Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ବ୍ୟବସାୟ

୨୦୪୭ ସୁଦ୍ଧା ୩୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବାରେ ଭାରତକୁ ଦୁନିଆର କୌଣସି ଶକ୍ତି ଅଟକାଇପାରିବନି: ମୁକେଶ ଅମ୍ବାନୀ

ଗାନ୍ଧୀନଗର: ୨୦୪୭ ସୁଦ୍ଧା ୩୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବାରେ ଭାରତକୁ ଦୁନିଆର କୌଣସି ଶକ୍ତି ଅଟକାଇପାରିବେ ନାହିଁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି। ଭ୍ରାଇବ୍ରାଂଟ୍ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେହି ସମୟରେ ଗୁଜରାଟ ଏକ ୩ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ।

ଏହି ଅବସରରେ ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଗୁଜରାଟର ସବୁଜ ଶକ୍ତି କ୍ଷେତ୍ରରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ରିଲାଏନ୍ସ ନିବେଶ ଜାରି ରଖିବ। ୨୦୩୦ ସୁଦ୍ଧା ଗୁଜରାଟର ସବୁଜ ଶକ୍ତି ଉପଯୋଗର ଅର୍ଦ୍ଧେକ ରିଲାଏନ୍ସ ଉତ୍ପାଦନ କରିବ ବୋଲି ସେ କହିଛନ୍ତି।

ସବୁଜ ଶକ୍ତି ବିକାଶରେ ଗୁଜରାଟ ଯେଭଳି ଅଗ୍ରଣୀ ସ୍ଥାନରେ ରହିବ ସେଥିପାଇଁ ରିଲାଏନ୍ସ ପକ୍ଷରୁ ଜାମନଗରରେ ୫୦୦୦ ଏକର ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରିନ ଏନର୍ଜି ଗିଗା କମ୍ପ୍ଲେକ୍ସର ନିର୍ମାଣ ଆରମ୍ଭ କରାଯାଇଛି। ଏହା ଦ୍ୱାରା ବଡ଼ ସଂଖ୍ୟାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସବୁଜ ଉତ୍ପାଦ ଓ ସାମଗ୍ରୀର ଉତ୍ପାଦନ ସମ୍ଭବ ହେବ ଯାହା ଗୁଜରାଟକୁ ସବୁଜ ଉତ୍ପାଦର ଅଗ୍ରଣୀ ରପ୍ତାନିକାରୀରେ ପରିଣତ କରିବ ବୋଲି ସେ କହିଛନ୍ତି।

ଗୁଜରାଟକୁ ନିଜର ମାତୃଭୂମି ଓ କର୍ମଭୂମି ଭାବେ ବର୍ଣ୍ଣନା କରି ଶ୍ରୀ ଅମ୍ବାନୀ କହିଛନ୍ତି ଯେ ଗତ ୧୦ ବର୍ଷରେ ରିଲାଏନ୍ସ ପକ୍ଷରୁ ଦେଶରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି। ସେଥିରୁ ଏକ ତୃତୀୟାଂଶରୁ ଅଧିକ ନିବେଶ ଗୁଜରାଟରେ କରାଯାଇଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହିଟ୍ ଆଣ୍ଡ ରନ୍ ମାମଲା: ନୂଆ ଆଇନରେ କ’ଣ ଅଛି, ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି?

ନୂଆଦିଲ୍ଲୀ: ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ସବୁ ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ଟ୍ରାନ୍ସପୋର୍ଟ ଅପରେଟରମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଏହାର କାରଣ ହେଉଛି ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଅଣାଯାଇଥିବା ନୂଆ ଆଇନ। ଏଥିରେ ‘ହିଟ୍ ଆଣ୍ଡ ରନ୍’କୁ କଡ଼ାକଡ଼ିଭାବେ ମୁକାବିଲା କରିବାର ବ୍ୟବସ୍ଥା କରାଯାଇଛି। ଏହା ଭାରତୀୟ ନ୍ୟାୟ ବିଧିର ଏକ ଅଂଶ। ଏହା ଅଧୀନରେ ଏଭଳି ମାମଲାରେ ଡ୍ରାଇଭରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ କୁହାଯାଇଛି। ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି। ଏହି ଆଇନକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ଡ୍ରାଇଭରମାନେ ଚକ୍କାଜାମ ଆରମ୍ଭ କରିଛନ୍ତି। କଠୋର ବ୍ୟବସ୍ଥା ମାଧ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ସରକାରଙ୍କ ଉଦ୍ଦେଶ୍ୟ। ଅପରପକ୍ଷରେ ଚାଳକମାନେ ଅନୁଭବ କରୁଛନ୍ତି ଯେ ଏହା ସେମାନଙ୍କ ଉପରେ ଅତ୍ୟଧିକ କଟକଣା ହେବ। କ’ଣ ରହିଛି ଏହି ସମ୍ପୂର୍ଣ୍ଣ ଆଇନ? ହିଟ୍ ଆଣ୍ଡ ରନ୍ ଧାରା କ’ଣ ଯାହାକୁ ନେଇ ଡ୍ରାଇଭରମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି? ଏପର୍ଯ୍ୟନ୍ତ ବ୍ୟବସ୍ଥା କ’ଣ ଥିଲା ? ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର।

ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ଆଇନର କେଉଁ ବ୍ୟବସ୍ଥାକୁ ବିରୋଧ କରାଯାଉଛି?

ଟ୍ରକ୍ ଓ ବସ୍ ଚାଳକମାନେ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଏହି ବିଲରେ ବେପରୁଆ ଗାଡ଼ି ଚାଳନା, ଗୁରୁତର ସଡ଼କ ଦୁର୍ଘଟଣା ଘଟାଇ କୌଣସି ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନ ଜଣାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୭ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।

ହିଟ୍ ଆଣ୍ଡ ରନ୍‌କୁ ନେଇ ନୂଆ ଆଇନକୁ ବିରୋଧ କରିବାର କାରଣ କ’ଣ?

‘ହିଟ୍ ଆଣ୍ଡ ରନ୍’ ମାମଲାରେ ବିଦେଶ ଭଳି କଠୋର ବ୍ୟବସ୍ଥା କରାଯାଇଛି ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି। ଏହାକୁ ଆଣିବା ପୂର୍ବରୁ ବିଦେଶ ଭଳି ଉନ୍ନତ ସଡ଼କ ଓ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦିଆଯିବା କଥା। ନୂଆ ନିୟମ ଯୋଗୁଁ ଡ୍ରାଇଭରମାନେ ଚାକିରି ଛାଡୁଛନ୍ତି ବୋଲି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) କହିଛି। ସମଗ୍ର ଦେଶରେ ୨୫ରୁ ୩୦ ପ୍ରତିଶତ ଡ୍ରାଇଭରଙ୍କ ଅଭାବ ରହିଛି। ଏଭଳି ଆଇନ ଡ୍ରାଇଭରଙ୍କ ଅଭାବକୁ ଆହୁରି ବଢ଼ାଇବ। ଦେଶର ଅର୍ଥନୀତିରେ ସଡ଼କ ପରିବହନକାରୀ ଓ ଡ୍ରାଇଭରଙ୍କ ପ୍ରମୁଖ ଅବଦାନ ରହିଛି। ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ’ହିଟ୍ ଆଣ୍ଡ ରନ୍’ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହୋଇପାରେ। ଚାଳକମାନେ କେମିତି ଏତେ ପରିମାଣର ଟଙ୍କା ଦେବେ?

ଏପର୍ଯ୍ୟନ୍ତ ହିଟ୍ ଆଣ୍ଡ ରନ୍ ଉପରେ କ’ଣ ଆଇନ ରହିଛି?

ବର୍ତ୍ତମାନ ସୁଦ୍ଧା ହିଟ୍ ଆଣ୍ଡ ରନ୍ ମାମଲା ଆଇପିସି ଧାରା-୨୭୯ (ବେପରୁଆ ଗାଡି ଚଳାଇବା), ୩୦୪(ଏ) (ଅବହେଳା ଯୋଗୁଁ ମୃତ୍ୟୁ) ଏବଂ ୩୩୮ (ଜୀବନ ପ୍ରତି ବିପଦ ସୃଷ୍ଟି କରିବା) ଅନୁଯାୟୀ ମାମଲା ରୁଜୁ ହେଉଛି। ଏଥିରେ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ମାମଲାରେ ଆଇପିସିର ଧାରା-୩୦୨ ମଧ୍ୟ ଯୋଡାଯାଇଛି।

ଏବେ ହିଟ୍ ଆଣ୍ଡ ରନ୍ ଆଇନରେ କ’ଣ ପରିବର୍ତ୍ତନ ହୋଇଛି?

ଦଫା-୧୦୪(୨) ଅନୁଯାୟୀ, ଯଦି ଅଭିଯୁକ୍ତ ଡ୍ରାଇଭର ହିଟ୍ ଆଣ୍ଡ ରନ୍ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଏ କିମ୍ବା ପୁଲିସ କିମ୍ବା ମାଜିଷ୍ଟ୍ରେଟଙ୍କୁ ସୂଚନା ନ ଦିଏ ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।

କେଉଁ ରାଜ୍ୟରେ ଡ୍ରାଇଭରମାନେ ଆଇନକୁ ବିରୋଧ କରୁଛନ୍ତି?

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ଗୁଜରାଟ ସମେତ ଦେଶର ଅଧିକାଂଶ ରାଜ୍ୟରୁ ଟ୍ରକ୍ ଓ ବସ୍ ଚାଳକମାନେ ନୂଆ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପରିବହନ ସେବା ସହିତ ଯୋଗାଣ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼ିପାରେ।

ଚାଳକଙ୍କ ଦାବି କ’ଣ?

ସରକାର ହିଟ୍ ଆଣ୍ଡ ରନ୍ ସମ୍ପର୍କିତ ନୂଆ ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ବସ୍ ଓ ଟ୍ରକ୍ ଚଳାଚଳ କରିବ ନାହିଁ ବୋଲି ଚାଳକମାନେ ଦାବି କରିଛନ୍ତି। ଅନେକ ରାଜ୍ୟରେ ଚାଳକମାନେ ବସ୍ ଓ ଟ୍ରକ୍ ଚଳାଇବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ପରିବହନ ନିୟମକୁ ମଧ୍ୟ ପରିବହନ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଅଲ୍ ଇଣ୍ଡିଆ ଟ୍ରକ୍ ଡ୍ରାଇଭର୍ସ ଆସୋସିଏସନ୍ ଜାନୁଆରି ୧ତାରିଖରେ ଧର୍ମଘଟ ଡାକରା ଦେଇଥିଲା।

ଦ୍ୱନ୍ଦ୍ୱ ସ୍ଥିତି

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ପରିବହନ କମିଟି ଅଧ୍ୟକ୍ଷ ସିଏଲ ମୁକାତିଙ୍କ କହିବାନୁଯାୟୀ, ହିଟ୍ ଆଣ୍ଡ ରନ୍ ମାମଲାରେ ହଠାତ୍ କଠୋର ବ୍ୟବସ୍ଥା ଲାଗୁ ହୋଇଥିବାରୁ ଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଯଦି ଆପ୍ ଗୁଜରାଟର ଚାଣକ୍ୟ ଲୋକସଭା ଆସନ ମାଗିବ, ତେବେ ରାହୁଲ ଗାନ୍ଧୀ କ’ଣ କରିବେ?

ନୂଆଦିଲ୍ଲୀ: ପଞ୍ଜାବରେ ଯଦିଓ କଂଗ୍ରେସ ଓ ଆପ୍ ନେତାମାନେ ଇଣ୍ଡି ମେଣ୍ଟରେ ଲଢ଼ିବା ନେଇ ଭିନ୍ନ ଭିନ୍ନ ସ୍ୱର ଉତ୍ତୋଳନ କରୁଛନ୍ତି, କିନ୍ତୁ ପଶ୍ଚିମରେ ୧୨୦୦ କିଲୋମିଟର ଦୂର ଗୁଜରାଟରେ ଉଭୟ ଦଳ ସହ ଲଢ଼ିବା ପ୍ରାୟ ବାଧ୍ୟତାମୂଳକ। ସେଥିପାଇଁ ଗୁଜୁରାଟର ଭରୁଚ ଲୋକସଭା ଆସନରେ ଲଢ଼ିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରିସାରିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପଞ୍ଜାବ ଓ ଦିଲ୍ଲୀରେ କଂଗ୍ରେସକୁ ଆସନ ଛାଡ଼ିବା ପରିବର୍ତ୍ତେ ଆପ୍ ଗୁଜୁରାଟରେ ଅଧିକ ଆସନ ମାଗିବ କି? ଦଳର ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ଆସନ ବୁଝାମଣା ପୂର୍ବରୁ ଏହି ଆସନରେ ଦଳର ଦାବି ପ୍ରକାଶ କରିସାରିଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।

ପାଠକଙ୍କ କହିବା ଅନୁସାରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ନୂଆବର୍ଷର ପ୍ରଥମ ସପ୍ତାହରେ ନିର୍ବାଚନୀ ବିଗୁଲ୍ ବଜାଇବେ। ଭରୁଚ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଡେଡିଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବୈଠକ ଅନୁଷ୍ଠିତ ହେବ। ଏକଦା କଂଗ୍ରେସର ଦୁର୍ଗ ଥିବା ଭରୁଚ ଲୋକସଭା ଆସନ ଏବେ ଗେରୁଆ ଦୁର୍ଗରେ ପରିଣତ ହୋଇଛି। ଆପ୍ ଯୁକ୍ତି କରୁଛି ଯେ କଂଗ୍ରେସ ଗତ ତିନି ଦଶନ୍ଧି ଧରି ଏହି ଆସନ ଜିତି ନାହିଁ।

ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ମୁମତାଜ

ଆପ୍‌ର ଦାବି ମଧ୍ୟରେ ବଡ଼ ପ୍ରଶ୍ନ ହେଉଛି ଅହମ୍ମଦ ପଟେଲଙ୍କ ଝିଅ ମୁମତାଜ ପଟେଲଙ୍କ କ’ଣ ହେବ, ଯିଏ କି ଏଠାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି? ବାପାଙ୍କ ଇଚ୍ଛା ବିରୁଦ୍ଧରେ ସେ ରାଜନୀତିକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି। ମୁମତାଜ ପଟେଲ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରଠାରୁ ଭରୁଚରେ ସକ୍ରିୟ ଅଛନ୍ତି ଏବଂ ତାଙ୍କ ପିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମାଜ ସେବା କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ଭରୁଚ ଲୋକସଭା ଆସନକୁ ନେଇ ଆମ୍ ଆଦମୀ ପାର୍ଟିର ଦାବି କଂଗ୍ରେସକୁ ଦ୍ୱନ୍ଦ୍ୱରେ ପକାଇଛି।

ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମୁମତାଜ ପଟେଲ ନିଜେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ। କଂଗ୍ରେସର ଚାଣକ୍ୟ ଥିବା ଅହମ୍ମଦ ପଟେଲଙ୍କ ଆସନ ଏବେ ବିଜେପି ହାତରେ ରହିଛି ଏବଂ ଆପ୍ ଭବିଷ୍ୟତ ପାଇଁ ଦାବି କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ କଂଗ୍ରେସ ଏହି ଆସନକୁ ନେଇ କ’ଣ କରିବ? ଆମ୍ ଆଦମୀ ପାର୍ଟି ଭରୁଚ ଲୋକସଭା ଆସନରୁ ନିଜର ଚମତ୍କାର ବିଧାୟକ ଚୈତାର ବସାୱାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ବନ କର୍ମଚାରୀଙ୍କୁ ଧମକ ଚମକ ଦେବା ଓ ଗୁଳି ଚଳାଇବା ଅଭିଯୋଗରେ ଚୈତାର ବସାୱା ଏବେ ଜେଲରେ ଅଛନ୍ତି।

ଚର୍ଚ୍ଚାରେ ଏବେ ଗୁଜରାଟରେ ଭରୁଚ ଆସନ: 

ଗୁଜରାଟର ଭରୁଚ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି। ବରିଷ୍ଠ ଆଦିବାସୀ ନେତା ମନସୁଖ ବସାୱା ଏଠାରୁ ସାଂସଦ ଅଛନ୍ତି। ୧୯୯୮ ମସିହାରୁ ଲଗାତାରଭାବେ ନିର୍ବାଚିତ ହେଉଛନ୍ତି ବସାଭା। ଏଭଳି ସ୍ଥିତିରେ ବିଜେପିର ଏହି ଗଡ଼ରେ କଂଗ୍ରେସ ଚ୍ୟାଲେଞ୍ଜ କରିବ ନଚେତ୍ ଆମ୍ ଆଦମୀ ପାର୍ଟି ଏହାର ମୁକାବିଲା କରିବ। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁଜରାଟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ସୁଖରାମ ରାଠୱାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଥିରେ ସେ ପରୋକ୍ଷରେ କହିଥିଲେ ଯେ ମୁମତାଜ ନିର୍ବାଚନ ଲଢ଼ିବା ଉଚିତ ନୁହେଁ। ଏହାକୁ ନେଇ ଭରୁଚ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ ଆଦମୀ ପାର୍ଟି ରାଜ୍ୟରେ ଲୋକସଭା ଆସନରେ ଲଢ଼ିବାକୁ ଆଗ୍ରହୀ। ଭରୁଚ ସେମାନଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ସନ୍ଦୀପ ପାଠକଙ୍କ ବୟାନରେ ଏହା ପ୍ରତିଫଳିତ ହୋଇଛି, ସେ କହିଛନ୍ତି ଯେ ଗୁଜରାଟରେ ବିଜେପି ପ୍ରଥମ ଲୋକସଭା ଆସନ ଚୈତାର ବସୱାଙ୍କଠାରୁ ହରାଇବ?

ଭରୁଚ ଆସନ ହେଉଛି ବିଜେପିର ଗଡ଼

ଚୈତାର ବସାଭା ଭରୁଚରୁ ମନସୁଖଙ୍କୁ ଟକ୍କର ଦେବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଲୋକସଭା ନିର୍ବାଚନ ପୂର୍ବରୁ ଭରୁଚ ଆସନ ଚର୍ଚ୍ଚାକୁ ଆସିଥିଲା। କଂଗ୍ରେସର ଚାଣକ୍ୟ ଥିବା ଅହମ୍ମଦ ପଟେଲ ଖୁବ୍ କମ୍ ବୟସରେ ଏହି ଆସନରୁ ବିଜୟୀ ହୋଇ ପୁଣିଥରେ ହ୍ୟାଟ୍ରିକ୍ କରିଥିଲେ, କିନ୍ତୁ ୧୯୮୯ ନିର୍ବାଚନରେ ବିଜେପିଠାରୁ ହାରିବା ପରେ ସେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଗୁଜରାଟର ଭରୁଚର ଆସନ ଏପରି ଯେ ଏହାକୁ ହିନ୍ଦୁତ୍ୱର ଗଡ଼ର କେନ୍ଦ୍ରବିନ୍ଦୁଭାବେ ବିବେଚନା କରାଯାଏ। ଏକଦା ଗୁଜରାଟ ସରକାରଙ୍କ ଅନ୍ୟତମ ସମ୍ବେଦନଶୀଳ ସ୍ଥାନ ଭରୁଚ ୧୯୮୪ ମସିହାରୁ କେବଳ ଲୋକସଭା ଆସନରେ ବିଜେପିର ଦଖଲ କରିନାହିଁ ବରଂ ବିଧାନସଭା ଆସନରେ ମଧ୍ୟ ଆଧିପତ୍ୟ ବଜାୟ ରଖିଛି।

Categories
ଆଜିର ଖବର ଜାତୀୟ ଖବର

ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ସୁରଟ ବିମାନ ବନ୍ଦରରେ ନୂତନ ଟର୍ମିନାଲ ସୌଧକୁ ଉଦଘାଟନ କରିଛନ୍ତି। ସେ ନୂଆ ଟର୍ମିନାଲ ସୌଧ ପରିସରକୁ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ସୁରଟରେ ନୂତନ ସମନ୍ୱିତ ଟର୍ମିନାଲ ସୌଧ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଏହି ଅତ୍ୟାଧୁନିକ ସୁବିଧା କେବଳ ଯାତ୍ରା ଅଭିଜ୍ଞତାକୁ ବଢ଼ାଇବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଯୋଗାଯୋଗକୁ ମଧ୍ୟ ତ୍ୱରାନ୍ୱିତ କରିବ।

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଟର୍ମିନାଲ ସୌଧରେ ୧୨୦୦ ଘରୋଇ ଯାତ୍ରୀ ଏବଂ ୬୦୦ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପିକ୍ ସମୟରେ ପରିବହନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ବାର୍ଷିକ ପରିଚାଳନା କ୍ଷମତା ୫୫ ଲକ୍ଷ ଯାତ୍ରୀଙ୍କୁ ବୃଦ୍ଧି କରିବା ସହିତ ପିକ୍ ସମୟର କ୍ଷମତାକୁ ୩୦ ଯାତ୍ରୀକୁ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ସୁରଟ ସହରର ପ୍ରବେଶ ଦ୍ୱାର ହୋଇଥିବାରୁ ଟର୍ମିନାଲ ସୌଧକୁ ଏହାର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟ ସହିତ ଡିଜାଇନ କରାଯାଇଛି ଯାହା ଦ୍ୱାରା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସ୍ଥାନରେ ପ୍ରତିଫଳିତ ହେବା ଉଚିତ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ଥାନର ଭାବନା ସୃଷ୍ଟି କରିବ । ଉନ୍ନତ ଟର୍ମିନାଲ ସୌଧର ଉଦ୍ଦେଶ୍ୟ ହେଉଛି ସୁରଟ ସହରର ‘ରାଣ୍ଡେର’ ଅଞ୍ଚଳର ପୁରୁଣା ଘରଗୁଡ଼ିକର ସମୃଦ୍ଧ ଏବଂ ପାରମ୍ପରିକ କାଠକାମ ସହିତ ଯାତ୍ରୀଙ୍କ ଅନୁଭୂତିକୁ ସମୃଦ୍ଧ କରିବା । ବିମାନବନ୍ଦରର ଗ୍ରିହ-୪ ନ୍ନୂଆ ଟର୍ମିନାଲ ସୌଧରେ ଡବଲ ଇନସୁଲେଟେଡ୍ ରୁଫିଂ ସିଷ୍ଟମ, ଶକ୍ତି ସଞ୍ଚୟ ପାଇଁ କ୍ୟାନୋପିଜ୍, ଲୋ ହିଟ୍ ଗେନ୍ ଡବଲ୍ ଗ୍ଲାଜିଂ ୟୁନିଟ୍, ବର୍ଷା ଜଳ ଅମଳ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଲ୍ୟାଣ୍ଡସ୍କେପିଂ ଏବଂ ସୌର ଶକ୍ତି ପ୍ଲାଣ୍ଟ ପାଇଁ ପୁନଃବ୍ୟବହାର ଜଳର ବ୍ୟବହାର ଭଳି ବିଭିନ୍ନ ସ୍ଥାୟୀ ବୈଶିଷ୍ଟ୍ୟ ରହିଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଗର୍‌ବା ହେଉଛି ଜୀବନ, ଏକତା ଏବଂ ଆମ ଗଭୀର ପରମ୍ପରାର ଏକ ଉତ୍ସବ। ଅକ୍ଷୟ ଐତିହ୍ୟ ତାଲିକାରେ ଏହା ସାମିଲ ହେବା ବିଶ୍ୱକୁ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥାଏ। ଏହି ସମ୍ମାନ ଆମ ଭବିଷ୍ୟତ ପିଢ଼ି ପାଇଁ ଆମର ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଲାଗି ଏକ ପ୍ରେରଣା। ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ ଉପରାଷ୍ଟ୍ରପତି 

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଗୁଜରାଟର ଗାନ୍ଧୀନଗର ଗସ୍ତ କରିବେ।

ଶ୍ରୀ ଧନଖଡ଼ ରାଜ୍ୟର ନିଜର ଏକଦିବସୀୟ ଯାତ୍ରା ଅବସରରେ ଗାନ୍ଧୀ ନଗରରେ ଭାରତୀୟ ସନଦୀ ଲେଖାକାର ସଂସ୍ଥାନ (ICAI) ଦ୍ବାରା ଆୟୋଜିତ ‘ଗ୍ଲୋବାଲ ପ୍ରଫେସନାଲ ଆକାଉଣ୍ଟାଣ୍ଟସ୍ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକ

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ଏବଂ ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲି। ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ସମୀକ୍ଷା କରିଛୁ। ଟ୍ରଷ୍ଟ ଦ୍ୱାରା ନିଆଯାଇଥିôବା ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଛି।’

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି। ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ X  ରେ ଏକ ପୋଷ୍ଟ କରିଛନ୍ତି:

ଗୁଜରାଟ ସାଇନ୍ସ ସିଟିର ଚମତ୍କାର ଆକର୍ଷଣକୁ ଅନୁସନ୍ଧାନ କରିବା ପାଇଁ ସକାଳର କିଛି ସମୟ ବିତାଇଥିଲି। ଏହା ରୋବୋଟିକ୍ସ ଗ୍ୟାଲେରୀରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ରୋବୋଟିକ୍ସର ଅସୀମ ସମ୍ଭାବନାକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି। ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ।

ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି। ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।

ଏହା ସହିତ ରୋବୋଟିକ୍ସ ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଏକ କପ୍ ଚା’ର ମଜା ନେଇଥିଲେ।

ସେ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ। ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ। ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ।

“ସଠିକ ପାଦଚଲା ରାସ୍ତା ବାଟରେ ବିଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ। କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ।

ସାଇନ୍ସ ସିଟିରେ ଥିବା ଆକ୍ୱାଟିକ୍ ଗ୍ୟାଲେରୀ ଜଳଜ ଜୈବ ବିବିଧତା ଏବଂ ସାମୁଦ୍ରିକ ଆଶ୍ଚର୍ଯ୍ୟର ଏକ ଉତ୍ସବ। ଏହା ଆମ ଜଳୀୟ ପରିବେଶର ସୂକ୍ଷ୍ମ ତଥା ଗତିଶୀଳ ସନ୍ତୁଳନ ଉପରେ ଆଲୋକପାତ କରେ। ଏହା କେବଳ ଏକ ଶିକ୍ଷଣୀୟ ଅନୁଭୂତି ନୁହେଁ,  ବରଂ ତରଙ୍ଗ ତଳେ ଥିବା ବିଶ୍ୱ ପ୍ରତି ସଂରକ୍ଷଣ ଏବଂ ଗଭୀର ସମ୍ମାନ ର ଆହ୍ୱାନ ମଧ୍ୟ।

ଶାର୍କ ଟନେଲ ହେଉଛି ଏକ ଆନନ୍ଦଦାୟକ ଅନୁଭୂତି ଯାହା ବିଭିନ୍ନ ଶାର୍କ ପ୍ରଜାତିର ପ୍ରଦର୍ଶନ କରୁଛି। ସୁଡ଼ଙ୍ଗ ଦେଇ ଯିବା ବେଳେ ସାମୁଦ୍ରିକ ଜୀବନର ବିବିଧତା ଦେଖି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ପ୍ରକୃତରେ ଆକର୍ଷଣୀୟ।

“ଏହା ସୁନ୍ଦର”

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମାଇକ୍ରୋନ୍ ଟେକ୍ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ମାଇକ୍ରୋନ୍ ଟେକ୍‌ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମି କଣ୍ଡକ୍‌ଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ମାଇକ୍ରୋନ୍ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରି କହିଛି ଯେ, “@ମାଇକ୍ରୋନ ଟେକର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ସଞ୍ଜୟ ମେହରୋତ୍ରା ପିଏମ @ ନରେନ୍ଦ୍ର ମୋଦୀଙ୍କ ସହିତ ଗାନ୍ଧୀ ନଗରରେ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମିକଣ୍ଡକଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ୍ କରିବା ପାଇଁ ମାଇକ୍ରୋନ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।’’

Categories
ବିଶେଷ ଖବର

ଗୁଜରାଟର ଗାନ୍ଧିନଗର ଠାରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍‌ପ୍ରେରିତ କରିବା’। ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ ପ୍ରଦର୍ଶିତ କରେ, ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି  ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ।

ଏହି ଅବସରରେ ଉଦ୍ୟୋଗ ଜଗତର ନେତାମାନେ  ନିଜର ମତ ରଖିଥିଲେ। ଏସ୍‌ଇଏମ୍‌ଆଇର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଅଜିତ ମିନୋଚା କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଭୂ- ରାଜନୀତି, ଘରୋଇ ରାଜନୀତି ଏବଂ ଘରୋଇ ଗୁପ୍ତ କ୍ଷମତା ସେମିକଣ୍ଡକ୍ଟର ଉତ୍ପାଦନରେ ଖେଳାଳୀ ହେବା ପାଇଁ ଭାରତ ସପକ୍ଷରେ ଏକଜୁଟ ହୋଇ ଯାଇଛନ୍ତି । ସେ କହିଛନ୍ତି ମାଇକ୍ରୋନ୍ ଦ୍ୱାରା କରାଯାଇଥିବେ  ନିବେଶ ଭାରତରେ ଇତିହାସ ସୃଷ୍ଟି କରୁଛି ଏବଂ ଅନ୍ୟ ମାନଙ୍କ ଅନୁସରଣ ପାଇଁ ମଞ୍ଚ ସ୍ଥିର କରିବ।  ସେ କହିଛନ୍ତି ଯେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ବୁଝୁଥିବା ନେତୃତ୍ୱ ହିଁ ବର୍ତ୍ତମାନର ବ୍ୟବସ୍ଥାକୁ ଭିନ୍ନ କରିଥାଏ। ସେ କହିଛନ୍ତି ଯେ ଏସିଆର ଇତିହାସରେ ସେମିକଣ୍ଡକ୍ଟର କ୍ଷେତ୍ରରେ  ଭାରତ ପରବର୍ତ୍ତୀ ଶକ୍ତି କେନ୍ଦ୍ର ହେବ।

ନିକଟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସହ ସିଇଓ ଏଏମଡିଙ୍କର ବୈଠକକୁ ଶ୍ରୀ ମାର୍କ ପେପରମାଷ୍ଟର, ଇଭିପି ଏବଂ ସିଟିଓ ଏଏମ୍‌ଡି ମନେ ପକାଇଛନ୍ତି। ଆସନ୍ତା ୫ ବର୍ଷରେ ଏଏମ୍‌ଡି ପ୍ରାୟ ୪୦୦ ମିଲିୟନ୍ ଡଲାର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଏମ୍‌ଡି ଏହାର ଗବେଷଣା ଏବଂ ବିକାଶ  କ୍ଷମତା ସମୂହକୁ ବୃଦ୍ଧି କରିବ। ସେ କହିଛନ୍ତି ଯେ, “ଆମେ ବେଙ୍ଗାଲୁରୁ ଠାରେ ଆମର ସର୍ବ ବୃହତ ଡିଜାଇନ କେନ୍ଦ୍ର ନିର୍ମାଣ କରିବୁ।

ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଆପ୍ଲାଏଡ୍ ମ୍ୟାଟେରିଆଲର ଅଧ୍ୟକ୍ଷ ଡଃ ପ୍ରଭୁ ରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଜଭୁତ ଦୃଷ୍ଟିକୋଣରୁ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଉାଦ୍ୟାଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ , ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଭାରତର ଉଜ୍ଜ୍ୱଳ ସମୟ । କୌଣସି କମ୍ପାନୀ କିମ୍ବା ଦେଶ ଏକାକୀ ଏହି କ୍ଷେତ୍ରର ଆହ୍ୱାନ ଗୁଡିକ ଦୂର କରି ପାରିବେ ନାହିଁ । ଏହି କ୍ଷେତ୍ରରେ ସହଯୋଗୀ ଭାଗିଦାରୀ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି ନୂତନ ସହଯୋଗୀ ମଡେଲ ଆମକୁ ଏହି କ୍ଷେତ୍ରର ଅନୁକ୍ରମଣିକା ହେବାରେ ସକ୍ଷମ କରିପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଭାରତର ସେମିକଣ୍ଡକ୍ଟର ଦୃଷ୍ଟିକୋଣରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବିବେଚନା କରି ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।”

କ୍ୟାଡେନ୍ସର ଅଧ୍ୟକ୍ଷ  ତଥା ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟରରେ ପୁଞ୍ଜି ବିନିଯୋଗ କରିବା ପ୍ରକୃତରେ ଭଲ । ସରକାର ସମଗ୍ର ପାରିବେଶିକ ବ୍ୟବସ୍ଥାରେ ନିବେଶ କରୁଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ବିଶେଷଜ୍ଞମାନେ ଏହା ଅନୁଭବ କରୁଛନ୍ତି ଯେ ଗୁଜରାଟ ହେଉଛି ଭାରତର ସିଲିକନ୍ ଉପତ୍ୟକା ପାଇଁ ଉପଯୁକ୍ତ ସ୍ଥାନ । ସେ ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ  ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି । “ଆମେ ଦେଖିଛୁ ଗତ ଦଶନ୍ଧିରେ ଭାରତ କିପରି ପରିବର୍ତ୍ତିତ ହୋଇଛି ଏବଂ ଯୁବ ଭାରତୀୟ ମାନଙ୍କର ଆକାଂକ୍ଷା ପ୍ରକୃତରେ ଅଧିକ ।

ମାଇକ୍ରୋନ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା ଭାରତକୁ ଏକ ବିଶ୍ୱ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବା ପାଇଁ ବିଶ୍ୱ ଦୃଷ୍ଟିକୋଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଜରାଟ ରାଜ୍ୟରେ ମେମୋରି ପାଇଁ ଏକ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷା ସୁବିଧା ସ୍ଥାପନ କରି ଶ୍ରୀ ମେହରୋତ୍ରା ଗର୍ବ ଅନୁଭବ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଆସନ୍ତା ବର୍ଷରେ ସମୁଦାୟ ମଧ୍ୟରେ ୧୫,୦୦୦ ଅତିରିକ୍ତ ଚାକିରି ସହିତ ପ୍ରାୟ ୫୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ସେମିକଣ୍ଡକ୍ଟର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସହଯୋଗ କରି ଥିବାରୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବସୃଜନ, ବ୍ୟବସାୟ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ  ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁ କାରଣରୁ ଉପଯୁକ୍ତ ଫଳାଫଳ ସମ୍ମୁଖକୁ ଆସିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଏକ ପ୍ରକୃତ ପରିବର୍ତ୍ତନଶୀଳ ଶକ୍ତି ସୃଷ୍ଟି କରୁଛି ଯାହା ସକାରାତ୍ମକ ପ୍ରଗତି ଜାରି ରଖିବ” ।

ଫକ୍ସକନ୍‌ର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁ ତାଇୱାନ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର ମହିଷ ଭାବନା, ଯାହା କୌଣସି ଅଭିଯୋଗ ନକରି କଠିନ ପରିଶ୍ରମ କରିବାର କ୍ଷମତା ଅଟେ , ତାହା ଉପରେ ଆଲୋକପାତ କରିଛନ୍ତି ଏବଂ ଭାରତରେ ମଧ୍ୟ ସମାନ ଭାବନା ପ୍ରୟୋଗ କରା ଯାଇପାରିବ ବୋଲି କହିଛନ୍ତି । ଭାରତ ସରକାରଙ୍କ ଉଚ୍ଚ ‘କହିବା – କରିବା’ ଅନୁପାତକୁ ଦର୍ଶାଇ ଶ୍ରୀ ଲିୟୁ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅନେକ ବର୍ଷ ପୂର୍ବେ ତାଇୱାନ ଭଳି ଆହ୍ୱାନକୁ ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ କହିଛନ୍ତି ।

ସେମି କଣ୍ଡକ୍ଟର ଶିଳ୍ପକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ଇଚ୍ଛା ଶକ୍ତି ଏବଂ ଦୃଢ଼ ସଙ୍କଳ୍ପ ଉପରେ ଶ୍ରୀ ଲିୟୁ ତାଙ୍କର ବିଶ୍ୱାସ ଏବଂ ଆଶା ରହିଛି ବୋଲି କହିଛନ୍ତି । “ଆଇଟି’  ର ଆଇ’ ପାଇଁ ଇଣ୍ଡିଆ (ଭାରତ) ଏବଂ ତାଇୱାନ ପାଇଁ  ଟି’ ବୋଲି ଶ୍ରୀ ଲିୟୁ କହିଛନ୍ତି ।  ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପରେ ତାଇୱାନ ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହେବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସେମିକନ୍ ଭଳି କାର୍ଯ୍ୟକ୍ରମ ସଫ୍ଟୱେୟାର ଅପଡେଟ୍ ପରି ହୋଇଥାଏ , ଯେଉଁଠାରେ ବିଶେଷଜ୍ଞ ଏବଂ ଉଦ୍ୟୋଗର ନେତୃତ୍ୱ ସମୂହ ପରସ୍ପର ସହ ସାକ୍ଷାତ କରନ୍ତି ଏବଂ ଅଭିଜ୍ଞତା ବଂଟନ କରନ୍ତି । ଆମ ସମ୍ପର୍କର ସମନ୍ୱୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସ୍ଥାନରେ ଲାଗିଥିବା ପ୍ରଦର୍ଶନୀକୁ ଶ୍ରୀ ମୋଦୀ ଦେଖିଥିଲେ ଏବଂ ଏହି କ୍ଷେତ୍ରର ଉଦ୍ଭାବନ ଏବଂ ଶକ୍ତିରେ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଚାଲିଥିବା ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଏବଂ ନୂତନ ଟେକ୍ନୋଲୋଜିର ଶକ୍ତି ବୁଝିବାକୁ ଅନୁରୋଧ କରିଥିଲେ ।

ଗତ ବର୍ଷ ସେମିକନର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମିକଣ୍ଡକ୍ଟର ଶିଳ୍ପରେ ଭାରତରେ ପୁଞ୍ଜି ବିନିଯୋଗ ବିଷୟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ ପ୍ରଶ୍ନଗୁଡ଼ିକ ଏକ ବର୍ଷ ମଧ୍ୟରେ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ‘ଭାରତରେ କାହିଁକି ନିବେଶ କରିବା ନାହିଁ’ ରେ ପରିବର୍ତ୍ତନ ହୋଇଛି । ଯ ସେ ଭାରତ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନିତ କରି , “ଶିଳ୍ପପତିଙ୍କ ଉଦ୍ୟମ କାରଣରୁ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି’  ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ମତ  ଦେଇଛନ୍ତି ଯେ ଶିଳ୍ପପତିମାନେ ନିଜର ଭବିଷ୍ୟତ ଏବଂ ସ୍ୱପ୍ନ ସହିତ ଭାରତର ଆକାଂକ୍ଷା ଏବଂ ସାମର୍ଥ୍ୟକୁ ଯୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ନିରାଶ କରେ ନାହିଁ” । ଏକବିଂଶ ଶତାବ୍ଦୀର ଭାରତରେ ପ୍ରଚୁର ସୁଯୋଗକୁ ଶ୍ରୀ ମୋଦୀ ସୂଚାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶର ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ  ଭାରତରେ ବ୍ୟବସାୟକୁ ଦୁଇ ଗୁଣା ଏବଂ ତିନି ଗୁଣା କରିବ ।

ଏହାର ହୃଦୟରେ ଅଭିବୃଦ୍ଧି ସହିତ ମୋର୍ ନିୟମକୁ ଅନୁସରଣ କରେ । ସେ କହିଛନ୍ତି ଯେ , ଆମେ ଭାରତର ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସମାନ ଅଭିବୃଦ୍ଧିର ସାକ୍ଷୀ ଅଟୁ । ବିଶ୍ୱ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତର ଅଂଶ ବହୁଗୁଣିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ୨୦୧୪ ରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୩୦ ବିଲିୟନ ଡଲାରରୁ କମ୍ ଥିଲା, ଯାହା ଆଜି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଗତ ୨ ବର୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉପକରଣ ଗୁଡିକର ରପ୍ତାନି ଦ୍ୱିଗୁଣିତ ହୋଇଛି ।

