ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ। ଏହା ସେଚେତନତା ଓ ସକାରାତ୍ମକ କ୍ୟାରିୟର ପାଇଁ ଆଲୋକବର୍ତ୍ତିକା ବୋଲି ସେ କହିଥିଲେ।
କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କେଭିଏସ୍ ଭୁବନେଶ୍ୱର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥିବା କ୍ୟାରିୟରଗୁଡ଼ିକର ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ଉପରେ ବିଶଦ ଭାବେ କହିଥିଲେ। ପ୍ରତିଷ୍ଠାନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ମହାନ୍ତି, ଲେଫ୍ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ, ଡ. ପୁଷ୍ପଲତା ନେଗୀ, ବି.ଏନ୍. ଷଡ଼ଙ୍ଗୀ ଓ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ।
ସହକାରୀ ପ୍ରଫେସର ଡ. ଭି. ଶଶିକଳାଙ୍କ ସଂଯୋଜନାରେ ହୋଇଥିବା ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ୧୨ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ସେମାନଙ୍କୁ ପ୍ରାୟ ୪୫ରୁ ଅଧିକ କ୍ୟାରିୟର ବିଷୟରେ ଅବଗତ କରାଯାଇଥିଲା। ପ୍ରଫେସର ହୃଷୀକେଶ ସେନାପତି ଓ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତିଙ୍କ ସମେତ ବହୁ ଶିକ୍ଷାବିତ୍ ପ୍ରଦର୍ଶନୀ ବୁଲି ଦେଖିବା ସହିତ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।