।

ଅଷ୍ଟ୍ରେଲିଆ ଉପରେ ବିଶେଷ ଧ୍ୟାନ

ଆଇଏଫଏଫଆଇ ୨୦୨୪ ପାଇଁ ବିଶେଷ ଧ୍ୟାନ ଆକର୍ଷଣକାରୀ ଦେଶ ରୂପେ ଅଷ୍ଟ୍ରେଲିଆକୁ ଗ୍ରହଣ କରାଯାଇଛି, ଯେଉଁଥିରେ ଅଷ୍ଟ୍ରେଲୀୟ ଚଳଚ୍ଚିତ୍ରର ଏକ ଉତ୍ସର୍ଗୀକୃତ ପ୍ୟାକେଜ୍ ଏବଂ ମହୋତ୍ସବର ଦୃଢ଼ ଉପସ୍ଥିତି ରହିବ। ଏହି ଉତ୍ସବ ଓ ଚଳଚ୍ଚିତ୍ର ବଜାରରେ ଅଗ୍ରଣୀ ଅଷ୍ଟ୍ରେଲୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ଅଂଶଗ୍ରହଣ ପାଇଁ ସ୍କ୍ରିନ୍ ଅଷ୍ଟ୍ରେଲିଆ ଏବଂ ଏନଏଫଡିସି ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ରହିଛି। ଏହାବ୍ୟତୀତ ଅଷ୍ଟ୍ରେଲିଆର ଅନନ୍ୟ ସୁଟିଂ ସ୍ଥାନ ଏବଂ ସହ-ପ୍ରଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଅଉସ ଫିଲ୍ମ ଦ୍ୱାରା ଏକ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ କରାଯାଇଛି।

ଉଦଘାଟନୀ ଚଳଚ୍ଚିତ୍ର: ମାଇକେଲ୍‌ ଗ୍ରେସୀଙ୍କ ବେଟର୍‌ ମ୍ୟାନ୍‌

ମାଇକେଲ ଗ୍ରେସିଙ୍କ ବେଟର ମ୍ୟାନ୍ ର ଏସିଆ ପ୍ରିମିୟର ସହିତ ଏହି ମହୋତ୍ସବ ଆରମ୍ଭ ହେବାକୁ ଯାଉଛି, ଏକ ଅଷ୍ଟ୍ରେଲୀୟ ଚଳଚ୍ଚିତ୍ର ଯାହା ପ୍ରସିଦ୍ଧ ବ୍ରିଟିଶ ପପ୍ ଷ୍ଟାର ରବି ୱିଲିୟମ୍ସଙ୍କ ଜୀବନର ଏକ ଆକର୍ଷଣୀୟ ଝଲକ ପ୍ରଦାନ କରେ। ଜୋନୋ ଡେଭିଏସ୍‌ ଏହାକୁ ଏକ ସିମ୍ପାଞ୍ଜି ରୂପେ ଚମତ୍କାର ଢଙ୍ଗରେ ପ୍ରସ୍ତୁତ କରିଛନ୍ତି।

ସତ୍ୟଜିତ ରାୟ ଆଜୀବନ ସାଧନା ପୁରସ୍କାର : ଆଇଏଫଏଫଆଇ ୨୦୨୪ ରେ ଅଷ୍ଟ୍ରେଲିଆର ଜଣାଶୁଣା ନିର୍ଦ୍ଦେଶକ ଫିଲିପ୍ ନୋଏସ୍ ଙ୍କୁ ସତ୍ୟଜିତ୍ ରାୟ ଆଜୀବନ ସାଧନା ପୁରସ୍କାର ପ୍ରଦାନ କରାଯିବ। ସେ ତାଙ୍କର ଅସାଧାରଣ କାହାଣୀ ଏବଂ ରହସ୍ୟରୋମାଞ୍ଚପୂର୍ଣ୍ଣ, ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଚଳଚ୍ଚିତ୍ର ନିର୍ମାଣରେ ଦକ୍ଷତା ପାଇଁ ପରିଚି। ନୋଏସ୍ ଙ୍କ ନିର୍ମିତ ଚଳଚ୍ଚିତ୍ର ତାଲିକାରେ ପ୍ୟାଟ୍ରିୟଟ୍ ଗେମ୍ସ, କ୍ଲିୟର ଆଣ୍ଡ୍ ପ୍ରେଜେଣ୍ଟ ଡେଞ୍ଜର, ସଲ୍ଟ, ଦ ସେଣ୍ଟ, ଦ ବୋନ୍ କଲେକ୍ଟର ଭଳି ଉତ୍କୃଷ୍ଟ ସିନେମା ରହିଛି। ହାରିସନ ଫୋର୍ଡ, ନିକୋଲ କିଡମ୍ୟାନ, ଆଞ୍ଜେଲିନା ଜୋଲି, ଡେନଜେଲ ୱାଶିଂଟନ ଏବଂ ମାଇକେଲ କେନ୍ ଙ୍କ ଭଳି ଜଣାଶୁଣା ଅଭିନେତାଙ୍କ ସହ ତାଙ୍କର କାମ ସିନେମା ଉପରେ ତାଙ୍କର ସ୍ଥାୟୀ ପ୍ରଭାବକୁ ସୂଚାଇଥାଏ।

ଅନ୍ତର୍ଜାତୀୟ ପ୍ରତିଯୋଗିତା ବିଭାଗ:ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ସ୍ୱର୍ଣ୍ଣ ମୟୂର ଏବଂ ୪୦ ଲକ୍ଷ ଟଙ୍କା ପାଇଁ ୧୫ଟି ଫିଚର ଫିଲ୍ମ (୧୨ଟି ଇଣ୍ଟରନ୍ୟାସନାଲ+୩ ଇଣ୍ଡିଆନ୍) ଚୟନ କରାଯାଇଛି।  ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟତୀତ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା (ପୁରୁଷ), ଶ୍ରେଷ୍ଠ ଅଭିନେତା (ମହିଳା), ସ୍ୱତନ୍ତ୍ର ଜୁରି ପୁରସ୍କାର ବର୍ଗରେ ମଧ୍ୟ ବିଚାରକ ମାନେ ବିଜେତାଙ୍କୁ ବାଛିବେ।

ଶ୍ରେଷ୍ଠ ଫିଚର ଫିଲ୍ମ ପଦାର୍ପଣକାରୀ ନିର୍ଦ୍ଦେଶକ– ୫ ଅନ୍ତର୍ଜାତୀୟ ଏବଂ ୨ଟି ଭାରତୀୟ ଫିଲ୍ମ ଏହି ବିଭାଗରେ ସମ୍ମାନଜନକ ରୌପ୍ୟ ମୟୂର, ୧୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଏବଂ ମାନପତ୍ର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆନ୍ତର୍ଜାତିକ ବିଚାରକ ମଣ୍ଡଳୀ: ପ୍ରଖ୍ୟାତ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତା ଆଶୁତୋଷ ଗୋୱାରିକର (ଅଧ୍ୟକ୍ଷ), ଜଣେ ପ୍ରସିଦ୍ଧ ସିଙ୍ଗାପୁରର ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଆନ୍ଥୋନି ଚେନ୍, ସମ୍ମାନନୀୟ ବ୍ରିଟିଶ ପ୍ରଯୋଜକ ଏଲିଜାବେଥ୍ କାର୍ଲସନ୍, ଏସିଆରେ କାର୍ଯ୍ୟରତ ଜଣେ ବିଶିଷ୍ଟ ପ୍ରଯୋଜକ ଫ୍ରାନ୍ ବୋର୍ଜିଆ ଏବଂ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ଚଳଚ୍ଚିତ୍ର ସମ୍ପାଦକ ଜିଲ୍‌ ବିଲକକଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠିତ ହୋଇଛି।

ଇଣ୍ଡିଆନ୍ ପାନୋରାମା: ଇଣ୍ଡିଆନ୍ ପାନୋରାମା ବିଭାଗରେ ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ପ୍ରତିନିଧିତ୍ୱ କରୁଥିବା ୨୫ଟି ଫିଚର ଚଳଚ୍ଚିତ୍ର ଏବଂ ୨୦ଟି ଅଣ-ଫିଚର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ବିଭାଗରେ ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଉଦଘାଟନୀ ଫିଚର ଫିଲ୍ମ ସ୍ୱାତନ୍ତ୍ର୍ୟବୀର ସାଭରକର (ହିନ୍ଦୀ) ଏବଂ ଉଦଘାଟନୀ ଅଣ ଫିଚର ଫିଲ୍ମ ଘର ଜୈସା କୁଛ୍‌ (ଲଦାଖୀ) ପ୍ରଦର୍ଶିତ ହେବ।

