ଶ୍ରୀକ୍ଷେତ୍ର ପୁରୀରେ ସାହିଯାତ ନିଆରା ଓ ଐତିହ୍ୟପୂର୍ଣ୍ଣ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: Apr 12, 2025, 12:27 pm IST

ଭୁବନେଶ୍ଵର: ଶ୍ରୀକ୍ଷେତ୍ର ପୁରୀର ସାହିଯାତ ବେଶ ନିଆରା ଓ ଐତିହ୍ୟପୂର୍ଣ୍ଣ। ପୁରୀର ସାହିଯାତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ହୋଇ ରହିଥିବା ବେଳେ ଏଠାରେ ଥିବା ବିଭିନ୍ନ ସାହି, ଆଖଡ଼ା, ଜାଗା ଘର, କୋଟ ବେଶ ପୁରାତନ ଓ ପ୍ରାଚୀନ। ତେବେ ଏହି ପ୍ରାଚୀନ ସଂସ୍କୃତି ପରମ୍ପରାକୁ ଏବେ ବି ବିଭିନ୍ନ ସାହିର ଯାଗା ଆଖଡ଼ା ମାନେ ବଜାୟ ରଖିଥିବା ନେଇ ବେଶ ପ୍ରଂଶସା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ପୁରାତନ ସଂସ୍କୃତି ସମ୍ପନ୍ନ ଯାତ୍ରାରେ ସାମିଲ ହୋଇ ସେ ନିଜକୁ ଧନ୍ୟ ମନେ କରିଥିବା ବେଳେ ସାହି ଭେଣ୍ଡିଆ ମାନଙ୍କର କଳା ନୌପୁଣ୍ୟ ଦେଖି ବିଭୋର ହୋଇଥିଲେ। ସେହିପରି ଓଡ଼ିଆର ସାହିତ୍ୟ ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପୁରୀର ଏହି ସାହିଯାତରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିବା ବେଳେ ଏଭଳି କଳା ସଂସ୍କୃତିକୁ ଆଗକୁ କିଭଳି ନିଆଯିବ ସେଥିପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବା ମତ ରଖିଥିଲେ।

ତେବେ ଚଳିତ ବର୍ଷ ସାହିଯାତ୍ରାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ଆଗକୁ ସରକାରଙ୍କ ପକ୍ଷରୁ ଆହୁରି ଅଧିକ ସହଯୋଗ ଯୋଗାଇବାକୁ ଲକ୍ଷ ରଖାଯାଇ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ। କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତା ଚୋରି ନୀତି ନେଇ ରାବଣ ସମେତ ବିଭିନ୍ନ ପ୍ରକାର ମେଢ଼ ନୃତ୍ୟ ଆଦି ବାହାରିଥିବା ବେଳେ ଉଭୟ ମନ୍ତ୍ରୀ ଏଥିରେ ସାମିଲ ହୋଇ ସାହି ବାସିନ୍ଦାଙ୍କ ସହ ଭାବ ବିନିମୟ କରିଥିଲେ। ସେହିପରି କୁଣ୍ଢେଇବେଣ୍ଟ ସାହି ଜେନାରୀ ଗଛ ଛକ ଠାରୁ ଉଭୟ ମନ୍ତ୍ରୀ ଚାଲି ଚାଲି ଦୋଳମଣ୍ଡପ ସାହି ଭ୍ରମଣ କରିଥିବା ବେଳେ ବିଭିନ୍ନ ସାହି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ପରିଲକ୍ଷିତ ହୋଇଥିଲା।

Related posts