
ଭୁବନେଶ୍ବର: ଆଜି ରାତିରେ କଂଗ୍ରେସ ନେତା ଏବଂ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଧାନସଭା ଭିତରେ ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଦେଖିବା ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ତାଙ୍କୁ ଭିତରକୁ ଛାଡି ନ ଥିଲା। ଫଳରେ ବିଧାନସଭା ଆଗରେ ପୋଲିସ ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି।
କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଏବଂ ସଭାପତି ଭକ୍ତ ଦାସ ବିଧାନସଭାକୁ ପ୍ରବେଶ କରିବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ଅଭିଯୋଗ ହେଲା ଯେ, ଗୃହ ଭିତରେ କଂଗ୍ରେସ ସଦସ୍ୟ ଧାରଣ ଦେଇଛନ୍ତି। ସେମାନେ ଖାଇଲେ କି ନାହିଁ, କେମିତି ସ୍ବାସ୍ଥ୍ୟ ଅବସ୍ଥା ରହିଛି ତାହା ଜାଣିବା ପାଇଁ ଆମେ ବିଧାନସଭାକୁ ଯାଉଥିଲୁ। ହେଲେ ପୋଲିସ କଣ ପାଇଁ ଅଟକାଇଲା ବୋଲି ପ୍ରଶ୍ନ କରିଛନ୍ତି ଜୟଦେବ ଜେନା।
ଏପଟେ ପରିସ୍ଥିତି ଜଟିଳ ହେଉଥିବାରୁ ପୋଲିସ ବିଧାନସଭା ଚାରିପଟେ 163 ଧାରା ଲାଗୁ କରିଛନ୍ତି। ଫଳରେ ଧାରଣରେ ବସିରହିଥିବା କଂଗ୍ରେସ କର୍ମିଙ୍କୁ ପୋଲିସ ଉଠାଇ ନେଇଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆଗରେ ଉତ୍ତେଜନା ଲାଗି ରହିଥିବାର ଜଣାପଡିଛି।