ବଲ ଖେଳକୁ ନେଇ ନାବାଳକକୁ ମାରଣାନ୍ତକ ଆକ୍ରମଣ, ଦୁଇ ଯୁବକ ଗିରଫ

Published: May 20, 2025, 9:00 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ସିଦ୍ଧ ଭୈରବୀ ପୀଠ ନିକଟସ୍ଥ ମନ୍ତ୍ରୀଡି ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ ହୋଇଛି। ଜଣେ ନାବାଳକ ବଲ୍ ଖେଳୁଥିବା ବେଳେ ଉକ୍ତ ସାହିର ଗଣେଶ କର ନାମକ ଜଣେ ଯୁବକର ଗୋଡ଼ରେ ବାଜିଗଲା। ଯ’ଦ୍ଵାରା ଗଣେଶ ଉତକ୍ଷିପ୍ତ ହୋଇ ଖେଳୁଥିବା ନାବାଳକକୁ ନିର୍ଦ୍ଧୁମ ପିଟିଥିଲା।

ଏହି ବିଷୟକୁ ନେଇ ନାବାଳକର ମାଁ ଓ ଖୁଡି ଯାଇ ପଚାରିବାରୁ ଗଣେଶ ଓ ତା’ର ଭାଇ ରଞ୍ଜନ ଠେଙ୍ଗା ଧରି ଆସି ଉକ୍ତ ନାବାଳକକୁ ପୁଣି ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ଘଟଣାକୁ ନେଇ ଛୁଆର ବାପା ନାରାୟଣ ଶତପଥୀ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଗତକାଲି ଉକ୍ତ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts