
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜି ଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨ହଜାର ୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦର ଦେଶର କୃଷି କ୍ଷେତ୍ର ଅଧିକ ସମୃଦ୍ଧ ହେଉ ବୋଲି କାମନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ। ଚାଷୀମାନେ ଦେଶର ଖାଦ୍ୟାନ୍ନ ଭଣ୍ଡାର ଭରୁଛନ୍ତି। ଚାଷୀମାନଙ୍କ ଘର ମଧ୍ୟ ଯେପରି ଖାଲି ନରହିବ, କୃଷି ଲାଭଜନକ ବେଉସା ହେବ ଏବଂ ସେମାନେ ନିଜ ଫସଲର ଲାଭଜନକ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଆଜି ଦେଶରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି। ଧାନ, ଗହମ ହେଉ କିମ୍ବା ମକା, ସବୁ ଖାଦ୍ୟ ଶସ୍ୟ ଦେଶରେ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତେବେ ଏତିକିରେ ସୀମିତ ନରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ ରହିଛି। ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କ ପେଟ ଭରିବା ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଖାଦ୍ୟଶସ୍ୟ ଓ ପନିପରିବା ପଠାଇବା ଲାଗି ଦେଶର ଚାଷୀଙ୍କୁ ସକ୍ଷମ କରିବାକୁ ହେବ ବୋଲି ଶ୍ରୀ ଚୌହାନ କହିଥିଲେ ।
କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି କହିଥିଲେ, ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହିତ ଖର୍ଚ୍ଚ କମାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ। ସେଥିପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଜରିଆରେ କୃଷି ଋଣ ଉପରେ ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଭାଗ ମିଶିଲେ ଏହି ରିହାତି ଶୂନ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। କୃଷି କ୍ଷେତ୍ର ପାଇଁ ଳସେଚନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଓଡ଼ିଶା ସରକାର ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ। ଶ୍ରୀ ଚୌହାନ କହିଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହେଉଥିବା ଫସଲ ପାଇଁ କ୍ଷତିପୂରଣ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରାଯାଇଛି। ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀ ଆଦିର ଗୁଣବତ୍ତାକୁ ସେ ପ୍ରଂଶସା କରିଥିଲେ।
ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବାକୁ ଚାଷୀମାନଙ୍କୁ ଆହ୍ୱାନ କରି ଶ୍ରୀ ଚୌହାନ କହିଥିଲେ, ପରୀକ୍ଷାଗାରରେ ବୈଜ୍ଞାନିକମାନଙ୍କୁ ଚାଷୀଙ୍କ ସହ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। କେବଳ ଆଇସିଏଆର ନିକଟରେ ଥିବା ୧୬ହଜାରରୁ ଅଧିକ କୃଷି ବୈଜ୍ଞାନିକ ଚାଷୀଙ୍କ ସହ ମତବିନିମୟ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ସଂଗମ ହୋଇପାରିଲେ କୃଷି କ୍ଷେତ୍ରରେ ଆହୁରି ସମୃଦ୍ଧି ଆସିପାରିବ। ଅଧିକ ଦ୍ରୁତ ଗତିରେ ଫସଲ ଉତ୍ପାଦନ ବୃଦ୍ଧି ହୋଇପାରିବ। ଏହି ଅଭିଯାନରେ ବୈଜ୍ଞାନିକମାନେ ପ୍ରତି ଗାଁକୁ ଯାଇ ସେଠାରେ ପ୍ରାକୃତିକ ଓ ଭୌଗଳିକ ସ୍ଥିତି ଅନୁଯାୟୀ କୃଷି ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବେ ଏବଂ ସେମାନଙ୍କର ସମସ୍ୟା ବିଷୟରେ ତଥ୍ୟ ସଂଗ୍ରହ କରି ସେଗୁଡ଼ିକର ସମାଧାନ ଯୋଗାଇଦେବେ ବୋଲି ଶ୍ରୀ ଚୌହାନ କହିଥିଲେ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାରୁ ଆରମ୍ଭ ହେବା ଗୌରବର ବିଷୟ। ସେ ଏହି ଅଭିଯାନର ସଫଳତା କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ସେ ଆହୁରି କହିଥିଲେ, ଦିନକୁ ଦିନ ଚାଷ ଜମି ସଂକୁଚିତ ହେଉଥିବାରୁ ଚିରାଚରିତ ପଦ୍ଧତିରେ ଚାଷ କରି ଅଧିକ ଫସଲ ଅମଳ କରିବା ସମ୍ଭବ ନୁହେଁ। ନୂତନ କୃଷି ଜ୍ଞାନକୌଶଳ ସହାୟତାରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ଭାରତ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଓଡ଼ିଶା ମଧ୍ୟ ଧାନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି। କିନ୍ତୁ ପନିପରିବା, ଡାଲି, ତୈଳବୀଜ, ଅଣ୍ଡା ଇତ୍ୟାଦି ପାଇଁ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏ ଦିଗରେ ଅଧିକ ପ୍ରୟାସ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଏମଏସପିରେ କିଣାଯାଉଛି। ରାଜ୍ୟ ସରକାର ଏଥିପାଇଁ ୮୦୦ ଟଙ୍କାର ଇନପୁଟ୍ ସହାୟତା ଦେଉଛନ୍ତି। ସେହିପରି ରାଜ୍ୟରେ ପିଏମ କିଷାନ ଏବଂ ସିଏମ କିଷାନ ଯୋଜନା କାର୍ଯ୍ୟକାରୀ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷରୁ ଅଧିକ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଠାରେ ଏକ ଆମ୍ବ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୫ ଦିନିଆ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୧୬ ହଜାର ବୈଜ୍ଞାନିକଙ୍କୁ ନେଇ ୨୧୭୦ଟି ଦଳ ଗଠନ କରାଯାଇଛି। ଏହି ବୈଜ୍ଞାନିକମାନେ ଗାଁକୁ ଗାଁ ଯାଇ ପ୍ରାୟ ଦେଢ଼ କୋଟି କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗ୍ରାମ ପରିଦର୍ଶନ କରିବେ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ। ବୈଜ୍ଞାନିକମାନେ ସିଧାସଳଖ ବାର୍ତ୍ତାଳାପ ମାଧ୍ୟମରେ କୃଷକମାନଙ୍କ ବ୍ୟବହାରିକ ସମସ୍ୟାର ସମାଧାନ କରିବେ। କୃଷି କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଅଧିକ ଗବେଷଣାର ଦିଗ ମଧ୍ୟ ସ୍ଥିର କରାଯିବ।