ଶ୍ରେଷ୍ଠ ଭାରତୀୟ ପଦାର୍ପଣକାରୀ ନିର୍ଦ୍ଦେଶକ – ‘ଯୁବ ଚଳଚ୍ଚିତ୍ର ନିର୍ମାତା’ଙ୍କୁ କେନ୍ଦ୍ର କରି ଆଇଏଫ୍ଏଫ୍ଆଇର ବିଷୟବସ୍ତୁ କୁ ଆଧାର କରି ସାରା ଦେଶରେ ଯୁବ ଚଳଚ୍ଚିତ୍ର ନିର୍ମାଣ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିଷ୍ଠା କରାଯାଇଥିବା ଏକ ନୂତନ ପୁରସ୍କାର ଏହି ବର୍ଗରେ ଦିଆଯିବ। ସମୁଦାୟ ୧୦୨ଟି ଚଳଚ୍ଚିତ୍ର ମଧ୍ୟରୁ ୫ଟି ଚଳଚ୍ଚିତ୍ର ଏହି ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଶେଷ ସମାରୋହରେ ଜଣେ ଯୁବ ନିର୍ଦ୍ଦେଶକଙ୍କୁ ମାନପତ୍ର ଓ ନଗଦ ୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ୱେବ୍ ସିରିଜ୍ (ଓଟିଟି) ପୁରସ୍କାର: ଶ୍ରେଷ୍ଠ ୱେବ୍ ସିରିଜ୍ (ଓଟିଟି) ପୁରସ୍କାର ବର୍ଗରେ ଗତବର୍ଷ ୩୨ଟି ଆବେଦନ ମିଳିଥିବା ବେଳେ ଚଳିତ ବର୍ଷ ୪୬ଟି ଆବେଦନ ମିଳିଛି। ବିଜେତା ଧାରାବାହିକକୁ ପ୍ରମାଣପତ୍ର ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ, ଯାହା କି ସମାପନୀ ଉତ୍ସବରେ ଘୋଷଣା କରାଯିବ।

ଶତବାର୍ଷିକୀ ସମାରୋହ: ଆଇଏଫ୍ଏଫ୍ଆଇ ୨୦୨୪ ଭାରତୀୟ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁର, ମହମ୍ମଦ ରଫି, ତପନ ସିହ୍ନା ଏବଂ ଅକ୍କିନେନି ନାଗେଶ୍ୱର ରାଓଙ୍କୁ ସ୍ୱତନ୍ତ୍ର ଅଡିଓ-ଭିଜୁଆଲ୍ ପ୍ରଦର୍ଶନ ସହିତ ଉଦଘାଟନୀ ଓ ଉଦଯାପନୀ ସମାରୋହ ଏବଂ ଆଇଏଫ୍ଏଫ୍ଆଇ ଇଷ୍ଟାରେ ଇମର୍ସିଭ୍ ପ୍ରଦର୍ଶନୀ ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ।

ଶ୍ରଦ୍ଧାଞ୍ଜଳି ସ୍ୱରୂପ ଭାରତୀୟ ସିନେମାରେ ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସମ୍ମାନ ଜଣାଇ ଇଣ୍ଡିଆ ପୋଷ୍ଟ  ପକ୍ଷରୁ ଏକ ସ୍ମାରକୀ ଟିକେଟ୍‌ ସିରିଜ୍ ମଧ୍ୟ ଉନ୍ମୋଚିତ ହେବ।

ସରକାରଙ୍କ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ (ଏନଏଫଏଚଏମ) ଅଧୀନରେ ଏନଏଫଡିସି-ଏନଏଫଏଆଇ ଦ୍ୱାରା ପୁନରୁଦ୍ଧାର କରାଯାଇଥିବା ଏହି ପ୍ରତ୍ୟେକ କିମ୍ବଦନ୍ତୀଙ୍କ ଏକ ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟ ଆଇଏଫଏଫଆଇରେ ପ୍ରଦର୍ଶିତ ହେବ।

ପୁନରୁଦ୍ଧାର ହୋଇଥିବା ଆଇଏଫଏଫଆଇରେ ପ୍ରଦର୍ଶିତ ହେବାକୁ ଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ଗୁଡ଼ିକ ହେଲା –

  • ଆୱାରା (୧୯୫୧) – ରାଜ କପୁର
  • ଦେବଦାସୁ (୧୯୫୩)- ଅକ୍କିନେନି ନାଗେଶ୍ୱର ରାଓ
  • ହମ୍ ଦୋନୋ (୧୯୬୧) – ମହମ୍ମଦ ରଫି
  • ହାର୍ମୋନିୟମ (୧୯୭୫) – ତପନ ସିହ୍ନା

