Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁୟାନାରେ ରହୁଥିବା ଭାରତୀୟ ସମାଜକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜିର ଖବର

ଗୁୟାନାରେ ରହୁଥିବା ଭାରତୀୟ ସମାଜକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 22, 2024No Comments8 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମାଜକୁ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲ୍ଲୀ, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭରତ ଜଗଦେଓ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାର ପ୍ରମୁଖ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ତାଙ୍କୁ ସ୍ୱତନ୍ତ୍ର ଉତ୍ସାହର ସହ ଭବ୍ୟ ସ୍ୱାଗତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏଥି ସହିତ ସେ ରାଷ୍ଟ୍ରପତି ଓ ତାଙ୍କ ପରିବାରଙ୍କୁ ସେମାନଙ୍କର ସ୍ନେହ ଏବଂ ଶ୍ରଦ୍ଧା ପାଇଁ ଧନ୍ୟବାଦ ଜଣାଇଛନ୍ତି। “ଆତିଥେୟତା ଭାବନା ଆମ ସଂସ୍କୃତିର କେନ୍ଦ୍ରରେ ଅଛି’, ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାରଙ୍କ ’ଏକ ପେଡ୍ ମା’ କେ ନାମ’ ଅଭିଯାନର ଏକ ଅଂଶ ଭାବରେ ସେ ରାଷ୍ଟ୍ରପତି ଏବଂ ତାଙ୍କ ଜେଜେମା’ଙ୍କ ସହିତ ଏକ ବୃକ୍ଷରୋପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ।

ଗୁୟାନାର ସର୍ବୋଚ୍ଚ ଜାତୀୟ ପୁରସ୍କାର ଅର୍ଡର ଅଫ୍ ଏକ୍ସଲେନ୍ସ ଲାଭ କରି ସେ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ ପାଇଁ ସେ ଗୁୟାନାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ ୧.୪ ବିଲିୟନ ଭାରତୀୟ ଏବଂ ୩ ଲକ୍ଷ ଶକ୍ତିଶାଳୀ ଇ​ଣ୍ଡୋ -ଗୁୟାନୀ ସମ୍ପ୍ରଦାୟ ଏବଂ ଗୁୟାନାର ବିକାଶରେ ସେମାନଙ୍କ ଅବଦାନକୁ ସମ୍ମାନିତ କରି ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ।

ଦୁଇ ଦଶନ୍ଧି ପୂର୍ବେ ଜଣେ କୌତୂହଳୀ ପର୍ଯ୍ୟଟକ ଭାବରେ ଗୁୟାନା ଗସ୍ତର ସୁନ୍ଦର କଥାକୁ ମନେ ପକାଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ ଯେ ବର୍ତ୍ତମାନ ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଅନେକ ନଦୀର ଏହି ଭୂମିକୁ ଫେରିଛନ୍ତି। ସେବେଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ଘଟିଥିବା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଗୁୟାନାର ଲୋକଙ୍କ ପ୍ରେମ ଓ ସ୍ନେହ ସମାନ ରହିଛି । “ଆପଣ ଜଣେ ଭାରତୀୟଙ୍କୁ ଭାରତରୁ ବାହାରକୁ ନେଇ ପାରିବେ, କିନ୍ତୁ ଆପଣ ଭାରତକୁ ଭାରତୀୟଙ୍କଠାରୁ ବାହାର କରି ପାରିବେ ନାହିଁ”, ବୋଲି ଶ୍ରୀ ମୋଦୀ କହିଥିଲେ ଏବଂ ଏହି ଗସ୍ତ ବିଷୟରେ ତାଙ୍କର ଅଭିଜ୍ଞତା ଏହାକୁ ପୁନର୍ବାର ପ୍ରମାଣିତ କରିଛି।

