
ପୁରୀ: ଶ୍ରୀମନ୍ଦିରରେ ଆଗାମୀ ଦୋଳପୂର୍ଣ୍ଣିମାକୁ ନେଇ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନୀତି ନିର୍ଘଣ୍ଟକୁ ଗୁରୁବାର ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଅଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଆସନ୍ତା ମେଣ୍ଢା ପୋଡ଼ି, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଅଛି। ଆସନ୍ତା ୧୩ ଓ ୧୪ ତାରିଖ ମେଣ୍ଢା ପୋଡ଼ି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ। ୧୩ ଓ ୧୪ ତାରିଖ ରାତି ୩ ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସମ୍ପାଦନ କରାଯାଇ ଅନ୍ୟାନ୍ୟ ନୀତି କାନ୍ତି ହେବ।
ସେହିପରି ୧୪ ତାରିଖ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୪ ଟା ସୁଦ୍ଧା ମଙ୍ଗଳ ଆଳତି ହୋଇ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଜାଧିରାଜବେଶ ବା ସୁନାବେଶ। ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନରେ ଦୋଳଗୋବିନ୍ଦ ବିଜେ ନୀତି ହେବ। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ କେବଳ ଓମଫେଡ ଘିଅ ବ୍ୟବହାର ଓ ଏଥିରେ ମହାପ୍ରଭୁଙ୍କର ଫୋଟୋ ବ୍ରାଣ୍ଡିଂ କୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଓମଫେଡ ଘିଅ ବ୍ୟବହାର କରିସାରିବା ପରେ ଫୋଟୋ ଥିବା ଡବା ଗୁଡ଼ିକ ଏଣେତେଣେ ପଡ଼ିବା ସହ ଏଥିରେ ବର୍ଜ୍ୟ ଉଠାଇବା କାର୍ଯ୍ୟରେ ବ୍ୟବହାର କରାଯାଉଅଛି ବୋଲି ସେବାୟତ ଅଭିଯୋଗ କରିଥିଲେ। ଏଣୁ ଧାର୍ମିକ ଭାବନାକୁ କୁଠାରଘାତ ନ ହେବା ଭଳି ପଦକ୍ଷେପ ନେବାକୁ ଓମଫେଡ୍ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ମତ ରଖିଥିଲେ।
ସେହିପରି ଆଗକୁ ଖରାଦିନ ପାଇଁ ଭକ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସ୍ୱତନ୍ତ୍ର ସେଡ୍ ଠାରୁ ଆରମ୍ଭ କରି ପାଣି ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଅଛି ।୧୦ ଟି ୱାଟର ଡିସ୍ପେନସର ମାଧ୍ୟମରେ ଭକ୍ତ ଙ୍କୁ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ମତ ରଖିଛନ୍ତି।