ବାଲୁଗାଁ: ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published: Mar 22, 2025, 6:46 pm IST

ବାଲୁଗାଁ: ଆଜି ଅପରାହ୍ନରେ ୧୬ ନଂ ଜାତୀୟ ରାଜପଥ ପାଇକକୁଶଡିହ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଯେଉଁଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ସିଲକସିଟି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ନେଇ ଯାଉଥିବାବେଳେ ପାଇକକୁଶଡିହ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବରପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଆହତ ଅବସ୍ଥାରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ତଦନ୍ତ ଜାରି ରଖିଛି।

Related posts