ଭାରତୀୟମାନଙ୍କ ଆଗମନର ସ୍ମାରକୀ ପରିଦର୍ଶନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ପ୍ରାୟ ଦୁଇ ଶତାବ୍ଦୀ ପୂର୍ବେ ଭାରତ-ଗୁୟାନାର ଲୋକମାନଙ୍କର ପୂର୍ବପୁରୁଷଙ୍କ ଦୀର୍ଘ ଏବଂ କଠିନ ଯାତ୍ରାକୁ ଜୀବନ୍ତ କରିଥିଲା। ଭାରତର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ଆସିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ସଂସ୍କୃତି, ଭାଷା ଏବଂ ପରମ୍ପରାର ବିବିଧତାକୁ ନିଜ ସହିତ ଆଣିଥିଲେ ଏବଂ ସମୟ କ୍ରମେ ଗୁୟାନାକୁ ନିଜର ବାସସ୍ଥାନରେ ପରିଣତ କରିଥିଲେ। ଏହି ଭାଷା, କାହାଣୀ ସମୂହ ଏବଂ ପରମ୍ପରା ଆଜି ଗୁୟାନା ସଂସ୍କୃତିର ଏକ ସମୃଦ୍ଧ ଅଂଶ ବୋଲି ସେ କହିଥିଲେ। ସ୍ୱାଧୀନତା ଏବଂ ଗଣତନ୍ତ୍ର ପାଇଁ ଲଢ଼େଇ ନିମନ୍ତେ ସେ ଇ​ଣ୍ଡୋ -ଗୁୟାନୀ ସମ୍ପ୍ରଦାୟର ଭାବନାକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସେମାନେ ଗୁୟାନାକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବା ପାଇଁ କାମ କରିଥିଲେ ଯାହା ଆରମ୍ଭରୁ ଶୀର୍ଷରେ ପହଞ୍ଚି ଥିଲା। ଶ୍ରୀ ଚେଦି ଜଗନଙ୍କ ପ୍ରୟାସକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଜଗନ ଶ୍ରମିକ ପରିବାରର ଏକ ନମ୍ର ପୃଷ୍ଠଭୂମିରୁ ଯାତ୍ରା ଆରମ୍ଭ କରି ବିଶ୍ୱ ସ୍ତରରେ ଖ୍ୟାତି ସମ୍ପନ୍ନ ନେତା ହୋଇ ପାରିଛନ୍ତି । ରାଷ୍ଟ୍ରପତି ଇରଫାନ ଅଲ୍ଲୀ, ଉପରାଷ୍ଟ୍ରପତି ଭରତ ଜଗଦେଓ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାର- ଏ ସମସ୍ତେ ଇ​ଣ୍ଡୋ -ଗୁୟାନୀ ସମ୍ପ୍ରଦାୟର ରାଷ୍ଟ୍ରଦୂତ ଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପ୍ରାରମ୍ଭିକ ଇ​ଣ୍ଡୋ -ଗୁୟାନୀ ବୁଦ୍ଧିଜୀବୀ ଜୋସେଫ ରୋମାନ୍‌, ପ୍ରାରମ୍ଭିକ ଇ​ଣ୍ଡୋ -ଗୁୟାନୀ କବିମାନଙ୍କ ମଧ୍ୟରୁ ଅନ୍ୟତମ ରାମ ଜରିଦାର ଲାଲା, ପ୍ରଖ୍ୟାତ ମହିଳା କବି ଶାନା ୟାର୍ଦାନ ଏବଂ ଅନ୍ୟମାନଙ୍କ ଭଳି ଅନେକ ବ୍ୟକ୍ତି ଇ​ଣ୍ଡୋ -ଗୁୟାନୀ କଳା, ଶିକ୍ଷା, ସଙ୍ଗୀତ ଏବଂ ଔଷଧ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଛନ୍ତି।

