ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ‘ତ୍ରିଭୁବନ ସହକାରୀ ୟୁନିଭର୍ସିଟି’ ପାଇଁ ଭୂମି ପୂଜନ କଲେ ଅମିତ ଶାହ

Published: Jul 5, 2025, 9:14 pm IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଆଣନ୍ଦଠାରେ ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ, ‘ତ୍ରିଭୁବନ ସହକାରୀ ୟୁନିଭର୍ସିଟୀ ପାଇଁ ଭୂମିପୂଜନ କରିଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବ ଡକ୍ଟର ଆଶିଷ କୁମାର ଭୁଟାନିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି, ଆଜି ସମବାୟ କ୍ଷେତ୍ର ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଭୁବନ ଦାସ ପଟେଲ ଜୀଙ୍କୁ ପ୍ରକୃତ ଅର୍ଥରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚାରି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଗରିବ ଏବଂ ଗ୍ରାମବାସୀଙ୍କ ଜୀବନରେ ଆଶା ସଞ୍ଚାର କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବରେ ସମୃଦ୍ଧ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରିଥିଲେ। ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା ହେବା ପରଠାରୁ ଗତ ଚାରି ବର୍ଷ ମଧ୍ୟରେ ଏହି ମନ୍ତ୍ରଣାଳୟ ଭାରତରେ ସମବାୟ କ୍ଷେତ୍ରର ବିକାଶ, ପ୍ରୋତ୍ସାହନ ଏବଂ ସମାନ ଅଭିବୃଦ୍ଧି ପାଇଁ ୬୦ଟି ନୂତନ ପଦକ୍ଷେପ ଗ୍ରହଣ କରିଛି। ସମବାୟ ଆନ୍ଦୋଳନକୁ ଦୀର୍ଘସ୍ଥାୟୀ, ସ୍ୱଚ୍ଛ, ସାର୍ବଜନୀନ କରିବା, ଏହାକୁ ବିକଶିତ କରିବା, ସହଯୋଗ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ ସମବାୟ ଆନ୍ଦୋଳନରେ ମହିଳା ଶକ୍ତି ଓ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଏହି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ଆଜି ଆଣନ୍ଦରେ ଭାରତର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ, “ତ୍ରିଭୁବନ ସହକାରୀ ୟୁନିଭର୍ସିଟି’’ର ଶିଳାନ୍ୟାସ କରାଯାଇଛି। ୧୨୫ ଏକରରୁ ଅଧିକ ସ୍ଥାନରେ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ସେ ଆହୁରି କହିଛନ୍ତି ଯେ “ତ୍ରିଭୁବନ ସହକାରୀ ୟୁନିଭର୍ସିଟି’’ର ଶିଳାନ୍ୟାସ ସମବାୟ କ୍ଷେତ୍ରକୁ ସୁଦୃଢ଼ ​​କରିବାରେ ସମସ୍ତ ଅଭାବ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ସମବାୟ ଆନ୍ଦୋଳନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଏ ଦିଗରେ ଏକ କ୍ରାନ୍ତିକାରୀ ପଦକ୍ଷେପ। ଆଜି ସାରା ଦେଶରେ ସମବାୟ ଆନ୍ଦୋଳନ ସହିତ ୪୦ ଲକ୍ଷ କର୍ମୀ, ୮୦ ଲକ୍ଷ ବୋର୍ଡର ସଦସ୍ୟ ଏବଂ ୩୦ କୋଟି ଲୋକ ଜଡ଼ିତ। ଅର୍ଥାତ୍ ଦେଶର ଚାରି ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସମବାୟ ଆନ୍ଦୋଳନ ସହ ସମ୍ପୃକ୍ତ ରହିଛି।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ସମବାୟ କ୍ଷେତ୍ରର ବିକାଶ ପାଇଁ କର୍ମଚାରୀ ଏବଂ ସମବାୟ ସମିତିର ସଦସ୍ୟମାନଙ୍କୁ ତାଲିମ ଦେବା ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିଲା। ସମବାୟ କ୍ଷେତ୍ରରେ ନିଯୁକ୍ତି ପରେ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଥିଲା, କିନ୍ତୁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ କେବଳ ତାଲିମ ନେଇଥିବା ବ୍ୟକ୍ତିମାନେ ଚାକିରି ପାଇବେ। ଏହା ଫଳରେ ସମବାୟ କ୍ଷେତ୍ରରେ ପରିବାରବାଦ ଶେଷ ହେବ, ସ୍ୱଚ୍ଛତା ଆସିବ।

ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟରୁ ପଢ଼ୁଥିବା ଯୁବକଯୁବତୀମାନେ ଏହି କ୍ଷେତ୍ରରେ ଚାକିରି ପାଇବେ। ଏହି ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି କେବଳ ବୈଷୟିକ ବିଶେଷଜ୍ଞତା, ହିସାବ, ବୈଜ୍ଞାନିକ ଆଭିମୁଖ୍ୟ ଏବଂ ବିପଣନର ସମସ୍ତ ଗୁଣ ଶିଖିବେ ନାହିଁ, ବରଂ ସେମାନେ ସମବାୟର ମୂଲ୍ୟବୋଧ ମଧ୍ୟ ଶିଖିବେ। ସମବାୟ ଆନ୍ଦୋଳନ ଦେଶର ଦଳିତ, ଆଦିବାସୀ ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଣି ପାରିବେ। ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ସମବାୟ କ୍ଷେତ୍ରର ଅନେକ ସମସ୍ୟାର ସମାଧାନ ହେବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।

ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨ ଲକ୍ଷ ନୂତନ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ୬୦ ହଜାର ନୂତନ ପ୍ୟାକ୍ସ ଗଠନ କରାଯିବ। ସେ କହିଥିଲେ ଯେ କେବଳ ୨ ଲକ୍ଷ ପ୍ୟାକ୍ସରେ ୧୭ ଲକ୍ଷ କର୍ମଚାରୀ ରହିବେ। ସେହିପରି ଅନେକ ଜିଲ୍ଲା ଡାଏରୀ ପ୍ରତିଷ୍ଠା କରାଯାଉଛି ଏବଂ ଏସବୁ ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ତ୍ରିଭୁବନ ସହକାରୀ ୟୁନିଭର୍ସିଟି ଦ୍ୱାରା ପୂରଣ କରାଯିବ। ଏହି ବିଶ୍ୱବିଦ୍ୟାଳୟ ସମବାୟ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ, ତଥ୍ୟ ବିଶ୍ଳେଷଣ ଏବଂ ଦେଶରେ ସମବାୟ ବିକାଶ ପାଇଁ ୫ ବର୍ଷ, ୧୦ ବର୍ଷ ଏବଂ ୨୫ ବର୍ଷିଆ ରଣନୀତି ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରିବ।

