ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ପଦରୁ ହଟିଲେ ଦେବ ପ୍ରସାଦ ଦାସ, ନୂଆ ହେଲେ…

Published: May 23, 2025, 11:29 pm IST

ଭୁବନେଶ୍ବର: ମାତ୍ର ମାସକ ପରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶ ପଦରୁ ହଟିଲେ ବରିଷ୍ଠ ଓଏଏସ ଦେବ ପ୍ରସାଦ ଦାସ। ସେ ଗତମାସ 22 ତାରିଖରେ ଏହି ପଦବୀରେ ନିଯୁକ୍ତି ହୋଇଥିଲେ। ହେଲେ ଆଜି ରାଜ୍ୟ ସରକାର ତାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଦେବ ପ୍ରସାଦ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ସହିତ ସୂଚନା ଓ ଲୋକ ସଂପର୍କର ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।

ବରିଷ୍ଠ ଓଏଏସ ଅନୁଜ ବର୍ତ୍ତମାନ ପିଏମ ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ଅଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସୁରେନ୍ଦ୍ର ପଣ୍ଡାଙ୍କୁ ପିଏମ ଓ ମୁଖ୍ୟମନ୍ତ୍ରୀ ପୋଷଣର ନୋଡାଲ ଅଧିକାରୀ କରାଯାଇଛି। ଟାଙ୍ଗିର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ପେନସନ ବିଭାଗରେ କାର୍ଯ୍ୟରତ ମିତାଲି ପାତ୍ରଙ୍କ ବଦଳି ହୋଇଛି। ସେ ମୟୁରଭଂଜର ସିଡିଏମ ଓ ପିଏଚଓ ର ପ୍ରଶାସକ ଭାବେ କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ ଗୁଣୁପୁର ଏବଂ ରାୟଗଡାର ଆଇଟିଡିଏର ପ୍ରୋଜେକ୍ଟ ଆସିଣ୍ଟାଣ୍ଡ ଥିବା ଅଜୟ କୁମାର ପ୍ରଧାନଙ୍କୁ ରାୟଗଡାରୁ ଅବ୍ୟାହତ ଦିଆଯାଇ କେବଳ ଗୁଣୁପୁରରେ କାର୍ଯ୍ୟ କରିବା ପାଇଁ ଦାୟିତ୍ବ ଦିଆଯାଇଛି।

Related posts