ଆମ ଭିତରେ ରହିଥିବା ସାମଞ୍ଜସ୍ୟ ଭାରତ- ଗୁୟାନା ବନ୍ଧୁତାକୁ ଏକ ମଜଭୁତ ଭିତ୍ତିଭୂମି ପ୍ରଦାନ କରିଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ , ତିନୋଟି ଗୁରୁତ୍ୱପୂର୍ଣ୍ଣ ଜିନିଷ , ଯଥା : ସଂସ୍କୃତି, ଖାଦ୍ୟ ଏବଂ କ୍ରିକେଟ୍, ଯାହା ଭାରତକୁ ଗୁୟାନା ସହିତ ଯୋଡ଼ିଛି । ଶ୍ରୀ ରାମଲାଲା ୫୦୦ ବର୍ଷ ପରେ ଅଯୋଧ୍ୟା ଫେରିଥିବାରୁ ଚଳିତ ବର୍ଷର ଦୀପାବଳି ବିଶେଷ ଉତ୍ସବ ଥିଲା ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗୁୟାନାର ପବିତ୍ର ଜଳ ଏବଂ ଶିଳା ମଧ୍ୟ ପଠାଯାଇଥିଲା ବୋଲି ଭାରତବାସୀ ମନେ ରଖିଛନ୍ତି। ଭାରତ ମାତାଙ୍କ ସହ ସେମାନଙ୍କର ସାଂସ୍କୃତିକ ସମ୍ପର୍କ ସୁଦୃଢ଼ ଥିବା ବେଳେ ଆର୍ଯ୍ୟ ସମାଜ ସ୍ମାରକୀ ଓ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ପରିଦର୍ଶନ କରିବା ପରେ ସେ ଏହା ଅନୁଭବ କରି ପାରିଥିଲେ ବୋଲି ସେ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଉଭୟ ଭାରତ ଏବଂ ଗୁୟାନା ଆମର ସମୃଦ୍ଧ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ ଏବଂ ବିବିଧତାକୁ କେବଳ ସ୍ଥାନ ଦେବା ପାଇଁ ନୁହେଁ, ବରଂ ଏକ ଉତ୍ସବ ଭାବରେ ସେମାନେ ଦେଖୁଛନ୍ତି । ଉଭୟ ଦେଶ ସାଂସ୍କୃତିକ ବିବିଧତା କିପରି ସେମାନଙ୍କର ଶକ୍ତି, ତାହା ପ୍ରଦର୍ଶିତ କରୁଛନ୍ତି ବୋଲି ସେ କହିଛନ୍ତି।

ଖାଦ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଇ​ଣ୍ଡୋ -ଗୁୟାନୀ ସମ୍ପ୍ରଦାୟର ଏକ ଅନନ୍ୟ ଖାଦ୍ୟ ପରମ୍ପରା ମଧ୍ୟ ରହିଛି ଯେଉଁଥିରେ ଉଭୟ ଭାରତ ଏବଂ ଗୁୟାନାର ଉପାଦାନ ରହିଛି।

