ଭୁବନେଶ୍ୱର: ଗତ ୦୨ ତାରିଖରେ ଗଣଶିକ୍ଷା ବିଭାଗରେ ନିଯୁକ୍ତ ଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ /ଯୋଜନା ଭିତ୍ତିକ) ମାନଙ୍କୁ ନିୟମିତ ସହିତ ୨୦୦୧ ପରଠାରୁ ପ୍ରାଥମିକ ଶିକ୍ଷାରେ ନିଯୁକ୍ତ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ନିଯୁକ୍ତି କ୍ଷେତ୍ରରେ ଗଣନା କରିବାକୁ ଏକ କମିଟି ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ଫଳରେ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ଖୁସିର ମାହୋଲ ଖେଳିଯାଇଥିଲା ବେଳେ ହଟାତ୍ ରାଜ୍ୟସରକାର ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିବାରୁ ରାଜ୍ୟସରକାରଙ୍କର ଦୋମୁହାଁ ନୀତି ପ୍ରତିଫଳନ ହୋଇଛି।
ନିୟମିତ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନିଷ୍ପତ୍ତି ନେବା ପରେ ଏଥିରୁ ଓହରି ଯିବା ଦୋମୁହାଁ ନୀତିକୁ ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ସଙ୍ଘ ଦୃଢ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କର ଜାତୀୟ ଶିକ୍ଷା ନୀତିକୁ ରାଜ୍ୟସରକାର ଲାଗୁ କରୁଥିବା ବେଳେ ପ୍ରାଥମିକ ଶିକ୍ଷା ନିଯୁକ୍ତିରେ ପୁନର୍ବାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଓଡ଼ିଶାର ମିଳିତ ସରକାରୀ କର୍ମଚାରୀ ମହାସଂଘ ଦୃଢ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କୁ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ନିୟମିତ ନିଯୁକ୍ତି ଲାଗୁ କରିବା ନିମନ୍ତେ ଘୋଷଣା କରନ୍ତୁ ବୋଲି ଅନୁରୋଧ କରାଯାଇଛି।