ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ପୋଲିସ୍ ୪ ଲୁଟେରାଙ୍କୁ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ସମସ୍ତ ଅଭିଯୁକ୍ତ ଜଗଦଲପୁର ଗ୍ରାମର ଦୀପକ ଦାସ, ପିଣ୍ଟୁ ଦାସ, ମେଘା ଦାସ ଓ ସୁଦାମ ଦାସ ବୋଲି ଜଣାପଡିଛି। ଏହି ଅଭିଯୁକ୍ତମାନେ ଗାଁ ଛକରେ ରାସ୍ତାରେ ଯାଉଥିବା ବିଭିନ୍ନ ଲୋକଙ୍କୁ ଅଟକାଇ ମାଡ଼ ମାରି ଟଙ୍କା ଓ ମୋବାଇଲ ଫୋନ ଲୁଟ୍ କରୁଥିବା ଦୁଇଟି ପୃଥକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଲୁଟେରାମାନଙ୍କୁ ଧରି ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ମୁତାବକ ପଶ୍ଚିମବଙ୍ଗର ସନ୍ତୋଷ ବିନ୍ଦ୍ ନାମକ ଜଣେ ଯୁବକ ଦୁଇ ସାଙ୍ଗ ସହ ଜଗଦଲପୁର ଗ୍ରାମ ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ମୋବାଇଲ ଫୋନ ଓ ନଗଦ ୩ ହଜାର ଟଙ୍କା ଲୁଟ୍ କରିଥିଲେ। ସେହିଭଳି ଅଙ୍କୁଶପୁର ଗ୍ରାମର ନନ୍ଦନ ବେହେରା ଓ ଅଭିଷେକ ବେହେରା ବ୍ରହ୍ମପୁରରୁ ଗାଁ କୁ ଫେରୁଥିବା ବେଳେ ରାସ୍ତାରେ କିଛି ଯୁବକ ତାଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ କରିଥିଲେ। ଏହି ଅଭିଯୋଗ କୁ ଗ୍ରହଣ କରି ନିମଖଣ୍ଡି ଥାନା ପୋଲିସ୍ ଗଭୀର ଅନୁସନ୍ଧାନ କରି ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛି।