ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଖଳାସୁଣି ବନ୍ୟପ୍ରାଣୀ ବନାଞ୍ଚଳ ପେଣ୍ଡରାଖୋଲ ବନ୍ୟପ୍ରାଣୀ ବିଟ୍ ର ଖଳାସୁଣୀ ରିଜର୍ଭ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟ ହୋଇଥିବା ଜଣା ପଡିଛି. ହାତୀ ଟି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଜରା ବ୍ୟାଧି ଜନିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ମଇ ରେ ହାତୀଟି ଖଳା ସୁଣି ରିଜର୍ଭ ଜଙ୍ଗଲର କମ୍ପାଟମେଣ୍ଟ ନଂ ୨୪ରେ ଚଲାବୁଲା କରୁଥିବାର ବନବିଭାଗ ଦେଖିଥିଲା। ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣି ପାରି ହାତୀ ସ୍କ୍ୱାର୍ଡ ମାନେ ପ୍ରତିଦିନ ତାକୁ ନିରୀକ୍ଷଣ କରୁଥିଲେ। ହାତୀଟି ଚରା ବୁଲା କରୁଥିବା ସମୟରେ ଏକ ଖାଲରେ ଖସି ପଡିଥିଲା। ସେ ଉଠି ନ ପାରିବାରୁ ରେଞ୍ଜ ଅଫିସକୁ ହାତୀ ସ୍କ୍ୱାଡ଼ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଦେବଗଡ଼ ମୋବାଇଲ୍ ପ୍ରାଣୀ ଚିକିତ୍ସକ ଟିମ୍ ସହ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଚିକିତ୍ସା କରିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦିନ ୨ ଘଟିକା ସମୟରେ ମାଈ ହାତୀଟି ମୃତ୍ୟୁ ବରଣ କରିଥିଲା। ଆଜି ଡ଼ିଏଫଓ ବାମରାସମୀର କୁମାର ସାହୁ, ଏସିଏଫ ଆଲୋକ ଷଡ଼ଙ୍ଗୀ, ରେଞ୍ଜ ଅଫିସର ମହେନ୍ଦ୍ର କୁମାର ସାହୁ ଙ୍କ ଉପସ୍ଥିତିରେ ବିଭିଓ ନାକଟିଦେଉଳ,ବିଭିଓ ରେଢ଼ାଖୋଲ ଓ ଭିଏ ଏସ ଭୋଜପୂର୍ ଶବ ବ୍ୟବଚ୍ଛେଦ କରିଥିଲେ।
ବ୍ୟବଚ୍ଛେଦ ପରେ ଘଟଣା ସ୍ଥଳରେ ଦେହାବଶେଷ କୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତି ଦିଆଯାଇଥିବା କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।