ଭୁବନେଶ୍ବର: ଆଜି ବିଜେଡି ନେତାମାନେ ଏକାଠି ହୋଇ ଭୁବନେଶ୍ବରର ଗାନ୍ଧୀ ପାର୍କରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ନିରବ ପ୍ରତିବାଦ କରିଛନ୍ତି। ବହୁ ବରିଷ୍ଠ ନେତା ଓ ନେତ୍ରୀ ଏକାଠି ହୋଇ ପାଟିରେ କଳାପଟି ବାନ୍ଧି ଏହି ପ୍ରତିବାଦ କରିଛନ୍ତି। ସେମାନେ ନା କରୁଥିଲେ ହୋ ହାଲ୍ଲା, ନା ଦେଉଥିଲେ ସ୍ଲୋଗାନ। କେବଳ ଗାନ୍ଧୀଙ୍କ ମୂର୍ତ୍ତି ତଳେ ଦୀର୍ଘ ସମୟ ଧରି ଚୁପଚାପ ବସି ରହିଥିଲେ।
ତେବେ ଏପରି ନିରବ ପ୍ରତିବାଦ କରିବାର ଏକ କାରଣ ରହିଛି। ତାହା ହେଲା ସେମାନେ ରାଜଧାନୀରେ ଆନ୍ଦୋଳନ କରିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠକୁ ବିରୋଧ କରି ଏହି ପ୍ରତିବାଦ କରିଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଦଳ ଗତ 16 ତାରିଖରେ ଭୁବନେଶ୍ବରେ ବିକ୍ଷୋଭ କରିଥିଲା। ଛାତ୍ରୀକୁ ନ୍ୟାୟ ପ୍ରଦାନ ପାଇଁ ଦଳର କର୍ମିମାନେ ଲୋକସେବା ଭବନ ଆଡକୁ ମାଡି ଯାଉଥିବା ବେଳେ ପୋଲିସ ଲୁହବୁହା ବାଷ୍ପ ଏବଂ ପାଣିମାଡ କରିଥିଲା।
ତେବେ ଦଳର ଅଭିଯୋଗ ଯେ, ପୋଲିସ କେତେକ ନେତାଙ୍କୁ ଲକ୍ଷ କରି ରବର ଗୁଳି ପ୍ରୟୋଗ କରିଥିଲା। ଫଳରେ ବିଜେଡି ନେତା ବବି ଦାସ, ସୁଲତା ଦେଓ, ପ୍ରୀତିରଂଜନ ଘଡାଇ ପ୍ରମୁଖ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୋଲିସର ଏପରି ଅତ୍ୟାଚାର ବିରୋଧରେ ବିଜେଡି ନେତାମାନେ ଏହି ନିରବ ପ୍ରତିବାଦ କରିଛନ୍ତି।