ଆମ ଦେଶକୁ ଦୃଢ଼ ଭାବରେ ବାନ୍ଧି ରଖିଥିବା କ୍ରିକେଟ୍ ପ୍ରତି ଭଲ ପାଇବା ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ଏକ କ୍ରୀଡ଼ା ନୁହେଁ, ବରଂ ଏକ ଜୀବନଶୈଳୀ, ଯାହା ଆମର ଜାତୀୟ ପରିଚୟ ସହିତ ଗଭୀର ଭାବରେ ଜଡ଼ିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁୟାନାରେ ଥିବା ପ୍ରୋଭିଡେନ୍ସ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଆମ ବନ୍ଧୁତାର ପ୍ରତୀକ। କହ୍ନାଇ, କାଳୀଚରଣ, ଚନ୍ଦରପଲ- ସମସ୍ତେ ଭାରତରେ ବେଶ୍ ଜଣାଶୁଣା ନାମ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ କ୍ଲାଇଭ୍ ଲଏଡ୍ ଏବଂ ତାଙ୍କ ଟିମ୍ ଅନେକ ପିଢ଼ିରୁ ଲୋକପ୍ରିୟ ହୋଇ ରହିଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁୟାନାର ଯୁବ ଖେଳାଳି ମାନଙ୍କର ମଧ୍ୟ ଭାରତରେ ବହୁତ ପ୍ରଶଂସକ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷ ପ୍ରାରମ୍ଭରେ ସେଠାରେ ଆୟୋଜିତ ଟି-୨୦ ବିଶ୍ୱକପ୍‌କୁ ଅନେକ ଭାରତୀୟ ଉପଭୋଗ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଜି ସକାଳେ ଗୁୟାନାର ସଂସଦକୁ ସମ୍ବୋଧିତ କରିବାର ଗୌରବ ଲାଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଦର ଅଫ୍ ଡେମୋକ୍ରାସିରୁ ଆସି ସେ କାରିବିଆନ୍ ଅଞ୍ଚଳର ଅନ୍ୟତମ ଜୀବନ୍ତ ଗଣତନ୍ତ୍ର ସହିତ ଆଧ୍ୟାତ୍ମିକ ସମ୍ପର୍କକୁ ଅନୁଭବ କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବଂ ଗୁୟାନାର ଏକ ମିଳିତ ଇତିହାସ ଅଛି, ଯାହା ଆମକୁ ଏକତ୍ର ବାନ୍ଧି ରଖିଛି, ଯେପରିକି ଔପନିବେଶିକ ଶାସନ ବିରୋଧରେ ସାଧାରଣ ସଂଘର୍ଷ, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭଲ ପାଇବା ଏବଂ ବିବିଧତା ପ୍ରତି ସମ୍ମାନ। ଅଭିବୃଦ୍ଧି ଓ ବିକାଶର ଆକାଂକ୍ଷା, ଅର୍ଥନୀତି ଓ ପରିବେଶ ପ୍ରତି ପ୍ରତିବଦ୍ଧତା ଏବଂ ନ୍ୟାୟ ଓ ସମାବେଶୀ ବିଶ୍ୱ ବ୍ୟବସ୍ଥାରେ ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ଆମର ଏକ ଭାଗିଦାରୀ ଭବିଷ୍ୟତ ଅଛି ଯାହା ଆମେ ସୃଷ୍ଟି କରିବାକୁ ଚାହୁଁଛୁ।’

ଗୁୟାନାର ଲୋକମାନେ ଭାରତର ଶୁଭଚିନ୍ତକ ବୋଲି ପ୍ରକାଶ କରି ଶ୍ରୀ ମୋଦୀ “ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଯାତ୍ରା ଏକ ଦୀର୍ଘ, ଦ୍ରୁତଗତିସମ୍ପନ୍ନ ଏବଂ ସ୍ଥାୟିତ୍ୱ’ର ଯାତ୍ରା ଥିଲା ବୋଲି ଆଲୋକପାତ କରିଥିଲେ। ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଖୁବ୍ ଶୀଘ୍ର ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି। ଯୁବ ପିଢ଼ିଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ ସେମାନେ ଆମକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି। ଇ-କମର୍ସ, ଏଆଇ, ଫିନଟେକ୍‌, କୃଷି, ବୈଷୟିକ ଜ୍ଞାନକୌଶଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ମଙ୍ଗଳ ଓ ଚନ୍ଦ୍ରକୁ ଭାରତର ମହାକାଶ ଅଭିଯାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜପଥଠାରୁ ଆରମ୍ଭ କରି ଆଇ-ୱେ, ଏୟାରୱେଜ୍‌ଠାରୁ ଆରମ୍ଭ କରି ରେଳବାଇ ପର୍ଯ୍ୟନ୍ତ ଆମେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରୁଛୁ। ଭାରତରେ ଏକ ଶକ୍ତିଶାଳୀ ସେବା କ୍ଷେତ୍ର ଅଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନ ଭାରତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଶକ୍ତିଶାଳୀ ହେଉଛି ଏବଂ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ନିର୍ମାତା ହୋଇ ପାରିଛି।

