
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି।
ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଗାମୀ ୨୦୨୬ ରଥଯାତ୍ରା ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବା ସହ ଶ୍ରୀମନ୍ଦିରର ନୂତନ କାର୍ଯ୍ୟାଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ ସ୍ଥିର ହୋଇଅଛି। ସେହିପରି ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ ଏମାର ମଠ ନିକଟରେ ଥିବା ଖାଲି ସ୍ଥାନରେ ନିର୍ମାଣ କରାଯିବ। ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଂର ଉପର ମହଲାରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମଧ୍ୟ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ସକାଳୁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନ ଆଦି କ୍ଷେତ୍ର ପରିଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ବୈଠକ କରିଥିଲେ। ଏଥିରେ ଅଧା ପନ୍ତରିଆ କାର୍ଯ୍ୟଗୁଡିକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ଶ ଅନୁସାରେ ଶେଷ କରିବା ନେଇ ନିଷ୍ପତ୍ତି ନିଆ ଯାଇଥିଲା।