ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି

Published: Jan 26, 2025, 1:49 pm IST

ଭୁବନେଶ୍ବର: ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ହେବା ଘଟଣା ନେଇ ବିଜେପି ସରକାରଙ୍କ ଟାର୍ଗେଟ କରିଛି। ବିଜେଡି କହିଛି ଯେ, ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ରହୁଥିବା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ।

ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି, ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ଆଇନଶୃଙ୍ଖଳା ସ୍ଥିତି ଦୟନୀୟ ହୋଇଗଲାଣି।

ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ଵରକୁ ପ୍ରଧାନମନ୍ତ୍ରୀ ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟୁଛି। ଦୁଇ ଦିନ ପରେ ମଧ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ତାର ଠିକ ପୂର୍ବରୁ ଭିଆଇପି କଲୋନୀରେ ଚୋର ମାତିଛନ୍ତି। ଭୟ ଆଉ ଡ଼ର ଭିତରେ ରହିବାକୁ ଓଡ଼ିଶାବାସୀ କ’ଣ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେଇଥିଲେ?

ସାଧାରଣ ଜନତା ଏବେ କାହା ଉପରେ ଭରସା କରିବେ? କାହାଠୁ ସୁରକ୍ଷା ଆଶା କରିବେ? ଅପାରଗ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ। ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ବିଜେଡି ଏକ ପ୍ରେସ ବିଜ୍ଞପ୍ତିରେ କହିଛି।

Related posts