
ବାଣପୁର: ପଶ୍ଚିମବଙ୍ଗ ସ୍ଥିତ ନୌସେନାରେ କାର୍ଯ୍ୟରତ ଦେବରାଜ ମହାରଣାଙ୍କ ପାର୍ଥିବ ଶରୀରକୁ ଆଜି ବାଣପୁର ଠାରେ ମହା ଆଡମ୍ବରରେ ବଜାର ପରିକ୍ରମା କରାଯାଇ ତାଙ୍କ ପୈତୃକ ଗ୍ରାମ ଗାଲୁଆ ଠାରେ ଅନ୍ତିମସତ୍କାର କରାଯାଇଛି। ପ୍ରକାଶ ଥାଉ କି ସ୍ବର୍ଗତ ଯୋଗେନ୍ଦ୍ର ମହାରଣାଙ୍କ ସର୍ବ କନିଷ୍ଠ ପୁତ୍ର ଥିଲେ ଦେବରାଜ। ୧୯୯୪ ମସିହାରେ ଦେଶମାତୃକାର ସେବା ପାଇଁ ସେ ନୌସେନାର ତଟରଖି ବାହିନୀରେ ଯୋଗଦେଇ ସେ ୧୯୯୪ରେ ବେଷ୍ଟ କ୍ୟାଡେଟ ଭାବେ ଚିଲିକା ସ୍ଥିତ ଆଇଏନଏସ ଚିଲିକାରେ ସମ୍ମାନିତ ହୋଇଥିଲେ। ପରେ ସେ ବିଭିନ୍ନ ଜଳ ଜାହାଜରେ ଭାରତ ମହାସାଗର ଓ ଆରବ ସାଗର ଭଳି ଜଳ ପଥରେ ଭାରତର ସୁରକ୍ଷା ପାଇଁ କାର୍ଯ୍ୟକରିଛନ୍ତି।
ସେ ଡାମନଡିଉ ମୁମ୍ବାଇ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଚେନ୍ନାଇ ଓ କୋଲକାତା ଆଦି ସ୍ଥାନରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର କୋଲକାତାରେ କାର୍ଯ୍ୟରତ ଥିଲେ। କିଛିଦିନ ହେବ ସେ ମଧୁମେହ ରୋଗରେ ପିଡିତ ଥିଲେ କିନ୍ତୁ ଡିଉଟିରୁ ଅବ୍ୟାହତ ନେଇ ନ ଥିଲେ। ଗତ ୬ ତାରିଖରେ ସେ କୋଲକାତାର କମାଣ୍ଡୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ। ସେଠାରେ ତାଙ୍କର ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା।
ଆଜି ତାଙ୍କର ପାର୍ଥିବ ଶରୀରକୁ ବାଣପୁରର ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଓକିଲ, ଜନ ପ୍ରତିନିଧି ଓ ଜନ ସାଧାରଣ ସାମିଲ ହୋଇ ବାଣପୁର ବିଷରପାଟଣା ଛକ ଠାରୁ ତାଙ୍କର ପୈତୃକ ଗ୍ରାମ ଗାଲୁଆ ଗ୍ରାମ ପର୍ଯନ୍ତ ନେଇଥିଲେ। ସେଠାରେ ତାଙ୍କୁ ନୌସେନାର ଅଧିକାରୀ, ବହୁ ପଞ୍ଚାୟତ ପ୍ରତିନିଧି, ବାଣପୁର ଥାନା ଅଧିକାରୀ, ଚିଲିକା ସାହିତ୍ୟ ସମାଜର ସଭାପତି ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଓ ସଭ୍ୟମାନେ ପୁଷ୍ପମାଳ ଦେଇ ଶେଷ ସମ୍ମାନ ଜଣାଇଥିଲେ।
ଏକମାତ୍ର ପୁତ୍ର ସନ୍ଦୀପ ମହାରଣା ମୁଖାଗ୍ନୀ ଦେଇ ଥିଲେ। ପୁତୁରା ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବୀର ପୁତ୍ରକୁ ହରାଇ ବାଣପୁରରେ ଶୋକର ଛାୟା ଖେଳି ଯାଇଛି।