Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ର

ଭୁବନେଶ୍ୱର: ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ। ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି। ସେଥି ପାଇଁ ତାଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା ସହିତ ଗାନ୍ଧିଜୀଙ୍କର ନିବିଡ଼ ସଂପର୍କ ଥିଲା। ୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଆଗମନ ସମୟରେ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ। ଓଡ଼ିଶାରୁ ଫେରିଲା ପରେ ତାଙ୍କ ପୋଷାକ ବଦଳି ଯାଇଥିଲା। ଓଡ଼ିଶା ତାଙ୍କ ଚିନ୍ତା ଓ ଚେତନାକୁ ଗଭୀର ଭାବେ ପ୍ରଭାବିତ କରିଥିଲା।

ସେ ସମୟରେ ଓଡ଼ିଶାର ଦାରିଦ୍ର୍ୟ, ଦୁର୍ଭିକ୍ଷ ଓ ବ୍ୟାଧି ଦେଖି ତାଙ୍କ ଦ୍ୱାରା ସଂପାଦିତ ‘ୟଙ୍ଗ୍‌ ଇଣ୍ଡିଆ’ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଆଜି କିନ୍ତୁ ଆଉ ସେ ସମୟ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ସଫଳ ନେତୃତ୍ୱ ଏବଂ ଓଡ଼ିଶାବାସୀଙ୍କ ସହଯୋଗ ବଳରେ ଓଡ଼ିଶା ଆଜି ପ୍ରଗତି ଓ ଉନ୍ନତିର ଶିଖର ଛୁଇଁ ପାରିଛି ବୋଲି ସେ ମତପ୍ରକାଶ କରିଥିଲେ।

ଆଲୋଚନା ଚକ୍ରରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଓ ବକ୍ତା ଡ. ଅଭିରାମ ବିଶ୍ୱାଳ କହିଲେ ଯେ ଗାନ୍ଧିଜୀ ବିଶ୍ୱ ଦର୍ଶନର ଏକ ଅଂଶବିଶେଷ। ସେ ଥିଲେ ତାରୁଣ୍ୟ ଓ ଉର୍ଜାର ପ୍ରତୀକ ଏବଂ ପ୍ରଖର-ପ୍ରଚଣ୍ଡ ପ୍ରବକ୍ତା। ଗାନ୍ଧିଜୀଙ୍କ ମହିମାନ୍ୱିତ ଜୀବନ, ଆଦର୍ଶ ଏବଂ ଦର୍ଶନ ଭବିଷ୍ୟତର ଇତିହାସ ଓ ସମାଜ ପାଇଁ ଏକ ଅର୍ଥପୂର୍ଣ୍ଣ ଉପାଦାନ ହୋଇ ରହିଥିବ ଏବଂ ଆଗାମୀ ପିଢ଼ିଙ୍କୁ ସତ୍ୟ, ସରଳତା ଓ ଅହିଂସା ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଯୋଗାଉଥିବ ବୋଲି ପ୍ରକାଶ କରିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀ ପ୍ରହ୍ଲାଦ କୁମାର ସିଂହ ଓଡ଼ିଶା ସହ ଗାନ୍ଧିଜୀଙ୍କର ସଂପର୍କ ଏବଂ ଆଜିର ସମୟରେ ଗାନ୍ଧୀ ଦର୍ଶନର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ବିଶଦ ଆଲୋଚନା କରିଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ଅକେଫାବର ୨ ତାରିଖକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଏହା ଗାନ୍ଧିଜୀଙ୍କ ମହାନ ବ୍ୟକ୍ତିତ୍ୱକୁ ସୂଚିତ କରେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ସାଧାରଣ ମଣିଷ ନଥିଲେ। ସେ ଜଣେ ଅତିମାନବ ଥିଲେ। ଯେପର୍ଯ୍ୟନ୍ତ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଗାନ୍ଧିଜୀ ସାମାଜିକ କ୍ରାନ୍ତିର ସୂର୍ଯ୍ୟ ହୋଇ ରହିବେ ବୋଲି ସେ ମତ ଦେଇଥିଲେ।

ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା। ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାନ୍ଧୀ ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଊତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧୀ ଚେତନା ଓ ଗାନ୍ଧୀ ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧୀଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା, ସାଧାରଣ ସଭା, ବିଶ୍ରାମସ୍ଥଳୀ ଆଦିର ଦୁର୍ଲଭ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହେଉଛି।

ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ୩ ତାରିଖ ଦିନ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ସେହିପରି ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ସର୍ବସାଧାରଣଙ୍କ ନିମନ୍ତେ ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ସହିତ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ, ହରପ୍ରସାଦ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ରାଜ୍ୟ ସରକାରଙ୍କ ସୂଚନା ଅଧିକାରୀମାନେ ଡିଜିଟାଲ ମିଡିଆ ସହ ତାଳ ଦେଇ କରିବେ କାମ

ଭୁବନେଶ୍ୱର, ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି ସାଙ୍ଗକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ସରକାରଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ୱ ଦେବାକୁ  ସଚିବ ଉଲ୍ଲେଖ କରିଥିଲେ ।