୨୦୧୪  ପରେ ଭାରତରେ ବୈଷୟିକ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଭାରତରେ କେବଳ ଦୁଇଟି ମୋବାଇଲ୍ ଉତ୍ପାଦନ ୟୁନିଟ୍ ଥିବାବେଳେ ଆଜି ଏହି ସଂଖ୍ୟା ୨୦୦ ରୁ ଅଧିକ ହୋଇ ଯାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୬ କୋଟିରୁ ୮୦ କୋଟି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଆଜି ୨୫ କୋଟିରୁ ୮୫ କୋଟିରୁ ଅଧିକ ହୋଇଛି । ଏହି ପରିସଂଖ୍ୟାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହା କେବଳ ଭାରତର ଅଗ୍ରଗତି ନୁହେଁ ବରଂ ଦେଶରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ସୂଚକ ଅଟେ । ଶ୍ରୀ ମୋଦୀ ସେମିକନ୍ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧିର ଲକ୍ଷ୍ୟରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

“ବିଶ୍ୱ ଆଜି ଉଦ୍ୟୋଗ ୪.୦ ବିପ୍ଳବକୁ ଦେଖୁଛି” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ବିଶ୍ୱର ଯେକୌଣସି ଶିଳ୍ପ ବିପ୍ଳବର ଆଧାର ହେଉଛି ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରର ଲୋକ ମାନଙ୍କର ଆକାଂକ୍ଷା । ପ୍ରଧାନମନ୍ତ୍ରୀ  ଉଦ୍ୟୋଗ ୪.୦ ବିପ୍ଳବ ଏବଂ ଭାରତୀୟ ଆକାଂକ୍ଷା ମଧ୍ୟରେ ଏକ ଅନୁରୂପ ଚିତ୍ର ଆଙ୍କି କହିଛନ୍ତି ଯେ, “ଅତୀତରେ ଶିଳ୍ପ ବିପ୍ଳବ ଏବଂ ଆମେରିକୀୟ ସ୍ୱପ୍ନର ସମାନ ସମ୍ପର୍କ ଥିଲା” । ସେ କହିଛନ୍ତି ଯେ ଭାରତୀୟ ଆକାଂକ୍ଷା ହେଉଛି ଭାରତର ବିକାଶର ଏକ ପ୍ରେରଣା ଶକ୍ତି ।

ନିକଟରେ ହୋଇଥିବା ରିପୋର୍ଟ ଉପରେ ସେ ମତ ଦେଇ କହିଛନ୍ତି ,  ଯେଉଁଥିରେ ଦର୍ଶାଯାଇଛି ଯେ ଦାରିଦ୍ର‌୍ୟ ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ଯାହା ଫଳରେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ହେଉଛି । ବୈଷୟିକ ଅନୁକୂଳ ପ୍ରକୃତି ଏବଂ ପ୍ରଯୁକ୍ତି ବିଦ୍ୟା ଗ୍ରହଣ ପାଇଁ ଭାରତୀୟ ଲୋକ ମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶସ୍ତା ଡାଟା ଦର, ଗୁଣାତ୍ମକ ଡିଜିଟାଲ୍ ଭିତ୍ତିଭୂମି ଏବଂ ଗ୍ରାମ ଗୁଡିକରେ ବିଦ୍ୟୁତ୍ ଯୋଗାଣ ଡିଜିଟାଲ୍ ଉତ୍ପାଦର ବ୍ୟବହାରକୁ ବୃଦ୍ଧି କରିବାରେ ଲାଗିଛି । ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ,  ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହୁଏତ ଏକ ଆବଶ୍ୟକ ଗୃହ ଉପକରଣ ବ୍ୟବହାର କରିନାହାଁନ୍ତି , କିନ୍ତୁ ପରସ୍ପର ସହ ସଂଯୁକ୍ତ ସ୍ମାର୍ଟ ଉପକରଣ ଗୁଡିକର ବ୍ୟବହାର କରିବାକୁ ଯାଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଛାତ୍ର ଜନସଂଖ୍ୟା ହୁଏତ ପୂର୍ବରୁ ସାଇକେଲ ବ୍ୟବହାର କରିନଥାନ୍ତେ, କିନ୍ତୁ ସେମାନେ ଆଜି ସ୍ମାର୍ଟ ଇଲେକ୍ଟ୍ରିକ୍ ବାଇକ୍ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବୃଦ୍ଧି ପାଉଥିବା ନବ- ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ଆକାଂକ୍ଷାର ଶକ୍ତି ପାଲଟିଛି ।  ସେ କହିଛନ୍ତି ଯେ ଚିପ୍ ତିଆରି ଶିଳ୍ପ ସୁଯୋଗରେ ପରିପୂର୍ଣ୍ଣ ଏକ ବଜାର ଏବଂ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଯେଉଁମାନେ ଶୀଘ୍ର ଆରମ୍ଭ କରନ୍ତି ସେମାନେ ଅନ୍ୟ ମାନଙ୍କ ତୁଳନାରେ ପ୍ରଥମ ପର୍ଯ୍ୟାୟ ଲାଭ କରିବାକୁ ବାଧ୍ୟ ଅଟନ୍ତି ।

ମହାମାରୀର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ରୁଷ – ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ଆବଶ୍ୟକ । ସେ କହିଛନ୍ତି, “ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଅଂଶୀଦାର ହୋଇ ପାରିବ ? ଭାରତ ଉପରେ ବୃଦ୍ଧି ପାଉଥିବା ବିଶ୍ୱାସକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । “ଏକ ସ୍ଥିର, ଦାୟିତ୍ୱସମ୍ପନ୍ନ ଏବଂ ସଂସ୍କାର ଭିତ୍ତିକ ସରକାର ଥିବାରୁ ନିବେଶକମାନେ ଭାରତ ଉପରେ ବିଶ୍ୱାସ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହେଉ ଥିବାରୁ ଉଦ୍ୟୋଗ ଜଗତର ଭାରତ ଉପରେ ବିଶ୍ୱାସ ରହିଛି । ଏଠାରେ ଟେକ୍ନୋଲୋଜି ବୃଦ୍ଧି ପାଉଥିବାରୁ ବୈଷୟିକ କ୍ଷେତ୍ର ଭାରତରେ ବିଶ୍ୱାସ କରେ । ଆମର ଏକ ବୃହତ ପ୍ରତିଭା ଭଣ୍ଡାର ଥିବାରୁ ସେମିକଣ୍ଡକ୍ଟର ଉଦ୍ୟୋଗ ଭାରତ ଉପରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି । “ଦକ୍ଷ ଇଞ୍ଜିନିୟର୍ ଏବଂ ଡିଜାଇନର୍ ମାନେ ଆମର ଶକ୍ତି । ଯିଏ ଦୁନିଆର ସବୁଠାରୁ ସ୍ଫୁର୍ତ୍ତିଶୀଳ ଏବଂ ସମନ୍ୱିତ ବଜାରର ଅଂଶ ହେବାକୁ ଚାହୁଁଛନ୍ତି,  ସେମାନେ ଭାରତ ଉପରେ ବିଶ୍ୱାସ ରଖିଛନ୍ତି । ଯେତେବେଳେ ଆମେ ଆପଣଙ୍କୁ ଭାରତରେ ତିଆରି କରିବାକୁ କହିବୁ, ଏହା ମଧ୍ୟ ଅନ୍ତର୍ଭୁକ୍ତ କରେ , “ଚାଲ, ଭାରତ ପାଇଁ ତିଆରି କରିବା, ବିଶ୍ୱ ପାଇଁ ତିଆରି  କରିବା ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝେ ଏବଂ ବନ୍ଧୁ ଦେଶମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି । ସେଥିପାଇଁ ଭାରତ ଏକ ସ୍ଫୁର୍ତ୍ତିଶୀଳ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ କରୁଛି । ନିକଟରେ ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରା ଯାଇଥିଲା । ଏହା ବ୍ୟତୀତ, ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ବିଲ୍ ମଧ୍ୟ ସଂସଦରେ ଆଗତ ହେବାକୁ ଯାଉଛି । ଏକ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ନବୀକରଣ କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ ଭାରତରେ ୩୦୦ ରୁ ଅଧିକ ପ୍ରତିଷ୍ଠିତ କଲେଜ ଚିହ୍ନଟ କରାଯାଇଛି ଯେଉଁଠାରେ ସେମିକଣ୍ଡକ୍ଟର ଉପରେ ପାଠ୍ୟକ୍ରମ ଉପଲବ୍ଧ ହେବ । ଚିପ୍ସ ଟୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଇଞ୍ଜିନିୟର ମାନଙ୍କୁ ସାହାଯ୍ୟ କରିବ । “ଆକଳନ କରାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଡିଜାଇନ ଇଞ୍ଜିନିୟର ସୃଷ୍ଟି  ହେବାକୁ ଯାଉଛନ୍ତି । ଭାରତର ବୃଦ୍ଧି ପାଉଥିବା ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ମଧ୍ୟ ସେମିକଣ୍ଡକ୍ଟର କ୍ଷେତ୍ରକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏକ କଣ୍ଡକ୍ଟର ଏବଂ ଇନସୁଲେଟରର ଅନୁରୂପ ପ୍ରଦାନ କରି , ଯେଉଁଠାରେ ଇନସୁଲେଟର ମାଧ୍ୟମରେ ନୁହେଁ, କଣ୍ଡକ୍ଟର ମାଧ୍ୟମରେ ଶକ୍ତି ଯାଇପାରିବ ବୋଲି ମତ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଭଲ ଶକ୍ତି ପରିଚାଳକ ହେବା ପାଇଁ ଭାରତ ପ୍ରତ୍ୟେକ ଚେକ୍ ବକ୍ସକୁ ଟିକ୍ କରୁଛି । ଏହି କ୍ଷେତ୍ର ପାଇଁ ବିଦ୍ୟୁତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତର ସୌର ଶକ୍ତି ସ୍ଥାପିତ କ୍ଷମତା ଗତ ଦଶନ୍ଧିରେ ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ନୂତନ ଲକ୍ଷ୍ୟ ଏହି ଦଶନ୍ଧି ଶେଷ ସୁଦ୍ଧା ହାସଲ କରିବାକୁ ସ୍ଥିର ହୋଇଛି । ସୌର ପିଭି ମଡ୍ୟୁଲ୍‌, ସବୁଜ ହାଇଡ୍ରୋଜେନ୍ ଏବଂ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ପାଇଁ ନିଆ ଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ମଧ୍ୟ ସେ କହିଥିଲେ । ସେ କହିଛନ୍ତି ଯେ ଭାରତରେ ଚାଲିଥିବା ନୀତି ସଂସ୍କାର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନୂତନ ଉତ୍ପାଦନ ଶିଳ୍ପ ପାଇଁ କାର୍ଯ୍ୟକାରୀ ହୋଇଥିବା ଅନେକ ଟିକସ ଛାଡ ବିଷୟରେ ସେ ସୂଚନା ଦେଇଛନ୍ତି ଏବଂ ଭାରତର ସର୍ବନିମ୍ନ କର୍ପୋରେଟ୍ ଟିକସ ହାର, ମୁଖହୀନ ଏବଂ ନିରବଚ୍ଛିନ୍ନ ଟିକସ ପ୍ରକ୍ରିୟା, ପୁରାତନ ନିୟମକୁ ରଦ୍ଦ କରିବା, ବ୍ୟବସାୟ କରିବାରେ ସହଜତା ବୃଦ୍ଧି ଏବଂ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ବିଶେଷ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଏବଂ ନୀତି ହେଉଛି ଏକ ପ୍ରତିଫଳନ ଯେ ଭାରତ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଲାଲ୍ ଗାଲିଚା ବିଛେଇବାକୁ ଯାଉଛି । “ଭାରତ ସଂସ୍କାର ପଥରେ ଆଗକୁ ବଢ଼ିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ । ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ କଣ୍ଡକ୍ଟର ପାଲଟିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା, କଞ୍ଚାମାଲ, ତାଲିମପ୍ରାପ୍ତ ମାନବ ଶକ୍ତି ଏବଂ ଯନ୍ତ୍ରପାତିର ଆବଶ୍ୟକତା ଭାରତ ବୁଝିଛି । “ଯେଉଁ କ୍ଷେତ୍ରରେ ଆମେ ଘରୋଇ ଖେଳାଳିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଛି, ତାହା ନୂତନ ଉଚ୍ଚତାକୁ ଛୁଇଁଛି । ମହାକାଶ କ୍ଷେତ୍ର ହେଉ କିମ୍ବା ଭୌଗୋଳିକ କ୍ଷେତ୍ର ହେଉ, ଆମେ ସବୁ ସ୍ଥାନରେ ଉତ୍କୃଷ୍ଟ ଫଳାଫଳ ପାଇଛୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗ୍ରହଣ କରାଯାଇଥିବା ମତାମତ ଆଧାରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି ।  ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ବର୍ଦ୍ଧିତ ପ୍ରୋତ୍ସାହନ ବିଷୟରେ ସେ କହିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଟେକ୍ନୋଲୋଜି ସଂସ୍ଥାଗୁଡ଼ିକୁ ୫୦ ପ୍ରତିଶତ ଅର୍ଥ ସହାୟତା ଦିଆଯିବ । ଦେଶର ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ନିରନ୍ତର ନୀତି ସଂସ୍କାର କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତର ଜି୨୦ ବିଷୟ  ‘ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟରେ ବିଚାର କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର କରିବା ପଛରେ ସମାନ ଭାବନା ପ୍ରୟୋଗ କରାଯାଇଛି । ସେ କହିଛନ୍ତି ଯେ ଭାରତ ଚାହୁଁଛି ଯେ ଏହାର ଦକ୍ଷତା, ସାମର୍ଥ୍ୟ ଏବଂ ସାମର୍ଥ୍ୟରୁ ସମଗ୍ର ବିଶ୍ୱ ଉପକୃତ ହେଉ । ବିଶ୍ୱର ମଙ୍ଗଳ  ଏବଂ ଏକ ଉନ୍ନତ ବିଶ୍ୱ ପାଇଁ ଭାରତର କ୍ଷମତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ୟମରେ ଅଂଶଗ୍ରହଣ, ପରାମର୍ଶ ଏବଂ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସହ ଅଛନ୍ତି । ବକ୍ତବ୍ୟକୁ ଶେଷ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ମନେ ପକାଇ କହିଛନ୍ତି, “ଏହା ହେଉଛି ସମୟ । ଏହା ହେଉଛି ଉପଯୁକ୍ତ ସମୟ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ୱ ପାଇଁ । ”

