ଲୋକସେବା ଭବନ ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

Published: Feb 17, 2025, 7:48 pm IST

ଭୁବନେଶ୍ଵର: ଆଜି ଲୋକସେବା ଭବନର ବିଧି ବିଭାଗ ପରିସରରେ ଇ-ଗ୍ରନ୍ଥାଳୟକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ।

ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀ ସ୍ଥରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ଥନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ। ତତସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି,ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ।

ଏହି ଅବସରରେ ସମସ୍ତ ସରକାରୀ ବିଭାଗ ମାନଙ୍କୁ ମନୁପାତ୍ର ଅନଲାଇନ ଡାଟାବେସ୍, Orissa Law Times, ଇ-ଗ୍ରନ୍ଥାଳୟ ଓ LMS ରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ଵରିତ ନ୍ୟାୟ ଦେବା ପାଇଁ ସହାୟକ ହେବ। ଏହା ଆଇନ ବିଭଗ ଦ୍ଵାରା ଏକ ଅତ୍ୟନ୍ତ ଯୁଗାନ୍ତକାରୀ ଏବଂ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ବିଧି ଚେତକ ତଥା ସ୍ଵତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ଆଇନ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Related posts