ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି କର୍ମସ୍ଥଳରେ ମହିଳା ଯୌନ ଉତ୍ପୀଡ଼ନର ନିବାରଣ,ନିଷେଧ ଓ ପ୍ରତିକାର ସମ୍ପର୍କିତ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଓ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ପରେ ବାଲୁଗାଁ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ପୁନର୍ଗଠନ ପରେ ଆଜି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ପ୍ରିଜାଇଣ୍ଡିଙ୍ଗ ଅଫିସର ଡକ୍ଟର ମୋନାଲିସା ମାନସିଂହ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ନିବାରଣ ଓ ପ୍ରତିକାର ସମ୍ପର୍କରେ କେନ୍ଦ୍ର ସରକାର, ୟୁଜିସି ଓ ରାଜ୍ୟସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯକ୍ରମର ସଂଯୋଜନା କରିବା ସହ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ପାଇଁ ୨୦୧୩ ଓ ୨୦୧୫ ରେ ଆଗତ ଅଧିନିୟମ ସଚେତନତା ମାଧ୍ୟମରେ ମହାବିଦ୍ୟାଳୟ ପରିସରରେ ଏକ ସୁସ୍ଥ ଓ ପବିତ୍ର ବାତାବରଣ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ସୁନିତା ନନ୍ଦ ମହିଳା ସୁରକ୍ଷା,ସମ୍ମାନ ଓ ଅଧିକାର ସମ୍ପର୍କରେ ସମ୍ବିଧାନରେ ପ୍ରଣୀତ ବିଭିନ୍ନ ଧାରା ସମେତ ପୋଷ ଆକ୍ଟ ୨୦୧୩ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରବୀଣ କୁମାର ଜେନା ଓ ଅଧ୍ୟାପିକା ରୀନା ରାଉତ ମହାବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ମିଳିତ ଉଦ୍ୟମରେ ପବିତ୍ର ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତାବ୍ୟକ୍ତ କରିଥିଲେ।
ଏହି ଅବସରରେ ଛାତ୍ରୀ ଯସ୍ମିନ ବେଗମ ସମଗ୍ର ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଉତ୍ପୀଡ଼ନ ଓ ଏହାର ପ୍ରତିକାର ସମ୍ପର୍କରେ ଅଧିନିୟମ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଏଥିସହ ଶିକ୍ଷାନୁଷ୍ଠାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ଯୌନ ଉତ୍ପୀଡ଼ନ ନିବାରଣ ଓ ପ୍ରତିକାର ପାଇଁ ସମସ୍ତେ ଏକ ସଙ୍ଗରେ ଶପଥ ଗ୍ରହଣ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଆଇସିସି ସଭ୍ୟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।
ପ୍ରକାଶ ଥାଉକି ଚଳିତ ବର୍ଷ ମହାବିଦ୍ୟାଳୟରେ ପୁନର୍ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ଆଇସିସି) ସଦସ୍ୟ ଭାବେ ଶିକ୍ଷକ- ଅଣଶିକ୍ଷକ, ଶିକ୍ଷାର୍ଥୀ ଓ ଅଞ୍ଚଳର ବରିଷ୍ଠ ସାମାଜିକ କର୍ମୀଙ୍କୁ ନେଇ ସାତ ଜଣିଆ ସମିତି ଗଠନ କରାଯିବା ସହ ମହାବିଦ୍ୟାଳୟ ର ପ୍ରମୁଖ ସ୍ଥାନରେ ୧୮୧ ସହାୟତା ନମ୍ବର ସୂଚିତ ଥିବା ଏକ ଷ୍ଟାଣ୍ଡି ସମସ୍ତଙ୍କ ଗୋଚରାର୍ଥେ ପ୍ରଦର୍ଶିତ କରାଯାଇଛି।