ବିଭାଗୀୟ କାର୍ଯ୍ୟକୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ ଏବଂ ବିଭାଗକୁ କ୍ରିୟାଶୀଳ କରିବାରେ ସୂଚନା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଥିଲେ । ବିଗତ ଦିନର ଅଭିଜ୍ଞତାକୁ ନେଇ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ସୂଚନା ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋରୋନା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପୁରୀ ଗଜପତି , ବିଦେଶରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ପଂଜୀକରଣ ପାଇଁ ନିବେଦନ

ଭୁବନେଶ୍ବର : କରୋନା ଭାଇରସ୍‌ ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ ରାଜ୍ୟକୁ ଆସୁଥିବା ବିଦେଶୀ ନାଗରିକଙ୍କ ପଞ୍ଜୀକରଣ ସମେତ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବାଗ୍‌ଚୀ ସୂଚନା ଦେଇଥିଲେ।

୧. ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ ଦେଶର ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

୨. ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବାବେଳେ ୩ ଜଣଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇଛି।

୩.ଏ ପର୍ଯ୍ୟନ୍ତ ୦-୯ ବର୍ଷ ବୟସର କୌଣସି ଶିଶୁଙ୍କର କରୋନା ଭୂତାଣୁ ଯୋଗୁଁ ମୃତୁ୍ୟ ହୋଇନାହିଁ।

୪. ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ପଞ୍ଜୀକରଣ କରିଛନ୍ତି । ସେହିପରି ୧୦୪ ସହାୟତା ନମ୍ବର ଜରିଆରେ ୫୫୪ ଜଣ ଏବଂ ୱେବ୍‌ସାଇଟ୍‌ରେ ୬୮୫ ଜଣ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଏବଂ ଜନସାଧାରଣ ଏହାର ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।

୫.ଆମେରିକାରୁ ଫେରିଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଓ ପରିବାରବର୍ଗ ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକରଣ କରିବା ସହ ୧୪ ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

୬.ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ହସ୍ତଗତ ୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍‌ ଆସିଥିବାବେଳେ ଯେଉଁ ଜଣଙ୍କଠାରେ ପଜିଟିଭ୍‌ ଆସିଛି ସେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

୭.ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ୍‌ କଲେଜ୍‌-ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

୮.ବର୍ତ୍ତମାନ ସୁଦ୍ଧା ୫୪୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ରହିଛି ।

୯.ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବ୍ଲକ୍‌ସ୍ତରରେ କ୍ୱାରାଣ୍ଟାଇନ୍‌ର ସୁବିଧା ନିମନ୍ତେ ଚିହ୍ନଟ ହୋଇଥିବା ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।

୧୦.ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନ୍‌କୁ ୧୦ ହଜାରରୁ ଉର୍ଦ୍ଧ୍ବ କଲ୍‌ ଆସିଛି । ଏହି କଲ୍‌ ସେଣ୍ଟରର କଳେବର ବୃଦ୍ଧି ସହ ଏହାକୁ ଅଧିକ ବ୍ୟାପକ କରିବା ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବ ଡ. କି୍ରଷନ୍‌ କୁମାରଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ।

୧୧. ଘରୋଇ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ କରୋନା କେନ୍ଦ୍ର ସ୍ଥାପନ କରିବା, ଆବଶ୍ୟକୀୟ ପ୍ରୋଟୋକଲ୍‌ ପାଳନ ସହ ଅନାବଶ୍ୟକ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୧୨. ସପିଂ ମଲ୍‌ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରା ନଯାଇ ଖାଦ୍ୟ ଓ ଗ୍ରୋସୋରୀ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦିର ବିକି୍ରବଟା କରାଯିବ । ତେବେ ଆବଶ୍ୟକ ନପଡ଼ିଲେ ମଲ୍‌କୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି ।

୧୩. ବ୍ୟାଙ୍କଗୁଡ଼ିକରେ ଗହଳି କମାଇବା ସହିତ ନିୟମିତ ଭାବରେ ଏଟିଏମ୍‌ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।

୧୪. ରାଜ୍ୟରେ ଆଶ୍ରମ ସ୍କୁଲଗୁଡ଼ିକର ଛାତ୍ରାବାସରେ ୫ ଲକ୍ଷ ୭୫ ହଜାର ଅନ୍ତେବାସୀ ରହିଛନ୍ତି । ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛି ।

୧୫. ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଘରେ ବିନା ବାୟୋମେଟି୍ରକ୍‌ରେ ମଧ୍ୟ ରାସନ୍‌ ସାମଗ୍ରୀ ଯୋଗାଇ ଦିଆଯିବ ।

୧୬.ଗ୍ରାମପଞ୍ଚାୟତ ସ୍ତରରେ ଚଳିତ ମାର୍ଚ୍ଚ ୧୯, ପଞ୍ଚାୟତ ସମିତି ସ୍ତରରେ ୨୦ ଏବଂ ଜିଲ୍ଲା ପରିଷଦ ପାଇଁ ୨୧ ତାରିଖ ତିନିଦିନ ଧରି ସଚେତନତା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ସେମାନଙ୍କୁ ସଂପୂର୍ଣ୍ଣ ଅବଗତ କରାଯିବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।