ଏହି ଉତ୍ସବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କ୍ୟାଡେନ୍ସର ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ୍‌, ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ଯୁବ ଲିୟୁ ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନିଲ ଅଗ୍ରୱାଲ, ମାଇକ୍ରୋନ୍‌ର ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା, ଏଏମ୍‌ଡିର ସିଟିଓ, ଶ୍ରୀ ମାର୍କ ପେପରମାଷ୍ଟର ଏବଂ ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଏଏମ୍‌ଏଟିର ଅଧ୍ୟକ୍ଷ ପ୍ରଭୁ ରାଜା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

ପୃଷ୍ଠଭୂମି

ସମ୍ମିଳନୀର ବିଷୟ ବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ଉତ୍‌ପ୍ରେରିତ କରିବା’ । ଶିଳ୍ପ, ଏକାଡେମୀ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଶ୍ୱସ୍ତରୀୟ ନେତା ମାନଙ୍କୁ ଏକତ୍ର କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶନ କରେ ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ । ସେମିକନ୍ ଇଣ୍ଡିଆ ୨୦୨୩ ରେ ମାଇକ୍ରୋନ୍ ଟେକ୍ନୋଲୋଜି, ଆପ୍ଲାଏଡ୍ ସାମଗ୍ରୀ, ଫକ୍ସକନ୍‌, ଏସ୍‌ଇଏମ୍‌ଆଇ, କ୍ୟାଡେନ୍ସ, ଏବଂ ଏଏମ୍‌ଡି ଭଳି ପ୍ରମୁଖ କମ୍ପାନୀ ଗୁଡିକର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସୁରଟ ଡାଇମଣ୍ଡ ବୋର୍ସ ସୁରଟ ହୀରା ଉଦ୍ୟୋଗର ଗତିଶୀଳତା ଏବଂ ବିକାଶକୁ ଦର୍ଶାଇଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୁରଟରେ ସୁରଟ ଡାଇମଣ୍ଡ ବୋର୍ସର ବିଶ୍ୱର ସବୁଠୁ ବଡ଼ କାର୍ଯ୍ୟାଳୟ ଭବନର ଖୁସି ମନାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ,‘ସୁରଟ ଡାଇମଣ୍ଡ ବୋର୍ସ ସୁରଟ ହୀରା ଶିଳ୍ପର ଗତିଶୀଳତା ଓ ଅଭିବୃଦ୍ଧି ପ୍ରଦର୍ଶନ କରେ। ଏହା ଭାରତର ଉଦ୍ୟୋଗୀ ଭାବନାର ପ୍ରମାଣ ମଧ୍ୟ। ଏହା ବାଣିଜ୍ୟ, ନବସୃଜନ ଏବଂ ସହଯୋଗ ପାଇଁ ଏକ ହବ୍ ଭାବେ କାର୍ଯ୍ୟ କରିବ, ଆମ ଅର୍ଥନୀତିକୁ ଆହୁରି ଗତି ଦେବ ଏବଂ ରୋଜଗାରର ସୁଯୋଗ ସୃଷ୍ଟି କରିବ’।

Categories
ଆଜିର ଖବର ଜାତୀୟ ଖବର

ପିଏମ- ମିତ୍ର ମେଗା ଟେକ୍ସଟାଇଲ ପାର୍କଗୁଡିକ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କ ଶିଳାନ୍ୟାସକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ବିଗତ କିଛି ଦିନ ମଧ୍ୟରେ ଦୁଇଟି ପିଏମ-ମିତ୍ର ମେଗା ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ହୋଇଛି। ଏହି ପାର୍କଗୁଡିକ ମହାରାଷ୍ଟ୍ରର ଅମରାବତୀ ଓ ଗୁଜରାଟର ନବସାରିରେ ନିର୍ମାଣ ହେବ। ଏଗୁଡିକ ଉତ୍ପାଦନ ବୃଦ୍ଧି କରିବ, ନବସୃଜନକୁ ପ୍ରୋତ୍ସାହିତ କରିବ ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।”

Categories
ବିଶେଷ ଖବର

ଗୁଜରାଟ-ହିମାଚଳ ଅପେକ୍ଷା ବିହାରରେ ବିଜେପିର ବିଜୟ ଅଧିକ ଆଶ୍ଚର୍ଯ୍ୟଜନକ, ହାରିଲେ ନୀତୀଶ-ତେଜସ୍ୱୀ

ନୂଆଦିଲ୍ଲୀ: ଗୁଜୁରାଟ, ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ମେନପୁରୀର ଲୋକସଭାରେ ଉପ-ନିର୍ବାଚନର ଫଳାଫଳ ସାରା ଦେଶରେ ଆଲୋଚନା ହେଉଛି। କିନ୍ତୁ ବିହାରର କୁଢନୀ ବିଧାନସଭା ଉପ-ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାହା ସମସ୍ତ ସମୀକରଣ ତାଙ୍କ ସପକ୍ଷରେ ଥିବା ସତ୍ତ୍ୱେ ହାରିଯାଇଛନ୍ତି। ଏହି ବିଜୟରେ ସବୁଠାରୁ ବଡ କାରକ ଭାବରେ ଚିରାଗ ପାସୱାନ୍ ଉଭା ହୋଇଛନ୍ତି।

