ଭୁବନେଶ୍ବରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ କଲେ ସାକ୍ଷାତ, ରାଜନୀତି ହଲଚଲ

Published: Apr 16, 2025, 3:50 pm IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଆଜି ସେ ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ହୋଇଛି। ସେତିକି ନୁହେଁ ସେ ଶ୍ରୀକାନ୍ତଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି।

ଅଖିଳେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଶ୍ରୀକାନ୍ତ ଜେନାଙ୍କ ସହିତ ବହୁ ପୁରୁଣା ସଂପର୍କ। ଆମେ ସବୁବେଳ ଦଳିତ ଓ ପଛୁଆ ବର୍ଗ ପାଇଁ ଲଝେଇ କରି ଆସୁଛି। ସେଥିପାଇଁ ମୁଁ ଓଡିଶା ଆସିଛି। ଶ୍ରୀକାନ୍ତ ଜେନାଙ୍କ ପରି ଜଣେ ନେତାଙ୍କ ସାହାଯ୍ୟ ନିଶ୍ଚିତ ଦରକାର। ଓଡିଶାରେ ଆମ ପାର୍ଟିର ସଂଗଠନ ସୁଦୃଢ ନାହିଁ। ଖବୁ ଶିଘ୍ର ଓଡିଶାରେ ସମାଜବାଦୀ ପାର୍ଟିର ସଂଗଠନକୁ ମଜବୁତ କରାଯିବ।

ଏହି କଥା କହିବା ପରେ ବର୍ତ୍ତମାନ ଓଡିଶା ରାଜନୀତିର ହଲଚଲ ହେବା ସହିତ କଂଗ୍ରେସ ରାଜନୀତିରେ ମଧ୍ୟ ବେଶ ଚର୍ଚ୍ଚା ଜାରୀ ରହିଛି। କାରଣ ଅଖିଲେଶଙ୍କ ଏପରି ମନ୍ତବ୍ୟ ପରେ ଅନୁମାନ କରି ହେଉଛି ଯେ, ଓଡିଶାର ବୋଧହୁଏ ସମାଜବାଦୀ ପାର୍ଟିର ମଙ୍ଗ ଶ୍ରୀକାନ୍ତ ଜେନା ଧରିବେ। ତେବେ ସେ କଂଗ୍ରେସରୁ ଇସ୍ତଫା ଦେବେ ବୋଲି ରାଜନୈତିକ ମହଲରେ ଆଶଙ୍କା କରୁଛନ୍ତି।

ସେପଟେ ଶ୍ରୀକାନ୍ତ ଘରେ ଅଖିଳେଶଙ୍କୁ ନେଇ କଂଗ୍ରେସ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସମାଜବାଦୀ ପାର୍ଟି ଇଣ୍ଡି ମେଣ୍ଟର ଏକ ଅଂଶୀଦାର। ତେଣୁ ସେଥିରେ କିଛି ଅସୁବିଧା ନାହିଁ ବୋଲି କେତେକ କଂଗ୍ରେସ ନେତା କହୁଛନ୍ତି। ହେଲେ ଅଖିଳେଶଙ୍କର ଓଡିଶାରେ ସମାଜବାଦୀ ପାର୍ଟିକୁ ସୁଦୃଢ କରିବା ନେଇ ଶ୍ରୀକାନ୍ତ ଘରେ ମନ୍ତବ୍ୟ ଦେବା କେତେକଙ୍କୁ ହଜମ କରିପାରି ନାହିଁ।

ଅଖିଲେଶ ତାଙ୍କ ସାଂସଦ ପତ୍ନୀ ଡିମ୍ପଲ ଯାଦବଙ୍କ ସହିତ ଓଡିଶା ଗସ୍ତରେ ଆସିଛନ୍ତି।

Related posts