ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ରାୟ ପ୍ରକାଶ, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Published: Dec 10, 2024, 12:13 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୦ ଏପ୍ରିଲ ୨୨ ତାରିଖରେ ଘଟିଥିବା ଧୀର ସାମଲ ହତ୍ୟା ମାମଲାର ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଜଜ୍ ମହାଶୟା ୫ ଜଣ ଅଭିଯୁକ୍ତ ଯଥା କାଳିଆ ସେଠୀ, ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପାତ୍ର ଓ ସନ୍ୟାସୀ ରାଉତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। କିନ୍ତୁ ପ୍ରମାଣ ଅଭାବରୁ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୁଚନା ଥାଉକି ଘଟଣା ଦିନ ନିହତ ଧୀର ସାମଲ ଶ୍ରୀରାମ ନଗର ଛକରେ ରାଜୀବ ବେହେରା ଓ ସନ୍ତୋଷ ତ୍ରିପାଠୀ ନାମକ ଦୁଇ ବନ୍ଧୁଙ୍କ ସହ କଥା ହେଉଥିଲା ବେଳେ ଅଭିଯୁକ୍ତ ମାନେ ଧୀରଙ୍କୁ ଲକ୍ଷ କରି ବୋମାମାଡ କରି ତାକୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୋମାମାଡରେ ଦୁଇ ବନ୍ଧୁ ସନ୍ତୋଷ ଓ ରାଜୀବ ଆହତ ହୋଇଥିଲେ। ୩ ଜଣ ଗୁରୁତର ଆହତଙ୍କୁ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ଧୀରଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସା ସମୟରେ ପୋଲିସକୁ ଆକ୍ରମଣକାରୀଙ୍କ ନାଁ କହିଥିଲେ ଓ ମୃତ ଧୀରଙ୍କ ଭାଇ ଭାଲୁ ସାମଲଙ୍କ ଏତଲା କ୍ରମେ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ୮ ଜଣଙ୍କୁ ବିଭିନ୍ନ ସମୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Related posts