ନୂତନ କ୍ୟୁରେଟେଡ୍ ବିଭାଗ ଏବଂ ଅନ୍ତର୍ଜାତୀୟ ପ୍ରୋଗ୍ରାମିଂ: ଆଇଏଫଏଫଆଇ ୨୦୨୪ ରେ ଚାରିଟି ନୂତନ ଅନ୍ତର୍ଜାତୀୟ ପ୍ରୋଗ୍ରାମିଂ ବିଭାଗ ଆରମ୍ଭ କରାଯାଇଛି: ରାଇଜିଂ ଷ୍ଟାର୍ସ (ଉଦୀୟମାନ ନିର୍ଦ୍ଦେଶକମାନଙ୍କୁ ପାଳନ କରିବା), ମିଶନ ଲାଇଫ୍ (ପରିବେଶ-ସଚେତନ ସିନେମାଉପରେ ଆଲୋକପାତ କରିବା), ଅଷ୍ଟ୍ରେଲିଆ: କଣ୍ଟ୍ରି ଅଫ୍ ଫୋକସ୍ ଏବଂ ଟ୍ରିଟି କଣ୍ଟ୍ରି ପ୍ୟାକେଜ୍, ଯେଉଁଥିରେ ବ୍ରିଟିଶ ଫିଲ୍ମ ଇନଷ୍ଟିଚ୍ୟୁଟରୁ ପ୍ରସ୍ତୁତ ଚୟନ କରାଯାଇଛି। ଏହି ବିଭାଗଗୁଡିକ ଆଇଏଫଏଫଆଇର ଅଫରଗୁଡିକର ବିବିଧତାକୁ ସମୃଦ୍ଧ କରିଥାଏ, ଯାହା ଦର୍ଶକମାନଙ୍କୁ ସ୍ଥିରତା, ଅଭିନବତା ଏବଂ କଳାତ୍ମକ ବିକାଶର କାହାଣୀ ଅନ୍ୱେଷଣ କରିବାକୁ ଅନୁମତି ଦିଏ।

ସିନେମାରେ ମହିଳା ଏବଂ ଯୁବ ପ୍ରତିଭାଙ୍କ ସ୍ୱର: ଆଇଏଫଏଫଆଇ ୨୦୨୪ ମହିଳାଙ୍କ ଦ୍ୱାରା ନିର୍ଦ୍ଦେଶିତ ୪୭ଟି ଚଳଚ୍ଚିତ୍ର ଏବଂ ଯୁବ ଏବଂ ପଦାର୍ପଣକାରୀ ଚଳଚ୍ଚିତ୍ର ନିର୍ମାତାଙ୍କ ୬୬ଟି କୃତି ସହିତ ବିବିଧତା ଏବଂ ସମାବେଶୀତାକୁ ପ୍ରୋତ୍ସାହିତ କରୁଛି, ଯାହା ଅଣ-ପ୍ରତିନିଧିତ୍ୱ ସ୍ୱରକୁ ବଢ଼ାଇବା ପାଇଁ ମହୋତ୍ସବର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଓମେନ୍ ଇନ୍ ସିନେମା ବିଭାଗ ଉଦୀୟମାନ ପ୍ରତିଭା ଏବଂ ମହିଳା ଚଳଚ୍ଚିତ୍ର ନିର୍ମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିବ।

ସ୍କ୍ରିନିଂ ପାଇଁ ୬ଟି ଅତିରିକ୍ତ ଥିଏଟର: ଚଳିତ ବର୍ଷ ମହୋତ୍ସବର ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଆଇନକ୍ସ ମଡଗାଓଁର ୪ଟି ପ୍ରେକ୍ଷାଳୟ ଏବଂ ଇନକ୍ସ ପୋଣ୍ଡାରେ ୨ଟି ପ୍ରେକ୍ଷାଳୟ ଯୋଡାଯାଇଛି । ଏହି ମହୋତ୍ସବରେ ୫ଟି ସ୍ଥାନରେ ୨୭୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ- ଆଇନକ୍ସ ପଞ୍ଜିମ୍ (୪), ମାକ୍ୱିନେଜ୍ ପ୍ୟାଲେସ୍ (୧), ଆଇନକ୍ସ ପୋରଭୋରିମ୍ (୪), ଆଇନକ୍ସ ମଡଗାଓଁ (୪), ଆଇନକ୍ସ ପୋଣ୍ଡା (୨) ଏବଂ ଜେଡ୍ ସ୍କୋୟାର ସମ୍ରାଟ ଅଶୋକ (୨)। ଏହାବ୍ୟତୀତ ଫିଲ୍ମ ପ୍ରଦର୍ଶନ ପାଇଁ ସାରା ଗୋଆରେ ୫ଟି ପିକ୍ଚର ଟାଇମ୍ ପ୍ରେକ୍ଷାଳୟ ନିର୍ମାଣ କରାଯାଉଛି।

କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋକାର୍ଯ୍ୟକ୍ରମର ବିସ୍ତାର: ଦ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ(ସିଏମ୍ଓଟି) ବା ଭବିଷ୍ୟତର ସୃଜନଶୀଳ ପ୍ରତିଭା ଅଭିଯାନ ଚଳିତ ବର୍ଷ ୧୦୩୨ଟି ଆବେଦନ ସହ ରେକର୍ଡ ଭାଙ୍ଗିଛି, ଯାହାକି ୨୦୨୩ ତୁଳନାରେ ପ୍ରାୟ ଦୁଇଗୁଣ। ଏହି କାର୍ଯ୍ୟକ୍ରମରେ ୧୩ଟି ଚଳଚ୍ଚିତ୍ର ନିର୍ମାଣ ଶିଳ୍ପରେ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରାଯିବ ଏବଂ ପ୍ରଥମ ଥର ପାଇଁ ୧୦୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯିବ, ଯାହା ଆଶାୟୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିବ।

ମାଷ୍ଟରକ୍ଲାସ, ପ୍ୟାନେଲ ଏବଂ ଇଣ୍ଡଷ୍ଟ୍ରି ଏନଗେଜମେଣ୍ଟ: ଏଆର୍ ରେହମାନ, ଶବାନା ଆଜମୀ, ମଣିରତ୍ନମ୍, ବିଧୁ ବିନୋଦ ଚୋପ୍ରା ଙ୍କ ଭଳି ଚଳଚ୍ଚିତ୍ର ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଫିଲିପ୍ ନୋଏସ୍ ଏବଂ ଜନ୍ ସିଲ୍ ଙ୍କ ପରି ଅନ୍ତର୍ଜାତୀୟ ଅତିଥିମାନଙ୍କ ନେତୃତ୍ୱରେ କଳା ଏକାଡେମୀରେ ୨୫ରୁ ଅଧିକ ମାଷ୍ଟରକ୍ଲାସ ଏବଂ ପ୍ୟାନେଲ୍ ଆଲୋଚନାର ଅନୁଭୂତି ଚଳଚ୍ଚିତ୍ର ପ୍ରେମୀମାନେ ପାଇପାରିବେ। ସାଉଣ୍ଡ ଡିଜାଇନ, ଡିଜିଟାଲ ଯୁଗରେ ଅଭିନୟ ଏବଂ ଚଳଚ୍ଚିତ୍ର ନିର୍ମାଣର ଭବିଷ୍ୟତ ବିଷୟରେ ଦର୍ଶକମାନେ ବୁଝିପାରିବେ।

ସୁଲଭତା ଏବଂ ସମାବେଶୀତା: ଆଇଏଫଏଫଆଇ ଇତିହାସରେ ପ୍ରଥମ ଥର ପାଇଁ୫୫ତମଆଇଏଫଏଫଆଇ ଏକ ସୁଲଭ ଚଳଚ୍ଚିତ୍ର ମହୋତ୍ସବ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବକୁ ସମସ୍ତ ସିନେପ୍ରେମୀଙ୍କ ପାଇଁ, ବିଶେଷ କରି ଦିବ୍ୟାଙ୍ଗଜନଙ୍କ ସମେତ କମ୍ ଚଲାବୁଲା କରିପାରୁଥିବା ଲୋକଙ୍କ ନିମନ୍ତେ ସୁଲଭ କରାଇବା ପାଇଁ ଆଇଏଫଏଫଆଇ ଏକ ଅଗ୍ରଣୀ ଅନୁଷ୍ଠାନ ସ୍ୱୟାମକୁ ଆକ୍ସେସିବିଲିଟି ପାର୍ଟନର ଭାବରେ ନାମିତ କରିଛି। ଆଇଏଫଏଫଆଇ ୨୦୨୪ ସମାବେଶୀତା ପାଇଁ ପ୍ରତିଶ୍ରୁତିବଦ୍ଧ, ସମସ୍ତ ସ୍ଥାନକୁ ଶାରୀରିକ ଭାବରେ ସୁଗମ କରାଇବା ସହିତ ଦିବ୍ୟାଙ୍ଗଜନଙ୍କ ଆବଶ୍ୟକତା ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରୁଛି। ଆଇଏଫଏଫଆଇରେ ଚଳଚ୍ଚିତ୍ର ଏବଂ କାର୍ଯ୍ୟକ୍ରମଗୁଡିକୁ ଅଡିଓ ବର୍ଣ୍ଣନା ଏବଂ ସାଙ୍କେତିକ ଭାଷା ବ୍ୟାଖ୍ୟା, ଆପ୍ଲିକେସନ୍ ବ୍ୟବହାର ମାଧ୍ୟମରେ ସୁଲଭ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘‘ସବକା ସାଥ, ସବକା ବିକାଶ’’ର ଭାବନାକୁ ପ୍ରତିଫଳିତ କରିବା ଭଳି ସୁଲଭତା ଓ ସୁଗମତା ବୈଶିଷ୍ଟ୍ୟ ସହିତ ଏହି ମହୋତ୍ସବ ସଜ୍ଜିତ ହେଉଛି।