ଏହି ଆସନ ନୀତୀଶ କୁମାରଙ୍କ ସମ୍ମାନର ପ୍ରଶ୍ନ ପାଲଟିଥିଲା। ଆରଜେଡି ସହିତ ସରକାର ଗଠନ କରିବା ପରେ ନୀତୀଶ କୁମାରଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ଥିଲା। ନୀତୀଶ ନିଜକୁ ECB ର ନେତା ଭାବରେ ବିବେଚନା କରନ୍ତି। ଏହା ସହିତ, ଯଦି JDU-RJD ର ଭୋଟ୍ ପ୍ରତିଶତ ଯୋଡାଯାଏ, ତେବେ ବିହାରରେ ଗ୍ରାଣ୍ଡ୍ ଆଲାଏନ୍ସ ଏତେ ମଜବୁତ ଯେ ସେମାନଙ୍କ ସାମ୍ନାରେ ବିଜେପି କୌଣସି ସ୍ଥାନରେ ଠିଆ ହୁଏ ନାହିଁ।

ବିହାରରେ, ଯଦି ଆପଣ ୧୫ ପ୍ରତିଶତ ଯାଦବ, ୧୧ ପ୍ରତିଶତ କୁର୍ମୀ-କୋରି-ନିଶାଦ ଏବଂ ୧୭ ପ୍ରତିଶତ ମୁସଲମାନ ଯୋଗ କରନ୍ତି, ତେବେ ସମୁଦାୟ ୪୩ ପ୍ରତିଶତ ହେବ। କୁଢନୀ ବିଧାନସଭା ଆସନରେ ପ୍ରାୟ ତିନି ଲକ୍ଷ ଭୋଟ୍। କୁଶୱା ୩୮ ହଜାର, ନିଶାଦ ୨୫ ହଜାର, ବୈଷ୍ଣବ ୩୫ ହଜାର, ମୁସଲମାନ ୨୩ ହଜାର, ଭୁମିହାର ୧୮ ହଜାର, ଯାଦବ ୩୨ ହଜାର, ଭୁମିହାରର ଉଚ୍ଚ ଜାତି ୨୦ ହଜାର, ଦଲିତ ୨୦ ହଜାର ଅଛନ୍ତି।|

କୁଶୱାହରେ ସର୍ବାଧିକ ଭୋଟର ଅଛନ୍ତି। ନୀତୀଶ କୁମାର ନିଜକୁ କୁର୍ମି ଏବଂ କୁଶୱାଙ୍କର ନେତା ବୋଲି ଭାବନ୍ତି। ତାଙ୍କ ଦଳରେ ଉପେନ୍ଦ୍ର କୁଶୱାଙ୍କ ପରି ବଡ ନେତା ଅଛନ୍ତି। ଏହା ସହିତ ମନୋଜ ନିଜେ ମଧ୍ୟ କୁଶୱା ଜାତିର ଅଟନ୍ତି। ତଥାପି ଜେଡିୟୁ ଏହି ଆସନରେ ଏକ ପରାଜୟ ହାସଲ କରିଛି।

ବିଶ୍ୱାସ କରାଯାଏ ଯେ, ବିଜେପିର ରଣନୀତି ଏହି ଆସନରେ କାମ କରିଛି, ଯାହା ସମଗ୍ର ବିହାରରେ ଚେଷ୍ଟା କରିବାକୁ ଚାହୁଁଛି। ଯଦି ୧୫ ପ୍ରତିଶତ ଉଚ୍ଚ ଜାତିର, ୨୬ ପ୍ରତିଶତ ଅତ୍ୟଧିକ ପଛୁଆ ଏବଂ ୧୬ ପ୍ରତିଶତ ଦଳିତ ବିହାରରେ ଏକାଠି ହୁଅନ୍ତି, ତେବେ ବିହାର ଜିତିବା କୌଣସି ଦଳ ପାଇଁ ସହଜ ହୋଇପାରେ। ନିକଟରେ ଉତ୍ତରପ୍ରଦେଶରେ ହୋଇଥିବା ନିର୍ବାଚନରେ ​​ବିଜେପି ମଧ୍ୟ ସମାନ ପରୀକ୍ଷଣ କରିଛି।

କୁଢନୀରେ ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ନୀତୀଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାଙ୍କୁ ୩ ହଜାର୬୪୫ ଭୋଟରେ ପରାସ୍ତ କରି ଏହି ସମୀକରଣ ପାଇଁ ରାସ୍ତା ଖୋଲିଛନ୍ତି। ଗୁପ୍ତା ୭୬ ହଜାର ୬୫୩ ଭୋଟ୍ ପାଇଥିବାବେଳେ କୁଶୱାହା ୭୩ ହଜାର ୮ ଭୋଟ୍ ପାଇଛନ୍ତି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁଶୀଲ କୁମାର ମୋଦୀ କୁଢନୀରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।

ସୁଶୀଲ ମୋଦୀ କହିଛନ୍ତି ଯେ, ନୀତୀଶ କୁମାରଙ୍କ ଗ୍ରାଣ୍ଡ ଆଲାଇନ୍ସ କୁଢନୀରେ ଜଳ ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି, ସମସ୍ତ କୌଶଳ ଆପଣେଇଛି, ତଥାପି ସେଠାରେ ଥିବା ଭୋଟରମାନେ ବିଜେପିର ବିଜୟ ନିଶ୍ଚିତ କରିଛନ୍ତି।

ସୁଶୀଲ ମୋଦୀ କହିଛନ୍ତି ଯେ, ନିର୍ବାଚନରେ ​​ଲାଲୁ ଜୀଙ୍କ ନାମ ମଧ୍ୟ ବ୍ୟବହୃତ ହୋଇଥିଲା, ତାଙ୍କ କିଡନୀ ପ୍ରତିରୋପଣ ପ୍ରସଙ୍ଗରେ ଭାବପ୍ରବଣ କାର୍ଡ ଖେଳାଯାଇଥିଲା, ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ ସଭା କରିଥିଲେ ଏବଂ ଏହି ନିର୍ବାଚନକୁ ସମ୍ମାନର ପ୍ରଶ୍ନ କରିଥିଲେ। କିନ୍ତୁ ଶେଷରେ ଉପ-ନିର୍ବାଚନରେ ​​ବିଜେପି ଜିତିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରଥମ ରାଜ୍ୟ ଭାବେ ଗୁଜରାଟର ୧୦୦% ଜିଲ୍ଲା ମୁଖ୍ୟାଳୟରେ ମିଳିବ ଜିଓ ଟ୍ରୁ-୫ଜି ସେବା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ।

ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କଂପାନି ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି। ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଏବଂ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ। ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଏବଂ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ।

“ଏଜୁକେସନ ଫର ଅଲ୍‌’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ ଜରିଆରେ ଗୁଜରାଟରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜ୍ୟର ୧୦୦ ସ୍କୁଲକୁ ଡିଜିଟାଇଜ୍ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପରସ୍ପର ସହ ହାତ ମିଳାଇଛନ୍ତି। ଏହି ଅଭିଯାନରେ ସ୍କୁଲ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସଂଯୋଗ, ଉନ୍ନତ କଟେଂଟ୍ ପ୍ଲାଟଫର୍ମ, ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗିତା ପ୍ଲାଟଫର୍ମ ଏବଂ ସ୍କୁଲ ପରିଚାଳନା ପ୍ଲାଟଫର୍ମ ଆଦି ସୁବିଧା ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ଆମେ ଗର୍ବର ସହିତ ଏହା ଘୋଷଣା କରୁଛୁ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଛନ୍ତି। ଏହି ପ୍ରଯୁକ୍ତିର ବାସ୍ତବ ଶକ୍ତି ଏବଂ ଏହା କିଭଳି କୋଟି କୋଟି ଜୀବନକୁ ପ୍ରଭାବିତ କରୁଛି ତାହା ଆମେ ପ୍ରଦର୍ଶିତ କରିବାକୁ ଚାହୁଛୁ।

ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଏକ ଗୁରୁତ୍ୱର କ୍ଷେତ୍ର। ଆସନ୍ତା ୧୦-୧୫ ବର୍ଷରେ ୩୦-୪୦ କୋଟି କୁଶଳୀ ଭାରତୀୟ ଶ୍ରମ ଶକ୍ତିରେ ଯୋଗ ଦେବାର ଶକ୍ତି ବିଷୟରେ କଳ୍ପନା କରନ୍ତୁ। ଏହା କେବଳ ପ୍ରତି ଭାରତୀୟଙ୍କୁ ଉତମ ଜୀବନ ଧାରଣ ମାନ ପ୍ରଦାନ କରିବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକାଶଶୀଳ ଦେଶରେ ପରିଣତ ହେବା ଲାଗି ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସଏ) କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ାରେ ସୁଯୋଗ ଜରିଆରେ ତୃଣମୂଳ ସ୍ତରରେ ଯୁବବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରାଯାଉଛି। ଜିଓର ଟ୍ରୁ-୫ଜିକୁ ବ୍ୟବହାର କରି ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ “ଏଜୁକେସନ ଫର ଅଲ୍‌’ ଅଭିଯାନକୁ ସମ୍ପୂର୍ଣ୍ଣ ଏକ ନୂଆ ସ୍ତରକୁ ନେବେ ଯାହା ସ୍କୁଲଗୁଡ଼ିକୁ ଡିଜିଟାଇଜ୍ କରିବ ଏବଂ ସେଗୁଡ଼ିକୁ ଭାରତ ଏବଂ ଦୁନିଆର ଶ୍ରେଷ୍ଠ ସ୍ତରକୁ ଆଣିବ।

ଆମ ବଡ଼ ସହରଗୁଡ଼ିକରେ ବାସ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନି ୫ଜି। ଏହା ନିଶ୍ଚିତ ରୂପେ ଭାରତର ପ୍ରତି ନାଗରିକ, ପ୍ରତି ଗୃହ ଏବଂ ପ୍ରତି ବ୍ୟବସାୟ ପାଖରେ ପହଂଚିବା ଦରକାର। କେବଳ ସେତେବେଳେ ଆମେ ସାରା ଅର୍ଥନୀତିରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରିବା, ଯାହା ଫଳରେ ଆମ ଦେଶ ଏକ ସମୃଦ୍ଧ ଓ ଅନ୍ତର୍ଭୁକ୍ତୀକରଣ ସମାଜରେ ପରିଣତ ହୋଇପାରିବ।’’

