ବାଣପୁର: ଆଜି ଖୋର୍ଦ୍ଧା ବାଣପୁର ବ୍ଲକ ସଭାଗୃହରେ ‘କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଅଧିନିୟମ ୨୦୧୩’ ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ବିଇଓ ସନାତନ ଜାଲି, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବାଣପୁର ଓକିଲ ସଂଘ ଉପ ସଭାପତି ପଦ୍ମଜା ପଟ୍ଟନାୟକ, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଅନ୍ୟ ଓକିଲ ଏବଂ ବାଣପୁର ଏନଏସି ଅନ୍ତର୍ଗତ ୧୩ ଗୋଟି ବିଦ୍ୟାଳୟର ଆଇସିସି କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା( ନିବାରଣ, ନିଷେଧ ଓ ନିରାକରଣ) ଅଧିନିୟମ ୨୦୧୩ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯୌନ ନିର୍ଯ୍ୟାତନା କାହାକୁ କୁହାଯାଏ, ଆଇନ ଅନୁଯାୟୀ ପୀଡ଼ିତା କିଏ, ପ୍ରତିପକ୍ଷ କିଏ, ଆଇନ ଅନୁଯାୟୀ କାର୍ଯ୍ୟସ୍ଥଳୀ ଅର୍ଥ କଣ, କର୍ମଚାରୀ କିଏ, ନିଯୁକ୍ତିଦାତା କିଏ ଏବଂ ତାଙ୍କର କଣ କାର୍ଯ୍ୟ, ଆଇସିସି କଣ, ଉକ୍ତ କମିଟିରେ କେତେଜଣ ରହିବେ ଏବଂ କିଏ କିଏ ରହିପାରିବେ, ଜିଲ୍ଲା ଅଧିକାରୀ କିଏ, ଉକ୍ତ ଅପରାଧ ପାଇଁ ଦଣ୍ଡବିଧାନ କଣ କଣ ରହିଛି ଆଦି ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କୁ ବୁଝାଇଥିଲେ।
ଉକ୍ତ ଗୁରୁତ୍ୱପୂର୍ଣ ବିଷୟଗୁଡିକ ବାବଦରେ ସଚେତନ କରାଇଥିବାରୁ ସଭାଶେଷରେ ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ବିଚାରପତି ଶ୍ରୀ ମହାପାତ୍ର ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।