ରଣପୁର: ନୟାଗଡ ଜିଲ୍ଲା ଅଧିନସ୍ଥ ରଣପୁର ଛାତ୍ର କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଆଖିଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁପ୍ତ ହୋଇ ରହିଥିବା ଛାତ୍ର ସଂଗଠନକୁ ଜାଗ୍ରତ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା।
ରଣପୁରର ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ବିଭୂପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମା’ ଅସୁରକୁମାରୀଙ୍କ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ବହୁ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବହୁ ନୂତନ ଛାତ୍ର ବିଧିବଦ୍ଧ ଭାବେ ଛାତ୍ର କଂଗ୍ରେସରେ ଯୋଗ ଦେଇଥିବା ସୂଚନା ମିଳିଛି। ଏହି ଛାତ୍ର ସମାବେଶରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ପ୍ରତ୍ୟକ ବିକାଶ ମୂଳକ କାର୍ଯ୍ୟରେ ଦୃଢ଼ତାର ସହ ଲଢ଼ିବେ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ।
ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର ତାଙ୍କ ଭାଷଣରେ NSUI ର ବିଚାରଧାରା କଣ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଏତତ ବ୍ୟତିତ ଛାତ୍ର କଂଗ୍ରେସର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ଯୋଗ ଦେଇ ଛାତ୍ର କଂଗ୍ରେସକୁ ସୁଦୃଢ କରିବା ପାଇଁ ପ୍ରେରଣା ଦେଇଥିଲେ।
ଶ୍ରମିକ ସଂଘର ସଭାପତି ଆଲୋକ ଚନ୍ଦ୍ର ପ୍ରଧାନ ଅଭିବ୍ୟକ୍ତିରେ ଛାତ୍ର ନେତାଙ୍କ ମନବଳ ସୁଦୃଢ କରିବା ସହ ଛାତ୍ର ଜୀବନରେ ନ୍ୟାୟର ନିରପେକ୍ଷତା ଓ ଗୋଟେ ଛାତ୍ର ନେତାର ସରକାରକୁ ଦୋହଲେଇ ଦେବା ଭଳି ଶକ୍ତି ରହିଛି ବୋଲି ମତବ୍ୟକ୍ତ କରିଥିଲେ।
ଛାତ୍ର ନେତା ସୁନୀଲ କୁମାର ସାହୁ , ଜୀବନ ଜ୍ୟୋତି , ଅମ୍ଲାନ ସାହୁ ଙ୍କ ସହ ବହୁ ଛାତ୍ର ନେତା ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ପରିଶେଷରେ ସଭା ର ସ୍ମୃତି ସ୍ୱରୂପ ବୃକ୍ଷ ରୋପଣ କରି ସଭା କୁ ଶେଷ କରାଯାଇଥିଲା।