୨୦୨୨ ନଭେମ୍ବର ୨୫ରୁ ଗୁଜରାଟରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବ ଯେଉଁଥିରେ ସେମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ମୋରବୀ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ମୋରବୀ: ଗୁଜରାଟର ମୋରବୀ ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ସେତୁ ଦୁର୍ଘଟଣା ଯୋଗୁ ଉତ୍ପନ୍ନ ପରିସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୋରବୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରଭାବିତ ପରିବାର ସହ ସରକାରୀ କର୍ତ୍ତୃପକ୍ଷ ନିୟମିତ ଯୋଗାଯୋଗରେ ରହିବା ଉଚିତ୍। ଏଭଳି ଏକ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କୁ ଯଥାସମ୍ଭବ ସହାୟତା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସରକାରୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ପରିବାରକୁ ଦିଆଯାଉଥିବା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଅଘଟଣ ସହ ଜଡ଼ିତ ସବୁ ଦିଗକୁ ଉଜାଗର କରିବା ଲାଗି ଏକ ବିସ୍ତୃତ ତଥା ବ୍ୟାପକ ତଦନ୍ତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ତଦନ୍ତରୁ ମିଳିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଶିକ୍ଷାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ଗୁଜରାଟର ଗୃହ ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭୀ, ଗୁଜରାଟର ସରକାରରେ ମନ୍ତ୍ରୀ ବ୍ରିଜେଶ ମର୍ଜା, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ସ୍ଥାନୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁଲିସ ମହାନିରୀକ୍ଷକ, ସ୍ଥାନୀୟ ବିଧାୟକ, ସାଂସଦ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିର୍ପୂବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଜ ଦୁର୍ଘଟଣା କ୍ଷେତ୍ର ପରିଦର୍ଶନ କରିଥିଲେ। ସେ ସ୍ଥାନୀୟ ଡାକ୍ତରଖାନାକୁ ଯାଇ ଦୁର୍ଘଟଣାରେ ଆହତମାନଙ୍କର ଅବସ୍ଥା ପଚାରି ବୁଝିଥିଲେ। ସେ ମଧ୍ୟ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସମ୍ପୃକ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ସାହସକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ମୋର୍ବିରେ ଭୁଶୁଡ଼ିଲା ବ୍ରିଜ୍: ୩୫ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଆଜି ଗୁଜରାଟର ମୋର୍ବିରେ ସ୍ୱିଙ୍ଗ୍ ବ୍ରିଜ୍ ଭାଙ୍ଗିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ତିନି ଦିନ ପୂର୍ବେ ମାଚ୍ଚୁ ନଦୀ ଉପରେ ନୂତନ ଭାବେ ନିର୍ମିତ କେବୁଲ ବ୍ରିଜ ଖୋଲା ଯାଇଥିଲା। ସନ୍ଧ୍ୟା ୭ ଟାରେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ବ୍ରିଜ ଉପରେ ୫୦୦ ଲୋକ ଉପସ୍ଥିତ ଥିଲେ। ସମସ୍ତେ ଛଟ ପର୍ବ ପାଳନ କରୁଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଲୋକ ଜଳ ସ୍ରୋତରେ ବୁଡ଼ିଯିବାର ଭୟ ରହିଛି।

ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଦଳ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଅତି ନିକଟରୁ ଏବଂ ନିରନ୍ତର ନଜର ରଖିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କ୍ଷତିପୂରଣ ଘୋଷଣା

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ PMNRF ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ଆହତମାନଙ୍କୁ ୫୦ ହଜାର ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହୋଇପାରେ ଦୁଇଟି ରାଜ୍ୟର ନିର୍ବାଚନ ତାରିଖ, ଅପରାହ୍ନ ୩ ଟାରେ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ତାରିଖ ଘୋଷଣା ହେବା ପରେ ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଉଭୟ ରାଜ୍ୟରେ ବର୍ତ୍ତମାନ ବିଜେପି କ୍ଷମତାରେ ଅଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ସଭାପତି ନିର୍ବାଚନ: ଆଜି ପ୍ରଚାର ପାଇଁ ଗୁଜରାଟ ଯିବେ ଶଶି ଥରୁର

ଅହମ୍ମଦାବାଦ: କଂଗ୍ରେସ ସଭାପତି ପ୍ରାର୍ଥୀ ଶଶି ଥରୁର ଆଜି ଗୁଜୁରାଟ ଗସ୍ତରେ ଯାଇ ଦଳର ସର୍ବୋଚ୍ଚ ପଦବୀ ପାଇଁ ଆଗାମୀ ନିର୍ବାଚନ ପାଇଁ ପ୍ରଚାର କରିବେ। ତିରୁବନନ୍ତପୁରମର ସାଂସଦ ଥରୁରଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଅକ୍ଟୋବର ୧୭ ତାରିଖ ନିର୍ବାଚନ ପାଇଁ ଲଢୁଛନ୍ତି। ଅକ୍ଟୋବର ୧୯ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ଆଜି ଅପରାହ୍ନରେ ଅହମ୍ମଦାବାଦର ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥରୁର ତାଙ୍କର ଯାତ୍ରା ଆରମ୍ଭ କରିବେ।

ଦଳ ଦେଇଥିବା ସୂଚନା ଅନୁଯାୟୀ, ଥରୁର କଂଗ୍ରେସର ନିର୍ବାଚନ ନିର୍ବାଚକ ମଣ୍ଡଳ (ପ୍ରତିନିଧୀ) ସଦସ୍ୟ ଏବଂ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବେ।

ସଭାପତି ପଦ ପାଇଁ ପ୍ରଚାର କରିବାକୁ ଖଡଗେ ଗତ ସପ୍ତାହରେ ଗୁଜୁରାଟ ଯାଇଥିଲେ। ସେ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପୂର୍ବରୁ ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟର ଆପ ମୁଖ୍ୟଙ୍କୁ ନୋଟିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।

Categories
ଆଜିର ଖବର ଜାତୀୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତ

ନୂଆଦିଲ୍ଲୀ:  ଆଜି ଠାରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଭାରତର ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଗୁଜୁରାଟ ଗସ୍ତ। ଆଜି ରାଷ୍ଟ୍ରପତି ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ। ସେ ଗାନ୍ଧିନଗରର ଜିଏମଆରଏସରେ ସ୍ୱାସ୍ଥ୍ୟ, ଜଳସେଚନ, ଜଳ ଯୋଗାଣ ଏବଂ ବନ୍ଦର ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ଉଦଘାଟନ କରିବେ।

ସେହିଦିନ ସନ୍ଧ୍ୟାରେ ସେ ଗାନ୍ଧିନଗରରେ ତାଙ୍କ ସମ୍ମାନାର୍ଥେ ଗୁଜରାଟ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନାରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ‘HerStart’ ଆରମ୍ଭ କରିବେ। ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗୁଜୁରାଟ ବିଶ୍ୱବିଦ୍ୟାଳୟର ଏକ ଷ୍ଟାର୍ଟ ଅପ୍ ପ୍ଲାଟଫର୍ମ ଏବଂ ଗୁଜୁରାଟ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦରେ ଶିକ୍ଷା ତଥା ଆଦିବାସୀ ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୁଜରାଟରେ ପ୍ରାୟ ୨୦୦କୋଟିର ମାଦକ ଦ୍ରବ୍ୟ ସହ ଏକ ପାକିସ୍ତାନୀ ବୋଟ୍ ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି। ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ ନାବିକଙ୍କୁ ଗିରଫ ସହ ଦୁଇଶହ କୋଟି ଟଙ୍କାର ପ୍ରାୟ ୪୦ କେଜି ମାଦକ ଦ୍ରବ୍ୟ ଜବତ ହୋଇଛି। ସେପ୍ଟେମ୍ବର ୧୩, ୧୪ ୨୦୨୨ ମଧ୍ୟ ରାତ୍ରିରେ ଏଟିଏସ୍ ଗୁଜରାଟ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ଏକ ଗୁପ୍ତ ବାର୍ତ୍ତା ପାଇ ଦୁଇଟି ସି-୪୮୦ ଓ ସି -୪୫୪ ଅନୁଧାବନକାରୀ ଶ୍ରେଣୀୟ ଜାହାଜ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଅଞ୍ଚଳରେ ପଇଁତରା ପାଇଁ ମୁତୟନ କରିଥିଲା। ସାମୁଦ୍ରିକ ସୀମାର ପାଞ୍ଚ ସାମୁଦ୍ରିକ ମାଇଲ ଭାରତୀୟ ଜଳରାଶି ଅଞ୍ଚଳ ମଧ୍ୟରେ ଝାଖାଉ ନିକଟରେ ଏକ ପାକିସ୍ତାନୀ ନୌକା ସନ୍ଦେହଜନକ ଭାବେ ଚଳପ୍ରଚଳ ହେବା ପରିଲକ୍ଷିତ ହୋଇଥିଲା। ପାକିସ୍ତାନୀ ନୌକାକୁ ଅନୁଧାବନ କରିବାରୁ ସେ କିଛି ସାମଗ୍ରୀ ପାଣିରେ ଫୋପାଡି ଖସିଯିବାକୁ ଚେଷ୍ଟା କଲା। ଅଶାନ୍ତ ସମୁଦ୍ର ସତ୍ୱେ ଭାରତୀୟ ତଟରକ୍ଷୀ ଜାହାଜ ସେ ନୌକାକୁ ଅନୁଧାବନ କରି ତାକୁ ଜବତ କରିଥିଲା।

ନୌକାଟିକୁ ଝାଖାଉକୁ ମିଳିତ ଅନୁସନ୍ଧାନ ପାଇଁ ଅଣାଯାଇଛି। ଭାରତୀୟ ତଟରକ୍ଷୀ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ଏହା ପଞ୍ଚ କାର୍ଯ୍ୟାନୁଷ୍ଠାନ। ମଜବୁତ ତଟୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଏଭଳି ମିଳିତ କାର୍ଯ୍ୟାନୁଷ୍ଠାନ ଉତ୍ତମ ସମନ୍ୱୟକୁ ସୂଚାଇଥାଏ।