
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣିଥରେ ଭାରତର ସମ୍ବିଧାନରେ ସ୍ଥାପିତ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ଏହାର ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସଂସଦ ସର୍ବୋଚ୍ଚ ଏବଂ ସମ୍ବିଧାନ କ’ଣ ହେବ ତାହା ସ୍ଥିର କରିବାକୁ ପ୍ରତିନିଧୀ (ସାଂସଦ) ଙ୍କ ଅନ୍ତିମ ଅଧିକାର ଅଛି, ସେମାନଙ୍କ ଉପରେ କେହି ରହିପାରିବେ ନାହିଁ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସଂସଦ ଦେଶର ସବୁଠାରୁ ବଡ ଅନୁଷ୍ଠାନ ଏବଂ ନିର୍ବାଚିତ ସାଂସଦମାନେ ନିଷ୍ପତ୍ତି ନେବେ ଯେ, ସମ୍ବିଧାନ କ’ଣ ହେବ। ସେ କହିଛନ୍ତି ଯେ, କୌଣସି ଅନୁଷ୍ଠାନ ସଂସଦ ଉପରେ ରହିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦୁଇଟି ନିଷ୍ପତ୍ତି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ, “ଥରେ କୋର୍ଟ କହିଥିଲେ ଯେ ସମ୍ବିଧାନର ପ୍ରିମ୍ବଲ୍ ଏହାର ଏକ ଅଂଶ ନୁହେଁ (ଗୋଲକନାଥ ମାମଲାରେ), ତେବେ ଅନ୍ୟ ଏକ ସମୟରେ ଏହା କହିଛି ଯେ, ସମ୍ବିଧାନର ଏକ ଅଂଶ (କେସବାନନ୍ଦ ଭାରତୀ ପ୍ରସଙ୍ଗରେ)।”
ଉପରାଷ୍ଟ୍ରପତି ଧନଖଡ଼ ଏହା ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ କଥାବାର୍ତ୍ତା ଏବଂ ଖୋଲା ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାବୁଥିବା ଲୋକମାନେ ନୀରବ ରୁହନ୍ତି, ତେବେ ଏହା କ୍ଷତି ଘଟାଇପାରେ। ସେ କହିଛନ୍ତି ଯେ, “ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଲୋକମାନେ ସର୍ବଦା ସମ୍ବିଧାନର ମୁତାବକ କଥା ହେବା ଉଚିତ୍। ଆମ ସଂସ୍କୃତି ଏବଂ ଭାରତୀୟତା ପାଇଁ ଆମେ ଗର୍ବିତ ହେବା ଉଚିତ୍। ଦେଶରେ ଅଶାନ୍ତି, ହିଂସା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଠିକ୍ ନୁହେଁ। ଯଦି ଆବଶ୍ୟକ ହୁଏ ତେବେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବା ଉଚିତ।”