“ଭାରତର ଅଭିବୃଦ୍ଧି କେବଳ ପ୍ରେରଣାଦାୟକ ନୁହେଁ, ବରଂ ସମାବେଶୀ ମଧ୍ୟ ହୋଇଛି’, ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଗରିବମାନଙ୍କୁ ସଶକ୍ତ କରୁଛି ଏବଂ ସରକାର ଲୋକଙ୍କ ପାଇଁ ୫୦୦ ନିୟୁତରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ଏବଂ ଏହି ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ପରିଚୟ ଏବଂ ମୋବାଇଲ ସହିତ ସଂଯୋଗ କରିଛନ୍ତି। ଏହା ଦ୍ୱାରା ଲୋକମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ପାଇ ପାରିବେ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ୍ ମାଗଣା ସ୍ୱାସ୍ଥ୍ୟ ବୀମା ଯୋଜନା, ଯେଉଁଥିରେ ୫୦୦ ନିୟୁତରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଅଭାବୀ ଲୋକଙ୍କ ପାଇଁ ୩୦ ନିୟୁତରୁ ଅଧିକ ଘର ନିର୍ମାଣ କରିଛନ୍ତି । “ମାତ୍ର ଏକ ଦଶନ୍ଧି ମଧ୍ୟରେ ଆମେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରି ପାରିଛୁ’, ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଗରିବଙ୍କ ମଧ୍ୟରେ ମଧ୍ୟ ଏହି ପଦକ୍ଷେପ ମହିଳାମାନଙ୍କୁ ଅଧିକ ଉପକୃତ କରିଛି ଏବଂ ଲକ୍ଷ ଲକ୍ଷ ମହିଳା ତୃଣମୂଳ ସ୍ତରର ଉଦ୍ୟୋଗୀ ହୋଇ ନିଯୁକ୍ତି ଓ ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ।

ଏହି ସବୁ ବିଶାଳ ଅଭିବୃଦ୍ଧି ଘଟୁଥିବା ବେଳେ ଭାରତ ମଧ୍ୟ ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦେଉଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ମାତ୍ର ଏକ ଦଶନ୍ଧି ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୩୦ ଗୁଣ ବୃଦ୍ଧି ପାଇଛି ଏବଂ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ସହିତ ଏହା ସବୁଜ ଗତିଶୀଳତା ଆଡ଼କୁ ଅଗ୍ରସର ହୋଇଛି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆନ୍ତର୍ଜାତିକ ସୌର ମେଣ୍ଟ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ଭଳି ଅନେକ ପଦକ୍ଷେପରେ ଭାରତ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଛି। ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସକୁ ମଧ୍ୟ ଭାରତ ପ୍ରୋତ୍ସାହିତ କରିଛି ଏବଂ ଗୁୟାନା ଏହାର ଭବ୍ୟ ଜାଗୁଆର ସହିତ ମଧ୍ୟ ଏହାର ଫାଇଦା ଉଠାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଗତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଗୁୟାନାର ରାଷ୍ଟ୍ରପତି ଇରଫାନ୍ ଅଲ୍ଲୀଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ ଏବଂ ଉପରାଷ୍ଟ୍ରପତି ଭରତ ଜଗଦେଓଙ୍କୁ ମଧ୍ୟ ସ୍ୱାଗତ କରା ଯାଇଥିଲା। ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ  ମିଳିତ ଭାବେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି। ଆଜି ଉଭୟ ଦେଶ ଶକ୍ତିଠାରୁ ଉଦ୍ୟୋଗ, ଆୟୁର୍ବେଦରୁ କୃଷି, ଭିତ୍ତିଭୂମିରୁ ଉଦ୍ଭାବନ, ସ୍ୱାସ୍ଥ୍ୟସେବାରୁ ମାନବ ସମ୍ବଳ ଏବଂ ଡାଟାରୁ ବିକାଶ ପର୍ଯ୍ୟନ୍ତ ଆମର ସହଯୋଗର ପରିସରକୁ ବ୍ୟାପକ କରିବାକୁ ରାଜି ହୋଇଛନ୍ତି ଏବଂ ଏହି ଭାଗିଦାରୀ ବ୍ୟାପକ ଅଞ୍ଚଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଶ୍ରୀ ମୋଦୀ କହିଥିଲେ। ଗତ କାଲି ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଏହାର ପ୍ରମାଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଳିତ ଜାତିସଂଘର ସଦସ୍ୟ ଭାବରେ ଉଭୟ ଦେଶ ସଂସ୍କାରିତ ବହୁପକ୍ଷବାଦରେ ବିଶ୍ୱାସ କରନ୍ତି ଏବଂ ବିକାଶଶୀଳ ଦେଶ ଭାବରେ ସେମାନେ ଦକ୍ଷିଣ ବିଶ୍ୱର ଶକ୍ତିକୁ ବୁଝନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ସାମଗ୍ରିକ ବିକାଶ ପାଇଁ ରଣନୀତିକ ସ୍ୱାଧୀନତା ଏବଂ ସମର୍ଥନ ଚାହୁଁଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟ ଦେଶ ନିରନ୍ତର ବିକାଶ ଏବଂ ଜଳବାୟୁ ନ୍ୟାୟକୁ ପ୍ରାଥମିକତା ଦେଉଛନ୍ତି ଏବଂ ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଜାରି ରଖିଛନ୍ତି।

ପ୍ରବାସୀଙ୍କୁ ରାଷ୍ଟ୍ରଦୂତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ରାଷ୍ଟ୍ରଦୂତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡୋ – ଗୁୟାନୀ ସମ୍ପ୍ରଦାୟ ଦ୍ୱିଗୁଣିତ ଧନ୍ୟ, କାରଣ ସେମାନଙ୍କର ମାତୃଭୂମି ଭାବରେ ଗୁୟାନା ଏବଂ ସେମାନଙ୍କ ପୈତୃକ ଭୂମି ଭାବରେ ଭାରତ ମାତା ରହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆଜି ଯେତେବେଳେ ଭାରତ ଏକ ସମ୍ଭାବନାର ଦେଶ ପାଲଟିଛି, ସେତେବେଳେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆମ ଦୁଇ ଦେଶକୁ ଯୋଡ଼ିବାରେ ବଡ଼ ଭୂମିକା ଗ୍ରହଣ କରି ପାରିବେ।

ସଦ୍ୟ ଉନ୍ମୋଚନ ହୋଇଥିବା ଭାରତ କୋ ଜାନିୟେ କୁଇଜ୍‌ରେ ଅଂଶଗ୍ରହଣ କରିବାକୁ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କୁଇଜ୍ ଭାରତ, ଏହାର ମୂଲ୍ୟବୋଧ, ସଂସ୍କୃତି ଏବଂ ବିବିଧତାକୁ ବୁଝିବା ପାଇଁ ଏକ ଭଲ ସୁଯୋଗ। ଏଥିରେ ଭାଗ ନେବା ପାଇଁ ସେମାନଙ୍କ ବନ୍ଧୁମାନଙ୍କୁ ମଧ୍ୟ ଆମନ୍ତ୍ରିତ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ହେବାକୁ ଥିବା ମହାକୁମ୍ଭରେ ପରିବାର ଓ ବନ୍ଧୁମାନଙ୍କ ସହ ଅଂଶଗ୍ରହଣ କରିବାକୁ ଶ୍ରୀ ମୋଦୀ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେମାନେ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରି ପାରିବେ ବୋଲି ମଧ୍ୟ ସେ କହିଛନ୍ତି।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଜାନୁଆରୀରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଏବଂ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଥିଲେ।

ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଭାରତୀୟ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025
Latest News

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.