ମହୋତ୍ସବ ସ୍ଥଳର ବ୍ରାଣ୍ଡିଂ ଓ ସାଜସଜ୍ଜା : ଏନଏଫଡିସି ଏବଂ ଇଏସଜି ଅହମ୍ମଦାବାଦର ଏନଆଇଡି ସହିତ ଭାଗିଦାରୀ କରି ସମସ୍ତ ମହୋତ୍ସବ ସ୍ଥଳରେ ଏକପ୍ରକାର ବା ‘ୟୁନିଫାଇଡ୍’ ସାଜସଜ୍ଜା ଏବଂ ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି କରାଯାଇଛି।

ଚଳିତ ବର୍ଷ, ଆଇଏଫଏଫଆଇ ଏକ ସମୃଦ୍ଧ ସିନେମା ଅଭିଜ୍ଞତା ପ୍ରତିଶ୍ରୁତି ଦେଇଛି, ସାଂସ୍କୃତିକ ପରମ୍ପରା ସହିତ ଅଭିନବତାକୁ ମିଶ୍ରଣ କରିଛି ଏବଂ ଚଳଚ୍ଚିତ୍ର ନିର୍ମାଣର ଭାବନାକୁ ପାଳନ କରିବା ପାଇଁ ସାରା ବିଶ୍ୱର ଦର୍ଶକଙ୍କୁ ଆକୃଷ୍ଟ କରିଛି।

ପ୍ରତିନିଧି ପଞ୍ଜୀକରଣ, କାର୍ଯ୍ୟକ୍ରମ ସମୟ ସୂଚୀ ଏବଂ ସଦ୍ୟତମ ସୂଚନା ଉପରେ ଅଧିକ ବିବରଣୀ ପାଇଁ,iffigoa.org ପରିଦର୍ଶନ କରନ୍ତୁ।

ଆଇଏଫଏଫଆଇ ବିଷୟରେ

ଆଇଏଫଏଫଆଇ ବିଶ୍ୱର ଚତୁର୍ଦ୍ଦଶ ବୃହତ୍ତମ ଏବଂ ସମ୍ମାନଜନକ ‘ଅନ୍ତର୍ଜାତୀୟ ପ୍ରତିଯୋଗିତା ଆଧାରିତ ଫିଚର ଫିଲ୍ମ ଫେଷ୍ଟିଭାଲ’ ମଧ୍ୟରୁ ଅନ୍ୟତମ ଯାହା ବିଶ୍ୱସ୍ତରରେ ଚଳଚ୍ଚିତ୍ର ମହୋତ୍ସବ ପରିଚାଳନା କରୁଥିବା ଅନ୍ତର୍ଜାତୀୟ ସଂସ୍ଥା ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଏଫ୍ଆଇଏପିଏଫ) ଦ୍ୱାରା ସ୍ୱୀକୃତିପ୍ରାପ୍ତ । କାନ୍ସ, ବର୍ଲିନ୍ ଏବଂ ଭେନିସ୍ ଭଳି ଅନ୍ୟାନ୍ୟ ପ୍ରତିଷ୍ଠିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଯାହା ଏହି ଶ୍ରେଣୀ ଅଧୀନରେ ଏଫ୍ଆଇଏପିଏଫ୍ ଠାରୁ ମାନ୍ୟତା ପାଇଛନ୍ତି।

Related posts