ଟ୍ରମ୍ପଙ୍କ ଚେତାବନୀ ଆଗରେ ମୁଣ୍ଡ ନୂଆଁଇଲା କି ଭାରତ?: ସଂସଦରେ ଉତ୍ତର ଦେଲେ ମୋଦୀ ସରକାର

Published: Mar 11, 2025, 6:36 pm IST

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ଉପରେ କେନ୍ଦ୍ର ସରକାର ଆଜି ସଂସଦରେ ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା ଭାରତ ଉପରେ କୌଣସି ଶୁଳ୍କ ଲାଗୁ କରି ନାହିଁ। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବାବେଳେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଜିତିନ ପ୍ରସାଦ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ଆମେରିକା ଏକ ନୂତନ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି ଯେଉଁଥିରେ ଆମଦାନୀ ଶୁଳ୍କ ଏବଂ ଶୁଳ୍କ ହ୍ରାସ ତଥା ଯୋଗାଣ ବୃଦ୍ଧି ଉପରେ ଉଭୟ ଦେଶ ଧ୍ୟାନ ଦେବେ। ଏହା ଉଭୟ ଦେଶ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଶୁଳ୍କ ହ୍ରାସ କରିବାକୁ ଭାରତ ରାଜି ହୋଇଛି। ଟ୍ରମ୍ପ କହିଛନ୍ତି ଯେ, ଏପ୍ରିଲ ୨ ତାରିଖ ୨୦୨୫ ଠାରୁ ଆମେରିକା ଅପେକ୍ଷା ଅଧିକ ଟ୍ୟାକ୍ସ ଆଦାୟ କରୁଥିବା ସମସ୍ତ ଦେଶରେ ପାରସ୍ପରିକ ଶୁଳ୍କ ଲାଗୁ ହେବ। ଟ୍ରମ୍ପ କହିଥିଲେ ଯେ, “ଭାରତ ଆମ ଉପରେ ବହୁତ ଅଧିକ ଶୁଳ୍କ ଲାଗୁ କରେ। ଆପଣ ଭାରତରେ କିଛି ବିକ୍ରୟ କରିପାରିବେ ନାହିଁ।”

Related posts