ସେ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ସହିତ ଗବେଷଣାକୁ ମଧ୍ୟ ଯୋଡାଯାଇଛି। ଏହା କେବଳ ସମବାୟ କର୍ମଚାରୀଙ୍କୁ ପ୍ରସ୍ତୁତ କରିବ ନାହିଁ ବରଂ ଭବିଷ୍ୟତରେ ସମବାୟ କ୍ଷେତ୍ରର ନେତୃତ୍ୱ ନେବ। ଏହି ଶିକ୍ଷାନୁଷ୍ଠାନ ତ୍ରିଭୁବନ ଦାସ ଜୀଙ୍କ ଭଳି ଉତ୍ସର୍ଗୀକୃତ ସମବାୟ ନେତା ମଧ୍ୟ ସୃଷ୍ଟି କରିବ। ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ସମବାୟକୁ ବିଷୟ ଭାବରେ ଯୋଡିଛି। ଗୁଜରାଟ ସରକାର ମଧ୍ୟ ତାଙ୍କ ପାଠ୍ୟକ୍ରମରେ ସମବାୟ ବିଷୟ ଯୋଡିବା ଉଚିତ ଯାହା ଦ୍ଵାରା ସାଧାରଣ ଲୋକମାନେ ସମବାୟ ବିଷୟରେ ଜାଣିପାରିବେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ତ୍ରିଭୁବନ ସହକାରୀ ୟୁନିଭର୍ସିଟିକୁ ତ୍ରିଭୁବନ ଦାସ କିଶି ଦାସ ପଟେଲଙ୍କ ନାମରେ ନାମିତ କରାଯାଇଛି। ସେ କହିଛନ୍ତି ଯେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ଗବେଷଣା ଏବଂ ସହଯୋଗୀ ସଂଘୀୟ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମବାୟ ବିଶ୍ୱବିଦ୍ୟାଳୟର ଅଧାରଶୀଳା ସ୍ଥାପନ କରାଯାଇଛି। ତ୍ରିଭୁବନ ଦାସ ପଟେଲଙ୍କ ଛାଡ଼ି ଦେଲେ ବିଶ୍ୱବିଦ୍ୟାଳୟ ପାଇଁ ଆଉ କୌଣସି ଉପଯୁକ୍ତ ନାମ ନାହିଁ। ସେ କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ମାର୍ଗଦର୍ଶନରେ ତ୍ରିଭୁବନ ଦାସ ଜୀ ଏହି ଭୂମିରେ ଏକ ନୂତନ ବିଚାରର ବୀଜ ବୁଣିଥିଲେ। ତ୍ରିଭୁବନ ଦାସ ଜୀ ଦୁଗ୍ଧ ସଂଗ୍ରହକାରୀଙ୍କର ଏକ ଛୋଟ ଗୋଷ୍ଠୀ ଗଠନ କରିଥିଲେ। ଏହା ମାଧ୍ୟମରେ ସେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ବିଶାଳ ଅଭିଯାନ ଚଳାଇଥିଲେ। ୧୯୪୬ ମସିହାରେ ଖେଡା ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ପ୍ରତିଷ୍ଠିତ ହୋଇଥିଲା ଏବଂ ଆଜି ତ୍ରିଭୁବନ ଦାସଙ୍କ ଦ୍ୱାରା ବପନ କରାଯାଇଥିବା ବୀଜ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ଏଥିରେ ୩୬ ଲକ୍ଷ ଭଉଣୀ ୮୦ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେହି ୧୦୦ ଟଙ୍କାରୁ ଅଧିକ ନିବେଶ କରିନାହାନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ପୋଲସନ ଡାଏରୀର ଶୋଷଣ ନୀତି ସାମ୍ନାରେ ସମବାୟ ସଂଗଠନର ଶକ୍ତିକୁ ଠିଆ କରିବାର କାମ ତ୍ରିଭୁବନ ଦାସ ଜୀ କରିଥିଲେ। ଆଜି ଅମୂଲ ବିଶ୍ୱର ସବୁଠାରୁ ମୂଲ୍ୟବାନ ଖାଦ୍ୟ ସାମଗ୍ରୀ ବ୍ରାଣ୍ଡ ଭାବରେ ଉଭା ହୋଇଛି। ତ୍ରିଭୁବନ ଦାସ ଜୀଙ୍କ ଦୃଷ୍ଟିକୋଣ ଯୋଗୁଁ, ଆଜି ଆମ ଦେଶର ସମବାୟ ଦୁଗ୍ଧ ଉତ୍ପାଦନ ବିଶ୍ୱର ଘରୋଇ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୁକାବିଲା କରିପାରୁଛି । ଜଣେ ସମବାୟ ନେତା ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କାର୍ଯ୍ୟ କଲେ ରାଷ୍ଟ୍ର ନିର୍ମାଣ ଏବଂ ଜାତୀୟ ସମୃଦ୍ଧିରେ ସେମାନଙ୍କର ଅବଦାନ ଅପାର ହୋଇପାରେ। ତ୍ରିଭୁବନ ଦାସ ଜୀ ତାଙ୍କ ଉତ୍ସର୍ଗୀକୃତ ପ୍ରୟାସ ମାଧ୍ୟମରେ ଏହାର ଏକ ଆଦର୍ଶ ଉଦାହରଣ ସ୍ଥାପନ କରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବେ ଭବନ୍ତୁ ସୁଖିନଃ ଆମ ଦେଶର ମୌଳିକ ଆଦର୍ଶ ଏବଂ ସଂସ୍କୃତିର ଆଧାର। ଏହି ଆଦର୍ଶରୁ ହିଁ ସମବାୟର ଭାବନା ଉଭା ହୋଇଛି। ଏହି ସଂସ୍କୃତି କେବଳ ଆର୍ଥିକ କଲ୍ୟାଣକୁ ପ୍ରୋତ୍ସାହିତ କରେ ନାହିଁ ବରଂ ମାନବ କଲ୍ୟାଣ, ପ୍ରାଣୀଙ୍କ କଲ୍ୟାଣ ଏବଂ ପରିବେଶ ସଂରକ୍ଷଣରେ ମଧ୍ୟ ଯୋଗଦାନ ଦିଏ। ବର୍ତ୍ତମାନ ଗରିବ ଲୋକଙ୍କ ଉନ୍ନତି ପାଇଁ ମଧ୍ୟ ଦେଶ ଏହି ଭାବନାର ପ୍ରଭାବକୁ ବିସ୍ତାର କରୁଛି। ସେ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ୩୦ କୋଟି ସଦସ୍ୟ ବିଶିଷ୍ଟ ସମବାୟ ଆନ୍ଦୋଳନରେ ଶିକ୍ଷା, ତାଲିମ ଏବଂ ନବସୃଜନର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କାର୍ଯ୍ୟ କରିବ। ଏହା ମଧ୍ୟ ନୀତି ଗଠନ, ନବସୃଜନ, ଗବେଷଣା ଏବଂ ତାଲିମ ସହିତ ଦେଶବ୍ୟାପୀ ସମବାୟ ପ୍ରତିଷ୍ଠାନଗୁଡ଼ିକର ତାଲିମ ପାଇଁ ଏକ ସମାନ ପାଠ୍ୟକ୍ରମ ପ୍ରସ୍ତୁତ କରି ସମଗ୍ର ଦେଶରେ ସମବାୟକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବ। ବିଶ୍ୱବିଦ୍ୟାଳୟ ପ୍ରତିଭାମାନଙ୍କୁ ଏକ ମଞ୍ଚ ମଧ୍ୟ ପ୍ରଦାନ କରିବ ଏବଂ ଏଠାରୁ ସମବାୟର ନୀତି ପ୍ରସ୍ତୁତ କରାଯିବ ଯାହା ସମସ୍ତଙ୍କୁ ମାର୍ଗଦର୍ଶନ କରିବ। ଏହି ବିଶ୍ୱବିଦ୍ୟାଳୟ ୨ ଲକ୍ଷ ନୂତନ ଏବଂ ୮୫ ହଜାର ପୁରୁଣା ପ୍ୟାକ୍ସ ମାଧ୍ୟମରେ ସମସ୍ତ ଯୋଜନାକୁ ଭୂମିରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।

ସମବାୟ ମନ୍ତ୍ରୀ ଶ୍ରୀ ଶାହ ଶେଷରେ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ଆମର ସମବାୟ ଆନ୍ଦୋଳନ କ୍ଷେତ୍ରରେ ରହିଥିବା ବୃହତ ଶୂନ୍ୟସ୍ଥାନକୁ ପୂରଣ କରିବ। ଏହାଦ୍ୱାରା ସମବାୟ ଆନ୍ଦୋଳନ ସମୃଦ୍ଧ ହେବ, ବୃଦ୍ଧି ପାଇବ ଏବଂ ଭାରତ ସମଗ୍ର ବିଶ୍ୱରେ ସମବାୟର ଏକ ଗଡ଼ ହେବ। ‘ତ୍ରିଭୁବନ ସହକାରୀ ୟୁନିଭର୍ସିଟିରେ ପ୍ରସ୍ତୁତ ନୀତି ଏବଂ ପାଠ୍ୟକ୍ରମ ସମବାୟର ଆର୍ଥିକ ମଡେଲକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ କାର୍ଯ୍ୟ କରିବ। ସେ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ସବୁ ବଡ଼ ସମବାୟ ପ୍ରତିଷ୍ଠାନ ପାଇଁ ଯୋଗ୍ୟ କର୍ମଚାରୀ ଯୋଗାଇବ। ‘‘ଆମେ ସମବାୟ ଟ୍ୟାକ୍ସି ଆଣିବାକୁ ଚାହୁଁଛୁ, ଆମେ ଏକ ସମବାୟ ବୀମା କମ୍ପାନୀ ମଧ୍ୟ ସୃଷ୍ଟି କରିବାକୁ ଚାହୁଁଛୁ, ତେଣୁ ଆମକୁ ପ୍ରତ୍ୟେକ କ୍ଷେତ୍ରର ବିଶେଷ ଜ୍ଞାନ ଥିବା ଅଧିକାରୀ, କର୍ମଚାରୀ ଏବଂ ସମବାୟ ନେତାଙ୍କ ମଧ୍ୟ ଆବଶ୍ୟକତା ଅଛି,’’ ବୋଲି ଶ୍ରୀ ଶାହ କହିଛନ୍ତି। ସାରା ଦେଶର ସମବାୟ ତାଲିମ ବିଶେଷଜ୍ଞମାନେ ଏହି ବିଶ୍ୱବିଦ୍ୟାଳୟରେ ଯୋଗ ଏବଂ ଯୋଗଦାନ ଦେବା ଉଚିତ ବୋଲି ଶେଷରେ ସେ ଆହ୍ୱାନ ଦେଇଥିଲେ।

Related posts